ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି। ତିନିରଥ ଉପରେ ସୁନାବେଶ ପରଦିନ ଅଧରପଣା ନୀତି ସମାପନ ହୋଇଥାଏ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ।
ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଏ।
ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧରପଣା ଭୋଗ କରାଯାଇଥାଏ। ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି।
Also Read
ସ୍ୱତ୍ୱଲିପି ଅନୁଯାୟୀ ବାହୁଡ଼ା ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ 'ଅଧରପଣା' ଭୋଗ ହେବା କଥା। କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ। ହେଲେ ଏକାଦଶୀ ଦିନ ମଧ୍ୟ ଏହି ନୀତି ହୋଇ ନପାରି ଅନେକ ବର୍ଷ ଧରି ଦ୍ୱାଦଶୀ ତିଥିରେ ଭୋଗ କରାଯାଉଛି।
ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ଓଡ଼ିଆ ମଠରୁ ପ୍ରାପ୍ତ ସନନ୍ଦକୁ ଆଧାର କରି ଉଲ୍ଲେଖ କରିଛନ୍ତି ଯେ, ପୂର୍ବେ ବାହୁଡା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ଵାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଭୋଗ ହୁଏ।
ତେବେ ଅନନ୍ୟ ଏ ଅଧରପଣା ନୀତି ପଛରେ ରହିଛି ଗୁଢ ତତ୍ତ୍ୱ। ପାପୀ, ତପି, ମ୍ଳେଚ୍ଛ, ଦୀନ, ଯବନ ଉଦ୍ଧାର ପାଇଁ ରଥଯାତ୍ରାର ଶେଷରେ ଜନସମାଜକୁ ଅମୃତର ପାନ ପାଇଁ ଅଧରପଣା ନୀତିର ଆରମ୍ଭ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କୁହନ୍ତି।
ନଅ ହାଣ୍ଡି ପଣା ବ୍ୟବସ୍ଥାର ରହସ୍ୟ:
ବଳଭଦ୍ରଙ୍କୁ ତାରା, ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କୁ ମହାକାଳୀ ଭାବେ ତାନ୍ତ୍ରିକ ଓ ଶକ୍ତି ଉପାସକମାନେ ପୂଜା କରିଥାଆନ୍ତି। ତେଣୁ ଏହି ନବଦିନାତ୍ମକ ରଥଯାତ୍ରାକୁ ତନ୍ତ୍ରର ପୂଜା ବୋଲି କୁହାଯାଏ। ଖାଲି ସେତିକି ନୁହେଁ, ତନ୍ତ୍ରର ପ୍ରଭାବ ଜଗନ୍ନାଥଙ୍କ ସଂସ୍କୃତିରେ ରହିଥିବାରୁ ପ୍ରତି ରଥରେ ୯ ଜଣ ଲେଖାଏଁ ପାର୍ଶ୍ୱ ଦେବଦେବୀ ରହିଥାଆନ୍ତି। ଅଧରପଣା ବେଳେ ପ୍ରତିରଥରେ ତିନି ତିନୋଟି କରି ମୋଟ ନଅଟି ହାଣ୍ଡି ପଣା ମହାପ୍ରଭୁଙ୍କୁ ମଣୋହି ହୋଇଥାଏ ବୋଲି କୁହାଯାଏ।
ଦେବସ୍ନାନ ପୂର୍ଣ୍ଣିମାଠାରୁ ଶ୍ରୀଗୁଣ୍ଡିଚା ଉତ୍ସବ ଆରମ୍ଭ ହୋଇ ନୀଳାଦ୍ରିବିଜେରେ ସମାପ୍ତ ହୋଇଥାଏ। ଦେବତାମାନଙ୍କଠାରୁ ଉତ୍ସବ ଆରମ୍ଭ ହୋଇ ଅଶରୀରୀମାନଙ୍କ ପାଖରେ ସରିଥାଏ। ଦେବସ୍ନାନ ଉତ୍ସବରେ ମହାପ୍ରଭୁ ଦେବତା, ଯକ୍ଷ, ଗନ୍ଧର୍ବ ଆଦିଙ୍କୁ ଦର୍ଶନ ଦେଇ କୃତାର୍ଥ କରୁଥିବା ବେଳେ ଦ୍ୱିତୀୟ ଭାଗରେ ଶ୍ରୀଗୁଣ୍ଡିଚାରେ ରଥରେ ବସି ମନୁଷ୍ୟ, ପଶୁ ଯୋନିରେ ଜନ୍ମଗ୍ରହଣ କରିଥିବା ସମସ୍ତ ପ୍ରାଣୀଙ୍କୁ ଦର୍ଶନ ଦେଇ ପତିତ ଉଦ୍ଧାର କରିଥାଆନ୍ତି। ରଥଯାତ୍ରା ଶେଷଭାଗରେ ମହାପ୍ରଭୁ ମଧୁର ଅଧରରେ ପଣାହାଣ୍ଡି ସ୍ପର୍ଶ କରି ଏହାକୁ ଅଶରୀରୀ ଓ ପ୍ରେତମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରି ସେମାନଙ୍କୁ ଉଦ୍ଧାର କରିଥାଆନ୍ତି।