/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756308005.jpg)
The Importance of Nuakhai and the Practice of Juhar
ନୂତନ ଶସ୍ୟ ଅମଳ ହେଲାପରେ ଦେବଦେବୀଙ୍କର ଉପାସନା ଓ ଆନନ୍ଦ ପ୍ରକାଶର ବିଧି ସବୁ ଆଦିମ ସଭ୍ୟତାରେ ରହିଥିଲା। ତା’ର ପରିମାର୍ଜିତ ରୂପ ଓ ସ୍ମୃତିଚିହ୍ନ ପରବର୍ତ୍ତୀ କାଳର ସଭ୍ୟତାରେ ମଧ୍ୟ ରହିଅଛି। ସେହି ନୂତନ ଶସ୍ୟ ଅମଳ, ନବାନ୍ନ ଭକ୍ଷଣ ଓ ଦେବୀ ଉପାସନାର ପର୍ବ ହେଉଛି ନୂଆଁଖାଇ ପର୍ବ। ପଶ୍ଚିମ ଓଡ଼ିଶାର ମହାନ ପ୍ରସିଦ୍ଧ ଗଣପର୍ବ। ଏହି ପର୍ବ ମଧ୍ୟ କୃଷି ସହିତ ଜଡିତ। ଏହାକୁ ନବାନ୍ନ ଭକ୍ଷଣ ମଧ୍ୟ କୁହାଯାଇଥାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ପରିବାରରେ ଏହା ବେଶ୍ ଜାକଜମକରେ ପାଳିତ ହୋଇଥାଏ। ଭାଦ୍ରବ ମାସ ଶୁକ୍ଳ ପଂଚମୀ ଦିନ ମହାସମାରୋହରେ ଆନନ୍ଦ ଉଲ୍ଲାସର ସହିତ ପଶ୍ଚିମ ଓଡ଼ିଶାରେ ଏକ ଶୁଭ ସମୟ ନିର୍ଦ୍ଧାରଣ କରି ପ୍ରସାଦ ସେବନ କରାଯାଇଥାଏ। ଏହା କେବଳ କୃଷି ସଂସ୍କୃତି ସହିତ ଜଡ଼ିତ ନୁହେଁ ବରଂ ନୂଆଁଖାଇ ଶ୍ରଦ୍ଧା, ଭକ୍ତି, କୃତଜ୍ଞତା ଓ ସମର୍ପଣର ମହାନ ପର୍ବ। ବିଶ୍ୱଭ୍ରାତୃତ୍ଵ, ମୈତ୍ରୀ, ସଂହତି ଓ ଐକ୍ୟର ବାର୍ତ୍ତା ସହ ଏକ ଉଚ୍ଚ ମୂଲ୍ୟବୋଧକୁ ନୂଆଁଖାଇ ପ୍ରଚାର କରିଥାଏ।
ନୂଆଁଖାଇର ମହତ୍ତ୍ୱ ଓ ପାଳନ ବିଧି
ନୂଆଁଖାଇ କେବଳ ନୂଆ ଅନ୍ନ ଖାଇବାର ପର୍ବ ନୁହେଁ, ଏହା ଏକତା, ଭାଇଚାରା ଓ କୃତଜ୍ଞତାର ପର୍ବ। ନୂଆଁଖାଇ ପାଳିବା ପାଇଁ ଲୋକମାନେ ଘରଦ୍ୱାର ସଫା କରନ୍ତି, ନୂଆ ପୋଷାକ କିଣନ୍ତି ଏବଂ ପର୍ବ ପାଇଁ ବେଶ୍ ଉତ୍ସାହରେ ପ୍ରସ୍ତୁତ ହୁଅନ୍ତି। ନିର୍ଦ୍ଧାରିତ ଲଗ୍ନରେ ପରିବାରର ମୁଖିଆ, ନୂଆ ଧାନରୁ ପ୍ରସ୍ତୁତ ଭାତ ବା କ୍ଷୀରିକୁ ପ୍ରଥମେ ନିଜ ଇଷ୍ଟଦେବୀ ଓ ଗ୍ରାମଦେବତୀଙ୍କୁ ଅର୍ପଣ କରନ୍ତି। ପଶ୍ଚିମ ଓଡ଼ିଶାରେ ମାଆ ସମଲେଶ୍ୱରୀଙ୍କୁ ନୂଆଁଖାଇର ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜା କରାଯାଏ। ସମ୍ବଲପୁରଠାରେ ସମଲେଶ୍ଵରୀ, ସୋନପୁରଠାରେ ସୁରେଶ୍ଵରୀ, ଭବାନୀପାଟଣାଠାରେ ମାଣିକେଶ୍ଵରୀ, ବଲାଙ୍ଗିରରେ ପାଟଣେଶ୍ଵରୀ ଏବଂ ବିଭିନ୍ନ ସ୍ଥାନରେ ଘଣ୍ଟାଶୁନି, ସପ୍ତକୁମାରୀ, କୁଶଙ୍ଗେଇ, ସଅଁତେଇ, ମାହେଶ୍ଵରୀ, ପତ୍ରସିଦ୍ଧି, ସଉରେନ୍, ଛୋଟିବୁଢ଼ୀ, ଲୁକୁଟି, ଲୁହୁରେନ୍ ପ୍ରଭୃତି ଦେବୀଙ୍କୁ ପ୍ରଥମେ ନବାନ୍ନ ନୈବେଦ୍ୟ ଲାଗି ହୋଇଥାଏ। ପୂଜା ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ସେହି ନବାନ୍ନକୁ ଖାଆନ୍ତି।
ନୂଆଁଖାଇ ଭେଟଘାଟ୍ ଓ ଜୁହାର
ନୂଆଁଖାଇ ଭେଟଘାଟ୍ ଓ ଜୁହାର- ନୂଆଁଖାଇର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରମ୍ପରା। ନବାନ୍ନ ଖାଇ ସାରିବା ପରେ ସାନମାନେ ବଡ଼ମାନଙ୍କ ପାଦ ଛୁଇଁ ପ୍ରଣାମ କରନ୍ତି, ଯାହାକୁ "ନୂଆଁଖାଇ ଜୁହାର" କୁହାଯାଏ। ଆଶୀର୍ବାଦ, ସାକ୍ଷାତ ଏବଂ ସମ୍ମାନ ଦେବା-ନେବା ସମୟରେ କୁହାକୁହି ହୋଇଥାନ୍ତି “ଜିଇଁ ଜାଗିଥିଲେ ବରଷେ”। ଏହିଦିନ ସମସ୍ତେ ପୁରୁଣା ରାଗ, ଅଭିମାନ ଭୁଲି ପରସ୍ପରକୁ ଆଲିଙ୍ଗନ କରନ୍ତି। ଏହା ସମ୍ପର୍କକୁ ନୂଆ କରି ଗଢ଼ି ତୋଳିବାର ପର୍ବ। ଏହି ପର୍ବର ଅନ୍ୟତମ ଆକର୍ଷଣ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ। ସନ୍ଧ୍ୟାରେ ଗାଁ ଗହଳିରେ ନାଚ-ଗୀତର ଆସର ଜମେ। ଡାଲଖାଇ, ରସରକେଲି, ମାଏଲାଜଡ଼ ଭଳି ପାରମ୍ପରିକ ଲୋକନୃତ୍ୟ ଓ ସମ୍ବଲପୁରୀ ଗୀତରେ ପୁରା ପରିବେଶ ମୁଖରିତ ହୋଇଉଠେ।
