ସରିଲା ସମ୍ୱଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା; ମନ୍ଦିରରେ ପ୍ରବେଶ କଲେ ଦେବ ଦମ୍ପତ୍ତି

ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା: ପ୍ରବଳ ଗରମ ଗୁଳୁଗୁଳି ସତ୍ତ୍ୱେ ହର-ପାର୍ବତୀଙ୍କ ଯୁଗଳ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ...ଶୋଭାଯାତ୍ରାରେ ମନମୋହିଲା ପାରମ୍ପରିକ ଓ ଆଧୁନିକ ନୃତ୍ୟକଳା...

ସରିଲା ସମ୍ୱଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା; ମନ୍ଦିରରେ ପ୍ରବେଶ କଲେ ଦେବ ଦମ୍ପତ୍ତି

ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ଶହ ଶେଷ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ସାରା ସହରର ବିଭିନ୍ନ ପଡାରେ ଥିବା ଶିବ ମନ୍ଦିରକୁ ପ୍ରବେଶ କରିଛନ୍ତି ନବବିବାହିତ ଭୋଲାବାବା ଓ ମାତା ପାର୍ବତୀ । ମନ୍ଦିର ପ୍ରବେଶ ପୂର୍ବରୁ ରଥରେ ଥିବା ଠାକୁରଙ୍କ ଆଳତି କରାଯାଇଥିଲା । ସାରା ସମ୍ବଲପୁର ସହର ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଯୁଗଳ ଦର୍ଶନ ଶୋଭାଯାତ୍ରାରେ କମ୍ପି ଉଠିଥିଲା । ରାଜ୍ୟ ଓ ରାଜ୍ୟ ବାହାରର କଳାକାରଙ୍କ ନୃତ୍ୟ ଯୁଗଳ ଦର୍ଶନ ଗତକାଲି ବିଳମ୍ବିତ ରାତିରୁ ବାହାରିଥିବା ନଗର ପରିକ୍ରମାରେ ଆକର୍ଷଣର ବିନ୍ଦୁ ପାଲଟିଥିଲା । ଶୋଭାଯାତ୍ରାରେ ଦେବଦମ୍ପତିଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇଯାଇଥିଲେ ଭକ୍ତ ।

ହନୁମାନଙ୍କ ପୁଷ୍ପା ଷ୍ଟାଇଲ୍ ବୀର ହନୁମାନ ବେଶରେ ଥିବା ପ୍ରାୟ ୮ ଫୁଟ୍ ଉଚ୍ଚ ଏହି କଳାକାରଙ୍କ ନିଆରା ଶୈଳୀ ବେଶ ମନମୋହିଥିଲା । ଆଉ ଶିବ ବେଶଧାରୀ ଏହି କଳାକାରଙ୍କ ଚେହେରାର ଭଙ୍ଗୀ ବି ଆକର୍ଷଣୀୟ ଲାଗୁଥିଲା । ଦେବଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ବେଳେ ସମ୍ବଲପୁରର ରାଜରାସ୍ତାରେ ଏଭଳି ଶତାଧିକ କଳାକାରଙ୍କୁ ଦେଖିବାକୁ ମିଳିଥିଲା । ସହରର ନନ୍ଦପଡା, ଝାଡୁଆପଡା, ମୁଦିପଡା ସମେତ ସହରର ଅନ୍ୟ ଶିବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରୁ ବାହାରିଥିବା ଭୋଳାବାବାଙ୍କ ପାଟପଟୁଆର ଆଜି ଦିନ ସାରା ଚାଲିଥିଲା ।

ପ୍ରବଳ ଗରମକୁ ଖାତିର ନ କରି ଏଥିରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ଭକ୍ତଙ୍କ ସହ ରାଜ୍ୟ ଓ ରାଜ୍ୟ ବାହାରର ବହୁ କଳାକାର ସାମିଲ ହୋଇଥିଲେ । ପୁରା ସହର ଘଣ୍ଟଘଣ୍ଟା, ନାଚଗୀତରେ କମ୍ପି ଉଠିଥିଲା । ଝାଡୁଆ ପଡା ଶୋଭାଯାତ୍ରାରେ ମଧ୍ୟପ୍ରଦେଶ ଉଜ୍ଜୟନୀର ଭଷ୍ମରମୈୟା ଭକ୍ତମଣ୍ଡଳର ଡମ୍ବୁରୁ ବାଦ୍ୟ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ସେହିପରି କେରଳର ଲୋକନୃତ୍ୟ ଛେଣ୍ଡା ସିଂଗାରୀ ମେଲମ୍ ମୁଦିପଡା ବାବା ଜାଗେଶ୍ୱରଙ୍କ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥିଲା ।

ଯୁଗଳ ଦର୍ଶନ ଶୋଭାଯାତ୍ରାରେ ରାଜ୍ୟର ବିଭିନ୍ନ ଲୋକନୃତ୍ୟ ସହ ପୁରୀରୁ ଆସିଥିବା ଆଖିକୁ ଝଲସାଇ ଦେଲା ଭଳି କଣ୍ଢେଇ ନୃତ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଏହାସହ ଦର୍ଶକ ଗଞ୍ଜାମର ଦଶାବତାର ଓ ବାଘ ନାଚ, କଳାହାଣ୍ଡିର ଶବର ନୃତ୍ୟକୁ ବି ଉପଭୋଗ କରିଥିଲେ । ସେହିପରି ଆସାମର ବିହୁ ଏବଂ ପଞ୍ଜାବର ଭାଙ୍ଗଡା ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା । ପ୍ରାୟ ସବୁ ଯାତ୍ରା କମିଟି ଶୋଭାଯାତ୍ରାରେ ସମ୍ବଲପୁରୀ ନୃତ୍ୟ ସହ ମଡର୍ଣ୍ଣ ଡ୍ୟାନ୍ସ ଦେଖିବାକୁ ମିଳିଥିଲା ।

ଶୋଭାଯାତ୍ରା ବେଳେ ଦେବଦମ୍ପତ୍ତିଙ୍କୁ ନେଇ ଯାଉଥିବା ରଥରେ ଲାଗିଥିବା ପରଭା ଥିଲା ବେଶ ଆକର୍ଷଣୀୟ । ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ରଥରେ ଲାଗିଥିବା ରୂପାର ପରଭା ସବୁଠାରୁ ମନଲୋଭା ହୋଇଥିଲା । ଏହା ପ୍ରାୟ ଦେଢ କୁଇଣ୍ଟାଲ ରୂପାରେ ତିଆରି ହୋଇଛି । ଶୋଭାଯାତ୍ରା ବେଳେ ବିଭିନ୍ନ ପ୍ରଜ୍ଞାପନ ମେଢଗୁଡିକ ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା ।