• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା। ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ। ପୂର୍ବ କାଳରେ ସାଧବମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଆଦି ସ୍ଥାନକୁ ବେପାର କରିବାକୁ ଯାଉଥିଲେ। ଏହାର ସ୍ମୃତିରେ ବର୍ତ୍ତମାନ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ ହେଉଛି। ଓଡ଼ିଶାର କଟକ ସହରରେ ବାଲିଯାତ୍ରାର ମହାସମାଗମ ହୋଇଥାଏ। ଏହା ଓଡ଼ିଶାର ନୌବାଣିଜ୍ୟର ଇତିହାସକୁ ମନେ ପକାଇଦିଏ।

ପ୍ରତି ବର୍ଷ କଟକର ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି। ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଏଠାରେ ଦେଖିବାକୁ ମିଳିଥାଏ। ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁ ସ୍ଥାନରେ ବିକ୍ରିହୁଏ।

ତେବେ ବାଲିଯାତ୍ରା କେବେ ଓ କାହିଁକି ଆରମ୍ଭ ହେଇଥିଲା ତାହା ସଠିକ ଭାବରେ ନିର୍ଦ୍ଧାରିତ ହୋଇନାହିଁ। ଏହି କାରଣରୁ ବାଲିଯାତ୍ରାର ଆରମ୍ଭକୁ ନେଇ ଦ୍ୱନ୍ଦ୍ୱ ରହିବା ସ୍ୱାଭାବିକ। ଏହି ଐତିହ୍ୟପୂର୍ଣ୍ଣ ଗଣମହୋତ୍ସବର କାରଣ ସମ୍ବନ୍ଧରେ ଆମର ପୁରୁଖା ଲୋକମାନେ ତିନୋଟି ମତ ଉପସ୍ଥାପନ କରିଆସୁଛନ୍ତି। ଆସନ୍ତୁ ଜାଣିବା ଏହି ତିନି ମତ କ’ଣ।

ପ୍ରଥମ ମତ:

ବୃହତ କଳିଙ୍ଗ ରାଷ୍ଟ୍ରର ସାଧବମାନେ ଏହି ଦିନ ବିଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ। ଜଳପଥରେ ଯାଉଥିବାରୁ ମହାନଦୀ କୂଳରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା।

ଦ୍ୱିତୀୟ ମତ:

ଏହିଦିନ ବାଣିଜ୍ୟ ବେପାର ସାରି ସାଧବମାନେ ଦୀର୍ଘଦିନ ପରେ ସ୍ୱଦେଶକୁ ଫେରୁଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧନାମୂଳକ ଆନନ୍ଦ ଉଲ୍ଲାସ କରାଯାଉଥିବା। ପରେ ଏହା ଏକ ଯାତ୍ରା ବା ଉତ୍ସବରେ ପରିଣତ ହୋଇଥିଲା। ସେମାନେ ବର୍ଷା ଚାରିମାସ ଯିବା ପରେ ଜଳପଥରେ ବିଦେଶ ଯାଉଥିଲେ। ବର୍ଷା ଚାରିମାସ ଆରମ୍ଭ ପୂର୍ବରୁ ନୁହେଁ। କାରଣ ଏହି ଚାରିମାସ ସମୁଦ୍ରର ଜଳପଥ ବିପଦପୂର୍ଣ୍ଣ ରହୁଥିଲା।

ତୃତୀୟ ମତ:

ତୃତୀୟ ମତଟି ହେଲା ମହାନଦୀର ଏହି ଘାଟରେ ଶ୍ରୀଚୈତନ୍ୟ ବିରାଜମାନ କରି ଉଦଣ୍ଡ କୀର୍ତ୍ତନ ସହିତ ଆତ୍ମବିସ୍ମୃତ ହୋଇ ମହାନଦୀର ବାଲିଘାଟ ପର୍ଯ୍ୟନ୍ତ ଗଡିଗଡି ଲୋଟି ଯାଇଥିଲେ। ଯେଉଁଥିପାଇଁ ଏହି ଘାଟର ନାମ ଗଡ଼ଗଡିଆ ଘାଟ। ସେହି ସ୍ମୃତିକୁ ଧରିରଖିବା ଉଦ୍ଦେଶ୍ୟରେ ଯେଉଁ ପ୍ରାରମ୍ଭିକ ଉତ୍ସବ ଆରମ୍ଭ ହେଇଥିଲା ବା ଆୟୋଜନ ହୋଇଥିଲା ତାହା ହିଁ ବାଲିଯାତ୍ରା।

ଐତିହାସିକ ମତ:

ମହାରାଜା ଉଦ୍ୟୋତକେଶରୀ ସିଂହଳ ଦେଶ ବିଜୟ କରି ଜଳପଥରେ ଫେରିବାର ସ୍ମୃତିରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ବୋଲି ସୂଚନା ମିଳେ। ଏହା ଏକ ଐତିହାସିକ ସତ୍ୟ ହୋଇପାରେ। ମହାରାଜା ଉଦ୍ୟୋତକେଶରୀ ଉତ୍କଳ ଦେଶର ରାଜା ଥିଲେ। ଶିଳାଲେଖ ଅନୁଯାୟୀ ସୋମବଂଶୀ ରାଜା ଉଦ୍ୟୋତକେଶରୀ ୧୮ ବର୍ଷ ରାଜତ୍ୱ କରିଥିଲେ। ମହାରାଜା ଉଦ୍ୟୋତକେଶରୀ ଚୋଳରାଜା ମାଧବ ବର୍ମାଙ୍କୁ ପରାଜିତ କରି ସମ୍ପୂର୍ଣ୍ଣ ଦକ୍ଷିଣାପଥ ବିଜୟ କରିବା ପରେ ସିଂହଳ ଆକ୍ରମଣ କରିଥିଲେ।

ସିଂହଳରେ ସେତେବେଳେ ରାଜାଥିଲେ ଚିତ୍ରକେୟୁର। ସିଂହଳ ବିଜୟ ପରେ ମଣିମୁକ୍ତା ପ୍ରଭୃତି ଧନରତ୍ନ ସାଙ୍ଗରେ ଆଣିଥିଲେ। ସେ ଜଳପଥରେ ଆସି ମହାନଦି ମୂହାଣ ଦେଇ ନିରାପଦ ସ୍ଥାନ କଟକଦ୍ୱୀପରେ ପହଞ୍ଚି ବିଶ୍ରାମ ନେଇଥିଲେ। ସେତିକିବେଳେ ଏହି ଯାତ୍ରା ଆରମ୍ଭ ହୋଇଥିବା ସମ୍ଭବ।

OTV is now on Whatsapp

Join and get latest news update delivered to you via whatsapp

Join Now