Advertisment

Ratha Jatra 2024: ବନ୍ଧୁ ମହାନ୍ତିଙ୍କ ଦୁଃଖଦ ଜୀବନ; ଜାଣନ୍ତୁ କିପରି ପାଇଲେ କାଳିଆ କରୁଣା

କଥାରେ ଅଛି ‘ଅରକ୍ଷିତକୁ ଦଇବ ସାହା’। ଜୀବନରେ ସତ୍ ପଥରେ ଥାଇ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ ବିଭିନ୍ନ କଷ୍ଟକର ପରିସ୍ଥିତି ତଥା ଦୁଃଖଦ ମୁହୂର୍ତ୍ତରୁ ତ୍ରାହି ମିଳିପାରିବ। ତେଣୁ ଆଧ୍ୟାତ୍ମିକତାର ମହାମନ୍ତ୍ର ହେଉଛି ‘ଭକ୍ତି’। ଭକ୍ତ ବନ୍ଧୁ ମହାନ୍ତି ଏହାର ଉଦାହରଣ।

author-image
Pramod Behera
ଅଦ୍ୟତନ ହୋଇଛି
Ratha Jatra 2024 know devotee Bandhu Mohanty Story

Ratha Jatra 2024 know devotee Bandhu Mohanty Story

କାଳିଆ ସାଆନ୍ତର ବଡଦାଣ୍ଡ ଧୂଳି ହେଉ କି ଶ୍ରୀମନ୍ଦିରର ମଳି ହେଉ। ସାଗରର ନୀଳ ଜଳ ହେଉ କି ଶ୍ରୀଅଙ୍ଗର ବାସି ମାଳ ହେଉ, ସବୁକିଛି ମହାନ ଆଉ ପବିତ୍ର। ଯଦି କଳା ଠାକୁରର ପ୍ରିୟ ଭକ୍ତଙ୍କ କଥା ପଡେ ତେବେ ଏହାଠାରୁ ମହାନ ବା ଆଉ କ’ଣ ଥାଇପାରେ।

Advertisment

ଭକ୍ତର ଭକ୍ତିରେ ବନ୍ଧା ଏହି କଳା ଠାକୁର। ଭକ୍ତର ଭକ୍ତିର ଶକ୍ତି ହିଁ ଭଗବାନ ଓ ଭକ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିପାରିଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର ଧାମରେ ଅସଂଖ୍ୟ ଭକ୍ତଙ୍କର ଅଲୌକିକ ଅନୁଭୂତି ଘଟିଚାଲିଛି। ଦାରୁରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନେକ ଭକ୍ତମାନଙ୍କ ମଧ୍ୟରୁ ଭକ୍ତ ବନ୍ଧୁ ମହାନ୍ତିଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ଅତୁଟ ବନ୍ଧୁତା ଆଜି ମଧ୍ୟ ଅଗଣିତ ଭକ୍ତଙ୍କ ମନରେ ଭକ୍ତିର ଭାବଧାରା ସୃଷ୍ଟି କରିଥାଏ। ତେବେ ଆସନ୍ତୁ ସେହି ବନ୍ଧୁ ମହାନ୍ତିଙ୍କ ବିଷୟରେ ଜାଣିନେବା।

କିମ୍ବଦନ୍ତୀ:

ଏହା ପ୍ରାୟ ୧୮୧୮ ମସିହାର କଥା। ଯାଜପୁରରେ ରହୁଥିଲେ ଭକ୍ତ ବନ୍ଧୁ ମହାନ୍ତି। ଘୋର ଆର୍ଥିକ-ଅନଟନରେ ଥାଇ ଜୀବନ ବିତାଉଥିଲେ ମଧ୍ୟ ଭକ୍ତ ବନ୍ଧୁ ମହାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗଭୀର ଭକ୍ତି କରୁଥିଲେ। ଭିକ୍ଷାବୃତ୍ତି କରି ପରିବାର ପୋଷୁଥିଲେ। ତାଙ୍କ ସ୍ତ୍ରୀ ତାଙ୍କୁ ବେଳେ ବେଳେ କିଛି କହିଲେ ସେ କୁହନ୍ତି, ପୁରୀରେ ତାଙ୍କର ଜଣେ ବନ୍ଧୁ ଅଛନ୍ତି ଏବଂ ସେ’ହିଁ ସବୁ ଦୁଃଖ ଦୂର କରିଦେବେ।

Advertisment

ସ୍ତ୍ରୀ କେତେବେଳେ କେମିତି ବିରକ୍ତ ହୋଇଯାଇ କହନ୍ତି, "କି ପାଗକ ଲୋକଟା ହେ! ବେଳେ ଖାଇଲେ ଆର ବେଳା ଛୁଆଙ୍କ ପାଇଁ କିଛି ନାହିଁ, ୟାଙ୍କର କୋଉ ବନ୍ଧୁ ଅଛି, ସବୁ ଠିକ କରିଦେବ"। ଆଉ ବେଳେବେଳେ ତାଙ୍କୁ ମଧ୍ୟ କୁହନ୍ତି ଚାଲୁନ ତୁମ ବନ୍ଧୁ ଘରୁ ଥରେ ବୁଲି ଆସିବା। ମହାନ୍ତିଏ କହନ୍ତି ଆରେ ମୋ ବନ୍ଧୁ କ’ଣ ଏମିତି ସେମିତି ଲୋକ କି, ତା’ପାଖକୁ ଯେତେବେଳେ ଚାହିଁବ ଚାଲିଯିବ। ତା'ର ବଡ଼ ଦେଉଳ, ବଡ଼ ଦାଣ୍ଡ, ସବୁ ତା'ର ବଡ଼। ଏମିତି ଦୁଃଖେ ସୁଖେ ଦିନ କଟୁଥାଏ।

ଦେଶରେ ଥରେ ବଡ଼ ଅକାଳ ପଡ଼ିଲା। ଦୁର୍ଭିକ୍ଷର କରାଳ ଛାୟା। ଚାରିଆଡ଼େ ହା-ଅନ୍ନର ଚିତ୍କାର। ଭିକ୍ଷାର ଘୋର ଅଭାବ। ବନ୍ଧୁ ମହାନ୍ତିଙ୍କ ଜୀବନ ବଡ଼ ଦୁର୍ବିସହ ହୋଇପଡ଼ିଲା। ଘରେ ଚାଉଳ ନ’ଥିବାରୁ ଚୂଲି ଜଳି ନ’ପାରି ଦୁଇ ସନ୍ତାନଙ୍କ ସହିତ ତାଙ୍କ ପରିବାର ଭୋକ ଉପବାସରେ ଦୁଇଦିନ ରହିଲେ।

ତାଙ୍କୁ ତାଙ୍କର ସ୍ତ୍ରୀ କହିଲେ; ଏତେ କଷ୍ଟ ପଡ଼ିଲାଣି ଏଥର ଚାଲ ତୁମ ବନ୍ଧୁଘରକୁ ଯିବା। ତାଙ୍କୁ ଯାଇ ଦୁଃଖ ଜଣାଇବା। ବନ୍ଧୁ ମହାନ୍ତି କୁନ୍ଥୁ କୁନ୍ଥୁ ହୋଇ ବହୁ କଷ୍ଟରେ ରାଜି ହେଲେ। ତହିଁ ପରଦିନ ଦୁଇ ସନ୍ତାନ ଓ ସ୍ତ୍ରୀ’ଙ୍କୁ ଧରି ବନ୍ଧୁ ମହାନ୍ତି ପୁରୀରେ ଥିବା ତାଙ୍କ ପରମ ବନ୍ଧୁ ଶ୍ରୀଜଗନ୍ନାଥଙ୍କୁ ଦେଖାକରିବାକୁ ଚାଲିଲେ।

ଚାରିଦିନ କାଳ ଉପାସ ଓ ଭୋକରେ ବାଟ ଚାଲିଚାଲି ଶେଷରେ ପହଞ୍ଚିଲେ ଶ୍ରୀକ୍ଷେତ୍ରରେ। ଅନେକ ରାତି ହୋଇ ଯାଇଥାଏ। ଶ୍ରୀମନ୍ଦିର ସିଂହଦ୍ୱାର ପହଡ଼ ପଡି ସାରିଥାଏ। ପହରା ଦେଉଥିବା ବେତୁଆମାନଙ୍କୁ ଇଏ ମୋର ବନ୍ଧୁଙ୍କ ଘର ନା, ବୋଲି ପଚାରିଲେ। ଏ ଲୋକଟା ପାଗଳ ବୋଲି ଭାବି ସେମାନେ ତାଙ୍କୁ ଘଉଡ଼ାଇ ଦେଲେ।

ଚାରି ଦିନ ବାଟ ଚାଲି ଚାଲି ଦେହ ଅବଶ, କାହା ପେଟରେ ଦାନା ମୁଠେ ପଡ଼ି ନାହିଁ। ପିଲାମାନଙ୍କୁ ଓ ସ୍ତ୍ରୀଙ୍କୁ ଡାକି ନେଲେ ଦକ୍ଷିଣଦ୍ଵାର ପାଚେରି କଡ଼କୁ ଥିବା ବର ଗଛ ମୂଳକୁ। ସେଇଠି ଜଗନ୍ନାଥଙ୍କର ରୋଷଘର ପେଜ ନଳାରୁ ମୁନ୍ଦେ ମୁନ୍ଦେ ପେଜ ପିଇ ପୁରୁଣା ମଇଳା ଗାମୁଛାକୁ ପାରି ଶୋଇପଡ଼ିଲେ ସମସ୍ତେ।

ଥକା ହୋଇଥିବାରୁ ନିଘୋଡ଼ ନିଦରେ ସମସ୍ତେ ଶୋଇ ପଡ଼ିଥାନ୍ତି। ରାତି ଅଧରେ ଶୁଭିଲା ଡାକ - "ବନ୍ଧୁ ! ହୋ ଯାଜପୁରିଆ ବନ୍ଧୁ ! ପେଜନଳା ପାଖରେ ଶୋଇପଡ଼ିଲ କି ? ମୁଁ ଡାକୁଛି ଆସ, ଦେଖ ତୁମ ପାଇଁ ମୁଁ କେତେ ରକମର ଖାଦ୍ୟ ଆଣିଛି, ୟାକୁ ନିଅ, ପିଲାମାନଙ୍କୁ ଖୁଆଇ ନିଜେ ଖାଅ, ବନ୍ଧୁଘରେ କ’ଣ ଏମିତି ଉପାସଟାରେ ଶୋଇବ।"

ଚମକି ପଡ଼ିଲେ ବନ୍ଧୁ ମହାନ୍ତି। ନିଦରୁ ଉଠି ସେ ଦେଖିଲେ ଜଣେ କଳା ରଙ୍ଗର ବ୍ରାହ୍ମଣଟିଏ ପ୍ରସାଦଭରା ବିରାଟ ଥାଳିଟିଏ ଧରି ଛିଡ଼ାହୋଇଛି।

ବନ୍ଧୁ ମହାନ୍ତିଙ୍କୁ ଖାଦ୍ୟଭରା ଥାଳିଟି ଧରାଇ ଦେଇ ବ୍ରାହ୍ମଣଟି ଜଲ୍‌ଦି ପିଲାମାନଙ୍କୁ ଖାଇନେବାକୁ କହି ସେଠୁ ଚାଲିଗଲେ। ସୁସ୍ୱାଦୁ ଅନ୍ନ ପ୍ରସାଦ ସହିତ ମହମହ ବାସୁଥିଲା ବିଭିନ୍ନ ତରକାରୀ ଓ ଅନେକ ରକମର ପିଠା ଏବଂ ମିଷ୍ଟାନ୍ନର ସମସ୍ତ ଖାଦ୍ୟ ସାମଗ୍ରୀ। ମନଭରି ତାଙ୍କ ସ୍ତ୍ରୀ ଓ ପିଲାମାନେ ଖାଇବା ପରେ ବନ୍ଧୁ ମହାନ୍ତି ମଧ୍ୟ ଅପୂର୍ବ ପ୍ରସାଦ ସେବନ କରି ପରିବାର ସହିତ ମହାଆନନ୍ଦରେ ଶୋଇପଡ଼ିଲେ।

ସକାଳୁ ସେବାୟତମାନେ ମହାପ୍ରଭୁଙ୍କ ରତ୍ନ ସିଂହାସନରେ ଗତରାତିରେ ପ୍ରଭୁଙ୍କୁ ଦିଆଯାଇଥିବା ରତ୍ନଥାଳିକୁ ନ’ପାଇ ରାଜାଙ୍କୁ ଚୋରି ହୋଇଥିବାର ଜଣାଇଲେ। ରାଜାଙ୍କ ସିପାହୀମାନେ ବନ୍ଧୁ ମହାନ୍ତି ଶୋଇଥିବା ସ୍ଥାନରୁ ରତ୍ନଥାଳିଟି ପାଇ ତାଙ୍କୁ ଚୋରି କରିଥିବା ଭାବି କାରାଗାରରେ ବନ୍ଦୀ କରିଦେଲେ।

କାରାଗାରରେ ବନ୍ଧୁ ମହାନ୍ତି ଖୁବ କାନ୍ଦିଲେ ଓ ମହାପ୍ରଭୁଙ୍କୁ କହିଲେ ପ୍ରଭୁ ତୁମେ ପୁରୀକୁ ଡକାଇ ଖାଇବାକୁ ଦେଲ, କି ଦୋଷ କରିଥିଲି ପ୍ରଭୁ ମିଛ ଚୋରି ମାମଲାରେ ମୋତେ ଫସାଇ କାରାଗାରର ଦଣ୍ଡ ଦେଉଛ? ସେଦିନ ରାତିରେ ପୁରୀ ଗଜପତି ମହାରାଜାଙ୍କୁ ଶ୍ରୀଜଗନ୍ନାଥ ସ୍ୱପ୍ନରେ ଦେଖାଦେଇ କହିଲେ, “ମୋ ରତ୍ନଥାଳି ଚୋରି ମାମଲାରେ କାରାଗାରରେ ଯେଉଁ ବ୍ୟକ୍ତିଙ୍କୁ ବାନ୍ଧିରଖିଛ ସେ ନିର୍ଦ୍ଦୋଷ ଏବଂ ମୋର ପରମ ବନ୍ଧୁ, ତାଙ୍କୁ ତୁରନ୍ତ ଖଲାସ କର ନଚେତ୍ ଶାସ୍ତି ଭୋଗିବ।”

ଏହାପରେ ମହାରାଜାଙ୍କ ଚାଉଁକିନା ନିଦ ଭାଙ୍ଗିଗଲା ଏବଂ ତୁରନ୍ତ ନିଜେ କାରାଗାରକୁ ଯାଇ ବନ୍ଧୁ ମହାନ୍ତିଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ମୁକ୍ତକଲେ। ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ କିପରି ସ୍ୱହସ୍ତରେ ଖାଦ୍ୟଭରା ରତ୍ନଥାଳି ଦେଇଥିଲେ ତାହାକୁ ସ୍ୱପ୍ନରେ ମଧ୍ୟ ଦେଖିଥିବା କଥା ରାଜା ବଖାଣିଲେ।

ଶେଷରେ ମହାରାଜା ବନ୍ଧୁ ମହାନ୍ତିଙ୍କୁ ନିଜ ଦରବାରରେ ସସମ୍ମାନରେ ଚାକିରି ଦେଇ ପୁରୀରେ ରହିବାର ବ୍ୟବସ୍ଥା ମଧ୍ୟ କରିଦେଲେ। ତାଙ୍କ ନାମରେ ଅନ୍ନ ବସ୍ତ୍ର ଖଞ୍ଜା କରିଦେଲେ। ଭକ୍ତ ବନ୍ଧୁ ମହାନ୍ତି "ଜଗବନ୍ଧୁଙ୍କ" ବନ୍ଧୁ, ଏ କଥା ଶ୍ରୀକ୍ଷେତ୍ର ସାରା ପ୍ରଚାରିତ ହୋଇଗଲା। ଲୋକେ ଜାଣିଲେ ଭକ୍ତ ବନ୍ଧୁ ମହାନ୍ତିଙ୍କ ମହିମା।

ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ପେଜନଳା ନିକଟରେ ତିଆରି ହେଲା ତାଙ୍କ ଆଶ୍ରମ। ଏବେ ବି ଜରାଜୀର୍ଣ୍ଣ ଅବସ୍ଥାରେ ସେହି ଆଶ୍ରମ ଶ୍ରୀକ୍ଷେତ୍ରରେ ବିଦ୍ୟମାନ ଅଛି ଓ ପ୍ରଚାର କରୁଛି ଭକ୍ତ ଭଗବାନଙ୍କର ଅଭେଦ୍ୟ ସମ୍ପର୍କ।

କଥାରେ ଅଛି ‘ଅରକ୍ଷିତକୁ ଦଇବ ସାହା’। ଜୀବନରେ ସତ୍ ପଥରେ ଥାଇ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ ବିଭିନ୍ନ କଷ୍ଟକର ପରିସ୍ଥିତି ତଥା ଦୁଃଖଦ ମୁହୂର୍ତ୍ତରୁ ତ୍ରାହି ମିଳିପାରିବ। ତେଣୁ ଆଧ୍ୟାତ୍ମିକତାର ମହାମନ୍ତ୍ର ହେଉଛି ‘ଭକ୍ତି’। ଯୁଗେ-ଯୁଗେ ଭକ୍ତର ଦୃଢ ବିଶ୍ୱାସ ତଥା ଭକ୍ତର ଭକ୍ତି ଭାବଧାରାରେ ବନ୍ଧା ସ୍ୱୟଂ ଭଗବାନ।

Ratha Jatra Puri Lord Jagannath Temple Puri Srimandir Ratha Yatra Lord Jagannath
Advertisment
Advertisment