Advertisment

Raksha Bandhan Secrets: ରକ୍ଷାବନ୍ଧନର ରୋଚକ କଥା, କାହିଁକି ପାଳନ ହୁଏ ରାକ୍ଷି ପୂର୍ଣ୍ଣିମା, ପଢ଼ନ୍ତୁ ପୁରାଣର ତିନୋଟି କାହାଣୀ

ସବୁଥର ଆମେ ରାକ୍ଷି ପୂର୍ଣ୍ଣିମା ପାଳୁଛନ୍ତି। ତେବେ କେଉଁ ପୌରାଣିକ ଘଟଣାରୁ ହିନ୍ଦୁ ଧର୍ମରେ ଏହି ପବିତ୍ର ଦିନଟି ପାଳନ ହୁଏ ତାହା ହୁଏତ ଅନେକେ ଜାଣିନଥିବେ। ରାକ୍ଷି ପୂର୍ଣ୍ଣିମାକୁ ନେଇ ଆସନ୍ତୁ ପଢ଼ିବା ପୁରାଣର ଏହି ତିନିଟି କାହାଣୀ।

author-image
Sarojini Sankhua
ଅଦ୍ୟତନ ହୋଇଛି
Why Do We Celebrate Rakhi?

Why Do We Celebrate Rakhi?

ଶ୍ରଦ୍ଧା ଓ ବିଶ୍ୱାସର ପର୍ବ ହେଉଛି ରକ୍ଷାବନ୍ଧନ। ସ୍ନେହ, ଶ୍ରଦ୍ଧା, ସମ୍ମାନର ପ୍ରତୀକ ରକ୍ଷାବନ୍ଧନ ଏକ ସର୍ବଭାରତୀୟ ଉତ୍ସବ। ଭାଇଭଉଣୀଙ୍କର ପବିତ୍ର ସ୍ନେହ ବନ୍ଧନର ପର୍ବ ପାଳିତ ହୁଏ ଶ୍ରାବଣ ପୂର୍ଣ୍ଣିମାରେ। ଏହା କେବଳ ଏକ ଉତ୍ସବ ନୁହେଁ ବରଂ ଦୁଇଟି ଦୁଇଟି ହୃଦୟ ମଧ୍ୟରେ ପରସ୍ପର ପ୍ରତି ଆବେଗ ଓ ସମ୍ମାନର ପ୍ରତୀକ। ଏହି ଶ୍ରାବଣ ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀ ତା ଭାଇ ହାତରେ ରାଖି ବାନ୍ଧି ଭାଇର ଦୀର୍ଘ ଆୟୁଷ ଓ ସୁଖସମୃଦ୍ଧି କାମନା କରିଥାଏ ଏବଂ ଭାଇ ତା’ ଭଉଣୀର ରକ୍ଷା ଓ ସମ୍ମାନ ପାଇଁ ପ୍ରତିଶ୍ରୁତି ଦେଇଥାଏ।

