• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବଡଦିଅଁ କଳାଠାକୁର ସ୍ନାନପୂର୍ଣ୍ଣିମା ପରେ ଅନବସରରେ ପନ୍ଦର ଦିନ ରହିବା ବେଳେ ଭକ୍ତର ଆଖି ସେଇ ଚକାଡୋଳାକୁ ଝୁରି ହଉଥାଏ। କୋଟିଜନତାର ମଉଡମଣି ଯେଉଁଦିନ ଆରୋଗ୍ୟ ଲାଭ କରି ଆଖି ଫିଟାନ୍ତି ସେଦିନଟି ଉଭୟ ଭକ୍ତ ଓ ଭଗବାନଙ୍କର ନେତ୍ରୋତ୍ସବ। ଡୋଳାରେ ଡୋଳା ମିଶେ, କାଳିଆର କୋଳାଗ୍ରତ ମୁଦ୍ରା ଦେଖୁ ଦେଖୁ ଭକ୍ତର ମନ ପ୍ରାଣ ସେହି ପ୍ରେମମୟ କୋଳକୁ ଚାଲିଯାଏ।

ନବଯୌବନ ଦର୍ଶନ

ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ଓ ଅମାବାସ୍ୟାରେ ବିଗ୍ରହମାନଙ୍କର ବନକ ଲାଗି କରାଯାଏ। ତାଙ୍କ ଅଙ୍ଗରେ ଚନ୍ଦନ ଲେପନ କରି ତାଙ୍କୁ ଉପବେଶନ ମୁଦ୍ରାକୁ ଅଣାଯାଇଥାଏ । ଏ ସମସ୍ତ କାର୍ଯ୍ୟ ଦଇତା ଓ ପତିମହାପାତ୍ରମାନେ କରିଥାନ୍ତି । ନବ ଯୌବନ ଦର୍ଶନ ପୂର୍ବ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ପଟ୍ଟଚିତ୍ରରେ ପ୍ରଭୁଙ୍କୁ ଦର୍ଶନ କରନ୍ତି । ଅସୁସ୍ଥତା ପରେ ଜୀଉମାନେ ପୂର୍ବ ସ୍ୱାସ୍ଥ୍ୟ ଓ ରୂପ ଯୌବନ ଫେରିପାଆନ୍ତି । ଉଭା ଅମାବାସ୍ୟା ଦିନ ଶ୍ରୀ ଜୀଉମାନଙ୍କ ଦର୍ଶନକୁ ନବଯୌବନ ଦର୍ଶନ କୁହାଯାଏ ।

Also Read

ନେତ୍ରୋତ୍ସବ

ନବଯୌବନ ଦର୍ଶନ ଦିନ ମନ୍ତ୍ର ଉଚ୍ଚାରଣ କରି ଜୀଉମାନଙ୍କର ନେତ୍ର ପଦ୍ମରେ ଦୁଇଟି ବିନ୍ଦୁ ପ୍ରଦାନ କରାଯାଏ। ଏହା ନେତ୍ରୋତ୍ସବ ଭାବରେ ବିଖ୍ୟାତ। ଏହି ତ୍ରାଟକ ବିନ୍ଦୁ ଅତି ଶକ୍ତିଶାଳୀ ଓ ପ୍ରଭାବଶାଳୀ । ତାହା ଜୀଉମାନଙ୍କୁ ପ୍ରଦତ୍ତ ହେଲା ପରେ ସବୁ ଶ୍ରଦ୍ଧାଳୁମାନେ ସବୁ ସ୍ଥାନରେ ଅନୁଭବ କରନ୍ତି, ଯେପରି ପ୍ରଭୁ ତାଙ୍କରି ଆଡ଼କୁ ଅପଲକ ନୟନରେ ଅନାଇ ରହିଛନ୍ତି।

ନେତ୍ରୋତ୍ସବ ବିଧି

ଅମାବାସ୍ୟା ରାତିର ଶେଷ ପହରରେ ପଟିଦିଅଁଙ୍କର ଅବକାଶ ହୁଏ। ଅବକାଶ ବଢ଼ିବା ପରେ ପଟିଦିଅଁଙ୍କୁ ସ୍ଥାନାନ୍ତରିତ କରାଯାଇ ସେ ସ୍ଥାନକୁ ଜଳରେ ପରିଷ୍କାର କରାଯାଏ। ତାପରେ ସାଆଣ ମେଲା ହୁଏ। ହୋମ, ସୂର୍ଯ୍ୟପୂଜା ଓ ଦ୍ଵାରପାଳ ପୂଜା ପରେ ମହାସ୍ନାନ ବିଧି ପାଳିତ ହୁଏ। ମହାସ୍ନାନରେ ଦିଅଁ ମାନଙ୍କ ସମ୍ମୁଖରେ ତିନୋଟି କଳସ ସ୍ଥାପନ କରାଯାଏ। କଳସ ପୂଜାରେ ଠାକୁରମାନଙ୍କର ପଞ୍ଚାମୃତରେ ଯଥାବିଧି ମହାସ୍ନାନ ହୁଏ। ମହାସ୍ନାନ ପରେ କଳସମାନଙ୍କରୁ ଜଳନେଇ ଠାକୁରମାନଙ୍କ ଉପରେ ସିଞ୍ଚାଯାଏ।