ନୂଆଁଖାଇ ତିଥି ନିର୍ଦ୍ଧାରଣ
ମୂଳତଃ ନୂଆଁଖାଇ ପର୍ବର ତିଥି ନିର୍ଦ୍ଦିଷ୍ଟ ଭାବରେ ଗୋଟିଏ ଦିନରେ ଆବଦ୍ଧ ନୁହେଁ। ଗଣେଶ ଓ ସରସ୍ୱତୀଙ୍କ ପୂଜା କରିବା ସକାଶେ ଗୋଟିଏ ଗୋଟିଏ ଦିନ ସ୍ଥିର ହୋଇଛି। ଅନ୍ୟ ପର୍ବମାନଙ୍କର ମଧ୍ୟ ଦିନ ସ୍ଥିର ହୋଇ ରହିଛି। କିନ୍ତୁ ନୂଆଁଖାଇ ପାଇଁ ଗୋଟିଏ ସପ୍ତାହ ସ୍ଥିର ହୋଇଛି। ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀରୁ ଦଶମୀ ଦିନ ମଧ୍ୟରେ ଏହି ପର୍ବ ପାଳନ କରିବାର ପରଂପରା ଅଛି। ବିଭିନ୍ନ ଗଡ଼ଜାତ ରାଜ୍ୟ ନିଜର ନିଜର ତିଥି ନିର୍ଦ୍ଧାରଣ କରନ୍ତି। କେତେଜଣ ଜ୍ୟୋତିଷ ଏହି କାମ କରନ୍ତି। ପର୍ବର ତିଥି ସ୍ଥିର କରିବାର ଗଣନା ସରଳ। ପ୍ରତ୍ୟେକ ମନୁଷ୍ୟ-ବ୍ୟକ୍ତିର ଜାତକରେ ତା’ର ରାଶି ନକ୍ଷତ୍ର ଅଙ୍କିତ ଥାଏ।
ଯାହାର ଜାତକ ନାହିଁ, ତା’ର ନାମରୁ ରାଶି ନକ୍ଷତ୍ର ବାହାର କରାଯାଏ। ଦେବୀଙ୍କର ନାମ ଅଛି ରାଜ୍ୟମାନଙ୍କର ମଧ୍ୟ ନାମ ଅଛି। ମନୁଷ୍ୟ-ବ୍ୟକ୍ତି ପରି ଦେବୀ ଓ ରାଜ୍ୟର ରାଶି ନକ୍ଷତ୍ର ସ୍ଥିର କରାହୋଇଛି। ନୂଆଁଖାଇ ସପ୍ତାହରେ ଦେବୀର ରାଶି ନକ୍ଷତ୍ର ପାଇଁ ଶୁଭ ହୋଇଥିବା ମୁହୂର୍ତ୍ତ ବାହାର କରାଯାଏ। ବିଭିନ୍ନ ରାଜ୍ୟର କେତେଜଣ ବୃଦ୍ଧ ଜ୍ୟୋତିଷ କହିଲେ ଯେ ଶିଶୁ କନ୍ୟାର ଅନ୍ନପ୍ରାଶନ୍ନ ଲଗ୍ନ ନିରୂପଣ କଲା ପରି ନୂଆଁଖାଇର ଲଗ୍ନ ସ୍ଥିର କରାହୁଏ। ଏ ପର୍ବ ଦେବୀର ଅନ୍ନପ୍ରାଶନ୍ନ ପର୍ବ।
