• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାଜା ବାଜୁଛି, ବିରାଟ ପଟୁଆର ବି ଯାଉଛି । ପାଖରେ ପୁଣି ବାଘ ବୁଲୁଛି । ଆଉ ନାଚୁଛନ୍ତି ଶିବ-ପାର୍ବତୀ । ଏ ଦୃଶ୍ୟ ଦେଖିବା ପରେ ଆପଣଙ୍କ ହାତ ନିଶ୍ଚୟ ଯୋଡ଼ି ହୋଇଯିବ । ଆଉ କହିବେ ମହାଦେବଙ୍କ ଅପାର କରୁଣା ଲାଗି ଏମିତି ନାଚକୁ ଚର୍ମ ଚକ୍ଷୁରେ ଆପଣ ଦେଖିପାରିଲେ ।

କୁନି ଭାଇ ଭଉଣୀଙ୍କ ଦେହରେ ଶିବ-ପାର୍ବତୀ । ହାତରେ ତ୍ରିଶୁଳ,ମୁଣ୍ଡରେ ଜଟା, ଆଉ ସାଙ୍ଗରେ ଅଛନ୍ତି ପାର୍ବତୀ l ଡମ୍ବୁରୁ ବଜେଇ ମଞ୍ଚକୁ ଆସୁଛନ୍ତି ମହାଦେବ । ମଞ୍ଚ ଉପରକୁ ମହାଦେବ ଆସିବା ପରେ ତାଣ୍ଡବ ନୃତ୍ୟ କରୁଛନ୍ତି ଶିବ । ଆଉ ଏହି ନୃତ୍ୟ ଏବେ ଦଣ୍ଡ ଯାତ୍ରାର ସାଜିଛି ମୁଖ୍ୟ ଆକର୍ଷଣ । କୁନି ଭାଇଭଉଣୀ ମଞ୍ଚରେ ଏମିତି ନୃତ୍ୟ ପରିବେଷଣ କରିବା କେବଳ ଠାକୁରଙ୍କ ଆଶୀର୍ବାଦ ବୋଲି କହୁଛନ୍ତି ଲୋକେ ।

ଦଣ୍ଡଯାତ୍ରାରେ ଏମିତି ନିଆରା ନାଚ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ବି ଦେଖିବାକୁ ମିଳୁଛି । ଖାଲି ଦର୍ଶକ ନାଚ ଦେଖୁଛନ୍ତି ତାହା ନୁହେଁ ବରଂ ଠାକୁରଙ୍କ ପାଖରେ କେତେ କ’ଣ ମନାସୁଛନ୍ତି । ନୟାଗଡ଼ ସଠିଆପଲ୍ଲୀ ଗାଁରେ ଚାଲିଥିବା ବାଲୁଙ୍କେଶ୍ୱର ଦଣ୍ଡ ଠାକୁରଙ୍କ ୨୧ ଦିନିଆ ଦଣ୍ଡନାଚରେ ଦେଖିବାକୁ ମିଳିଥିଲା ଏମିତି ନିଆରା ଦୃଶ୍ୟ । ସଠିଆପଲ୍ଲୀ ଗାଁର କାହ୍ନୁ ଚରଣ ସ୍ୱାଇଁଙ୍କ ପୁଅ ବାଦଲ ସ୍ୱାଇଁ ଏବଂ ମୁରଲୀଧର ସ୍ୱାଇଁଙ୍କ ଝିଅ ବର୍ଷା ସ୍ୱାଇଁ । ଉଭୟଙ୍କ ବୟସ ମାତ୍ର ୭ ବର୍ଷ l ହେଲେ ମଞ୍ଚରେ କରୁଛନ୍ତି ଜବରଦସ୍ତ ନୃତ୍ୟ ।

ତେବେ ଶିବ ପାର୍ବତୀ ବେଶ ପରିଧାନ କରି ଦଣ୍ଡ ଯାତ୍ରାରେ ଏମିତି ନାଚ କରିବା ପଛରେ ରହିଛି ଏକ ଘଟଣା l ଗାଁରେ ଆଖଡ଼ା ଚାଲୁଥିବା ସମୟରେ ହଠାତ୍‌ ବାଦଲ ଓ ବର୍ଷା ନାଚିବାକୁ ଜିଦ୍‌ କରିଥିଲେ । ଜେଜେବାପା ଯାତ୍ରାର ନିର୍ଦ୍ଦେଶକ ଥିବାରୁ ଉଭୟଙ୍କୁ ନାଚ ବି ଶିଖାଇଥିଲେ । ପ୍ରଥମେ ପ୍ରଥମେ ପେଣ୍ଡାଲରେ ନାଚ କରିବାକୁ ଡରୁଥିଲେ ଉଭୟେ । ହେଲେ ଏବେ ନିଖୁଣତାର ସହ ପରିବେଶଣ କରୁଛନ୍ତି ନୃତ୍ୟ ।

ଦଣ୍ଡ ଯାତ୍ରାରେ ଭାଇଭଉଣୀ ଶିବ-ପାର୍ବତୀଙ୍କ ବେଶ ଧାରଣ କରି ଯେମିତି ଭାବରେ ନୃତ୍ୟ ପରିବେଶଣ କରୁଛନ୍ତି ତାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଉଛି । ଖାଲି ପେଣ୍ଡାଲରେ ନୁହେଁ ବରଂ ଦଣ୍ଡଯାତ୍ରା ସମୟରେ ବର୍ଷା ଓ ବାଦଲ ଗାଁକୁ ଗାଁ ବୁଲି ନୃତ୍ୟ ବି କରୁଛନ୍ତି । ଧୀରେ ଧୀରେ ଲୁଚିବାକୁ ବସିଲାଣି ସଂସ୍କୃତି ଓ ଲୋକକଳା । ଆଧୁନିକ ନୃତ୍ୟକୁ ଏବେ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି ଲୋକେ l ହେଲେ ବାଦଲ ଏବଂ ବର୍ଷାଙ୍କ ପାରମ୍ପରିକ ଲୋକନୃତ୍ୟ ପ୍ରତି ଭଲ ପାଇବା ଅନ୍ୟମାନଙ୍କ ପାଇଁ ନିଶ୍ଚୟ ଉଦାହରଣ ।

 

  • Reported by:
  • Jayendra Behera