Advertisment

Dutia Osa: ସାନ ଭଉଣୀର ପୁଅମାନଙ୍କୁ ମାରିଦେଲା ବଡ଼ ଭଉଣୀ, ଏମିତି ରକ୍ଷା କଲେ ଦୁତୀବାହନ..

ସାଧାରଣତଃ ଅପୁତ୍ରିକ ପୁତ୍ର ଲାଭ ଆଶାରେ ଏବଂ ସନ୍ତାନବତୀ ମାଆ ସନ୍ତାନମାନଙ୍କର ଦୀର୍ଘ ଜୀବନ କାମନା କରି ଦୁତୀଆ ଓଷା କରୁଥିବାରୁ ଏ ଓଷା ପ୍ରତ୍ୟେକ ହିନ୍ଦୁ ନାରୀ ମନରେ ଗଭୀର ରେଖାପାତ କରିଥାଏ। ସେଥିପାଇଁ କୌଣସି ଲୋକ ବିପଦରୁ ରକ୍ଷା ପାଇଗଲେ ଲୋକମାନେ କୁହନ୍ତି "ସତରେ ମା ତୋର ଦୁତୀଆ ପୂଜିଥିଲା" ତେଣୁ ରକ୍ଷା ପାଇଗଲୁ।

author-image
Sarojini Sankhua
Dutia Osa

Dutia Osa

ବହୁ ପୁରାତନ ସମୟରୁ ଆମର ସାମାଜିକ ଜୀବନରେ ପୁଅମାନଙ୍କର ଗୁରୁତ୍ୱ ଅଧିକ ବୋଲି ବିଶ୍ଵାସ କରାଯାଏ। ଲୋକବିଶ୍ଵାସ ଏବଂ ପୁରାଣ ଅନୁଯାୟୀ ‘ପୁତ୍’ ନାମକ ନର୍କରୁ ଉଦ୍ଧାର କରୁଥିବାରୁ ଏବଂ ପିତାମାତାଙ୍କୁ ପବିତ୍ର କରୁଥିବାରୁ ତା’ର ନାମ ପୁତ୍ର । ପୁତ୍ରମାନଙ୍କ ଶ୍ରାଦ୍ଧକ୍ରିୟା ଦ୍ଵାରା ପରଲୋକରେ ପୂର୍ବପୁରୁଷଗଣ ଶାନ୍ତିଲାଭ କରିଥାନ୍ତି। ଏହି ପ୍ରକାର ବିଶ୍ଵାସବୋଧ ପାଇଁ ପ୍ରତ୍ୟେକ ପିତାମାତା ପୁତ୍ରକାମନା କରିଥାନ୍ତି ଏବଂ ସେମାନଙ୍କର ଦୀର୍ଘ ସୁସ୍ଥ ନିରାମୟ ଜୀବନ ପାଇଁ ବିଭିନ୍ନ ପ୍ରକାର ପୂଜା-ବ୍ରତର ଆୟୋଜନ କରନ୍ତି। ପୁତ୍ରମାନଙ୍କର ମଙ୍ଗଳ କାମନାର୍ଥେ ଏବଂ ଏହା ଛଡ଼ା ବନ୍ଧ୍ୟା ବା ପୁତ୍ରହୀନା ନାରୀ ପୁତ୍ରପ୍ରାପ୍ତି ପାଇଁ ମଧ୍ୟ ଷଠୀ ଓଷା,ଜନ୍ମାଷ୍ଟମୀ ବ୍ରତ, ଓଷା ଆଦି ପାଳନ କରାଯାଇଥାଏ।

