• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନୂଆବର୍ଷ, ତା ସାଙ୍ଗକୁ ହନୁମାନ ଜୟନ୍ତୀ । ଘରେ ଘରେ ପବିତ୍ର ପରିବେଶ । ସବୁଠି ପଣାର ମହକ । ଆଜିଠାରୁ ନୂଆ ପାଞ୍ଜି ମଧ୍ୟ ପ୍ରଚଳନ ହୋଇଛି । ସେହିପରି ଆଜି ଝାମୁଯାତ୍ରା ଓ ଦଣ୍ଡଯାତ୍ରା ବି ସଂପନ୍ନ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦଣ୍ଡପାଟୁଆମାନେ ଭକ୍ତି ଓ ନିଷ୍ଠାର ନିଦର୍ଶନ ସ୍ୱରୁପ ରଡ଼ ନିଆଁରେ ଚାଲିଛନ୍ତି ।

କେଉଁଠି ପୂଜାପାଠ, ହୋମଯଜ୍ଞ ତ ଆଉ କେଉଁଠି ଛତୁଆ ସାଙ୍ଗକୁ ପଣାର ମହକ । ପୁଣି କେଉଁଠି କୁସ୍ତିକସରତ ସହ ବନାଟି, ମାଲ ଖମ୍ବ, ମେଢ଼ ନାଚର ମଉଜ । ମହାମାରୀ ପାଇଁ ଦୁଇବର୍ଷ ଧରି ଫିକା ଥିବା ଓଡ଼ିଆ ନୂଆବର୍ଷକୁ ଆଜି ଖୋଲି କି ମନେଇଛି ସାରା ରାଜ୍ୟ । ପରମ୍ପରା ଅନୁଯାୟୀ ପୁରପଲ୍ଲୀରେ ପାଳନ ହୋଇଛି ପଣା ସଂକ୍ରାନ୍ତି । ଘରେ ଘରେ ପଣା ଭୋଗ ସାଙ୍ଗକୁ ମନ୍ଦିରରେ ଠାକୁର ଦର୍ଶନ କରି ପଣା ପିଇଛନ୍ତି ପ୍ରତିଟି ଓଡ଼ିଆ । ସେଇଥିପାଇଁ ଝଙ୍କଡ଼ର ମା ଶାରଳା ହେଉ କି କେନ୍ଦୁଝର ଘଟଗାଁର ତାରିଣୀ ମନ୍ଦିର, ସବୁ ମନ୍ଦିରରେ ଭିଡ଼ ଜମିଛି ।

ଆଜି ମଧ୍ୟ ମହାବୀର ହନୁମାନଙ୍କ ଜୟନ୍ତୀ । ସେଥିପାଇଁ ବଜରଙ୍ଗବାଲିଙ୍କ ମନ୍ଦିରରେ ସ୍ୱତନ୍ତ୍ର ହୋମଯଜ୍ଞ ଆୟୋଜନ କରାଯାଇଛି । ଶ୍ରୀମନ୍ଦିରରେ ମଧ୍ୟ ମହାବୀରଙ୍କ ଜନ୍ମୋତ୍ସବ ନୀତି ସଂପନ୍ନ ହୋଇଛି । ଏହି ଅବସରରେ ପୁରୀର ବିଭିନ୍ନ ଜାଗା ଆଖାଡ଼ାରେ କୁସ୍ତି କସରତ ସାଙ୍ଗକୁ ଆକର୍ଷଣୀୟ ସମରକଳା ପ୍ରଦର୍ଶନ କରାଯାଇଛି । ବିଭିନ୍ନ ଯାଗା ଘରେ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ନୂଆ କାଛା ପିନ୍ଧି ଗୁରୁମାନଙ୍କ ଆଶୀର୍ବାଦ ନେଇ କୁସ୍ତି କସରତ କରିଛନ୍ତି ।

ମହାବିଷୁବ ସଂକ୍ରାନ୍ତି ଅବସରରେ ଆଜି ଝାମୁଯାତ୍ରା, ଦଣ୍ଡଯାତ୍ରା ଓ ମେରୁଯାତ୍ରା ବି ସଂପନ୍ନ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦଣ୍ଡପାଟୁଆମାନେ ଭକ୍ତି ଓ ନିଷ୍ଠାର ନିଦର୍ଶନ ସ୍ୱରୁପ କେଉଁଠି ରଡ ନିଆଁରେ ଚାଲିଛନ୍ତି, ତ କେଉଁଠି ଅଗ୍ନିକୁଣ୍ଡରେ ଝୁଲିଛନ୍ତି, ତ କେଉଁଠି କୋଇଲେଖା କଣ୍ଟାରେ ଗଡ଼ିଛନ୍ତି ।

ସେପଟେ ଆଜିଠାରୁ ମଧ୍ୟ ନୂଆ ପାଞ୍ଜିର ପ୍ରଚଳନ ହୋଇଛି । ଓଡ଼ିଆ ନୂଆବର୍ଷରେ ଦେବଦେବୀଙ୍କ ନିକଟରେ ନୂଆପାଞ୍ଜି ପାଠ ବି ଏକ ଅନନ୍ୟ ପରମ୍ପରା । ଏପଟେ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ବିରାଟ ଶୋଭାଯାତ୍ରାର ବି ଆୟୋଜନ ହୋଇଛି ।