ମନ୍ତ୍ରରେ ସମସ୍ତ ଦେବତାଙ୍କୁ ମାର୍ଜନା କରାଯିବା ପରେ ଜଗନ୍ନାଥ ଓ ସୁଦର୍ଶନଙ୍କୁ ପୁରୁଷସୂକ୍ତରେ, ବଳଦେବଙ୍କୁ ନୀଳସୂକ୍ତରେ ଓ ସୁଭଦ୍ରାଙ୍କୁ ଦେବୀସୂକ୍ତରେ ମାର୍ଜନା କରଯାଇଥାଏ। ମାର୍ଜନାପରେ ନେତ୍ରଦାନ ମନ୍ତ୍ରରେ ଠାକୁରମାନଙ୍କର ନେତ୍ରୋତ୍ସବ ବିଧି ପାଳିତ ହୁଏ। ତିନୋଟି ରୂପା ପିଙ୍ଗଣରେ ଚନ୍ଦନ ଆସିଲେ ପତି ମହାପାତ୍ର ତାହା ସଂସ୍କାର କରିବା ପରେ ଦଇତାପତି ଚନ୍ଦନଲାଗି କରାନ୍ତି। ତା’ପରେ ମଇଲମ ହୋଇ ତିନି ଠାକୁର ନଅଖଣ୍ଡ ଓ ସୁଦର୍ଶନ ଏକ ଖଣ୍ଡ ବୋଇରାଣୀ ବସ୍ତ୍ର ପରିଧାନ କରନ୍ତି। ଏହା ପରେ ପତି ମହାପାତ୍ର ଅକ୍ଷତ, କର୍ପୂର ଆଳତି, ସାତବତୀ, ସଞ୍ଜକାହାଳୀ ବନ୍ଦାପନା କରିବା ପରେ ଦତ୍ତ ମହାପାତ୍ର (୩ଜଣ) ଆସି ତିନୋଟି ରୂପା ବଟାରେ ପୂର୍ବରୁ ପ୍ରସ୍ତୁତ କଳା ଯୋଗାନ୍ତି।

ନବଯୌବନ ଦର୍ଶନ ପୂର୍ବର ବନକଲାଗି ସମୟରେ, ଶ୍ରୀମୁଖ-ଶିଙ୍ଗାରୀ ଦତ୍ତ ମହାପାତ୍ର ସେବକ ଶ୍ରୀଜଗନ୍ନାଥାଦି ଦେବତାମାନଙ୍କର ନେତ୍ର ଅଙ୍କନ କରିଥାଆନ୍ତି। ସେଥିରେ ନେତ୍ର ପିତୁଳା ବା ପୁଅଡୋଳା ବି ଅଙ୍କନ ହୋଇଥାଏ। କିନ୍ତୁ ତାହା ସଂପୂର୍ଣ୍ଣ ହୋଇ ନଥାଏ। ପୂଜାପଣ୍ଡା ସେବକ ସେହି ନେତ୍ର ପିତୁଳା ଅଙ୍କନକୁ ସଂପୂର୍ଣ୍ଣ କରିଥାଆନ୍ତି। ପୂଜାପଣ୍ଡା ତିନିଜଣ ତିନୋଟି ତୁଳସୀ କାଠିରେ ଶ୍ରୀନେତ୍ର ଲାଗି କରନ୍ତି। ଏହି ତୁଳସୀ କାଠି ରାଘବଦାସ ମଠରୁ ଆସିଥାଏ।ଏହାକୁ ନେତ୍ରୋତ୍ସବ କୁହାଯାଏ।