Advertisment

ଦୁତୀଆ ଓଷା ପାଳନ

ସାଧାରଣତଃ ଅପୁତ୍ରିକ ପୁତ୍ର ଲାଭ ଆଶାରେ ଏବଂ ସନ୍ତାନବତୀ ମାଆ ସନ୍ତାନମାନଙ୍କର ଦୀର୍ଘ ଜୀବନ କାମନା କରି ଦୁତୀଆ ଓଷା କରୁଥିବାରୁ ଏ ଓଷା ପ୍ରତ୍ୟେକ ହିନ୍ଦୁ ନାରୀ ମନରେ ଗଭୀର ରେଖାପାତ କରିଥାଏ। ସେଥିପାଇଁ କୌଣସି ଲୋକ ବିପଦରୁ ରକ୍ଷା ପାଇଗଲେ ଲୋକମାନେ କୁହନ୍ତି "ସତରେ ମା ତୋର ଦୁତୀଆ ପୂଜିଥିଲା" ତେଣୁ ରକ୍ଷା ପାଇଗଲୁ। ଓଡ଼ିଶାରେ ଦୁତୀଆ ଓଷା ଖୁବ୍ ନିଷ୍ଠାର ସହ ପାଳନ କରାଯାଏ। ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀକୁ ମୂଳାଷ୍ଟମୀ କୁହାଯାଏ। ଏହିଦିନ ହିଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦୁତୀଆ ଓଷା ପାଳିତ ହୁଏ। ଦୂତିବାହାନ ହେଉଛନ୍ତି ଏହି ଓଷାର ଦେବତା। ପ୍ରଚଳିତ ଓଷା କଥା ଅନୁସାରେ ସେ ସୂର୍ଯ୍ୟଙ୍କର ପୁତ୍ର ଏବଂ ଜଣେ ବିଧବା ବ୍ରାହ୍ମଣୀ ଗର୍ଭରୁ ଜନ୍ମ ହୋଇଥିଲେ।

ଦୂତୀବାହନଙ୍କ ଜନ୍ମ କଥା

ସୂର୍ଯ୍ୟମଣ୍ଡଳ ନାମରେ ଏକ ରାଜ୍ୟ ଥିଲା। ସେ ରାଜ୍ୟରେ ଗରିବ ବାଲ୍ୟ ବିଧବା ବ୍ରାହ୍ମଣୀଟିଏ ଥାଏ। ପାଖରେ ସାହାଯ୍ୟ କରିବାକୁ ଦାସୀଟିଏ ରଖିଥାଏ। ସେମାନେ ଧାନକୁଟି ଚଳନ୍ତି। ଆଶ୍ୱିନ ମାସ ପିତୃପକ୍ଷ ପଡ଼ିଲା। ରାଜା କୁଟୂତୁଣିମାନଙ୍କୁ ଡକାଇ ଧାନ ଦେଲେ ଏବଂ କୋଠ ଖନ୍ଦା କରି ଚାରିଦିନରେ ଚାଉଳ ଦେବାକୁ ବରାଦ ଦେଲେ। କିନ୍ତୁ ଏତେବେଳକୁ ମେଘ ଉଠାଇଲା ଯେ ତିନିଦିନ ଧରି ଖରା ହେଲା ନାହିଁ। ଧାନ ଶୁଖାଇ ଚାଉଳ କରିଦେବା କଷ୍ଟ ହୋଇପଡ଼ିଲା। ବ୍ରାହ୍ମଣୀଟି ସୂର୍ଯ୍ୟଦେବତାଙ୍କୁ ପ୍ରାର୍ଥନା କଲା ଯେ ତା ଅଗଣାରେ ସୂର୍ଯ୍ୟଦେବ ଖରାକଲେ ସେ ତାଙ୍କୁ ଅଙ୍ଗଦାନ କରିବାକୁ ମାନସିକ କଲା। ସୂର୍ଯ୍ୟଦେବତା ତ’ଦାଣ୍ଡରେ ଖରା କଲେ। ବ୍ରାହ୍ମଣୀ ଧାନ ଶୁଖାଇ, ଢ଼ିଙ୍କିରେ କୁଟି ଚାଉଳ କରି ନିର୍ଦ୍ଦିଷ୍ଟ ସମୟରେ ସେ ରାଜାଘରେ ଚାଉଳ ଦେଲା। ସୂର୍ଯ୍ୟ ଦେବତା ନିର୍ଦ୍ଧାରିତ ରାତିରେ ଅଙ୍ଗସଙ୍ଗ ପାଇବା ଆଶାରେ ବ୍ରାହ୍ମଣୀ ଘରକୁ ଆସିଲେ। ବ୍ରାହ୍ମଣୀଟି ତା’ଦାସୀକୁ ନିଜ ପରି ବେଶ କରାଇ ନିଜ ଶୋଇବା ଘରେ ଶୁଆଇ ଦେଇ ଲୁଚିଗଲା। ସୂର୍ଯ୍ୟ ଦେବତା ବ୍ରାହ୍ମଣୀର କପଟ ଜାଣିପାରି ରାଗରେ ନିରାଶ ହୋଇ ଫେରିଯିବା ବେଳେ ଘର ଆଗରେ ଥିବା ଲେଉଟିଆ ଶାଗ ପଟାଳିରେ ପରିସ୍ରା କରି ଦେଇଗଲେ। ସେ ସେତେବେଳେ କାମ ଜର୍ଜରିତ ଅବସ୍ଥାରେ ଥିଲେ ଫଳରେ ଶାଗ ଉପରେ ତାଙ୍କର ବୀର୍ଜପାତ ହେଲା। ପରବର୍ତ୍ତୀ ସମୟରେ ସେହି ଲେଉଟିଆ ଶାଗ ଖାଇ ବ୍ରାହ୍ମଣୀ ଗର୍ଭବତୀ ହେଲା। ବିଧବାର ଗର୍ଭବାସ ଏକ ଅକ୍ଷମଣୀୟ ଅପରାଧ। ସେଥିପାଇଁ ତାକୁ ସାମାଜିକ ବାସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଲା। ଆଶ୍ୱିନ କୃଷ୍ଣ ଅଷ୍ଟମୀ ଦିନ ମିଥୁନ ଲଗ୍ନରେ ତା’ର ପୁଅଟିଏ ହେଲା। ବ୍ରାହ୍ମଣୀ ତା’ର ନାମ ଦୂତିବାହାନ ରଖିଲା।

Advertisment

ଦୂତୀବାହନଙ୍କ ପୂଜା କାହିଁକି ହେଲା?

ପୁଅ ଦିନକୁ ଦିନ ବଡ଼ ହୋଇ ଚାହାଳୀରେ ପଢ଼ିଲା। ଦିନେ ତା’ର ଖଡ଼ି ଗୋଟାଳି ଗଡ଼ି ଯିବାରୁ ଜଣେ ସାଙ୍ଗକୁ ବଢ଼ାଇ ଦେବାକୁ ଅନୁରୋଧ କଲା। କିନ୍ତୁ ସାଙ୍ଗଟି ତାକୁ ଖଡ଼ି ଗୋଟାଳି ବଢ଼ାଇ ଦେବା ବଦଳରେ ଅଣବାପୁଆ ବୋଲି କହି ଅପମାନିତ କଲା। ପୁଅ ଘରକୁ ଫେରି ତା’ର ବାପା କିଏ ବୋଲି ଜାଣିବାକୁ ମାଆ ପାଖରେ କାନ୍ଦି କାନ୍ଦି କହିଲା। ମାଆ ତାକୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ। ରାତି ପାହିଲା। ଅରୁଣ ରଥରେ ବସି ସାତଟି ଘୋଡାର ବାହନରେ ସୂର୍ଯ୍ୟ ଆକାଶରେ ଦେଖାଦେଲେ। ମାଆ ପୁଅକୁ ଚିହ୍ନାଇ ଦେଇ କହିଲେ– “ଇଏ ତୋ ବାପା।” ପୁଅ ଦୂତିବାହାନ ସୂର୍ଯ୍ୟଙ୍କୁ ଦେଖି ପ୍ରଣାମ କଲା।

ସୂର୍ଯ୍ୟ ହାତ ବଢ଼ାଇ ପୁଅକୁ କୋଳକୁ ଟେକି ନେଲେ। କୋଳରେ ବସାଇ ବିଭିନ୍ନ ଅଳଙ୍କାର ପିନ୍ଧାଇ ଦେଲେ। ଆକାଶରୁ ବହୁତ ପ୍ରକାର ଅଳଙ୍କାର ପାଟଶାଢୀ ବିଧବା ବ୍ରାହ୍ମଣୀ ପାଇଁ ଖସିଲା। ଏହି ବିଚିତ୍ର ଦୃଶ୍ୟଦେଖି ବହୁ ସଂଖ୍ୟାରେ ଲୋକ ଜମିଗଲେ। ପୁଅ ସୂର୍ଯ୍ୟଦେବଙ୍କୁ ପଚାରିଲା-“ବାପା ! ମୋର ମାଆ କାହିଁକି ଅସତୀ ବୋଲି ନିନ୍ଦା ପାଉଛି? ଆପଣ ଯଦି ମୋର ବାପା ତେବେ ମୁଁ ଅଣବାପୁଆ ବୋଲି ଅପମାନିତ ହେଉଛି କାହିଁକି” ? ସୂର୍ଯ୍ୟଦେବ ଆଶ୍ୱସନା ଦେଇ କହିଲେ- “ତୋ ମାଆ ସତୀ। କିଛିଦିନ ପରେ ତୁ ଓ ତୋ ମାଆ ପୃଥିବୀରେ ପୂଜା ପାଇବ।” ତୁମକୁ ପୂଜା କଲେ ଅପୁତ୍ରିକ ନାରୀ ସନ୍ତାନ ଲାଭ କରିବ ଏବଂ ସନ୍ତାନବତୀ ନାରୀଙ୍କ ପୁତ୍ର ଦୀର୍ଘାୟୁ ପାଇବ।

ଚିଲ ଓ ଶିଆଳଙ୍କ ଦୁତୀଆ ଓଷା

ଥରେ ଚିଲ ଓ ଶିଆଳ ଗୋଟିଏ ଗଛ ଉପରେ ବସିଥିଲେ। ସେଠାରେ ସେମାନେ ଦେଖିଲେ କେତେଜଣ ସ୍ତ୍ରୀଲୋକ ଓଷାକୋଠି ପାଖରେ ବସି ଦୁତୀଆ ଓଷା କରୁଛନ୍ତି। ଏ ଓଷା ଦେଖି ସେମାନେ ଓଷା ପାଳନ କରିବାକୁ ସ୍ଥିର କଲେ। ଓଷେଇତିମାନେ ଓଷା ଶେଷକୁ ବଳି ପଡ଼ିଥିବା ଯେଉଁ ପୂଜା ଜିନିଷ ଫୋପାଡ଼ି ଦେଇଥିଲେ ସେସବୁ ଚିଲ ଶିଆଳ ସେମାନେ ସଂଗ୍ରହ କଲେ। ସେମାନେ ଛାଡ଼ି ଯାଇଥିବା ହଳଦୀ ଲଗାଇ ଗାଧେଇଲେ। ଚିଲଟି ନିଷ୍ଠାର ସହିତ କାଷ୍ଠାରେ ଓପାସ କରି ଓଷା କଲା। କିନ୍ତୁ ଶିଆଳଟି ବେଶି ସମୟ ଭୋକ ସମ୍ଭାଳି ପାରିଲାନାହିଁ।

ରାତିରେ ଗାଁ ଲୋକ ପକେଇଦେଇ ଯାଇଥିବା ଏକ ମୃତ ଶିଶୁର ଶବକୁ ଦେଖି ଶିଆଳର ଭୋକ ବଢ଼ିଗଲା। ସେ ଗଛରୁ ଓହ୍ଲାଇ ଆସି ଗଛକୋରଡ଼ ଭିତରେ ପଶି ମାଂସ ଖାଇଦେଲା। ଚିଲ କିଛି ଜାଣିନପାରି ଶିଆଳକୁ ପଚାରିଲା- ‘ ଭଉଣୀ ତୁ ଏତେବେଳେ କ’ଣ କଡ଼ମଡ଼ କରି ଚୋବାଉଛୁ ? ଶିଆଳ କହିଲା- କ’ଣ ଅଛି ଯେ ଚୋବାଇବି? ଥଣ୍ଡାରେ ଗାଧେଇବା ପରେ ମୋ ଦାନ୍ତକୁ ଦାନ୍ତ ବାଜି କଡ଼ମଡ଼ ଶବ୍ଦ ହେଉଛି।’ ପର ଜନ୍ମରେ ଓଷା ପ୍ରଭାବରୁ ଏହି ଚିଲ ଓ ଶିଆଳ ମଣିଷ ଜନ୍ମ ପାଇଲେ।

