Advertisment

World Leprosy Day 2024: କୁଷ୍ଠ ନୁହେଁ ଦୂରାରୋଗ୍ୟ; ଜାଣନ୍ତୁ କିପରି ହୁଏ ଏହାର ଚିକିତ୍ସା

କୁଷ୍ଠରୋଗ ବିଶ୍ୱବ୍ୟାପୀ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଠିଆ ହୋଇଛି। ତେବେ ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ଏବଂ ଚିକିତ୍ସାର ସହଜ ଉପଲବ୍ଧତା ହେତୁ ଏହାର ଯଥେଷ୍ଟ ହ୍ରାସ ପାଇଛି।

author-image
Pramod Behera
Symptoms causes and treatment of leprosy

Symptoms causes and treatment of leprosy

କୁଷ୍ଠରୋଗ ବିଶ୍ୱବ୍ୟାପୀ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଠିଆ ହୋଇଛି। ତେବେ ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ଏବଂ ଚିକିତ୍ସାର ସହଜ ଉପଲବ୍ଧତା ହେତୁ ଏହାର ଯଥେଷ୍ଟ ହ୍ରାସ ପାଇଛି। କୁଷ୍ଠରୋଗର ପ୍ରାଦୁର୍ଭାବ ୧୯୮୦ ଦଶକରେ ୫୦ ଲକ୍ଷରୁ ଅଧିକ ରୋଗରୁ ୨୦୨୦ରେ ପ୍ରାୟ ୧.୩୦ ଲକ୍ଷକୁ ହ୍ରାସ ପାଇଛି। ତଥାପି, ଏହି ରୋଗ ଅନେକ ସ୍ଥାନରେ ଏକ ବଡ଼ ଆହ୍ୱାନ ହୋଇ ରହିଛି।

Advertisment

ତେବେ କୁଷ୍ଠରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ସମାଜରେ ଏହା ବିଷୟରେ ଥିବା ଭୁଲ ଧାରଣାକୁ ଦୂର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ଶେଷ ରବିବାର ଦିନ ‘ବିଶ୍ୱ କୁଷ୍ଠରୋଗ ଦିବସ’ ପାଳନ କରାଯାଏ।

‘ବିଶ୍ୱ କୁଷ୍ଠରୋଗ ଦିବସ’ ୨୦୨୪ର ବିଷୟବସ୍ତୁ ହେଉଛି “କୁଷ୍ଠରୋଗକୁ ପରାସ୍ତ କର”। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୁହେ ଯେ, କୁଷ୍ଠରୋଗ ସହିତ ଜଡିତ କଳଙ୍କ ଦୂର କରିବା ଏବଂ ଏହି ରୋଗରେ ଆକ୍ରାନ୍ତ ଲୋକଙ୍କୁ ଚିକିତ୍ସା ତଥା ସେମାନଙ୍କ ସମ୍ମାନ ବୃଦ୍ଧି ପାଇଁ ପ୍ରେରଣା ଦେବା ପାଇଁ ଏହି ଦିନ ଖୁବ ମହତ୍ୱପୂର୍ଣ୍ଣ।

Advertisment

ହ୍ରାସ ପାଇଛି ରୋଗୀ ସଂଖ୍ୟା:

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱରେ ଅଧିକାଂଶ କୁଷ୍ଠ ରୋଗୀ ଆଫ୍ରିକା ଏବଂ ଏସିଆରେ ଦେଖିବାକୁ ମିଳନ୍ତି। ଆମେରିକାରେ ପ୍ରତିବର୍ଷ ପ୍ରାୟ ୧୦୦ରୁ ଜଣେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। କୁଷ୍ଠରୋଗକୁ ନେଇ ଭାରତରେ ମଧ୍ୟ ଏକ ବଡ ସମସ୍ୟା ଦେଖାଯାଏ। ଏଠାରେ, ୨୦୧୪-୧୫ ବର୍ଷରେ କୁଷ୍ଠରୋଗର ୧,୨୫,୭୮୫ ମାମଲା ତୁଳନାରେ ଏହା ୨୦୨୧-୨୨ ରେ ୭୫,୩୯୪ କୁ ଖସିଥିଲା। ତେବେ ଏହି ରୋଗ ନେଇ ଦେଶରେ ଆରମ୍ଭ ହୋଇଥିବା ବ୍ୟାପକ ସଚେତନତା ଅଭିଯାନର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳେ।

କୁଷ୍ଠରୋଗ ବିଷୟରେ:

କୁଷ୍ଠରୋଗ ହେଉଛି ଏକ ସଂକ୍ରାମକ ରୋଗ ଯାହା ଗୁରୁତର ଭାବେ ଶରୀରକୁ କ୍ଷତି କରିଥାଏ। ବିଶେଷତଃ ହାତ, ପାଦ କିମ୍ବା ଚର୍ମ, ଏବଂ କେତେକ ଲୋକଙ୍କଠାରେ ଏହା ସ୍ନାୟୁଗତ କ୍ଷତି ମଧ୍ୟ କରିଥାଏ। ଏହା ଏମିତି ଏକ ରୋଗ ଯାହା ଶତାବ୍ଦୀ ଧରି ରହିଆସିଛି, କିନ୍ତୁ ଏହା ଅତ୍ୟଧିକ ସଂକ୍ରାମକ ନୁହେଁ।

ଚିକିତ୍ସା ହୋଇନଥିବା କୁଷ୍ଠରୋଗରେ ପୀଡିତ ବ୍ୟକ୍ତିଙ୍କ ନାକ ଏବଂ ପାଟିରୁ ଆସୁଥିବା ଜଳ କଣିକା ସହିତ ବାରମ୍ବାର ସଂପର୍କରେ ଆସିବା ଦ୍ୱାରା ଏହା ବିସ୍ତାର ହେବାର ଆଶଙ୍କା ରହିଛି। ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଏଥିରେ ଶିକାର ହେବାର ଆଶଙ୍କା ବେଶି।

ଲକ୍ଷଣ ଏବଂ କାରଣ:

କୁଷ୍ଠରୋଗ ମୁଖ୍ୟତଃ ଚର୍ମ ଉପରେ ପ୍ରଭାବ ପକାଇଥାଏ। କେତେକ ଲୋକଙ୍କଠାରେ ଏହା ମସ୍ତିଷ୍କ ଏବଂ ମେରୁଦଣ୍ଡ ବାହାରେ ଥିବା ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ମୁଖ୍ୟ ଲକ୍ଷଣଗୁଡିକ ଭିତରେ ଚର୍ମରେ ଖଣ୍ଡିଆ’, ଦେହରେ ଗଣ୍ଠି ବା ଫୁଲା ସୃଷ୍ଟି। ଖଣ୍ଡିଆଗୁଡିକ ସାଧାରଣତଃ ହଳଦିଆ ରଙ୍ଗ ଦେଖାଯାଏ। ଏହି ରୋଗ ଆଗକୁ ବଢିବା ସହିତ ଆଖିପତା / ଭ୍ରୁଲତା ନଷ୍ଟ ହେବା, ଦେହହାତ ଦରଜ, ପୋଡାଜଳା ଆଦି ବଢିବାକୁ ଲାଗେ।

କୁଷ୍ଠରୋଗ ମାଇକୋବ୍ୟାକ୍ଟେରିୟମ୍ ଲିପ୍ରାଏ (M. leprae) ନାମକ ଏକ ମନ୍ଥର ଗତିରେ ବଢୁଥିବା ଜୀବାଣୁ ଦ୍ୱାରା ହୋଇଥାଏ।

ଉପଚାର:

ଏହି ରୋଗର ଚିକିତ୍ସା ଏହାର ପ୍ରକାର ଉପରେ ନିର୍ଭର କରେ। ସଂକ୍ରମଣକୁ ଭଲ କରିବା ପାଇଁ ଆଣ୍ଟିବାୟୋଟିକ୍ ବ୍ୟବହୃତ ହୁଏ, ଚିକିତ୍ସା ସାଧାରଣତ ୬ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ଚାଲେ। ଯଦି ରୋଗୀର ସ୍ନାୟୁ ନଷ୍ଟ ହେବାର ସମସ୍ୟା ଥାଏ ତେବେ ଏଥିପାଇଁ ଅନ୍ୟ ଚିକିତ୍ସା ପଦ୍ଧତି ବ୍ୟବହୃତ ହୁଏ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି ରୋଗରେ ପୀଡିତ ୧.୬ କୋଟି ଲୋକ ଆରୋଗ୍ୟ ଲାଭ କରିଛନ୍ତି। କୁଷ୍ଠ ରୋଗରେ ପୀଡିତ ସମସ୍ତ ଲୋକଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାଗଣା ଚିକିତ୍ସା ଯୋଗାଇଥାଏ।

Health Tips Special Story
Advertisment
Advertisment