ବିଚିତ୍ର ଠାକୁର କାଳିଆ ଗୋସେଁଇ। ଅଜବ ତାଙ୍କର ନୀତିକାନ୍ତି। ସବୁକିଛି ମାନବ ପରି। ସେ ମଣିଷ ପରି ଖାଆନ୍ତି, ମଣିଷ ପରି ଶୁଅନ୍ତି ଆଉ ମଣିଷ ପରି ସ୍ନାନ ମଧ୍ୟ କରନ୍ତି। ଏସବୁକୁ ନେଇ ପାଳନ ହୁଏ ଅନେକ ପର୍ବ। ସେ ଭିତରେ ସ୍ନାନ ପୂର୍ଣ୍ଣିମା ଅନ୍ୟତମ।
ଜ୍ୟେଷ୍ଠ ମାସର ପବିତ୍ର ପୁର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିବା ବା ଦେବସ୍ନାନ ପୁର୍ଣ୍ଣିମା ବୋଲି କୁହାଯାଏ। ଏହି ଦିନ ରତ୍ନବେଦୀ ଛାଡି ସ୍ନାନବେଦୀକୁ ବିଜେ କରିଥାନ୍ତି ଶ୍ରୀଜିଉ। ୧୦୮ କଳସୀର ପବିତ୍ର ଜଳରେ ସ୍ନାନ କରିଥାନ୍ତି ମହାବାହୁ। ଧାଡି ପହଣ୍ଡିରେ ବିଜେ କରନ୍ତି ଠାକୁର। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା ଆସିଥାନ୍ତି। ଶେଷରେ ସ୍ନାନ ମଣ୍ଡପକୁ ବିଜେ କରିଥାନ୍ତି ସମସ୍ତଙ୍କ ପ୍ରିୟ ଠାକୁର କାଳିଆ ସାଆନ୍ତ।
କିପରି ହୁଏ ସ୍ନାନ ନୀତି:
ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତି ହୋଇଥାଏ। ଏହା ପରେ କିଛି ସମୟ ପାଇଁ ପହୁଡ଼ ପଡେ ଓ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ। ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି। ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୁଏ। ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ।
ଅଧିକ ପଢ଼ନ୍ତୁ: ସଧବା ନାରୀମାନେ ସାବିତ୍ରୀ ବ୍ରତରେ କାହିଁକି ପୂଜା କରନ୍ତି ବରଗଛ
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ବା ବ୍ରାହ୍ମଣ ଗୋଷ୍ଠୀର ସେବକମାନେ ବିଜେ କରାଇଥାନ୍ତି। ପହଣ୍ଡି ବିଜେ ସମୟରେ ସାତ ପାହାଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି। ଏହା ପରେ ଦ୍ୱିତୀୟ ମଙ୍ଗଳାର୍ପଣ, ତା’ ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ନାଗି କରାଯାଏ।
ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ଅବସ୍ଥାନ କରନ୍ତି। ସୁଆର ବଡୁ ଅମ୍ଭୂଣିଆ ପାଣି ଛିଞ୍ଚନ୍ତି। ଗରାବଡୁ ସୁବର୍ଣ୍ଣକଳସ ଧରି ଶିତଳାଦେବୀଙ୍କ ସମ୍ମୁଖସ୍ଥ ସ୍ୱର୍ଣ୍ଣକୂପ(ଯାହା କେବେ ବି ବ୍ୟବହୃତ ହୋଇ ନଥାଏ)ରୁ ଜଳ ଆଣନ୍ତି। ଏହି କୂଅର ବ୍ୟବହାର ବର୍ଷସାରା ନ ଥିବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ। ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥିବା ବେଳେ ସ୍ନାନ କାଳରେ ତାନ୍ତ୍ରିକ ବିଧିରେ ୧୩ଟି ପଦାର୍ଥ ମିଶ୍ରଣ କରାଯାଏ। ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରଣୀତାକୂପ' ବୋଲି କୁହାଯାଏ।
ଅଭିମନ୍ତ୍ରିତ ଜଳରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀଓ ଲୋଧା ମିଶ୍ରଣ କରାଯାଏ । ଏହି ମହୌଷଧି ମିଶ୍ରଣ ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହ୍ମଙ୍କୁ ସ୍ନାନ କରାଯାଏ। ଏହି ଜଳରୁ ୩୫ ଗରାରେ ଜଗନ୍ନାଥଙ୍କୁ, ୩୩ ଗରାରେ ବଳଭଦ୍ରଙ୍କୁ, ୨୨ ଗରାରେ ସୁଭଦ୍ରାଙ୍କୁ ଓ ୧୮ ଗରାରେ ସୁଦର୍ଶନଙ୍କୁ ସ୍ନାନ କରାଯାଏ। ଏହାକୁ "ପ୍ରତ୍ୟେକ୍ଷ ଅବକାଶ" କହନ୍ତି। ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ।
ଏହି ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ। ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ଶୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ। ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ।
ସମସ୍ତ ସ୍ନାନ ଉପଚାର ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି। ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବା ପରେ ତାଟି ବନ୍ଧାଯାଏ ଓ ପଟିମୂର୍ତ୍ତି ସ୍ଥାପନା କରାଯାଏ। ତା’ପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି। ଏହାକୁ ଅଣସର କୁହାଯାଏ। ଏହି ୧୫ ଦିନ ଭକ୍ତମାନେ ଶ୍ରୀଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି।