/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752144360.jpg)
Why Do We Celebrate Guru Purnima Spiritual & triditional Meaning Explained
ଭାରତୀୟ ସଂସ୍କୃତି ପରମ୍ପରା ତଥା ଐତିହ୍ୟରେ ଗୁରୁ-ଶିଷ୍ୟ ସମ୍ପର୍କ ଜୀବନର ଏକ ଅଂଶ। ଭାରତୀୟ ସମାଜ ଦ୍ୱାରା ପୁରାତନ କାଳରୁ ଗୁରୁଙ୍କୁ ସବୁଠୁ ଉଚ୍ଚ ସ୍ଥାନ ଦିଆଯାଇଛି। କାରଣ ଗୁରୁଙ୍କର ମହନୀୟତାର କୌଣସି ତୁଳନା ନାହିଁ। ଗୁରୁ ହିଁ ଅଜ୍ଞାନର ଅନ୍ଧକାର ମଧ୍ୟରୁ ଜ୍ଞାନର ଆଲୋକ ଆଡ଼କୁ ବାଟ କଢ଼ାଇ ନିଅନ୍ତି। ଗୁରୁ କେବେ ବ୍ରହ୍ମାଙ୍କ ପରି ଶିଷ୍ୟକୁ ନିଜ ହାତରେ ତିଆରି କରନ୍ତି। ପୁଣି କେବେ ବିଷ୍ଣୁ ସାଜି ଶିଷ୍ୟର ଜୀବନକୁ କରନ୍ତି ପରିପୁଷ୍ଟ। ପୁଣି ଆଉ କେବେ ମହେଶ୍ୱର ହୋଇ ଛାତ୍ର ଜୀବନରେ ଥିବା ଆବିଳତାକୁ ସଂହାର କରିଥାନ୍ତି। ତେଣୁ ଗୁରୁଙ୍କୁ "ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର" ଭାବେ ପୂଜା କରାଯାଇଥାଏ। ତେଣୁ ଗୁରୁ-ଶିଷ୍ୟଙ୍କ ଭିତରେ ଥିବା ପୂଜ୍ୟପୂଜାର ଏହି ମହନୀୟ ପରମ୍ପରାକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ।
ଗୁରୁ ପୂର୍ଣ୍ଣିମାର ମହତ୍ତ୍ଵ
ପ୍ରତିବର୍ଷ ଆଷାଢ଼ ମାସର ପୂର୍ଣ୍ଣିମା ତିଥିରେ ଗୁରୁ ପୂର୍ଣ୍ଣିମା ପାଳନ କରାଯାଏ। ଏହି ଦିବସ ଗୁରୁଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି ଓ କୃତଜ୍ଞତା ପ୍ରକାଶ କରିବାର ଏକ ଅବସର। ଏହା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଜ୍ଞାନ, ଶିକ୍ଷା ଓ ଆଧ୍ୟାତ୍ମିକତାର ମହତ୍ତ୍ୱକୁ ଉଜାଗର କରୁଥିବା ଏକ ସାଂସ୍କୃତିକ ପରମ୍ପରା। ମହର୍ଷି ବେଦବ୍ୟାସଙ୍କ ଜନ୍ମ ଏହିଦିନ ହୋଇଥିଲା, ତେଣୁ ଏହାକୁ ବ୍ୟାସପୂର୍ଣ୍ଣିମା ମଧ୍ୟ କୁହାଯାଏ। ମହର୍ଷି ବ୍ୟାସ ବେଦମାନଙ୍କୁ ସଂଗ୍ରହ ଓ ବିଭାଜନ କରିଥିଲେ ଏବଂ ମହାଭାରତ ଆଦି ପୁରାଣମାନଙ୍କର ରଚନା କରିଥିଲେ। ତାଙ୍କୁ ସମସ୍ତ ଗୁରୁଙ୍କର ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ତାଙ୍କୁ ଆଦିଗୁରୁର ମର୍ଯ୍ୟାଦା ଦେଇ ଏହି ଦିନ ଗୁରୁଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇବା ପାଇଁ "ଗୁରୁ ପୂର୍ଣ୍ଣିମା" ନାମରେ ପାଳନ କରାଯାଏ।
ବ୍ୟାସଦେବଙ୍କ ଜନ୍ମ କାହାଣୀ
ଓଡ଼ିଆ ପୁରାଣ ଓ ମହାଭାରତ ଅନୁସାରେ, ବ୍ୟାସଙ୍କ ଜନ୍ମ ବିଷୟରେ ଏକ ରୋଚକ କାହାଣୀ ରହିଛି। ବ୍ୟାସଙ୍କ ପୂରା ନାଁ କୃଷ୍ଣ ଦ୍ୱୈପାୟନ ବ୍ୟାସ। ବ୍ୟାସଦେବ ଋଷି ପରାଶର ଓ ସତ୍ୟବତୀଙ୍କ ପୁତ୍ର। ସତ୍ୟବତୀ ଜଣେ ଧୀବର କନ୍ୟା ଥିଲେ। ଗଙ୍ଗା ନଦୀରେ ମାଛ ଧରିବା ଓ ନୌକା ଚଳାଇବା ତାଙ୍କ କାମ। ସବୁବେଳେ ସେ ମାଛ ଧରୁଥିବାରୁ ତାଙ୍କ ଦେହରୁ ମାଛର ଗନ୍ଧ ଆସୁଥିଲା ତେଣୁ ତାଙ୍କ ନାମ ଥିଲା ମତ୍ସ୍ୟଗନ୍ଧା । ଥରେ ଋଷି ପରାଶର ତାଙ୍କୁ ନଦୀ ପାର କରିବାକୁ ଅନୁରୋଧ କଲେ। ଡଙ୍ଗାରେ ଯାଉଥିବା ସମୟରେ ପରାଶର ସତ୍ୟବତୀଙ୍କ ସୌନ୍ଦର୍ଯରେ ଆକୃଷ୍ଟ ହେଲେ ଓ ତାଙ୍କ ସହ ସମ୍ଭୋଗ କରିବାକୁ ଇଚ୍ଛା ପ୍ରକାଶ କଲେ। ସତ୍ୟବତୀ ରାଜି ହେଲେ। ଦିନର ଆଲୁଅରେ ସମ୍ଭୋଗ କାର୍ଯ୍ୟ ଶାସ୍ତ୍ର ନିଷିଧ ହେଇଥିବାରୁ ୠଷି ପରାଶର ତପ ବଳରେ ନଦୀ ଚାରିପଟେ କୁହୁଡିରେ ଅନ୍ଧକାର କରିଦେଲେ।
ମତ୍ସ୍ୟଗନ୍ଧାଙ୍କ ଶରୀରରୁ ମାଛ ଗନ୍ଧ ଦୂର କରି ତାଙ୍କୁ ସୁଗନ୍ଧଯୁକ୍ତ ଯୋଜନଗନ୍ଧା କରିଲେ। ମତ୍ସ୍ୟଗନ୍ଧାଙ୍କର ସତ କଥା ଓ ସାହସିକତା ଦେଖି ୠଷି ତାଙ୍କର ନାଁ ଦେଲେ ସତ୍ୟବତୀ। ଏହି ସମ୍ପର୍କରୁ ସତ୍ୟବତୀ ଗର୍ଭବତୀ ହେଲେ। ସତ୍ୟବତୀ ଅବିବାହିତ ଥିବାରୁ ଦଶମାସ ଗର୍ଭଧାରଣ ଓ ଶିଶୁର ଲାଳନପାଳନ କରିବାକୁ କୁଣ୍ଠା ପ୍ରକାଶ କଲେ। ୠଷି ପରାଶର ସତ୍ୟବତୀଙ୍କ କଷ୍ଟ ବୁଝି ତାଙ୍କୁ ଦଶମାସ ଗର୍ଭଧାରଣ କଷ୍ଟରୁ ମୁକ୍ତ କରି ସେଠି ସତ୍ୟବତୀଙ୍କ ସନ୍ତାନ ପ୍ରସବ କରାଇଲେ ଓ ସତ୍ୟବତୀଙ୍କ କୁମାରୀତ୍ଵ ଅକ୍ଷୁଣ୍ଣ ରଖିଲେ। ଶିଶୁଟି ଜନ୍ମ ହେବାକ୍ଷଣି ଏକ ଯୁବକରେ ପରିଣତ ହେଲେ। ଗଙ୍ଗା ନଦୀର ଏକ ଦ୍ୱୀପରେ ତାଙ୍କର ଜନ୍ମ ହେଲା। ଜନ୍ମ ସମୟରେ ତାଙ୍କ ଶରୀରର ରଙ୍ଗ କଳା ଥିବାରୁ ଓ ଦ୍ୱୀପରେ ଜନ୍ମ ହେବାରୁ ତାଙ୍କୁ କୃଷ୍ଣ ଦ୍ୱୈପାୟନ ନାମ ଦିଆଗଲା। ବ୍ୟାସଦେବଙ୍କ ଅନ୍ୟ ନାମ କୃଷ୍ଣ ଦ୍ୱୈପାୟନ।
ଜନ୍ମ ପରେ ବ୍ୟାସ ଅଲୌକିକ ଭାବେ ଶିଶୁ ଅବସ୍ଥାରୁ ଯୁବକ ହେଲେ ଓ ତାଙ୍କ ପିତା ପରାଶରଙ୍କ ଆଦେଶ ଅନୁସାରେ ତପସ୍ୟା ଓ ଜ୍ଞାନ ଅର୍ଜନ ପାଇଁ ଚାଲିଗଲେ। ବ୍ୟାସ ପରେ ମହାଭାରତ ସହ ଅନ୍ୟାନ୍ୟ ପୁରାଣ ରଚନା କଲେ ଓ ବେଦଙ୍କୁ ଚାରି ଭାଗରେ ବିଭାଜନ କରି ବେଦବ୍ୟାସ ନାମରେ ପ୍ରସିଦ୍ଧ ହେଲେ। ଏହା ହେଉଛି ତାଙ୍କ ଜନ୍ମ ବିଷୟରେ ପୁରାଣଗତ କାହାଣୀ।
ବୌଦ୍ଧ ଧର୍ମରେ ଗୁରୁ ପୂର୍ଣ୍ଣିମା
ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ପାଇଁ ମଧ୍ୟ ଏ ଦିନଟିର ବେଶ୍ ଗୁରୁତ୍ବ ରହିଚି। ବୌଦ୍ଧମାନଙ୍କ ପାଇଁ ଆଦି ଗୁରୁ ଭାବେ ପୂଜିତ ଭଗବାନ ବୁଦ୍ଧଙ୍କୁ ଏ ଦିନରେ ବିଶେଷ ଭାବରେ ସ୍ମରଣ କରାଯାଏ। ଏହି ଦିନଟି ଭଗବାନ ବୁଦ୍ଧଙ୍କ ପ୍ରଥମ ଉପଦେଶ (ଧର୍ମଚକ୍ର ପ୍ରବର୍ତ୍ତନ) ସ୍ମରଣରେ ପାଳନ କରନ୍ତି। ଏହି ଦିନ ଗୌତମ ବୁଦ୍ଧ ସାରନାଥରେ ତାଙ୍କର ପାଞ୍ଚ ଶିଷ୍ୟଙ୍କୁ ଚାରି ଆର୍ଯ୍ୟ ସତ୍ୟ ଓ ଅଷ୍ଟାଙ୍ଗିକ ମାର୍ଗ ଉପଦେଶ ଦେଇଥିଲେ, ଯାହା ବୌଦ୍ଧ ଧର୍ମର ମୂଳ ଆଧାର ସ୍ତମ୍ଭ। ଏହା ମଧ୍ୟ ବୌଦ୍ଧ ସଂଘର ଆରମ୍ଭ ଦିନକୁ ମନେ ପକାଏ, ଯେହେତୁ ବୁଦ୍ଧଙ୍କ ପ୍ରଥମ ଶିଷ୍ୟମାନେ ଏହି ଉପଦେଶ ପରେ ସଂଘରେ ଯୋଗ ଦେଇଥିଲେ । ଗୁରୁ ପୂର୍ଣ୍ଣିମା ଦିନ ବୌଦ୍ଧମାନେ ବିହାର ଓ ସ୍ତୂପରେ ଏକାଠି ହୋଇ ଧ୍ୟାନ, ସୂତ୍ର ପାଠ ଓ ପ୍ରାର୍ଥନା କରନ୍ତି। କେହି କେହି ଏହି ଦିନ ଦାନ କରନ୍ତି ଏବଂ ସମାଜ ସେବାରେ ଅଂଶଗ୍ରହଣ କରନ୍ତି। ବିଭିନ୍ନ ବୌଦ୍ଧ ଦେଶରେ ଏହି ଦିନ ବିଶେଷ ଉତ୍ସବ, ଶୋଭାଯାତ୍ରା ଓ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଏହି ପର୍ବ ବୌଦ୍ଧମାନଙ୍କୁ ଧର୍ମ, ସଂଘ ଓ ଗୁରୁଙ୍କ ମାର୍ଗଦର୍ଶନର ମହତ୍ତ୍ୱ ସ୍ମରଣ କରାଇ ଆଧ୍ୟାତ୍ମିକ ଜୀବନରେ ଅଗ୍ରଗତି ପାଇଁ ପ୍ରେରଣା ଯୋଗାଇଥାଏ।
ଗୁରୁ ପୂର୍ଣ୍ଣିମା ପାଳନ
ଗୁରୁ ପୂର୍ଣିମା ଦିନରେ ଶିଷ୍ୟମାନେ ନିଜ ଗୁରୁଙ୍କୁ ପୂଜା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି। ଏହି ଦିନ ଗୁରୁଙ୍କ ଚରଣରେ ଫୁଲ, ଫଳ ଓ ଉପହାର ଆଦି ଅର୍ପଣ କରାଯାଏ। ଆଧ୍ୟାତ୍ମିକ ସାଧକମାନେ ଧ୍ୟାନ, ପୂଜା ଓ ଶାସ୍ତ୍ର ପାଠ କରି ଗୁରୁଙ୍କ ଆଶୀର୍ବାଦ ଲାଭ କରିବାକୁ ଚେଷ୍ଟା କରନ୍ତି। ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକଙ୍କୁ ସମ୍ମାନିତ କରାଯାଏ। ଅନେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ-କୀର୍ତ୍ତନ ଓ ଆଧ୍ୟାତ୍ମିକ ଆଲୋଚନା ଆୟୋଜନ କରାଯାଏ।ଗୁରୁ କେବଳ ବିଦ୍ୟା ଦାନ କରନ୍ତି ନାହିଁ, ବରଂ ନୈତିକତା, ଧୈର୍ଯ୍ୟ ଓ ସତ୍ୟର ପଥରେ ଚାଲିବାକୁ ପ୍ରେରଣା ଦିଅନ୍ତି। ଗୁରୁଙ୍କ ମାର୍ଗଦର୍ଶନ ବିନା ଜୀବନରେ ସଫଳତା ଓ ଶାନ୍ତି ଲାଭ କରିବା କଷ୍ଟକର। ଆଧୁନିକ ଯୁଗରେ ମଧ୍ୟ ଗୁରୁଙ୍କ ଭୂମିକା ଅପରିବର୍ତ୍ତିତ। ଶିକ୍ଷକ, ମାତାପିତା, ବନ୍ଧୁ ବା ଯେକୌଣସି ବ୍ୟକ୍ତି ଯିଏ ଆମକୁ ଜ୍ଞାନ ଓ ପ୍ରେରଣା ଦିଅନ୍ତି, ସେ ଗୁରୁ ରୂପେ ସମ୍ମାନଯୋଗ୍ୟ। ଗୁରୁ ପୂର୍ଣିମା ଆମକୁ ଶିକ୍ଷାର ମୂଲ୍ୟ ଓ ଗୁରୁଙ୍କ ଅବଦାନକୁ ସ୍ମରଣ କରାଇ ଦିଏ। ଏହା ନୈତିକ ମୂଲ୍ୟବୋଧରେ ଅଟଳ ରହି ଜ୍ଞାନ ଅର୍ଜନ କରିବାକୁ ପ୍ରେରଣା ଯୋଗାଏ। ଏହି ଦିନ ଶିଷ୍ୟମାନଙ୍କୁ ନିଜ ଗୁରୁଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବାର ସୁଯୋଗ ପ୍ରଦାନ କରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)