Advertisment

ପୁରାଣରେ ରକ୍ଷାବନ୍ଧନ

ରକ୍ଷାବନ୍ଧନ ଉତ୍ସବ ସହ ଅନେକ ପୌରାଣିକ ଘଟଣା ଯୋଡ଼ି ହୋଇ ରହିଛି। ଦାନବରାଜ ବଳି ଓ ବିଷ୍ଣୁଙ୍କୁ ନେଇ ଏକ ଆଧ୍ୟାତ୍ମିକ କାହାଣୀର ଏକ ଅଂଶ ଭାବେ ଏହି ରକ୍ଷା ବନ୍ଧନର ଉଲ୍ଲେଖ ରହିଛି। କୁହାଯାଏ, ଭଗବାନ ବିଷ୍ଣୁ ବାମନ ଅବତାର ଗ୍ରହଣ କରି, ଦାନବରାଜ ବଳିଙ୍କୁ ‘ତିନିପାଦ ଭୂମି’ ମାଗିଥିଲେ। ଦାନବୀର ବଳି ନିଜ ବଚନ ରକ୍ଷା କରିବା ପାଇଁ, ତାଙ୍କୁ ତିନିପାଦ ଭୂମିଦାନ କରିଥିଲେ। ଯାହାଫଳରେ ଭଗବାନ ଆକାଶ, ପାତାଳ ଓ ପୃଥିବୀକୁ ତିନିପାଦ କରିବା ସହ ରାଜା ବଳିଙଅକୁ ପାତାଳକୁ ଚାପି ଦେଇଥିଲେ। ଭଗବାନ ବିଷ୍ଣୁ କିନ୍ତୁ ଦାନବରାଜ ବଳିଙ୍କର ଭକ୍ତି ଓ ପରାକାଷ୍ଠାରେ ସନ୍ତୁଷ୍ଟ ହୋଇ ତାଙ୍କ ସାମ୍ନାରେ ସବୁ ସମୟରେ ରହିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଏହା ଜାଣି ମାଆ ଲକ୍ଷ୍ମୀ ଚିନ୍ତିତ ହୋଇପଡିଲେ। ଦିନେ ନାରଦଙ୍କ ପରାମର୍ଶରେ ମାଆ ଲକ୍ଷ୍ମୀ ଜଣେ ବ୍ରାହ୍ମଣୀ ବେଶରେ ବଳିଙ୍କୁ ଭେଟିଲେ। ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ତାକୁ ନିଜ ଭାଇ ଭାବେ ଗ୍ରହଣ କଲେ। ଏହାପରେ ଜଣେ ଭାଇ ଭାବରେ ଲକ୍ଷ୍ମୀଙ୍କ ସୁଖକଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା। ଲକ୍ଷ୍ମୀ କ’ଣ ଚାହୁଁଛନ୍ତି ଜାଣିବା ପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ। ମାଆ ଲକ୍ଷ୍ମୀ ବଳି ପାଖକୁ ଯାଇ ରକ୍ଷା ବନ୍ଧନ କରି ଭଗବାନ ବିଷ୍ଣୁଙ୍କୁ ନିଜ ସହ ନେଇ ଫେରିଥିଲେ। ବିଶ୍ୱାସ ଅନୁସାରେ, ସେହି ଦିନଠାରୁ ରକ୍ଷା ବନ୍ଧନ ପର୍ବ ପାଳିତ ହୋଇ ଆସୁଅଛି।

Advertisment

ଇନ୍ଦ୍ରଙ୍କ ହାତରେ ଇନ୍ଦ୍ରାଣୀ ବାନ୍ଧିଥିଲେ ରାକ୍ଷୀ

ଅନ୍ୟଏକ ପୈରାଣିକ କାହାଣୀ ଅନୁସାରେ, ଇନ୍ଦ୍ରଙ୍କ ହାତରେ ଇନ୍ଦ୍ରାଣୀ ବାନ୍ଧିଥିଲେ ରାକ୍ଷୀ। ଦେବତା ଓ ଦାନବ ମାନଙ୍କ ମଧ୍ୟରେ ତ ସବୁ ସମୟରେ ବିବାଦ ଲାଗି ରହିଥାଏ। ଥରେ ସେମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ଦାନବମାନଙ୍କଠାରୁ ଦେବତାମାନେ ବାରମ୍ୱାର ପରାସ୍ତ ହେଉଥିବାର ଦେଖି, ଇନ୍ଦ୍ରଙ୍କ ପତ୍ନୀ ଇନ୍ଦ୍ରାଣୀ ନିଷ୍ଠାର ସହ ଭଗବାନଙ୍କ ପୂଜା କରିଥିଲେ। ଫଳରେ ଭଗବାନ ଏକ ଅଭିମନ୍ତ୍ରିତ ସୂତା ଇନ୍ଦ୍ରାଣୀଙ୍କୁ ପ୍ରଦାନ କରିବାପରେ ସେଇ ସୂତାକୁ ଇନ୍ଦ୍ରାଣୀ ନେଇ ଇନ୍ଦ୍ରଙ୍କ ହାତରେ ବାନ୍ଧି ଦେଇଥିଲେ। ଯାହା ଫଳରେ ସେହି ଯୁଦ୍ଧରେ ଇନ୍ଦ୍ର ବିଜୟୀ ହୋଇଥିଲେ।

