• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ପର୍ବ ପର୍ବାଣୀର ଦେଶ ଭାରତ। ଭାରତବାସୀ ବର୍ଷସାରା କିଛି ନା କିଛି ପର୍ବ ପାଳିଥାନ୍ତି। ତେବେ ଅନେକ ଜାତି-ଧର୍ମର ଦେଶ ଭାରତରେ ଲୋକେ ନିଜ ନିଜ ପରମ୍ପରା ଅନୁସାରେ ବିଭିନ୍ନ ପର୍ବ ପାଳିଥାନ୍ତି। ଏହିସବୁ ପର୍ବପର୍ବାଣୀ ଭିତରୁ ଏମିତି ଅନେକ ପର୍ବ ଅଛି ଯାହା ଅତ୍ୟନ୍ତ ଲୋକପ୍ରିୟ, ଯାହାକୁ ସାରା ଭାରତରେ ପାଳନ କରାଯାଏ। ସେହିସବୁ ପର୍ବଗୁଡିକ ଭିତରେ ଆଲୋକର ପର୍ବ ଦୀପାବଳୀ ଅନ୍ୟତମ। ବର୍ତ୍ତମାନ ଭାରତବର୍ଷ ଦୀପାବଳୀର ପ୍ରସ୍ତୁତିରେ। ଦୀପାବଳୀ ପାପ ଉପରେ ପୁଣ୍ୟର, ଅନ୍ଧକାର ଉପରେ ଆଲୋକର ଓ ଅଜ୍ଞାନତା ଉପରେ ଜ୍ଞାନର ବିଜୟର ପ୍ରତୀକ। ଏହା ପଛରେ ମଧ୍ୟ ରହିଛି ଅନେକ ମହତ୍ତ୍ୱ ଓ ବୈଜ୍ଞାନିକ କାରଣ। ତେବେ ଆସନ୍ତୁ ସେ ବିଷୟରେ ନଜର ପକେଇ ନେବା।

ଦୀପର ମହତ୍ତ୍ୱ :

ଦୀପ ତିଆରି ପାଇଁ ତେଲ ଓ ବତୀର ଆବଶ୍ୟକତା ହୋଇଥାଏ। ବତୀକୁ ତେଲରେ ବୁଡେଇ ରଖି ଦୀପକୁ ପ୍ରଜ୍ଜ୍ୱଳିତ କରାଯାଏ। ବତୀକୁ ଯଦି ସଂପୂର୍ଣ୍ଣ ତେଲରେ ବୁଡେଇ ଦିଆଯାଏ ତେବେ ଦୀପ ଜଳିପାରିବ ନାହିଁ, ତେଣୁ ଏହାର କିଛି ଅଂଶ ବାହାରକୁ ରଖାଯାଏ। ଆମ ଜୀବନ ମଧ୍ୟ ଦୀପର ଏହି ବତୀ ପରି। ଆମକୁ ଏ ସଂସାରରେ ରହିବାର ଅଛି ପୁଣି ଏହାର ସଂସ୍ପର୍ଶରେ ଆସିବାର ନାହିଁ। ଯଦି ଆମେ ସଂସାରର ଭୌତିକତାରେ ସଂପୂର୍ଣ୍ଣ ବୁଡି ରହିବା ତେବେ ଆମେ ଆମ ଜୀବନର ପ୍ରକୃତ ଆନନ୍ଦ ଓ ଜ୍ଞାନ ନେଇ ପାରିବା ନାହିଁ।

Why mud lamp in Diwaliଦୀପାବଳୀରେ କାହିଁକି ଜାଳିବା ଦୀପ

ଜୀବନରେ ଜ୍ଞାନର ପ୍ରକାଶକୁ ସ୍ମରଣ କରିବା ନେଇ ଦୀପାବଳୀ ପାଳନ କରାଯାଏ। ଦୀପାବଳୀ ଯେ କେବଳ ଘରକୁ ସଜ୍ଜେଇବା ନେଇ ପାଳନ କରାଯାଏନି ବରଂ ଜୀବନର ଏହି ଗୂଢ ରହସ୍ୟକୁ ଉଜାଗର କରିବା ନେଇ ପାଳନ କରାଯାଏ। ପ୍ରତ୍ୟେକ ମଣିଷ ପାଖରେ କିଛି ନା କିଛି ଭଲ ଗୁଣ ରହିଥାଏ, ଆଉ ଏହି ପ୍ରକାଶର ପର୍ବର ଅର୍ଥ ହେଉଛି ଆମ ଭିତରେ ଥିବା ସେହି ଭଲ ଗୁଣକୁ ପ୍ରକାଶ କରିବା।

କ’ଣ କହୁଛି ପରମ୍ପରା :

ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ରାମ ଯେତେବେଳେ ୧୪ ବର୍ଷ ବନବାସ କାଟି ଅଯୋଧ୍ୟା ଫେରିଥିଲେ ଅଯୋଧ୍ୟାବାସୀ ସେହିଦିନ ଦୀପ ଜାଳି ନିଜ ପ୍ରୀୟ ଭଗବାନଙ୍କୁ ସ୍ୱାଗତ କରିଥିଲେ। ସେଦିନ ଥିଲା କାର୍ତ୍ତିକ ମାସ ଅମାବାସ୍ୟା। ସେବେଠାରୁ ଏହି ଦିନ ଲୋକେ ଦୀପ ଜାଳି ଦୀପାବଳୀ ପାଳୁଛନ୍ତି।

କ’ଣ କହୁଛି ବିଜ୍ଞାନ :

ଏହି ପର୍ବରେ ଦୀପ ଜାଳିବା ପଛରେ ଏକ ବୈଜ୍ଞାନିକ ଉଦ୍ଦେଶ୍ୟ ମଧ୍ୟ ରହିଛି। ବର୍ତ୍ତମାନର ସମୟ ହେଉଛି ଋତୁ ପରିବର୍ତ୍ତନର। ବର୍ଷାଋତୁ ପରେ ଶରତଋତୁ ଆସିଥାଏ। ଏହି ସମୟରେ ମଶାମାନଙ୍କର ପ୍ରାଦୁର୍ଭାବ ବଢିବାରେ ଲାଗେ। ବୈଜ୍ଞାନିକ କାରଣ ଅନୁସାରେ ଦୀପ ଜଳିବା ଦ୍ୱାରା ମଶାମାନେ ଆଲୋକ ପ୍ରତି ଆକର୍ଷିତ ହୁଅନ୍ତି ଓ ଦୀପ ଅଭିମୁଖେ ଆସିବା ଦ୍ୱାରା ସେଥିରେ ପଡି ଜଳିଯାଆନ୍ତି। ଆମ ପୂର୍ବ ମନୀଷିମାନେ ଏହି କାରଣରୁ ଜନମାନସରେ ଏଭଳି ଏକ ପରମ୍ପରାକୁ ଖଞ୍ଜି ଦେଇଛନ୍ତି।

ବାଣ ଫୁଟେଇବା ସହ ମିଠା ବଣ୍ଟନର ରହସ୍ୟ :

ଦୀପାବଳୀ ଦିନ ପିଲା ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହର ସହିତ ବାଣ ଫୁଟେଇଥାନ୍ତି। ବାଣ ଫୁଟେଇବା ପଛରେ ମଧ୍ୟ ଏକ ଗୂଢ ତଥ୍ୟ ରହିଛି। ଜୀବନରେ ଆମେ ଅନେକ ଭାବନା, ନିରାଶା ଓ କ୍ରୋଧରେ ଭରି ରହିଥାଉ। ବେଳେ ବେଳେ ଏ ସବୁ ଭାରିହୋଇ ବାଣ ଭଳି ବିସ୍ଫୋଟକ ହୋଇଯାଏ। ଯେତେବେଳେ ଆମେ ନିଜର ଲାଳସା, ମୋହ, ଭାବନା ଆଦିକୁ ନିଜ ଭିତରେ ଚାପି ରଖୁ ତାହା ଏକ ବିସ୍ପୋଟକ ବିନ୍ଦୁରେ ପରିଣତ ହୁଏ। ।

ତେବେ ବାଣ ଫୁଟେଇବା, ଆମ ଭିତରେ ଥିବା ଭାବନାକୁ ମୁକ୍ତ କରିବା ନେଇ ଆମ ପୂର୍ବଜମାନଙ୍କ ଦ୍ୱାରା ତିଆରି ହୋଇଥିବା ଏକ ମନୋବୈଜ୍ଞାନିକ ଅଭ୍ୟାସ। ଯେତେବେଳେ ଆମେ ବାହାର ଦୁନିଆର ଏକ ବିସ୍ଫୋଟ ଦେଖୁ ସେତେବେଳେ ଆମ ଭିତରେ ମଧ୍ୟ ଏହି ପ୍ରକାରର ଏକ ସମ୍ବେଦନ ଅନୁଭୁତ ହୁଏ। ବିସ୍ଫୋଟ ଦ୍ୱାରା ଯେପରି ଚାରିଆଡେ ଆଲୋକ ପ୍ରକାଶିତ ହୁଏ ସେହିପରି ଆମେ ଯେତେବେଳେ ଆମ ଭିତରର ଭାବନାରୁ ମୁକ୍ତି ହୋଇଯାଉ ସେତେବେଳେ ଅପାର ଶାନ୍ତିର ଉଦୟ ହୋଇଥାଏ।

Secret behind Diwaliଦୀପାବଳୀରେ କାହିଁକି ଜାଣିବା ଦୀପ

ଦୀପାବଳୀ ଅବସରରେ ଆଉ ଏକ ପରମ୍ପରା ମଧ୍ୟ ଜଡିତ ଅଛି, ତାହା ହେଉଛି ମିଠା ଓ ଉପହାରର ଆଦାନ-ପ୍ରଦାନ। ଜଣେ ଅନ୍ୟ ଜଣକୁ ମିଠା ଓ ଉପହାର ଦେବାର ଅର୍ଥ ହେଉଛି ପୂର୍ବରୁ ହୋଇଥିବା ସବୁ ତିକ୍ତତା ରୂପକ ବିବାଦକୁ ନଷ୍ଟ କରି ଆସୁଥିବା ସମୟକୁ ମିତ୍ରତାର ବନ୍ଧନରେ ମିଷ୍ଟାନ କରି ଏକ ନବଜୀବନ ପ୍ରଦାନ କରିବା।

