Advertisment

Nabajoubana 2024: କାହିଁକି ଠାକୁରଙ୍କ ଏହି ଦିବ୍ୟ ସୁନ୍ଦର ବେଶକୁ କୁହାଯାଏ ‘ନବଯୌବନ’

ଶ୍ରୀମନ୍ଦିରରେ ଅନୁଷ୍ଠିତ ଅନେକ ଯାତ୍ରା ବା ପର୍ବରେ ତାଙ୍କର ବିଜେପ୍ରତିମା ପ୍ରତିନିଧିତ୍ୱ କରୁଥିବା ବେଳେ ସ୍ନାନଯାତ୍ରା ଓ ରଥଯାତ୍ରାରେ ଶ୍ରୀଜୀଉ ସ୍ୱୟଂ ରତ୍ନସିଂହାସନରୁ ଶ୍ରୀମନ୍ଦିର ବାହାରକୁ ଆସିଥାଆନ୍ତି। ସ୍ନାନଯାତ୍ରାରୁ ରଥଯାତ୍ରା ପର୍ଯ୍ୟନ୍ତ ଠାକୁରଙ୍କର ରହିଛି ଅନେକ ନୀତି। ନବଯୌବନ ବେଶ ସେଥିରୁ ଅନ୍ୟତମ।

author-image
Pramod Behera
ଅଦ୍ୟତନ ହୋଇଛି
Why is lord Jagannath's this appearance called Nabajaubana

Why is lord Jagannath's this appearance called Nabajaubana

କୋଟିବ୍ରହ୍ମାଣ୍ଡର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ। ଭକ୍ତଙ୍କ ଭାବରେ ସେ ବନ୍ଧା। ତାଙ୍କ ଲୀଳା ଅପୂର୍ବ। ମହାପ୍ରଭୁଙ୍କର ବାରମାସରେ ତେର ଯାତ। କିନ୍ତୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ଅନେକ ଯାତ୍ରା ବା ପର୍ବରେ ତାଙ୍କର ବିଜେପ୍ରତିମା ପ୍ରତିନିଧିତ୍ୱ କରୁଥିବା ବେଳେ ସ୍ନାନଯାତ୍ରା ଓ ରଥଯାତ୍ରାରେ ଶ୍ରୀଜୀଉ ସ୍ୱୟଂ ରତ୍ନସିଂହାସନରୁ ଶ୍ରୀମନ୍ଦିର ବାହାରକୁ ଆସିଥାଆନ୍ତି। ସ୍ନାନଯାତ୍ରାରୁ ରଥଯାତ୍ରା ପର୍ଯ୍ୟନ୍ତ ଠାକୁରଙ୍କର ରହିଛି ଅନେକ ନୀତି। ଯେପରି ଅଣସର ନୀତି, ନବଯୌବନ ଓ ନେତ୍ରୋତ୍ସବ ନୀତି।

Advertisment

ଆଜି ମହାପ୍ରଭୁଙ୍କ ନବଯୌବନ ବେଶ। ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଶ୍ରୀଜୀଉଙ୍କ ଏହା ବିଶେଷ ବେଶ ଅଟେ। ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ରୁହନ୍ତି। ପନ୍ଦର ଦିନ ପାଇଁ ଭକ୍ତମାନେ ତାଙ୍କର ଦର୍ଶନରୁ ବଞ୍ଚିତ ହୁଅନ୍ତି। ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କୁହାଯାଏ।

ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ। ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ। ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି।

Advertisment

ନବଯୌବନ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷବ୍ୟାପି ପ୍ରତୀକ୍ଷା କରିଥାଆନ୍ତି। କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ମଧ୍ୟ ହୋଇଥାଏ। ନେତ୍ରୋତ୍ସବର ଅର୍ଥ ହେଲା ମହାପ୍ରଭୁମାନଙ୍କ ଚକ୍ଷୁ(ନେତ୍ର)ରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶ।

ନୀତିକାନ୍ତି:

ସ୍ନାନଯାତ୍ରା ହେତୁ ରଥଯାତ୍ରାର ଚାରିଦିନ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁନଶ୍ଚ ରୂପ ଦେବାର ଆବଶ୍ୟକତା ପଡ଼ିଥାଏ, ଏହାକୁ ଅଙ୍ଗରାଗ କୁହାଯାଏ। ଏହାପରେ ନବଯୌବନର ଦିନର ପ୍ରାତଃକାଳରେ ନେତ୍ରୋତ୍ସବ ପାଳନ କରାଯାଏ।

ଠାକୁରମାନଙ୍କୁ ଅର୍ଦ୍ଧ-ସମାନ୍ତର ସ୍ଥିତିରେ ରଖାଯାଇ ସେମାନଙ୍କୁ ଉପଯୁକ୍ତ ଭାବେ ଚିତ୍ରିତ କରାଯାଏ। ଏହି ସେବା ସରିବା ପରେ ନେତ୍ରୋମିଳନ ନୀତି ପାଳିତ ହୁଏ। ଏଥିରେ ପ୍ରତ୍ୟେକ ଠାକୁରଙ୍କ ଉଭୟ ଚକ୍ଷୁରେ ତୁଳସୀ ପତ୍ର ସାହାଯ୍ୟରେ ଔଷଧ ପ୍ରୟୋଗ କରାଯାଇଥାଏ।

ଏହାପରେ କଜ୍ୱଳ ଲାଗି କରାଯାଏ। ଶ୍ରୀଜୀଉମାନଙ୍କୁ ଭୋକ ହେବାରୁ ସ୍ନାନଯାତ୍ରା ପରେ ସେମାନେ ପ୍ରଥମ ଥର ପାଇଁ ରାଜଭୋଗ ଗ୍ରହଣ କରିଥାନ୍ତି। ଏହାପରେ ଜନସାଧାରଣ ନବଯୌବନ ବେଶ ସହ ନିଜ ଆରାଧ୍ୟଙ୍କ ପ୍ରଥମ ଦର୍ଶନ ଲାଭ କରିଥାନ୍ତି।

ଏପରି ମନୋରମ ବେଶ ଦର୍ଶନ ଅଭିପ୍ରାୟେ ନେତ୍ରମାନଙ୍କର ସମାଗମ ତଥା ଉତ୍ସବ କାରଣରୁ ଏହି ନୀତିକୁ ନେତ୍ରୋତ୍ସବ ମଧ୍ୟ କୁହାଯାଇଥାଏ।

Ratha Jatra Nabajouban Darshan Puri Srimandir Ratha Yatra Lord Jagannath
Advertisment
Advertisment