ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଭବ୍ୟ ରଥଯାତ୍ରା ସାରା ବିଶ୍ୱର ଏକ ଅନନ୍ୟ ଓ ପରମ ପବିତ୍ର ଉତ୍ସବ, ଯାହା ଆମ ରାଜ୍ୟର ପୁରୀ ସହରରେ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ଏହି ରଥଯାତ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ଉତ୍ସର୍ଗୀକୃତ ଏକ ମହାନ ଉତ୍ସବ। ଏହାର ଶେଷ ପର୍ଯ୍ୟାୟରେ ଶ୍ରୀଜିଉମାନଙ୍କର “ନୀଳାଦ୍ରିବିଜେ” ଅନୁଷ୍ଠିତ ହୋଇଥାଏ, ଯାହା ଏହି ମହାନ ଉତ୍ସବର ସମାପନକୁ ଚିହ୍ନିତ କରେ। ନୀଳାଦ୍ରିବିଜେ ହେଉଛି ଶ୍ରୀଜିଉମାନଙ୍କର ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ, ଯାହା ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ।
ନୀଳାଦ୍ରି ବିଜେର ଅର୍ଥ ଓ ମହତ୍ତ୍ଵ
“ନୀଳାଦ୍ରି ବିଜେ” ଶବ୍ଦଟିର ଅର୍ଥ ଅତି ସରଳ। “ନୀଳାଦ୍ରି” ବା ଶ୍ରୀମନ୍ଦିରର ନୀଳକନ୍ଦରକୁ ଶ୍ରୀଜିଉମାନଙ୍କ “ବିଜେ” ବା ପ୍ରତ୍ୟାବର୍ତ୍ତନ। ଏହା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନର ପବିତ୍ର ଆଚାର ଅଟେ। ରଥଯାତ୍ରାରେ ଶ୍ରୀଜିଉମାନେ ନଅ ଦିନ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମସ୍ଥଳି ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଥାନ୍ତି। ୯ ଦିନ ପରେ ସେମାନେ ପୁଣି ନୀଳାଦ୍ରିବିଜେ ମାଧ୍ୟମରେ ଶ୍ରୀମନ୍ଦିରକୁ ଫେରନ୍ତି, ଯାହା ଏକ ବିଜୟୀ ଓ ଆନନ୍ଦପୂର୍ଣ୍ଣ ଘଟଣା ଭାବେ ପାଳନ କରାଯାଏ।
Also Read
ମହାପ୍ରଭୁ ରଥରୁ ଓହ୍ଲାଇ ରତ୍ନ ସିଂହାସନକୁ ଯିବା ନୀତି ପରମ୍ପରାକୁ ନୀଳାଦ୍ରି ବିଜେ କୁହାଯାଏ। ଠାକୁରଙ୍କ ନଅ ଦିନ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ହେଉଛି ନୀଳାଦ୍ରି ବିଜେ। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି। ଏହି ନୀଳାଦ୍ରିବିଜେ ନୀତିରେ ସରେ ମହାପ୍ରଭୁଙ୍କ ଜନ୍ମବେଦି ଲୀଳା।
ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୟୋଦଶୀ ତିଥିରେ ନୀଳାଦ୍ରିବିଜେ ହୋଇଥାଏ। ଏହି ପରମ୍ପରା ଅନେକ ବର୍ଷ ଧରି ହୋଇଆସୁଛି। ନୀଳାଦ୍ରି ବିଜେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗ ସହ ଏ ସମ୍ବନ୍ଧରେ ଆଲୋଚନା କରାଯାଇ ପହଣ୍ଡି ହୋଇଥାଏ।
ନୀତି
ନୀଳାଦ୍ରିବିଜେ ଦିନ ରଥ ଉପରେ ଠାକୁରମାନଙ୍କର ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧାଯାଏ। ଏହାପରେ ଦର୍ଶନ ପାଇଁ କିଛି ସମୟ ଭକ୍ତମାନଙ୍କୁ ରଥ ଉପରକୁ ଛଡା ଯାଇଥାଏ। ଏହା ପରେ ବିଜେ କାହାଳି ବାଜେ ଓ ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥାଏ।
ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଧରି ଦକ୍ଷିଣି ଘରକୁ ବିଜେ କରାନ୍ତି। ଏହା ପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର ଓ ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ। ପହଣ୍ଡି ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଏ ଓ ଅଖଣ୍ଡ ବଇଠା ବସେ। ଠାକୁରମାନେ ପହଣ୍ଡିରେ ଆସିବାବେଳେ ମନ୍ଦିର ପରିସରସ୍ଥ ଶୁଆଶାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡିଆ ମଣୋହି ଓ ବନ୍ଦାପନା ନୀତି ହୋଇଥାଏ। ଜଗମୋହନଠାରେ ମଧ୍ୟ ଏହି ନୀତି ହୋଇଥାଏ।
ଲକ୍ଷ୍ମୀ-ନାରାୟଣ କଳି
ଠାକୁରଙ୍କ ମାନବୀୟ ଲୀଳାର ବିଶେଷ ପର୍ବ ଲକ୍ଷ୍ମୀ-ନାରାୟଣ କଳି। ଶେଷରେ ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି। ଉଭୟ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ ହୋଇଥାନ୍ତି। ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତି ହୁଏ। ଏହି ସମୟରେ ପରମ୍ପର ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳେ ସାମୟିକ ଭାବେ ଦ୍ୱାର ବନ୍ଦ ରୁହେ ଏବଂ କିଛି କ୍ଷଣ ପରେ ଖୋଲାଯାଏ।
ପୁନଶ୍ଚ ଜଗନ୍ନାଥ ମହାପ୍ରଭୁ ଜୟ ବିଜୟ ଦ୍ୱାର ନିକଟରେ ବିଜେକରିବା ସମୟରେ ସେହି ଦ୍ୱାର ଭିତର ପଟୁ ବନ୍ଦ କରାଯାଇଥାଏ। ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଜୟ ବିଜୟ ଦ୍ୱାରର ଭିତର ପଟେ ଦେବଦାସୀ ଏବଂ ମହାପ୍ରଭୁଙ୍କ ତରଫରୁ ଜଣେ ଦଇତାପତି ଦ୍ୱାରର ଅପରପାର୍ଶ୍ୱରେ ରହିବା ସଙ୍ଗେ ସଙ୍ଗେ ଉଭୟଙ୍କ ମଧ୍ୟରେ ଲୋକ ପରମ୍ପରାଗତ ବଚନିକା ହୋଇଥାଏ ଓ ଏହା ପରେ ଜୟ ବିଜୟ ଦ୍ୱାର ଫିଟିଥାଏ।
ମାଆ ଲକ୍ଷ୍ମୀଙ୍କ ମାନଭଞ୍ଜନ
ମହାପ୍ରଭୁ ପହଣ୍ଡି ବିଜେରେ ଭିତର କାଠ ସମ୍ମୁଖସ୍ଥ ଭଣ୍ଡାର ଘରଠାରେ ପହଞ୍ଚିବା ପରେ ଗଇଁଠାଳ ଫିଟେ। ଏହା ପରେ ବନ୍ଦାପନା, ରସଗୋଲା ଭୋଗ ଇତ୍ୟାଦି ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ହୋଇଥାଏ। ଏବଂ ଶେଷରେ ଘସା, ବିଡିଆ ମଣୋହି ସରିଲେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରନ୍ତି।
ଏହି ଗୋଟିଏ ଦିନ ଶ୍ରୀମନ୍ଦିର ଭିତରେ ଜଗନ୍ନାଥ ମହାପ୍ରଭୁଙ୍କ ରସଗୋଲା ଭୋଗ ହୋଇଥାଏ। ଭିତରଚ୍ଛ ମହାପାତ୍ରଙ୍କ ନିଜସ୍ୱ ଗୃହରେ ଅତ୍ୟନ୍ତ ଶୁଦ୍ଧପୂତ ଭାବରେ ଏହି ରସଗୋଲା ତିଆରି ହୋଇଥାଏ। କୁହାଯାଏ ଯେ ମହାପ୍ରଭୁ ଲକ୍ଷ୍ମୀଦେବୀଙ୍କୁ ରସଗୋଲା ଖୁଆଇ ତାଙ୍କର ମାନଭଞ୍ଜନ କରିଥାନ୍ତି।
ଏହା ପରେ ଅନ୍ୟ ମୂର୍ତ୍ତି ବିଜେ ହୁଅନ୍ତି। ଏହାକୁ ଗୋଟି ପହଣ୍ଡି କୁହାଯାଏ। ଠାକୁରମାନେ ଜଣକ ପରେ ଜଣେ ବିଜେ ହେଲେ ଧାଡିପହଣ୍ଡି କୁହାଯାଏ। ସେହିପରି ହାତକୁ ହାତ ଧରି ଯୋଡିହୋଇ ଚାଲିବାକୁ ହାତପଇଠ ବୋଲି କୁହାଯାଏ।
ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗୁରୁତ୍ଵ
ନୀଳାଦ୍ରିବିଜେ କେବଳ ଏକ ଧାର୍ମିକ ଆଚାର ନୁହେଁ, ବରଂ ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ଏକ ଅଂଶ। ଏହା ଭକ୍ତି, ସମର୍ପଣ ଓ ଐକ୍ୟର ପ୍ରତୀକ। ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟାବର୍ତନ ଭକ୍ତମାନଙ୍କୁ ଏକ ଆଧ୍ୟାତ୍ମିକ ଶକ୍ତି ଓ ଶାନ୍ତି ପ୍ରଦାନ କରେ। ଏହି ଅବସରରେ ପାଳନ କରାଯାଉଥିବା ଆଚାର ଓ ପରମ୍ପରା ଓଡ଼ିଆ ସଂସ୍କୃତିର ଗଭୀରତାକୁ ପ୍ରତିଫଳିତ କରେ।ଏହା ମଧ୍ୟ ଶ୍ରୀଜଗନ୍ନାଥଙ୍କ ସର୍ବଜନୀନତାର ପ୍ରମାଣ। ଶ୍ରୀଜଗନ୍ନାଥ କେବଳ ହିନ୍ଦୁମାନଙ୍କର ଦେବତା ନୁହନ୍ତି, ବରଂ ସମସ୍ତ ଜାତି, ଧର୍ମ ଓ ସମ୍ପ୍ରଦାୟର ଲୋକଙ୍କୁ ଏକତ୍ରିତ କରନ୍ତି। ନୀଳାଦ୍ରିବିଜେରେ ଏହି ସର୍ବଜନୀନତା ଓ ଭାଇଚାରାର ଭାବନା ପ୍ରକାଶ ପାଇଥାଏ।
ନୀଳାଦ୍ରିବିଜେ ପୁରୀ ରଥଯାତ୍ରାର ଏକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଂଶ, ଯାହା ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଲୀଳାର ସମାପନକୁ ଚିହ୍ନିତ କରେ। ଏହା ଭକ୍ତମାନଙ୍କ ପାଇଁ ଏକ ଆନନ୍ଦପୂର୍ଣ୍ଣ ଓ ଆଧ୍ୟାତ୍ମିକ ଅନୁଭବ, ଯେଉଁଥିରେ ସେମାନେ ଶ୍ରୀଜିଉମାନଙ୍କର ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନର ସାକ୍ଷୀ ହୋଇଥାନ୍ତି। ଏହି ପରମ୍ପରା ଓଡ଼ିଶାର ସାଂସ୍କୃତିକ ଓ ଧାର୍ମିକ ଐତିହ୍ୟକୁ ସମୃଦ୍ଧ କରେ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତିର ଗଭୀରତାକୁ ପ୍ରତିଫଳିତ କରେ। ନୀଳାଦ୍ରିବିଜେ କେବଳ ଏକ ଧାର୍ମିକ ଘଟଣା ନୁହେଁ, ବରଂ ଏକ ସାମାଜିକ ଓ ଆଧ୍ୟାତ୍ମିକ ମିଳନର ପ୍ରତୀକ, ଯାହା ଲୋକଙ୍କୁ ଏକତା ଓ ଶାନ୍ତିର ସନ୍ଦେଶ ଦେଇଥାଏ।