ମହାଭାରତରେ ରକ୍ଷାବନ୍ଧନ

ରକ୍ଷାବନ୍ଧନକୁ ନେଇ ମହାଭାରତରେ ମଧ୍ୟ ଏକ ଘଟଣା ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କ ପରାମର୍ଶ ଅନୁସାରେ, ଧର୍ମରାଜ ଯୁଧିଷ୍ଠିର ନିଜର ସବୁ ସୈନ୍ୟସାମନ୍ତଙ୍କ ରକ୍ଷା ନିମନ୍ତେ ସେମାନଙ୍କ ହାତରେ ରକ୍ଷାସୂତା ବାନ୍ଧିଥିଲେ। ସେହିପରି ଯେତେବେଳେ ଶ୍ରୀକୃଷ୍ଣ, ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା, ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ କ୍ଷରଣ ବନ୍ଦ ହେଇଯାଇଥିଲା। ଦ୍ରୌପଦୀଙ୍କଠାରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ। ଯେତେବେଳେ କୁରୁସଭାରେ କୌରବମାନେ ଦ୍ରୌପଦୀଙ୍କର ବସ୍ତ୍ରହରଣ କରିବାକୁ ଚେଷ୍ଟା କଲେ, ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନ କରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ। ଏହିପରି ଭାବେ ଅନେକ ପୌରାଣିକ କାହାଣୀ ରକ୍ଷାବନ୍ଧନର ମହତ୍ତ୍ଵ ବୃଦ୍ଧି କରିଥାଏ।

ଇତିହାସରେ ରକ୍ଷାବନ୍ଧନ

ଐତିହାସିକ ଦୃଷ୍ଟିକୋଣରୁ ମଧ୍ୟ ରକ୍ଷାବନ୍ଧନର ଅନେକ ମହତ୍ତ୍ୱ ପରିଲକ୍ଷିତ ହୋଇଥାଏ। ଭାରତରେ ମୁସଲମାନମାନଙ୍କ ଶାସନ ସମୟରେ ମୁସଲମାନ୍ ଓ ରାଜପୁତଙ୍କ ମଧ୍ୟରେ ଅନେକ ଯୁଦ୍ଧ ଲାଗି ରହୁଥିଲା। ଚିତୋର ରାଜାଙ୍କ ବିଧବା ରାଣୀ ଗୁଜୁରାତର ସୁଲତାନ ବାହାଦୁର ଶାହଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଦିଲ୍ଲୀର ମୋଗଲ ବାଦଶାହା ହୁମାୟୁନଙ୍କ ପାଖକୁ ରାକ୍ଷୀ ପଠାଇ ସୁରକ୍ଷା କାମନା କରିଥିଲେ ବୋଲି ଇତିହାସ କୁହେ। ଏହି ରାକ୍ଷୀକୁ ରକ୍ଷାର ପ୍ରତୀକ ଭାବେ ବିଚାର କରି ବାଦଶାହା ହୁମାୟୁନ୍ ଚିତୋର ରାଣୀ କର୍ଣ୍ଣାବତୀଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ। ଏହା ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଭାବନାତ୍ମକ ଏକତାର ଏକ ଅବିସ୍ମରଣୀୟ ଘଟଣା।

