ଶକ୍ତିପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା, ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ

ଦୁର୍ଗାପୂଜା ପାଇଁ ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା । ଏଥିପାଇଁ ଚଳଚଂଚଳ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠ ଏବଂ ବାଲେଶ୍ୱର ରେମୁଣା ବ୍ଲକର ମାଆ ଅଷ୍ଟାଦଶ ଭୁଜାଙ୍କ ମନ୍ଦିର ।

Shodasha Upachara Puja

ଦୁର୍ଗାପୂଜା ପାଇଁ ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା । ଏଥିପାଇଁ ଚଳଚଂଚଳ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠ ଏବଂ ବାଲେଶ୍ୱର ରେମୁଣା ବ୍ଲକର ମାଆ ଅଷ୍ଟାଦଶ ଭୁଜାଙ୍କ ମନ୍ଦିର । ବିଧି ମୁତାବକ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ।

ରାଜ୍ୟର ପ୍ରମୁଖ ଶକ୍ତିପୀଠ ମାନଙ୍କରେ ଅନ୍ୟତମ କଟକ ଜିଲ୍ଲା ବଡମ୍ବାର ମା’ ଭଟ୍ଟାରିକାଙ୍କ ପୀଠ । ଏଠି ଦୁର୍ଗାଷ୍ଟମୀ ଷୋଡଶ ଉପଚାର ପୂଜା ସହ ଦଶହରା ଯାଏ ଚାଲେ ସ୍ୱତନ୍ତ୍ର ପୂଜା । ମୂଳାଷ୍ଟମୀ ଦିନ ଶଶାଙ୍ଗ ଗାଁର ମାଳିସାହିରେ ଥିବା ମାଆଙ୍କ ଗନ୍ତାଘରୁ ଶୋଭାଯାତ୍ରାରେ ମାଆଙ୍କ ଆୟୁଧ ମନ୍ଦିରକୁ ଆସିଥାଏ ।

ବିଜୟାଦଶମୀ ଯାଏ ପ୍ରତିଦିନ ମାଆ ଭଟ୍ଟାରିକା ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ମଣ୍ଡିତ ହୋଇ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ପୁରାଣ କୁହେ, ମାତୃ ହତ୍ୟା ଦୋଷରୁ ମୁକ୍ତି ପାଇଁ ପର୍ଶୁରାମ ସାରା ଭାରତ ବୁଲି ଶେଷରେ ବଡମ୍ବାଗଡ଼ରେ ପହଂଚିଥିଲେ । ମାଆଙ୍କ ଶୂନ୍ୟବାଣୀ ପରେ ଶର ମୁନରେ ମାଆଙ୍କୁ ଉତ୍ପତ୍ତି କରିଥିଲେ ।

ସେହିପରି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ନଲାପାଟଣା ଗାଁରେ ଥିବା ମାଆ ଅଷ୍ଟାଦଶ ଭୂଜାଙ୍କ ମନ୍ଦିର । କିଏ କହେ, ମାଆ ଏଠାରେ ଆବିର୍ଭାବ ହୋଇ ପୂଜା ପାଉଛନ୍ତି, କିଏ କହେ ପୁରୀର ଜଣେ ସେବକ ସ୍ୱପ୍ନାଦେଶ ପାଇବା ପରେ ମାଆଙ୍କ ବିଗ୍ରହ ପ୍ରତିଷ୍ଠା କରିଥିଲେ । ଗୋଟିଏ ପଟେ କୁଟେଶ୍ୱର ମହାଦେବଙ୍କ ମନ୍ଦିର ଥିବାବେଳେ ଅନ୍ୟପଟେ ଅଛି ଅଷ୍ଟାଦଶଭୂଜା ମାଆ କନକଦୁର୍ଗାଙ୍କ ମନ୍ଦିର ।

ମାଆଙ୍କ ଦକ୍ଷିଣ ପାର୍ଶ୍ୱରେ ବିରାଜମାନ କାଠରେ ନିର୍ମିତ ଶ୍ରୀଜିଉଙ୍କ ବିଗ୍ରହ । ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମର ଅପୂର୍ବ ମିଳନସ୍ଥଳୀ - ନାଲାପାଟଣାର ଏହି ଦେବଭୂମି । ମାଆଙ୍କର ଏଠି ପୂଜାବିଧି ବି ସ୍ୱତନ୍ତ୍ର । ମହାଷ୍ଟମୀ ଦିନ ଡାଲା ଅର୍ପଣ କରିବା ପାଇଁ ବିଭିନ୍ନ ଅଂଚଳରୁ ଏଠିକି ଛୁଟେ ଶ୍ରଦ୍ଧାଳୁଙ୍କ ଭିଡ଼ ।