ଉତ୍ତମ କୁଳରେ ଦୁଇ ଭଉଣୀ ହୋଇ ଜନ୍ମ ହେଲେ। ଶିଆଳ ବଡ଼ ଭଉଣୀ ହେଲା, ଚିଲ ସାନ ଭଉଣୀ ଜନ୍ମ ହେଲା। ବଡ଼ ଭଉଣୀ ମନ୍ତ୍ରୀକୁ ଓ ସାନ ଭଉଣୀ ସାଧବକୁ ବିବାହ କଲେ। ପୂର୍ବ ଜନ୍ମରେ ବ୍ରତ ଖଣ୍ଡିତ କରିଥିବାରୁ ମନ୍ତ୍ରୀ ସ୍ତ୍ରୀ (ଶିଆଳ)ର ପିଲାଛୁଆ ନହେବାରୁ ବହୁତ ଦୁଃଖକଷ୍ଟ ପାଇଲା। କିନ୍ତୁ ସାଧବାଣୀ ଏକୋଇଶିଟି ପୁଅର ମା ହୋଇ ସୁଖରେ ଦିନ ବିତାଇଲା। ବଡ଼ ଭଉଣୀ ସାନ ଭଉଣୀର ପୁଅମାନଙ୍କୁ ଦେଖି ବହୁତ ଇର୍ଷା କଲା। ସାନ ଭଉଣୀ (ସାଧବ ପତ୍ନୀ)ର ସନ୍ତାନମାନେ ମାଉସୀ ଘରକୁ ଖେଳିବାକୁ ଯାଆନ୍ତି। ବଡ଼ ଭଉଣୀ ତଥା ସେମାନଙ୍କୁ ବିଭିନ୍ନ ଭାବରେ ହତ୍ୟା କରି ସାଧବ ସ୍ତ୍ରୀ ପାଖକୁ ଦାସୀ ଦ୍ଵାରା ଚାଙ୍ଗୁଡ଼ିରେ ପ୍ରତିଥର ମୃତ ପୁତ୍ରଙ୍କର ଶରୀର ପଠାଏ ଏବଂ ଦୁତୀବାହନଙ୍କ ମହିମାରୁ ପୁଅମାନେ ଭଲରେ ଥାଆନ୍ତି।

ପଠା ହୋଇଥିବା ମାୟା ପୁଅମାନଙ୍କର କଟା ଶରୀର ନଡ଼ିଆ, ଆଖୁ, ଅଦା, ଚଣା , ମଟର ଇତ୍ୟାଦି ଖାଦ୍ୟ ପଦାର୍ଥ ପାଲଟିଯାଏ। ସରଳ ସାଧବ ସ୍ତ୍ରୀ ଏକଥା ଜାଣିପାରେ ନାହିଁ। ପୁଅମାନେ ଠିକ୍ ସମୟରେ ବାହୁଡ଼ନ୍ତି ଏବଂ ମାଉସୀ ପଠାଇଥିବା ଖାଦ୍ୟ ଖାଇ ଖୁସି ହୁଅନ୍ତି। ବାରମ୍ବାର ମାରିବା ପରେ ପୁଅମାନେ ନ ମରିବାରୁ ବଡଭଉଣୀ ଆତଙ୍କିତ ହେଲା। ଏହି ଅବସରରେ ମନ୍ତ୍ରୀ ଏକଥା ଜାଣି ତାକୁ ବିଭନ୍ନ କଟୁ କଥା କହି ଭର୍ତ୍ସନା କଲେ। ବଡଭଉଣୀ ଯାଇ ତା ସାନ ଭଉଣୀ କୁ କ୍ଷମା ମାଗିଲା। କିନ୍ତୁ ଦୁତୀବାହନ ସାଧବାଣୀକୁ ପୂର୍ବରୁ ସ୍ୱପ୍ନରେ ସବୁକଥା କହିଦେଇଥିଲେ।

