• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତାକାଲି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯୋପରାଗ । ବିଜ୍ଞାନ ଏହାକୁ କେବଳ ଛାଇ ଆଲୁଅର ଖେଳ ବ୍ୟତୀତ ଆଉ କିଛି ନୁହେଁ ବୋଲି କହୁଥିବା ବେଳେ ସୂର୍ଯୋପରାଗ ମଣିଷ ଉପରେ ପ୍ରଭାବ ପକାଏ ବୋଲି ଦାବି କରନ୍ତି ଜ୍ୟୋତିର୍ବିଦ୍ । ତେବେ ଯିଏ ଯେଉଁ ଯୁକ୍ତିକୁ ବିଶ୍ୱାସ କରନ୍ତୁ ନା କାହିଁକି, ସୂର୍ଯୋପରାଗ ଓ ଚନ୍ଦ୍ର ଗ୍ରହଣ ଭଳି ମହାଜାଗତିକ ଘଟଣାକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଦେଖାଦେବା ସ୍ୱାଭାବିକ ।

ସୂର୍ଯୋପରାଗ ସଂପର୍କିତ ସବିଶେଷ ରିପୋର୍ଟ

ପୃଥିବୀ ଓ ସୂର୍ଯ୍ୟ ମଝିକୁ ପଶି ଆସିବ ଚନ୍ଦ୍ର... ଢାଙ୍କିଯିବ ସକଳ ଶକ୍ତିର ଆଧାର ତଥା ଆମ ନିକଟତମ ନକ୍ଷତ୍ର । ପଶ୍ଚିମ ଦିଗବଳୟରେ କିଛି ଏଇ ଭଳି ଝଟକିବ ଖଣ୍ଡିଆ ଭାନୁ । ଆସନ୍ତାକାଲି ଘଟିବ ଚଳିତବର୍ଷର ଦ୍ୱିତୀୟ ତଥା ଅନ୍ତିମ ସୂର୍ଯୋପରାଗ । ଏହି ଆଂଶିକ ସୂର୍ଯୋପରାଗ ଆସନ୍ତାକାଲି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେଉଥିବା ବେଳେ ଏସିଆ ଓ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ ।

ତେବେ ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏଁ, ଅର୍ଥାତ୍ ପ୍ରାୟ ୨୦ ମିନିଟ୍ ପାଇଁ ଦେଖାଯିବ ଏହି ମହାଜାଗତିକ ଦୃଶ୍ୟ । ଏଠି ଘୋଡ଼େଇ ହେବ ସୂର୍ଯ୍ୟର ମାତ୍ର ୧୦ରୁ ୧୫ ପ୍ରତିଶତ ଅଂଶ । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ, ସେଠାରେ ସୂର୍ଯୋପରାଗ ଦେଖାଯାଏ । ତେବେ ସୂର୍ଯ୍ୟକୁ କଦାପି ଖାଲି ଆଖିରେ ନଦେଖିବାକୁ ସତର୍କ କରିଛନ୍ତି ବୈଜ୍ଞାନିକ ।

ଖାଲି ବିଜ୍ଞାନ ନୁହେଁ, ବିଶ୍ୱାସରେ ବି ରହିଆସିଛି ସୂର୍ଯୋପରାଗର ବଡ଼ ଭୂମିକା । ଜ୍ୟୋତିର୍ବିଦଙ୍କ ମତରେ, ଆସନ୍ତାକାଲି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯୋପରାଗ ପଡ଼ୁଛି । ସୂର୍ଯୋପରାଗ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ଭୋର୍ ୪ଟା ୫୬ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ କରାଯାଇଛି । ଗ୍ରହଣ ସ୍ପର୍ଶ ମଙ୍ଗଳବାର ଅପରାହ୍ନ ୪ଟା ୫୬ ମିନିଟ ୫୨ ସେକଣ୍ଡରେ ଏବଂ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ରହିଛି ।

କାଲି ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ରୀତିନୀତି ପାଳନ ହେବ । ଆଜି ରାତି ୧୨ଟାରେ ଦ୍ୱାରଫିଟା ସହ ଭୋର୍ ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ । ଭୋଗ ମଣ୍ଡପ ସରିବା ପରେ ରାଧା ଦାମୋଦର ବେଶ ମଇଲମ ହୋଇ ଆସନ୍ତାକାଲି ଅପରାହ୍ଣ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ହେବ । ଅନ୍ୟପକ୍ଷରେ ସୂର୍ଯୋପରାଗ ବେଳେ ପାକତ୍ୟାଗ ଓ ଅନ୍ୟ କଟକଣାକୁ ଅନ୍ଧବିଶ୍ୱାସ ବୋଲି କହିଛନ୍ତି ବୈଜ୍ଞାନିକ ।