• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଅକ୍ଟୋବର ୨ରେ ମହାତ୍ମା ଗାନ୍ଧୀ ଜୟନ୍ତୀଙ୍କ ବ୍ୟତୀତ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକୀ ମଧ୍ୟ ପାଳନ କରାଯାଏ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ହଠାତ ଦେହାନ୍ତ ପରେ ଲାଲ ବାହାଦୂର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ବାହାଦୂର ଶାସ୍ତ୍ରୀ ତାଙ୍କର ସରଳ ଜୀବନ ଏବଂ ଉଚ୍ଚ ଚିନ୍ତାଧାରା ପାଇଁ ଜଣାଶୁଣା।

ଶାସ୍ତ୍ରୀ ଜୀ ୯ ଜୁନ୍ ୧୯୬୪ ରେ ଏ ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ ହୋଇଥିଲେ। ତାଙ୍କ ଶାସନ 'ଅନନ୍ୟ' ଥିଲା। ଏହି ସରଳ ଏବଂ ଶାନ୍ତ ବ୍ୟକ୍ତିଙ୍କୁ ୧୯୬୬ ମସିହାରେ ଦେଶର ସର୍ବୋଚ୍ଚ ସମ୍ମାନ 'ଭାରତ ରତ୍ନ' ପ୍ରଦାନ କରାଯାଇଥିଲା। ଶାସ୍ତ୍ରୀ ଜୀ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ, ସେ ମହାତ୍ମା ଗାନ୍ଧୀ ଏବଂ ଜବାହରଲାଲ ନେହେରୁଙ୍କ ପଦାଙ୍କ ଅନୁସରଣ କରୁଥିଲେ। ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସେ ଦେଶର ମଙ୍ଗ ଧରିଥିଲେ ଏବଂ ସେନାକୁ ଉପଯୁକ୍ତ ନିର୍ଦ୍ଦେଶ ଦେଇଥିଲେ। ଯୁଦ୍ଧ ସମୟରେ ତାଙ୍କର ସ୍ଲୋଗାନ "ଜୟ ଯବାନ, ଜୟ କିସାନ" ଥିଲା।

ତେବେ ଆସନ୍ତୁ ତାଙ୍କ ଜୀବନ ଏବଂ ଦେଶରେ ତାଙ୍କ ନେତୃତ୍ୱ ସହିତ ଜଡିତ କିଛି କଥା ଜାଣିନେବା ଯାହା ଆପଣଙ୍କ ଜୀବନଶୈଳୀକୁ ବଦଳେଇ ଦେଇପାରେ।

ଜନ୍ମ, ଜାତି, ପରିବାର:

ଲାଲ ବାହାଦୂର ଶାସ୍ତ୍ରୀ ୨ ଅକ୍ଟୋବର ୧୯୦୪ରେ ବ୍ରିଟିଶ ଭାରତର ମୋଗଲସରାଇ (ଉତ୍ତରପ୍ରଦେଶ) ରେ ଜନ୍ମଗ୍ରହଣ କରିଥିଲେ। ଶାସ୍ତ୍ରୀ ଜୀ ଉତ୍ତରପ୍ରଦେଶର ଏକ କାୟାସ୍ଥ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ମୁଂଶୀ ଶାରଦା ପ୍ରସାଦ ଶ୍ରୀବାସ୍ତବ ଥିଲା ଓ ସେ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଥିଲେ। ତାଙ୍କୁ 'ମୁଂଶୀ ଜୀ' ଭାବରେ ସମ୍ବୋଧିତ କରାଯାଉଥିଲା। ତାଙ୍କ ମାଆଙ୍କ ନାମ ଥିଲା ରାମ ଦୁଲାରୀ।

ପ୍ରାରମ୍ଭିକ ଜୀବନ:

ପିଲାଦିନରେ ଲାଲ ବାହାଦୂର ଜୀଙ୍କୁ ତାଙ୍କ ପରିବାର ଲୋକେ 'ନହ୍ନେ' ବୋଲି କହି ଡାକୁଥିଲେ। ସେ ଯେତେବେଳେ ଛୋଟ ଥିଲେ ତାଙ୍କ ବାପାଙ୍କ ମୃତ୍ୟୁବରଣ ହୋଇଥିଲା। ଏହା ପରେ ଲାଲ ବାହାଦୂରଙ୍କ ମା’ ତାଙ୍କୁ ମିର୍ଜାପୁରର ତାଙ୍କା ବାପା ପିତା ହଜାରୀ ଲାଲଙ୍କ ଘରକୁ ନେଇଯାଇଥିଲେ। ଏହା କିଛି ଦିନ ପରେ ଶାସ୍ତ୍ରୀଙ୍କ ମା’ଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

ଶିକ୍ଷା:
ତାଙ୍କର ପ୍ରାଥମିକ ଶିକ୍ଷା ମିର୍ଜାପୁର ପରେ ସେ ହରିଚନ୍ଦ୍ର ହାଇସ୍କୁଲ ଏବଂ କାଶୀ-ବିଦ୍ୟାପିଠରେ ଅଧ୍ୟୟନ କରିଥିଲେ। ଲାଲ ବାହାଦୁର ଜୀ ସଂସ୍କୃତ ଭାଷାରେ ସ୍ନାତକ କରିଥିଲେ। ସେ କାଶୀ-ବିଦ୍ୟାପିଠରେ 'ଶାସ୍ତ୍ରୀ' ଆଖ୍ୟା ପାଇଥିଲେ। ଏହି ସମୟଠାରୁ ସେ ତାଙ୍କ ନାମରେ 'ଶାସ୍ତ୍ରୀ' ଯୋଡିଥିଲେ। ଏହା ପରେ ସେ ଶାସ୍ତ୍ରୀ ନାମରେ ପରିଚିତ ହେଲେ।

ବ୍ୟକ୍ତିଗତ ଜୀବନ:

ଲାଲ ବାହାଦୂର ଶାସ୍ତ୍ରୀ ୧୯୨୮ ମସିହାରେ ଲଲିତା ଶାସ୍ତ୍ରୀଙ୍କୁ ବିବାହ କରିଥିଲେ। ସେମାନଙ୍କର ୬ଟି ସନ୍ତାନ ଥିଲେ। ତାଙ୍କର ଜଣେ ପୁଅ ଅନିଲ ଶାସ୍ତ୍ରୀ କଂଗ୍ରେସର ସଦସ୍ୟ ଥିଲେ।

ସ୍ୱାଧୀନତା ସଂଗ୍ରାମୀ:

ସ୍ୱାଧୀନତା ସଂଗ୍ରାମରେ ଶାସ୍ତ୍ରୀ ଜୀ 'ମର ନାହିଁ ମାର' ସ୍ଲୋଗାନ ଦେଇଥିଲେ, ଯାହା ସମଗ୍ର ଦେଶରେ ସ୍ୱାଧୀନତାର ନିଆଁକୁ ତୀବ୍ର କରିଥିଲା। ୧୯୨୦ ରେ ଶାସ୍ତ୍ରୀଜୀ ସ୍ୱାଧୀନତା ସଂଗ୍ରାମକୁ ଡେଇଁଲେ ଏବଂ 'ଭାରତ ସେବକ ସଂଗଠନ'ର ସେବାରେ ଯୋଗ ଦେଇଥିଲେ। ସେ ଏମିତି ଜଣେ ନେତା ଥିଲେ ଯିଏ ତାଙ୍କର ସାରା ଜୀବନ ଦେଶ ତଥା ଗରିବଙ୍କ ସେବା ପାଇଁ ଉତ୍ସର୍ଗ କରିଦେଇଥିଲେ।

ଶାସ୍ତ୍ରୀ ଜୀ ସମସ୍ତ ଆନ୍ଦୋଳନ ଓ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ। ଫଳରେ ତାଙ୍କୁ ଅନେକ ଥର ଜେଲ୍‌ ଯିବାକୁ ପଡିଛି। ସେ ୧୯୨୧ ମସିହାରେ 'ଅସହଯୋଗ ଆନ୍ଦୋଳନ', ୧୯୩୦ରେ 'ଦାଣ୍ଡିଯାତ୍ରା' ରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ, ଏବଂ ୧୯୪୨ରେ ‘ଭାରତ ଛାଡ’ ଆନ୍ଦୋଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ରାଜନୈତିକ ଜୀବନ:

ସ୍ୱାଧୀନ ଭାରତରେ ତାଙ୍କୁ ଉତ୍ତରପ୍ରଦେଶ ସଂସଦର ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। ଗୋବିନ୍ଦ ବଲ୍ଲଭ ପନ୍ତଙ୍କ କ୍ୟାବିନେଟ୍‌ର ଛାୟାରେ ତାଙ୍କୁ ପୋଲିସ ଓ ପରିବହନ ଦାୟିତ୍ୱ ଦିଆଯାଇଥିଲା। ଏହି ସମୟରେ ଶାସ୍ତ୍ରୀ ଜୀ ପ୍ରଥମେ ମହିଳାଙ୍କୁ କଣ୍ଡକ୍ଟର ଭାବରେ ନିଯୁକ୍ତ କରିଥିଲେ ଏବଂ ପୋଲିସ ବିଭାଗରେ ସେ ବାଡ଼ି ବଦଳରେ ପାଣି ତୋପ ଦ୍ୱାରା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଏକ ନିୟମ କରିଥିଲେ।

୧୯୫୧ ମସିହାରେ ଶାସ୍ତ୍ରୀ ଜୀଙ୍କୁ 'ଅଲ୍‌-ଇଣ୍ଡିଆ-ନ୍ୟାସ୍‌ନାଲ୍‌-କଂଗ୍ରେସ'ର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଥିଲା। ଲାଲ ବାହାଦୂର ଶାସ୍ତ୍ରୀ ସବୁବେଳେ ପାର୍ଟି ପାଇଁ ଉତ୍ସର୍ଗୀକୃତ ଥିଲେ। ସେ ୧୯୫୨, ୧୯୫୭, ୧୯୬୨ ନିର୍ବାଚନରେ ​​ସେ ଦଳ ପାଇଁ ବହୁତ ପ୍ରଚାର କରିଥିଲେ ଏବଂ ବହୁ ସଂଖ୍ୟାରେ କଂଗ୍ରେସକୁ ବିଜୟୀ କରାଇଥିଲେ।

ରହସ୍ୟରେ ମୃତ୍ୟୁ:

ଋଷ ଏବଂ ଆମେରିକାର ଚାପରେ ଶାସ୍ତ୍ରୀ ଜୀ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିବାକୁ ଋଷର ରାଜଧାନୀ ତାସ୍‌କେଣ୍ଟ୍‌ରେ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାନଙ୍କୁ ଭେଟିଥିଲେ। ଚାପ ପକାଇ ସେମାନଙ୍କୁ ଦସ୍ତଖତ କରାଯାଇଥିବା କୁହାଯାଏ। ଚୁକ୍ତିନାମା ରାତିରେ ୧୧ ଜାନୁୟାରୀ ୧୯୬୬ରେ ସେ ରହସ୍ୟମୟ ଭାବରେ ମୃତ୍ୟୁ ବରଣ କଲେ। ସେହି ସମୟ ଅନୁଯାୟୀ, ଶାସ୍ତ୍ରୀ ଜୀଙ୍କର ହୃଦଘାତ ହୋଇଥିଲା।

କୁହାଯାଏ ଯେ ତାଙ୍କର ପୋଷ୍ଟମର୍ଟମ କରାଯାଇ ନଥିଲା, କାରଣ ତାଙ୍କୁ ବିଷ ଦିଆଯାଇଥିଲା। ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ଥିଲା, ଯାହା ଏବେ ମଧ୍ୟ ତାସ୍‌କେଣ୍ଟର ବାୟୁରେ ଏକ ରହସ୍ୟ ହୋଇ ରହିଯାଇଛି। ଯମୁନା ନଦୀ କୂଳରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ଏବଂ ସେହି ସ୍ଥାନର ନାମ ଥିଲା 'ବିଜୟ ଘାଟ'।

OTV is now on Whatsapp

Join and get latest news update delivered to you via whatsapp

Join Now