ସାନଭଉଣୀ ବଡଭଉଣୀକୁ ଦୂତୀବାହାନଙ୍କ ଓଷା କରିବାକୁ କହି ସବୁ ପ୍ରକାରେ ସାହାଯ୍ୟ କଲା। ସେମାନେ ଓଷା ପାଳନ କରି ପୂଜା କରିବା ସମୟରେ ଦୁତୀବାହନ ଗୋଟିଏ ସାତବର୍ଷର ପିଲା ବେଶରେ ଧନୁରେ ଜୁଇର କାଠିଶର ଜୋଖି ବଡଭଉଣୀକୁ କାଣ୍ଡ ବିନ୍ଧିଲେ ଓ ତା’ର ବନ୍ଧ୍ୟା ଦୋଷ ଶେଷ ହୋଇ ସେ ପୁତ୍ରବତୀ ହେଲା। ଦୁତୀବାହନ ଏହି ଦୁଇ ଭଉଣୀଙ୍କୁ ତାଙ୍କ ପୂର୍ବ ଜନ୍ମ କଥା କହିଲେ ଓ ତାଙ୍କୁ ବର ଦେଲେ ଯେ ଚିଲ ଶିଆଳ ପୃଥିବୀରେ ସବୁବେଳେ ଥିବେ। ଯେତେବେଳେ କେହି ଏ ଓଷା କରିବେ ସେତେବେଳେ ସେ ଚିଲ ଶିଆଳଙ୍କୁ ପୂଜା କରିବେ।

ଓଷାର ପାଳନ ବିଧି

ଏହି ବ୍ରତର ଇଷ୍ଟ ଦେବତା ହେଉଛନ୍ତି ଦୂତୀବାହନ। କବି ପୁରୁଷୋତ୍ତମ ଦାସଙ୍କ ରଚିତ “ଦୂତୀଆ ଓଷା କଥା”ରେ ଦୂତୀବାହନ ସୂର୍ଯ୍ୟଙ୍କ ପୁଅ ବୋଲି ଉଲ୍ଲେଖ କରାଯାଇଛି। ଓଷା ପୂର୍ବଦିନ ବା ସପ୍ତମୀ ଦିନ ଓଷେଇତିମାନେ ୧୦୮ ଅକ୍ଷତ ଅରୁଆ ଚାଉଳ, ୧୦୮ ଦୁବ, ନାନାପ୍ରକାରର ଫୁଲ ଓ ଆଖୁ, କଦଳୀ, କନ୍ଦମୂଳ, ନଡ଼ିଆ, ଗଜା ମୁଗ, ବଡ଼ଚଣା, ସୋଲା, ନାରଙ୍ଗ, ପାନ, କାକୁଡି, କମଳା, ଜହ୍ନି, କଖାରୁ ଆଦି୨୧ ପ୍ରକାରର ଫଳ ଓ ପରିବା ଆଣିଥାନ୍ତି।

ସପ୍ତମୀ ରାତିରେ ଚିଲ ଓ ଶିଆଳକୁ ମନେମନେ ସ୍ମରଣକରି ତାଙ୍କ ପାଇଁ ଖାଦ୍ୟ ବାଢ଼ିଦିଅନ୍ତି। ତା’ପରଦିନ ବା ଓଷା ଦିନ ସକାଳୁ ଗାଧୋଇ ସାରି ସେହି ଦିନଯାକ ନିର୍ଜଳା ଉପବାସ କରିବାକୁ ପଡ଼େ। ସନ୍ଧ୍ୟା ସମୟରେ ପୂଜା ସ୍ଥାନକୁ ପବିତ୍ର କରି ସେଠାରେ ଗୋଟିଏ କୋଠି ତିଆରି କରାଯାଏ। ଚାରିପାଖରୁ ମାଟିଖୋଳି ନେଇ ମଝିଟିକୁ ଛାଡ଼ି ଦିଆଯାଏ ସତେ ଯେମିତି ଚାରିପାଖରେ ପାଣି ରହିଲେ ମଝି ଅଂଶ ଗୋଟିଏ ଦ୍ୱୀପ ପରି ଜଣାପଡ଼ିବ।