ଓଡିଶାରେ ରାକ୍ଷୀ ପୂର୍ଣ୍ଣିମାର ଇତିହାସ

ସାମ୍ପ୍ରତିକ ସମୟରେ ଓଡ଼ିଶାରେ ଗହ୍ମାପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନ ପର୍ବ ପାଳିତ ହେଉଛି। କିନ୍ତୁ ଏହା ଓଡ଼ିଶାର ପ୍ରାଚୀନ ପରମ୍ପର ନୁହେଁ। ରାକ୍ଷୀ ବନ୍ଧନ ଓ ରକ୍ଷାବନ୍ଧନ ଏକା କଥା ନୁହେଁ । ରକ୍ଷାବନ୍ଧନ ଉତ୍ସବ ଓଡ଼ିଶାରେ ଭାଦ୍ରବ କୃଷ୍ଣପଞ୍ଚମୀ ଦିନ ରାତିରେ ଅନୁଷ୍ଠିତ ହୁଏ । ଓଡିଶାରେ ଗହ୍ମାପୂର୍ଣ୍ଣିମାକୁ ରାକ୍ଷୀ ପୂର୍ଣ୍ଣିମା କୁହାଯାଏ ନାହିଁ । ରାକ୍ଷୀ ବାନ୍ଧିବା ପରମ୍ପରା ବିଶେଷ ଭାବରେ ମହାରାଷ୍ଟ୍ରର। ଓଡିଶାରେ ମରାଠାମାନଙ୍କ ଶାସନ କାଳରେ ଏହା ଓଡ଼ିଶାରେ ଆରମ୍ଭହୋଇଛି । ପରବର୍ତ୍ତୀ କାଳରେ କେତେକ ସ୍ମୃତିକାର ବା ପୁରାଣକାର ଗହ୍ମା ପୂର୍ଣ୍ଣିମା ଦିନ ରକ୍ଷିକା ବା ରାକ୍ଷୀବନ୍ଧନ ବିଷୟ ଉଲ୍ଲେଖ କରିଛନ୍ତି । ସେଦିନ ତର୍ପଣ, ଶ୍ରାଦ୍ଧ, ଦାନଧର୍ମ ପରେ ଅପରାହ୍ଣରେ ବ୍ରାହ୍ମଣମାନେ ସମସ୍ତଙ୍କ ହାତରେ ରାକ୍ଷୀ ବାନ୍ଧିବେ ବୋଲି ନିର୍ଦ୍ଦେଶ ରହିଛି।

ରକ୍ଷା ବନ୍ଧନ ହେଉଛି ପ୍ରେମ, ବିଶ୍ୱାସ ଓ ରକ୍ଷାର ପ୍ରତିଶ୍ରୁତିର ଏକ ଅନନ୍ୟ ଉତ୍ସବ। ଏହି ଉତ୍ସବ ସମାଜରେ ସମ୍ପର୍କର ମହତ୍ତ୍ୱକୁ ଉଜାଗର କରେ ଓ ପରସ୍ପର ପ୍ରତି ଦାୟିତ୍ୱବୋଧ ପ୍ରତି ସଚେତନ କରାଏ। ସମ୍ପ୍ରତି ଏହା ପୌରାଣିକ ତଥା ଐତିହାସିକ ଦୃଷ୍ଟିକୋଣରୁ ବେଶ୍ ମହତ୍ଵପୂର୍ଣ୍ଣ ପର୍ବ ଭାବେ ଭାରତରେ ଏକ ଗଣପର୍ବ ଭାବେ ପରିଚିତି ଲାଭ କରିଛି। ରାକ୍ଷୀ ହେଉଛି ସ୍ନେହ, ଶ୍ରଦ୍ଧା, ସମ୍ମାନର ପ୍ରତୀକ। ରାକ୍ଷୀରେ ଅଛି ପ୍ରେମ, ବିଶ୍ବାସ ଓ ପବିତ୍ରତାର ଶକ୍ତି। ଏହି ପର୍ବ ଆମ ସଂସ୍କୃତିରେ ଏକତାର ବାର୍ତ୍ତା ପ୍ରଚାର କରେ, ଯାହା ଆମକୁ ଆଜିର ବ୍ୟସ୍ତବହୁଳ ଜୀବନରେ ମଧ୍ୟ ପରସ୍ପର ପ୍ରତି ସମୟ ଓ ସମ୍ମାନ ଦେବାକୁ ପ୍ରେରଣା ଯୋଗାଇ ଦିଏ।

Rakhi Purnima Rakhi Purnima Odisha Rakhya Bandhan
Advertisment
Advertisment