ଦୀନ ଦରିଦ୍ରଙ୍କ ପାଇଁ ଯାହାଙ୍କ ହୃଦୟ କାନ୍ଦି ଉଠୁଥିଲା ସେ ହେଲେ ଉତ୍କଳମଣି ଗୋପବନ୍ଧୁ ଦାସ। ଇତିହାସର ପୃଷ୍ଠାକୁ ଠିକଭାବେ ଅଵଲୋକନ କଲେ ଜଣାଯାଏ ଯେ ଗୋପବନ୍ଧୁ ଥିଲେ ହିନ୍ଦୁତ୍ୱ ଓ ସାଂସ୍କୃତିକ ରାଷ୍ଟ୍ରୀୟତାବାଦର ଜଣେ ପୁରୋଧା। ଗୋପବନ୍ଧୁ ହିନ୍ଦୁ ମହାସଭା ନେତା ଲାଲା ଲଜପତ୍ ରାୟଙ୍କ ଦ୍ଵାରା ବିଶେଷ ଭାବରେ ଅନୁପ୍ରାଣିତ ହୋଇଥିଲେ। ଲାଲାଜୀଙ୍କ ଓଡ଼ିଶା ପରିଦର୍ଶନ ପରେ ସେ ୧୯୨୬ ମସିହାରେ ହିନ୍ଦୁ ମହାସଭାର ଓଡ଼ିଶା ଶାଖା ପ୍ରତିଷ୍ଠା କରିଥିଲେ। ତେବେ ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ସହ ଜଡିତ କିଛି କଥା ଜାଣିନେବା।
ପ୍ରାରମ୍ଭିକ ଜୀବନ:
ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ବାପା ଦୈତାରି ଦାସ ଓ ମା’ ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଖୁବ ଅଳ୍ପ ବୟସ ହୋଇଥିବା ବେଳେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଯାଇଥିଲା।
ସ୍କୁଲ ଜୀବନ:
Also Read
ମା’ଙ୍କ ମୃତ୍ୟୁ ପରେ ସେ ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ। ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହିତ ପରିଚୟ ହୋଇଥିଲା ଓ ତାଙ୍କଠାରୁ ସେ ଦେଶସେବା ବାବଦରେ ଶିକ୍ଷା ପାଇଥିଲେ। ୧୨ ବର୍ଷ ବୟସରେ ବିବାହ କରି ମଧ୍ୟ ସେ ପାଠପଢ଼ା ଜାରି ରଖିଥିଲେ। ପୁରୀରୁ ମାଟ୍ରିକ ପାସ୍ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ।
ସମାଜସେବା:
ଗୋପବନ୍ଧୁ ଦାସ ପୁରୀରେ ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରିଥିଲେ। ଏହି ସଂଗଠନର ସାଥୀମାନଙ୍କ ସହ ସେ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଆଦି କାମ କରୁଥିଲେ।
ସତ୍ୟବାଦୀ ବନ ବିଦ୍ୟାଳୟ:
ଗୋପବନ୍ଧୁ ଦାସ ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରୁ ଅନ୍ୟତମ। ମଧୁସୂଦନ ରାଓଙ୍କ ନିଷ୍ପତି କ୍ରମେ ତାଙ୍କ ନେତୃତ୍ୱରେ ପଞ୍ଚସଖାମାନେ ମିଶି ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଟିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା। ସେ ଚୁଡ଼ା, ଚାଉଳ ଧରି ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିଥିଲେ।
ଓଡ଼ିଆ ଭାଷା ଆନ୍ଦୋଳନ :
କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଗୋପବନ୍ଧୁଙ୍କ ସମେତ ଅନେକ ଓଡ଼ିଆ ନେତା ଆନ୍ଦୋଳନ ଆରମ୍ଭ କରିଥିଲେ। ସେ କର୍ତ୍ତବ୍ୟ ବୋଧିନୀ ସମିତି ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କରିଥିଲେ। ତାଙ୍କର ଆହ୍ୱାନ ଥିଲା "ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା। ଭାଷା ହିଁ ଜାତିର ପ୍ରାଣସ୍ପନ୍ଦନ"।
ଗୋପବନ୍ଧୁ ଓ ରାମଚନ୍ଦ୍ର ଦାଶ ରମ୍ଭାଠାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ପରିଚାଳନା କରିଥିଲେ। ସେ ୧୯୦୩ରେ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭାବେ ଭାଗ ନେଇଥିଲେ। ଏହି ଆନ୍ଦୋଳନ କ୍ରମେ ତୀବ୍ର ହୋଇ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗକୁ ମୁହାଁଇଥିଲା।
କଲେଜ ଜୀବନ :
ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ୍ କଲେ ଓ ପରେ କଲିକତାରେ ବିଏଲ ପଢ଼ିଲେ। କଲିକତାରୁ ଫେରି ଗୋପବନ୍ଧୁ ଦାସ ବାଲେଶ୍ୱର ଜିଲ୍ଲାର ନୀଳଗିରିଠାରେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ।
କଲିକତାରେ ଶ୍ରମିକ ପାଇଁ କାର୍ଯ୍ୟ :
