ମାର୍ଚ୍ଚ ୨୪କୁ ‘ବିଶ୍ୱ ଯକ୍ଷ୍ମା ଦିବସ’ ଭାବେ ପାଳନ କରାଯାଏ। ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିନ ସାରା ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ଏହା ମାଧ୍ୟମରେ ସାରା ବିଶ୍ୱରେ ଏହି ମାରାତ୍ମକ ରୋଗ ବିଷୟରେ ସଚେତନତା ସୃଷ୍ଟି କରାଯାଏ।
ଯକ୍ଷ୍ମା ଏକ ସଂକ୍ରାମକ ରୋଗ ଯାହାକୁ ଔଷଧ ଦ୍ୱାରା ସହଜରେ ଆରୋଗ୍ୟ କରାଯାଇପାରିବ। କିନ୍ତୁ ଏହି ରୋଗ ବିଷୟରେ ସଚେତନତାର ଅଭାବ ଏହାକୁ ଚିହ୍ନଟ କରିବା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଷ୍କ୍ରିୟ ରଖିବାରେ କଷ୍ଟକର ହୋଇପାରେ। ଯକ୍ଷ୍ମା ବିଷୟରେ ଲୋକଙ୍କୁ ଶିକ୍ଷା ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମାର୍ଚ୍ଚ ୨୪ରେ ବିଶ୍ୱ ଯକ୍ଷ୍ମା ଦିବସ ଆରମ୍ଭ କରିଛି।
ଇତିହାସ:
Also Read
୨୪ ମାର୍ଚ୍ଚ ୧୮୮୨ ରେ, ଜର୍ମାନ ଚିକିତ୍ସକ ତଥା ସୂଷ୍ମ ଜୀବବିଜ୍ଞାନୀ ରବର୍ଟ କୋଚ୍ ଏହି ମାରାତ୍ମକ ରୋଗର କାରଣ ବୀଜାଣୁର ଆବିଷ୍କାର କରିଥିଲେ। ଏହା ଯକ୍ଷ୍ମା ନିରାକରଣ ଏବଂ ଚିକିତ୍ସାରେ ବହୁତ ସାହାଯ୍ୟ କରିଥିଲା। ଯକ୍ଷ୍ମାକୁ ୧୭୦୦ ଦଶକରେ 'ହ୍ୱାଇଟ୍ ପ୍ଲେଗ୍' କୁହାଯାଉଥିଲା। କାରଣ ଏହି ସମୟରେ ରୋଗୀର ଶରୀର ସମ୍ପୂର୍ଣ୍ଣ ଧଳା ହୋଇଯାଏ। ୧୯୮୧ ମସିହାରେ ପ୍ରଥମ ଯକ୍ଷ୍ମା ରୋଗୀଙ୍କୁ ବିସିଜି ଟିକା ଦିଆଯାଇଥିଲା ଯାହାକୁ ବିକାଶ କରିବା ପାଇଁ ୧୩ ବର୍ଷ ଲାଗିଥିଲା।
କାହିଁକି ପାଳନ କରାଯାଏ ବିଶ୍ୱ ଯକ୍ଷ୍ମା ଦିବସ:
ପୃଥିବୀର ଅନେକ ସ୍ଥାନରେ ଯକ୍ଷ୍ମା ରୋଗ ଏବେ ବି ରହିଛି। ସାଧାରଣରେ ବିଶ୍ୱାସ କରାଯାଏ ଯେ ଯକ୍ଷ୍ମା ଏକ ପୁରୁଣା ରୋଗ, ତାହା ଏବେ ଆଉ ନାହିଁ।
ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ ବିଶ୍ୱର ଏକ ତୃତୀୟାଂଶ ଲୋକ ଯକ୍ଷ୍ମା ରୋଗରେ ପୀଡିତ ଅଛନ୍ତି। ତେଣୁ, ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିବା ଏବଂ ସେମାନଙ୍କୁ ଯକ୍ଷ୍ମା ବିଷୟରେ ଶିକ୍ଷା ଦେବା ଏବଂ ଏହାର ବିସ୍ତାରକୁ ସୀମିତ ରଖିବା ଜରୁରୀ ମନେହୁଏ।
ଚଳିତ ବର୍ଷର ଥିମ୍:
ବିଶ୍ୱ ଯକ୍ଷ୍ମା ଦିବସ ୨୦୨୩ ର ବିଷୟବସ୍ତୁ ହେଲା "ହଁ! ଆମେ ଯକ୍ଷ୍ମାକୁ ସମାପ୍ତ କରିପାରିବା!" ଏହି ରୋଗ ପ୍ରତି ଧ୍ୟାନ ଆକର୍ଷଣ କରିବା ପାଇଁ ଏହି ବିଷୟକୁ ମନୋନୀତ କରାଯାଇଛି ଯାହାଦ୍ୱାରା ଯକ୍ଷ୍ମା ଖୁବ ଶୀଘ୍ର ଏ ଦୁନିଆରୁ ଦୂର ହୋଇପାରିବ।
୨୦୨୫ ସୁଦ୍ଧା ଭାରତ ହେବ ଯକ୍ଷ୍ମା ମୁକ୍ତ:
ଏହି ମାରାତ୍ମକ ରୋଗକୁ ଦୂର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଷ୍ପତ୍ତି ନେଇଛି। ଏନେଇ ଲକ୍ଷ ସ୍ଥିର କରାଯାଇଛି ଏବଂ ଏଥିପାଇଁ ଯୋଜନା କରାଯାଇଛି। ଅନ୍ୟପକ୍ଷରେ, ଭାରତ ୨୦୨୫ ସୁଦ୍ଧା ଦେଶରୁ ଏହି ରୋଗ ଦୂର କରିବାକୁ ନିଷ୍ପତ୍ତି ନେଇଛି।
କେନ୍ଦ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି, ଟିବିରୁ ମୁକ୍ତି ପାଇବାର ଲକ୍ଷ୍ୟ ୨୦୩୦ ଥିବାବେଳେ ଭାରତ ଏହାକୁ ହାସଲ କରିବା ପାଇଁ ୨୦୨୫ ଲକ୍ଷ୍ୟ ଧାର୍ଯ୍ୟ କରିଛି।
ସାରା ବିଶ୍ୱରେ ପ୍ରତିଦିନ କେତେ ଲୋକ ଯକ୍ଷ୍ମାରେ ମୃତ୍ୟୁ ବରଣ କରନ୍ତି:
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ପ୍ରତିଦିନ ୪୦୦୦ ଲୋକ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରନ୍ତି। ଭାରତରେ ବହୁ ସଂଖ୍ୟକ ଯକ୍ଷ୍ମା ରୋଗୀ ଅଛନ୍ତି ଏବଂ ଏସୀୟ ଦେଶମାନଙ୍କ ମଧ୍ୟରେ ଭାରତ ପ୍ରଥମ ସ୍ଥାନରେ ରହିଛି। ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ ଦେଶରୁ ଯକ୍ଷ୍ମା ଦୂରକରିବା ପାଇଁ ଭାରତ ସରକାର ଏକ କାର୍ଯ୍ୟକ୍ରମର ଯୋଜନା କରିଛନ୍ତି।