ଆଜି ମହାଳୟା ବା ପିତୃ ବିସର୍ଜନୀ ଅମାବାସ୍ୟା। ଓଡ଼ିଶାର ଏକ ଧର୍ମଭିତ୍ତିକ ପର୍ବ। ଏହା ହିନ୍ଦୁମାନଙ୍କ ଦ୍ୱାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକ ଶ୍ରାଦ୍ଧ କର୍ମ। ଏହି ଦିନ ଅନୁଷ୍ଠିତ ଶ୍ରାଦ୍ଧକୁ 'ମହାଳୟା ଶ୍ରାଦ୍ଧ', 'ସାମ୍ବତ୍ସରିକ ଶ୍ରାଦ୍ଧ' ବା 'ପାର୍ବଣ ଶ୍ରାଦ୍ଧ' ବା 'ମଉଳା ଶ୍ରାଦ୍ଧ' ବୋଲି ମଧ୍ୟ କୁହାଯାଏ।
ଆଶ୍ୱିନ ମାସର ପ୍ରଥମ ପକ୍ଷର ଅମାବାସ୍ୟା ‘ମହାଳୟା ଅମାବାସ୍ୟା’ ନାମରେ ପାଳିତ ହୋଇଥାଏ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" କୁହାଯାଏ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ। ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ।
ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ ପୂଜା କରାଯାଏ। ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ମହାଳୟା ତିଥିରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନଠାରେ ‘ଦଶହରା ବଳଦ ଯାତ୍ରା’ର ଆରମ୍ଭ ହୋଇଥାଏ। ଏହି ଦିନ ସମ୍ବଲପୁରର ସମଲେଶ୍ୱରୀଙ୍କ ‘ଧବଳମୁଖୀ ବେଶ’ ହୋଇଥାଏ।
Also Read
ହିନ୍ଦୁ ଧାର୍ମିକ ପରଂପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତରପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ ।
କ’ଣ କୁହେ କିମ୍ବଦନ୍ତୀ:
କିମ୍ବଦନ୍ତୀ ଅନୁସାରେ ମହାଦାନୀ କର୍ଣ୍ଣଙ୍କର ଦାତାପଣିଆର ପୁରସ୍କାର ସ୍ୱରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଥିଲା। ହେଲେ ଖାଦ୍ୟ ଦିଆଯାଇ ନ ଥିଲା। କାରଣ, ଜୀବିତାବସ୍ଥାରେ ସେ କେବେ ଅନ୍ନଦାନ କରି ନ ଥିଲେ। ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସି ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ। ଯମପୁର ଫେରିବା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା। ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ଥିଲା ପିତୃ ପକ୍ଷ।
ମା’ ଦୁର୍ଗାଙ୍କ ସହିତ ଜଡିତ ମହାଳୟାର ଗୁରୁତ୍ୱ:
ମହାଳୟା ଦିନ ମା’ ଦୁର୍ଗାଙ୍କ ଆଗମନ ପୂର୍ବରୁ ତାଙ୍କ ପ୍ରତିମାକୁ ମଧ୍ୟ ଏହି ଦିନ ଅନ୍ତିମ ତଥା ଶେଷ ରୂପ ଦିଆଯାଏ। ଏହି ଦିନ ମା’ ଦୁର୍ଗାଙ୍କ ମଣ୍ଡପକୁ ସଜ୍ଜାଯାଏ ଏବଂ ମା’ଙ୍କ ମୂର୍ତ୍ତିକୁ ସଜ୍ଜା ଯାଏ।
ମହାଳୟା ଅମାବାସ୍ୟାର ବିଶେଷ ମୁହୂର୍ତ୍ତ:
- ବ୍ରହ୍ମ ମୁହୂର୍ତ୍ତ: ସକାଳ ୪:୩୫ ରୁ ୫:୨୩ ପର୍ଯ୍ୟନ୍ତ
- ଅଭିଜିତ ମୁହୂର୍ତ୍ତ: ୧୧:୪୮ ରୁ ଅପରାହ୍ନ ୧୨:୩୭ ପର୍ଯ୍ୟନ୍ତ
- ବିଜୟ ମୁହୂର୍ତ୍ତ: ଅପରାହ୍ନ ୨:୧୩ ରୁ ୩:୦୧
- ଗୋଧୂଳି ମୁହୂର୍ତ୍ତ: ସନ୍ଧ୍ୟା ୬:୦୨ ରୁ ୬:୨୬ ପର୍ଯ୍ୟନ୍ତ