ରକ୍ଷାବନ୍ଧନର ପବିତ୍ର ଉତ୍ସବକୁ ଭାରତରେ ଖୁବ୍ ଧୂମଧାମ୍ରେ ପାଳନ କରାଯାଏ। ଏହିଦିନ ଭଉଣୀମାନେ ନିଜ ଭାଇମାନଙ୍କୁ ସୁରକ୍ଷା ସୂତ୍ର ବାନ୍ଧନ୍ତି ଏବଂ ଭାଇମାନେ ନିଜ ଭଉଣୀକୁ ଜୀବନସାରା ରକ୍ଷା କରିବାକୁ ପ୍ରତିଜ୍ଞା କରନ୍ତି। ରକ୍ଷାବନ୍ଧନ ପର୍ବ ପାଳନ କରିବା ପଛରେ ଅନେକ ପୌରାଣିକ କାହାଣୀ ଅଛି। ତେବେ ଭଗବାନ କୃଷ୍ଣ ଏବଂ ଦ୍ରୌପଦୀଙ୍କ ସହ ଜଡିତ ରକ୍ଷାବନ୍ଧନର ଏହି ପୁରାଣ କାହାଣୀ ସବୁଠାରୁ ଲୋକପ୍ରିୟ। ତେବେ ଆସନ୍ତୁ ମହାଭାରତର ସେହି କାହାଣୀ ଉପରେ ନଜର ପକେଇନେବା।
କିମ୍ବଦନ୍ତୀ ଅନୁଯାୟୀ ଯେତେବେଳେ ଭଗବାନ କୃଷ୍ଣ ସୁଦର୍ଶନ ଚକ୍ରରେ ଶିଶୁପାଳଙ୍କୁ ହତ୍ୟା କରିଥିଲେ, ସେତେବେଳେ ତାଙ୍କ ଆଙ୍ଗୁଠି କଟି ରକ୍ତ ବାହାରୁଥିଲା। ଏହା ଦେଖି ଦ୍ରୌପଦୀ ତାଙ୍କ ଶାଢିର ପଣତକୁ ଚିରି ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରେ ବାନ୍ଧିଦେଇଥିଲେ। ସେହି ମୁହୂର୍ତ୍ତରେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ତାଙ୍କ ଭଉଣୀ ଭାବରେ ଗ୍ରହଣ କରିଥିଲେ ଏବଂ ତାଙ୍କୁ ଜୀବନସାରା ରକ୍ଷା କରିବାକୁ ପ୍ରତିଜ୍ଞା କରିଥିଲେ। ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ କହିଥିଲେ ଯେ ଯେତେବେଳେ ବି ସେ ଅସୁବିଧାରେ ପଡ଼ନ୍ତି, ସେତେବେଳେ ସେ ତାଙ୍କୁ ମନେ ପକେଇବେ।
ଯେତେବେଳେ ଧୃତରାଷ୍ଟ୍ରଙ୍କ ଭରା ସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ କରାଯାଉଥିଲା ସେତେବେଳେ ଭୀଷ୍ମ ପିତାମହ, ଦ୍ରୋଣାଚାର୍ଯ୍ୟ ଏବଂ ବିଦୁର ପରି ନ୍ୟାୟିକ ବ୍ୟକ୍ତିମାନେ ମୂକ ଦର୍ଶକ ହୋଇଥିଲେ। ଏପରିକି ପାଣ୍ଡବମାନେ ବି ଦ୍ରୌପଦୀଙ୍କ ଲଜ୍ଜା ରକ୍ଷା କରିପାରି ନଥିଲେ। ଏହା ପରେ ଦ୍ରୌପଦୀ ଆଖି ବନ୍ଦ କରି ଭାଇ ଶ୍ରୀକୃଷ୍ଣଙ୍କୁ ମନେ ପକାଇଥିଲେ।
ଭଉଣୀ ଦ୍ରୋପଦୀଙ୍କ ଡାକ ଶୁଣି ଶ୍ରୀକୃଷ୍ଣ ତାଙ୍କ ଶକ୍ତି ଦ୍ୱାରା ଲଜ୍ଜା ରକ୍ଷା କରିଥିଲେ। ଶ୍ରୀକୃଷ୍ଣ ତାଙ୍କ ଶକ୍ତି ବଳରେ ଦ୍ରୌପଦୀଙ୍କ ଶାଢିକୁ ଏତେ ବଡ କରିଦେଲେ ଯେ ଦୁଶାସନ ଶାଢି ଟାଣି ଟାଣି ଥକି ଯାଇଥିଲା। ରାଜଦରବାରରେ ଶାଢିର ଗଦା ହୋଇଗଲା କିନ୍ତୁ କୃଷ୍ଣଙ୍କ ଲୀଳାରେ ଦ୍ରୌପଦୀବଙ୍କ ଶାଢି ସରି ନଥିଲା। ଏହିଭଳି ଭାବରେ ଶ୍ରୀକୃଷ୍ଣ ତାଙ୍କ ପ୍ରତିଜ୍ଞାକୁ ରକ୍ଷା କରି ଭଉଣୀ ଦ୍ରୌପଦୀଙ୍କ ଲଜ୍ଜା ରକ୍ଷା କରିଥିଲେ ଓ ତାଙ୍କୁ ସୁରକ୍ଷା କରିଥିଲେ।