କଲିକତାରେ ବିଏଲ ପଢ଼ିବା ସମୟରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ସହାୟତା ପାଇଁ ସେ "ଓଡ଼ିଆ ଶ୍ରମିକ ସଂଘ" ଓ "ସାନ୍ଧ୍ୟ ବିଦ୍ୟାଳୟ" ପ୍ରତିଷ୍ଠା କରିଥିଲେ।
ପରିବାର :
ମାତ୍ର ୧୨ ବର୍ଷ ବୟସରେ ସେ ଅପତୀ ଦେବୀଙ୍କୁ ବିବାହ କରିଥିଲେ। ରେଭେନ୍ସା ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ୧୯୦୩ରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭାବେ ଭାଗ ନେଇ ଓଡ଼ିଆ ଭାଷା ଆନ୍ଦୋଳନରେ ଯୋଗଦାନ ସମୟରେ ତାଙ୍କର ପ୍ରଥମ ପୁତ୍ରଙ୍କର ମୃତ୍ୟୁ ଘଟିଥିଲା। କଲିକତାରେ ବିଏଲ ପଢ଼ୁଥିବା ବେଳେ ତାଙ୍କର ଦ୍ୱିତୀୟ ପୁତ୍ରଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଏହା ପରେ ତାଙ୍କ ପତ୍ନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
ସମାଜ ସମ୍ବାଦପତ୍ର :
ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଭାରତୀୟ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ସେ ୧୯୧୯ ଅକ୍ଟୋବର ମାସ ୪ ତାରିଖରେ ସାପ୍ତାହିକ "ସମାଜ" ଖବରକାଗଜ ପ୍ରକାଶ କରିଥିଲେ। ପ୍ରଥମେ ଏହା ୧୯୧୯ ମସିହାରେ ସତ୍ୟବାଦୀରୁ, ୧୯୨୪ ମସିହାରେ ପୁରୀରୁ ଓ ଶେଷରେ ୧୯୨୭ ମସିହାରେ କଟକରୁ ପ୍ରକାଶିତ ହେଉଥିଲା।
୧୯୩୦ରେ "ସମାଜ" 'ସାପ୍ତାହିକରୁ ଦୈନିକ ଖବରକାଗଜରେ ପରିଣତ ହୋଇଥିଲା। ଲୋକମାନଙ୍କ ଉପରେ ପୁଲିସର ମାତ୍ରାଧିକ ବଳପ୍ରୟୋଗ ଓ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ସମାଜରେ ସମ୍ବାଦ ପ୍ରକାଶ କରିବା ପରେ ଇଂରେଜ ସରକାର ତାଙ୍କୁ ୧୯୨୨ ମସିହାରେ କାରାବଦ୍ଧ କରିଥିଲେ।
ସାହିତ୍ୟ ରଚନା
କାରାଗାରରେ ଥିବା ବେଳେ ସେ "କାରାକବିତା" ଓ "ବନ୍ଦୀର ଆତ୍ମକଥା" ନାମରେ ଦୁଇଟି କାବ୍ୟଗ୍ରନ୍ଥ ରଚନା କରିଥିଲେ। ୧୯୨୪ରେ ଜେଲରୁ ଆସିବା ପରେ କଟକଠାରେ ଅନୁଷ୍ଠିତ ଏକ ବିଶାଳ ସମ୍ବର୍ଦ୍ଧନା ସଭାରେ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ "ଉତ୍କଳମଣି" ବୋଲି ସମ୍ବୋଧନ କରିଥିଲେ। ସେଠାରେ ଉପସ୍ଥିତ ଜନତା କରତାଳି ମାଧ୍ୟମରେ ଏହି ଉପାଧୀକୁ ସ୍ୱୀକୃତି ଦେଇଥିଲେ।
ଲୋକସେବକ ମଣ୍ଡଳରେ ସଦସ୍ୟତା :
ଗୋପବନ୍ଧୁ ଦାସଙ୍କ ଦେଶସେବାରେ ଅବଦାନ ପାଇଁ ଲାଲା ଲାଜପତ ରାୟ ତାଙ୍କୁ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରୂପେ ଗ୍ରହଣ କରିଥିଲେ ପରେ ସେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ।
ରାଜନୀତିରେ ଅଂଶଗ୍ରହଣ :
ମଧୁସୂଦନ ଦାସଙ୍କ ପ୍ରେରଣାରୁ ସେ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ। ୧୯୨୧ ମସିହାରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ।
ମୃତ୍ୟୁ :
୧୯୨୮ ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବା ପାଇଁ ଲାହୋର ଯିବା ବାଟରେ ସେ କଲିକତାଠାରେ ଆନ୍ତ୍ରିକ ଜ୍ୱରରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଥିଲେ। ଏହାପରେ ଧୀରେଧୀରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା। ୧୯୨୮ ମସିହା ଜୁନ ୧୭ ତାରିଖ ରବିବାର ସନ୍ଧ୍ୟା ୭ଟା ୨୫ମିନିଟ୍ରେ ତାଙ୍କର ମୃତ୍ୟୁ ହୋଇଥିଲ। ମୃତ୍ୟୁର ଦୁଇ ଘଣ୍ଟା ଆଗରୁ ସେ ନିଜ ଇଚ୍ଛାପତ୍ରରେ ସମାଜ ଓ ସତ୍ୟବାଦୀ ପ୍ରେସ୍ର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ।
ରଚନାବଳୀ :
- ଅବକାଶ ଚିନ୍ତା
- କାରାକବିତା
- ବନ୍ଦୀର ଆତ୍ମକଥା
- ଧର୍ମପଦ
- ବ୍ରହ୍ମତତ୍ତ୍ୱ ବା ନଚିକେତା ଉପାଖ୍ୟାନ
- ଗୋମାହାତ୍ମ୍ୟ
- ଓଡ଼ିଆର ଜାତୀୟତା (ପ୍ରବନ୍ଧ)