କେତେକ ସ୍ଥାନରେ ଦେବୀର ରାଶି ନକ୍ଷତ୍ରକୁ ନ ଧରି ରାଜ୍ୟର ରାଶିନକ୍ଷତ୍ର ବିଚାରରେ ଲଗ୍ନ ସ୍ଥିରୀକୃତ ହୁଏ। ସମଗ୍ର ରାଜ୍ୟ ପୂଜା ନିବେଦନ କରେ। ଏହି ବିଧାନ ନୈମିଶ୍ରିକ ପୂଜାର ବିଧାନ। ଜ୍ୟୋତିଷମାନେ କହନ୍ତି ଯେ ଏ ଭେଦ ଦୃଷ୍ଟି ଭେଦ ମାତ୍ର। ନହେଲେ ଦେବୀ ନାମ, ରାଜ୍ୟ ନାମ ସମେତ ବହୁ ସଂଖ୍ୟକ ଲୋକଙ୍କ ପାଇଁ ଏ ଲଗ୍ନ ଶୁଭ ଅଟେ। ସାଧାରଣତଃ ପଞ୍ଚମୀ ଓ ଷଷ୍ଠୀ ଏହି ଦୁଇ ଦିନରେ ସମଗ୍ର ଅଞ୍ଚଳରେ ପର୍ବ ପାଳିତ ହୋଇଯାଏ। ବର୍ଷେ ବର୍ଷେ ସବୁ ଅଞ୍ଚଳ ପାଇଁ ଗୋଟିଏ ଦିନ ଶୁଭ ବିବେଚିତ ହୋଇଯାଏ।
ଆଦିବାସୀ ସମ୍ପ୍ରଦାୟରେ ନୂଆଁଖାଇ
ଆଦିବାସୀ ସମାଜ ପ୍ରକୃତିର ପୂଜାରୀ ଏବଂ ସେମାନଙ୍କ ପର୍ବପର୍ବାଣି ଚାଷ କାର୍ଯ୍ୟ ଓ ଋତୁଚକ୍ର ଉପରେ ଆଧାରିତ। ନୂଆଁଖାଇ ମୂଳତଃ ଏକ ଆଦିବାସୀ କୃଷିଭିତ୍ତିକ ପର୍ବ। ପାରମ୍ପରିକ ଭାବେ, ଆଦିବାସୀମାନେ ନୂଆଖାଇ ପାଇଁ କୌଣସି ପଞ୍ଜିକା ଦେଖୁନଥିଲେ କିମ୍ବା ବ୍ରାହ୍ମଣମାନଙ୍କ ଦ୍ଵାରା ସ୍ଥିର ହୋଇଥିବା ତିଥି ବା ଲଗ୍ନକୁ ମାନୁନଥିଲେ। ପ୍ରତି ଗାଁର ପୂଜକ (ଯେମିତିକି ଝାଙ୍କର, ଦେହୁରୀ) ଏବଂ ଗାଁର ମୁଖିଆମାନେ ଏକାଠି ବସି ନୂଆଁଖାଇ ଦିନ ସ୍ଥିର କରୁଥିଲେ।
ଧାନ ପାଚିବା, ଫସଲ ଅମଳ ପାଇଁ ପ୍ରସ୍ତୁତ ହେବା ଏବଂ ଗ୍ରାମଦେବତୀଙ୍କ ପୂଜା ପାଇଁ କେଉଁ ଦିନ ଶୁଭ ହେବ, ତାହା ସେମାନେ ନିଜ ପରମ୍ପରା ଅନୁସାରେ ସ୍ଥିର କରୁଥିଲେ। ଏହି ପ୍ରଥା ପ୍ରକୃତି ସହିତ ସେମାନଙ୍କର ଗଭୀର ସମ୍ପର୍କକୁ ଦର୍ଶାଉଥିଲା। ଯେବେ ଧରଣୀ ମାଆ ନୂଆ ଫସଲ ଦେଉଥିଲେ, ସେତେବେଳେ ତାଙ୍କୁ କୃତଜ୍ଞତା ଜଣାଇ ନୂଆ ଖିଆ ଯାଉଥିଲା। ଏଥିପାଇଁ ଅଲଗା ଅଲଗା ଗାଁରେ ଅଲଗା ଅଲଗା ଦିନରେ ନୂଆଖାଇ ପାଳନ କରାଯାଉଥିଲା।
ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ନୂଆଁଖାଇ
