Advertisment

ଘୋଷଯାତ୍ରାରେ ବାହାରିଛନ୍ତି ଜଗତ ଠାକୁର: ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଅଭିମୁଖେ ଶ୍ରୀଜୀଉ

କାଳିଆର ଦିବ୍ୟଲୀଳା। ପୁଣି ଜନ ସମୁଦ୍ରରେ ଭାବରଠାକୁରଙ୍କ ଘୋଷଯାତ୍ରା। ବରଷକ ପରେ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିିରେ ଉଛୁଳିଥିଲା ଭକ୍ତର ମନ

ଅଦ୍ୟତନ ହୋଇଛି
PURI RATHAYATRA

PURI RATHAYATRA

Advertisment

ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି ମହାପ୍ରଭୁ ଜଗନ୍ନାଥ। ସଅଳ ପହଣ୍ଡି ଓ ରଥ ଟଣା ସତ୍ୱେ ଏପର୍ଯ୍ୟନ୍ତ ଶରଧାବାଲିରେ ରଥ ପହଞ୍ଚିପାରିନି। ଏବେ ବି ଜାରି ରହିଛି ରଥଟଣା। ଶେଷ ଖବର ସୁଦ୍ଧା ସୁଭଦ୍ରା ଓ ବଳଭଦ୍ରଙ୍କ ରଥ ମେଡିକାଲ ଛକରେ ପହଞ୍ଚିଥିଲା ବେଳେ, ଜଗନ୍ନାଥଙ୍କ ରଥ ମାର୍କେଟ୍ ଛକ ପାଖରେ ପହଞ୍ଚିଛି।

Advertisment

କାଳିଆର ଦିବ୍ୟଲୀଳା। ପୁଣି ଜନ ସମୁଦ୍ରରେ ଭାବରଠାକୁରଙ୍କ ଘୋଷଯାତ୍ରା। ବରଷକ ପରେ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିିରେ ଉଛୁଳିଥିଲା ଭକ୍ତର ମନ...ତ ସେପଟେ ଭକ୍ତସାଗରରେ ମିଶିବାକୁ ଯେମିତି ଉଚ୍ଛନ୍ନ ହେଉଥିଲେ ଭାବଗ୍ରାହୀ। ବୋଧେ ସେଇଥିପାଇଁ ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ଆଗରୁ ରଥ ପ୍ରତିଷ୍ଠା ପରେ ପରେ ଘଣ୍ଟ ଘଣ୍ଟା କାହାଳୀରେ କଂପି ଉଠିଲା ଶ୍ରୀମନ୍ଦିର। ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର।

ପଛେ ପଛେ ମା ସୁଭଦ୍ରା। ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ସୁନ୍ଦର ପଦ, ହୁନ୍ଦର ଗତିରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେ ଜଗତ ଠାକୁର ଜଗନ୍ନାଥ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ତାପରେ ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତାପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରପହଁରା ସହ ବନ୍ଦାପନା କରିଥିଲେ ଗଜପତି।

Advertisment

ଏହା ପରେ ଆସିଥିଲା ସେଇ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ...ଚାରମାଳ ଫିଟା, ଘୋଡ଼ା ଯୋଚା ଓ ସାରଥୀ ଲାଗିବା ପରେ ଅପରାହ୍ନ ପ୍ରାୟ ୩ଟା ଅର୍ଥାତ ନିର୍ଦ୍ଧାରିତ ସମୟର ୧ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ରଥ ଟଣା। ପ୍ରଥମେ ବଳଭଦ୍ରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ଭକ୍ତ। ଏହା ପରେ ମା ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଘରଘରନାଦରେ, ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ଦରିଆରେ ପୋତଟିଏ ଭଳି ଭକ୍ତିର ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ। ଆଜି ରଥରେ ରହିବା ପରେ କାଲି ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନିଠାକୁର।

Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