ନେତ୍ର ଅଙ୍କନର ‘ତଚ୍ଚକ୍ଷୁ’ ମନ୍ତ୍ର

ମହାପ୍ରଭୁଙ୍କ ନେତ୍ର ଅଙ୍କନର ଏକ ସ୍ୱତନ୍ତ୍ର ମନ୍ତ୍ର ଅଛି। ଏ ସଂପର୍କରେ ‘ନୀଳାଦ୍ରି ମହୋଦୟ’ରେ ଉଲ୍ଲେଖ ଅଛି- ନାନା ବାଦ୍ୟଧ୍ୱନିର ମହୋତ୍ସବ ମଧ୍ୟରେ ପୂଜକ ଠାକୁରମାନଙ୍କ ନିକଟକୁ ଯାଇ ‘ତଚ୍ଚକ୍ଷୁ’ ମନ୍ତ୍ରରେ ସେମାନଙ୍କ ନେତ୍ରପଦ୍ମରେ ଦୁଇଟି ନେତ୍ର ଅଙ୍କନ କରିବେ। ଏହା ହେଉଛି ନେତ୍ରୋତ୍ସବ। ଏହି ‘ତଚ୍ଚକ୍ଷୁ’ ମନ୍ତ୍ର ହେଉଛି ‘ଯଜୁର୍ବେଦ’ର ଏକ ମନ୍ତ୍ର। ଏହାର ତାତ୍ପର୍ଯ୍ୟ ହେଉଛି- ହେ ପ୍ରଭୁ! ଆପଣଙ୍କର ଚକ୍ଷୁ ହେଉଛି ଶୁଦ୍ଧ ସୂର୍ଯ୍ୟମଣ୍ଡଳ ପରି, ଅନନ୍ତକାଳର ଚକ୍ଷୁ। ଏହି ଚକ୍ଷୁ ଦେବତାମାନଙ୍କ ପାଇଁ କଲ୍ୟାଣକାରୀ। ଆପଣଙ୍କ ଦୟାରୁ ସେହି ଚକ୍ଷୁର ଆଲୋକ ଦ୍ୱାରା ଆମେ ଶହେଟି ବର୍ଷ ଦେଖିବାକୁ ସକ୍ଷମ ହେଉ। ସୁଖରେ ଜୀବନଧାରଣ କରୁ। ଭଲ ଭାବରେ ଶୁଣିପାରୁ, ଭଲ ଭାବରେ କହିପାରୁ। ଶହେଟି ବର୍ଷ ବିନା ଦୁଃଖକଷ୍ଟରେ ଚଳିପାରୁ ଏବଂ ଶତାଧିକ ବର୍ଷ ଆମେ ଏହିପରି ଭାବରେ କର୍ମବାନ ଓ ଆୟୁଷ୍ମାନ୍ ରହୁ !

ନେତ୍ରୋତ୍ସବ ପରେ କେଉଁ ବିଧି?

ନେତ୍ରୋତ୍ସବ ନୀତି ପରେ ତିନି ବାଡ଼ରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ବନ୍ଦାପନା କରନ୍ତି। ବନ୍ଦାପନା ସମାପନ ପରେ ମୁଦିରସ୍ତ ତିନି ବାଡ଼ରେ ତିନିଯୋଡ଼ା ଗାମୁଛା ଦେଇ ଦଣ୍ଡ ପ୍ରଣାମ କରନ୍ତି। ଏହାକୁ “ନିଉଛାଳି’ କୁହାଯାଏ। ତା’ପରେ ସେ ତିନିବାଡ଼ରେ ରାଜନୀତି କରନ୍ତି। ଏହା ପରେ ଭିତର ପାଣିପଡ଼ି ଯାତ୍ରାଙ୍ଗ ମହାସ୍ନାନ ହୁଏ। ରୋଷରେ ଭୋଗ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସରିଲେ ମହାସ୍ନାନ ହୁଏ। ମହାସ୍ନାନ ଶେଷରେ ଶାଢିଜଳ ପ୍ରଭୁଙ୍କ ଶ୍ରୀଅଙ୍ଗରେ ସିଞ୍ଚାଯାଏ। ମଇଲମ ପରେ ଶ୍ରୀଅଙ୍ଗରେ ଚନ୍ଦନଲାଗି କରାଯାଏ।

ଏହି ଚନ୍ଦନଲାଗିକୁ ‘ସର୍ବାଙ୍ଗ’ କୁହାଯାଏ। ସର୍ବାଙ୍ଗ ପରେ ବେଶ ହୁଏ। ଅଣସର ପିଣ୍ଡି ସିଂହାସନ ଧୋପଖାଳ ପରେ ସକାଳ ଧୂପ ଡାକରା ହୁଏ । ଏହି ଭୋଗ ଘଣ୍ଟ, ଛତା, କାହାଳୀ ସହ ନିର୍ଦ୍ଦିଷ୍ଟ ସେବକଙ୍କ ହାତପୈଠ ମଧ୍ୟରେ ଛାମୁକୁ ଆସେ। ଏହି ଦିନର ଗୋପାଳବଲ୍ଲଭ ଭୋଗ ସକାଳ ଧୂପ ସହିତ ହୁଏ। ଏହା ପରବର୍ତ୍ତୀ ଦୈନନ୍ଦିନ ନୀତି କ୍ରମ ଅନୁସାରେ ପାଳିତ ହୁଏ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରାର ଆନୁଷଙ୍ଗିକ ପାଳନୀୟ ବିଧିବିଧାନ ଆବଶ୍ୟକତା ଅନୁସାରେ ପାଳିତ ହୁଏ। କାରଣ ଯଦି ଅମାବାସ୍ୟା ପ୍ରତିପଦ ସଂଯୁକ୍ତ ହୋଇପଡ଼େ ତେବେ ଦୁଇଦିନରେ ବିଭକ୍ତ ହୋଇ ପାଳିତ ହୋଇଥାଏ।