ଆଧୁନିକ ସମୟରେ ଯେତେବେଳେ ପଶ୍ଚିମ ଓଡ଼ିଶାର ଲୋକମାନେ ନିଜ ବୃତ୍ତି ପାଇଁ ବାହାରକୁ ଗଲେ, ସେମାନଙ୍କ ପାଇଁ ନିଜ ନିଜ ଗାଁର ଅଲଗା ଅଲଗା ଦିନରେ ନୂଆଖାଇ ପାଳନ କରିବା କଷ୍ଟକର ହେଲା। ଏହି ସମସ୍ୟାର ସମାଧାନ ପାଇଁ ଏବଂ ସମଗ୍ର ଅଞ୍ଚଳରେ ଏକତା ଆଣିବା ଉଦ୍ଦେଶ୍ୟରେ ସମ୍ବଲପୁର ମନ୍ଦିରର ପଣ୍ଡିତ ମହାସଭା ନୂଆଖାଇ ପାଇଁ ଏକ ସ୍ଥିର ତିଥି ନିର୍ଦ୍ଧାରଣ କରିବା ଆରମ୍ଭ କଲେ। ସେହି ଅନୁସାରେ, ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି (ଗଣେଶ ଚତୁର୍ଥୀର ପରଦିନ)କୁ ନୂଆଁଖାଇର ସରକାରୀ ଦିନ ଭାବେ ସ୍ଥିର କରାଗଲା। ଏହି ଦିନ ସମସ୍ତେ ଏକାଠି ଛୁଟି ନେଇ ନିଜ ଘରକୁ ଆସି ପର୍ବ ପାଳନ କରିପାରିବେ ବୋଲି ଏହି ବ୍ୟବସ୍ଥା କରାଗଲା। ଏବେବି ଅନେକ ଆଦିବାସୀ ସମ୍ପ୍ରଦାୟ ଓ ପୁରୁଣା ପରମ୍ପରାକୁ ମାନୁଥିବା ଲୋକେ ଏହି ସ୍ଥିର ତିଥିକୁ ଗ୍ରହଣ କରନ୍ତି ନାହିଁ। ସେମାନେ ନିଜ ଗ୍ରାମଦେବତୀଙ୍କ ନିର୍ଦ୍ଦେଶ ଓ ନିଜ ପରମ୍ପରା ଅନୁଯାୟୀ ନୂଆଁଖାଇ ପାଳନ କରନ୍ତି। ତେଣୁ ଏବେ ମଧ୍ୟ କିଛି ଅଞ୍ଚଳରେ ପଞ୍ଚମୀ ତିଥି ପୂର୍ବରୁ ବା ପରେ ନୂଆଖାଇ ପାଳନ ହେଉଥିବାର ଦେଖାଯାଏ।
ନୂଆଁଖାଇ ପଶ୍ଚିମ ଓଡ଼ିଶାର ଜୀବନ ଓ ସଂସ୍କୃତିର ପ୍ରତିବିମ୍ବ। ଏହା ଆଦିବାସୀ ସମାଜର ପ୍ରକୃତି-ପ୍ରେମରୁ ଆରମ୍ଭ ହୋଇ ରାଜକୀୟ ପ୍ରୋତ୍ସାହନ ପାଇ ଏକ ଗଣପର୍ବରେ ପରିଣତ ହୋଇଛି। ଆଜି ଏହା ଆଉ କେବଳ ପଶ୍ଚିମ ଓଡ଼ିଶା ମଧ୍ୟରେ ଆବଦ୍ଧ ହୋଇ ରହିନାହିଁ, ଅଖ୍ୟାତ ପଲ୍ଲୀଠାରୁ ପ୍ରଖ୍ୟାତ ଦିଲ୍ଲୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଯାଇଛି। ନୂଆଁଖାଇ ନୂଆ ସମ୍ଭାବନା, ପ୍ରତ୍ୟୟ ଓ ମୈତ୍ରୀ-ସଦ୍ଭାବନାର ପର୍ବ ରୂପେ ନିଜର ମହତ୍ତ୍ବ ଏଯାବତ୍ ବଜାୟ ରଖିପାରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)