ଦୀପାବଳୀର ଅନ୍ୟ ଏକ ଅର୍ଥ ହେଉଛି ଅତୀତ ଓ ଭବିଷ୍ୟତକୁ ଭୁଲି ବର୍ତ୍ତମାନରେ ରହିବା। ଏ ସମୟ ହେଉଛି ଆମେ ଅତୀତର ନକରାତ୍ମକତାକୁ ଭୁଲିଯିବା। ଏ ସମୟ ହେଉଛି ଯେଉଁ ଜ୍ଞାନ ଆମେ ପାଇଛେ ତାହାକୁ ପ୍ରକାଶିତ କରି ଏକ ନୂଆ ଜୀବନର ଆରମ୍ଭ କରିବା। ଯେତେବେଳେ ପ୍ରକୃତ ଜ୍ଞାନର ଉଦୟ ହୁଏ ସେତେବେଳେ ଉତ୍ସବକୁ ଆହୁରି ଶକ୍ତି ମିଳେ।

ଆଧ୍ୟାତ୍ମିକ ଜ୍ଞାନ ଓ ଦୀପାବଳୀ:

ଆତ୍ମାର ସ୍ୱଭାବ ହେଉଛି ଉତ୍ସବ। ପ୍ରାଚୀନ ସାଧୁ-ସନ୍ଥମାନେ ପ୍ରତ୍ୟେକ ଉତ୍ସବକୁ ପବିତ୍ରତାର ସମାବେଶ କରିଦେଉଥିଲେ। ରୀତି-ନୀତି ଓ ଧାର୍ମିକ ପୂଜାପାଠ ଏସବୁ ଈଶ୍ୱରଙ୍କ ପ୍ରତି ସମର୍ପଣ ଭାବ। ଏହା ଆମର ଉତ୍ସବକୁ ଆହୁରି ଦୃଢ କରିଥାଏ।

ଯାହାପାଖରେ ଆଧ୍ୟାତ୍ମିକ ଜ୍ଞାନ ନାହିଁ ତା ପାଇଁ ଦୀପାବଳୀ କେବଳ ବର୍ଷକୁ ଥରେ ମାତ୍ର ଆସିଥାଏ। କିନ୍ତୁ ଜ୍ଞାନୀମାନଙ୍କ ପାଇଁ ପ୍ରତିଦିନ ଓ ପ୍ରତିକ୍ଷଣ ହିଁ ଦୀପାବଳୀ। ଜୀବନରେ ସବୁ ସମୟରେ ଜ୍ଞାନର ଆବଶ୍ୟକତା ରହିଛି। ଜ୍ଞାନ ହିଁ ଦୁଃଖରୁ ମୁକ୍ତି ଦେଇଥାଏ। ଯଦି ଆମ ପରିବାରର କୌଣସି ସଦସ୍ୟ ବା ଆଖପାଖରେ କେହି ବି ଦୁଃଖରେ ରୁହେ ତେବେ ଆମେ କେବେ ବି ସୁଖ ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ସମସ୍ତଙ୍କ ମନରେ ଜ୍ଞାନର ପ୍ରକାଶ ଖେଳେଇବା ଜରୁରୀ। ସମସ୍ତଙ୍କ ଠାରେ ଜ୍ଞାନର ଉଦୟ ହିଁ ଉତ୍ସବର ଅନ୍ୟ ନାମ।

Diwali in Odishaଓଡିଶାରେ ଦୀପାବଳୀରେ ବଡ ବଡୁଆ ଡକା

ଓଡିଶାର କଥା ଦେଖିଲେ ଦୀପାବଳୀକୁ ଏଠାରେ ଏକ ଅନନ୍ୟ ଢଙ୍ଗରେ ପାଳନ କରାଯାଏ। ଏହିଦିନ ଓଡିଶାବାସୀ ବିଶ୍ୱର ଶାନ୍ତି କାମନା କରି ଏହାକୁ ଏକ ଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି। ଏଠାରେ ‘ବଡ ବଡୁଆ ଡକା’ ନାମରେ ଏକ ଛୋଟ ପରମ୍ପରା ରହିଛି। ଏହି ଭିନ୍ନ ପରମ୍ପରାଟି ଜଗନ୍ନାଥ ସଂସ୍କୃତି ସହ ଜଡିତ। ଏହିଦିନ ପ୍ରତି ଓଡିଆ ସେମାନଙ୍କ ପୂର୍ବ ପୁରୁଷଙ୍କୁ ନିମନ୍ତ୍ରଣ କରିଥାନ୍ତି ସେମାନ ସହ ଏହି ମହାନ ଉତ୍ସବକୁ ପାଳନ କରିବା ଓ ସେମାନଙ୍କ ଆଶୀର୍ବାଦ ପାଇବା ନେଇ।