ଏହି କୋଠି ଅତି କମରେ ଦୁଇହାତ ଲମ୍ବା ହେବା ଦରକାର। ତା’ମଝିରେ ତୁଳସୀଗଛ ଲଗାଯାଏ ଏବଂ କଦଳୀ ଗଛ ପୋତାଯାଏ। ଏକ ବିଲ ତିଆରି କରି ସେଥିରେ ବାଲି ଦେଇ ବେଦୀ ନିର୍ମାଣ କରାଯାଇଥାଏ। ବେଦୀର ପୂର୍ବ ପାଖରେ ସୂର୍ଯ୍ୟ ଓ ପଶ୍ଚିମ ପାଖରେ ଏକ କଦଳୀ ଗଛକୁ ଦୁତୀବାହନଙ୍କ ପ୍ରତୀକ ରୂପେ ପୂଜା କରାଯାଇଥାଏ। ଲେଉଟିଆ ଶାଗ ବ୍ୟତୀତ ଅନ୍ୟାନ୍ୟ ପନିପରିବାକୁ ନେଇ ବ୍ୟଞ୍ଜନ ପ୍ରସ୍ତୁତ କରି ଖିରିପିଠା ଇତ୍ୟାଦି ପ୍ରସ୍ତୁତ କରି ସନ୍ଧ୍ୟାରେ ସ୍ନାନ କରି ଗଙ୍ଗାମାତାଙ୍କୁ ପୂଜା କରି ରାତିରେ ଦୂତୀବାହନଙ୍କୁ ଫଳ ଭୋଗ ଦେଇ ଓଷାର ଉପାଖ୍ୟାନ ଶୁଣିଥା’ନ୍ତି।

ଯଦି କେହି ଅପୁତ୍ରିକ ଥାଆନ୍ତି ତା’ହେଲେ ବାସ ଓ ଯୁଇ ଡାଳ ଆଣି ତାରି ପାଖରେ ପୋତି ରଖନ୍ତି। ବିଭିନ୍ନ ବର୍ଣ୍ଣର ମୁରୁଜ କରି ସୂର୍ଯ୍ୟ ଦେବତାଙ୍କର କାଳ୍ପନିକ ଚିତ୍ର ଆଙ୍କି, ଚିଲ ଏବଂ ଶିଆଳକୁ ଉତ୍ତରରେ ରଖି ପଶ୍ଚିମରେ ଦୂତୀବାହନଙ୍କୁ ସ୍ଥାପନ କରି ଥାଆନ୍ତି। ବ୍ରତ ଧାରଣ କରିଥିବା ନାରୀମାନେ ବାଲିରେ ଚିଲ ଏବଂ ଶିଆଳର ଚିତ୍ର ଆଙ୍କି ଅପାମାର୍ଗ କାଠିରେ ଦାନ୍ତ ଘସିଥାନ୍ତି। ଏଥିପାଇଁ ଯୋଗାଡ଼ କରିଥିବା ୨୧ପ୍ରକାର ଫଳ ଓ ପରିବାକୁ ଚାଙ୍ଗୁଡ଼ିରେ ଥୋଇ ତା’ ଉପରେ ଗୋଟିଏ ନୂଆଲୁଗା ପକାଇ ଆସ୍ଥାନ ପାଖରେ ନେଇ ରଖାଯାଏ।ତା’ସହିତ କଉଡ଼ି, ଚଉରାଅଶୀଟା ଗୁଆ ସେହି କୋଠି ଭିତରେ ପକାଇବାକୁ ହୁଏ। ଏହି ପ୍ରକାର ବିଧିରେ ଓଷା ଶେଷକରି ଓଷା ଦ୍ରବ୍ୟକୁ ନିଜେ ନଖାଇ ରାତି ନ ପାହୁଣୁ ସ୍ନାନ କରି ବିବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ସମସ୍ତଙ୍କୁ ବାଣ୍ଟି ଦିଆଯାଏ। ସାଧାରଣତଃ ଅପୁତ୍ରିକ ପୁତ୍ର ଲାଭ ଆଶାରେ। ଏହି ଓଷାର ପରଦିନ ଏକ ବିଶେଷ ଦିନ। ଏହି ଦିନ ଓଡ଼ିଶାର ଘରେ ଘରେ ଘାଣ୍ଟ ତରକାରୀ ବା ଦୁତୀଆ ଘାଣ୍ଟ ତିଆରି ହୋଇଥାଏ।

Odia Parba Parbani
Advertisment
Advertisment