• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarojini Sankhua

ରଥଯାତ୍ରାର ପୂର୍ବ ପ୍ରସ୍ତୁତି ରଥକାଠ ସଂଗ୍ରହରୁ ଆରମ୍ଭ ହୋଇଥାଏ। ରଥକାଠ ସଂଗ୍ରହର ଶୁଭାରମ୍ଭ ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ ଦିନଠାରୁ ହୋଇଥାଏ। ଅକ୍ଷୟ ତୃତୀୟାଠାରୁ ରଥର ନିର୍ମାଣକାର୍ଯ୍ୟ ଆରମ୍ଭ ହୁଏ। ବଂଶାନୁକ୍ରମିକ ପରମ୍ପରା ଅନୁଯାୟୀ ମହାରଣା ଓ ଭୋଇମାନେ ରଥ ନିର୍ମାଣ କରନ୍ତି । ରଥଖଳାରେ ରଥ ନିର୍ମାଣ ହୁଏ ।

ରଥ ସଜ

ରଥ ଦେହରେ ଲାଗିଥିବା ମୂର୍ତ୍ତି ସବୁ ପ୍ରସ୍ତୁତ କରିବା ରୂପକାର ମହାରଣାଙ୍କ କାର୍ଯ୍ୟ। ମୂର୍ତ୍ତି ଦେହରେ ରଙ୍ଗଦେବା ଚିତ୍ରକର ମହାରଣାଙ୍କ ଦାୟିତ୍ଵ। ତିନି ରଥ ଦେହରେ ଲାଗୁଥିବା କପଡ଼ା ସିଲେଇ ଦରଜୀମାନେ କରନ୍ତି। ତିନି ରଥର ଘୋଡ଼ା, ସାରଥି ଓ ପାର୍ଶ୍ଵ ଦେବାଦେବୀ ମାନଙ୍କର ମୂର୍ତ୍ତି ରୂପକାରମାନେ ଗଠନ କରନ୍ତି। ୧୪ ନହକା ଓ ୧୮ନହକା ଉପରେ ରଥକାର୍ଯ୍ୟ ଚାଲେ। ଏହାପରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭୂଇଁ। ପ୍ରଥମ ପୋଟଳ, ପୋଟକ ପାରାଭାଡ଼ି, ଦ୍ଵିତୀୟ ଓ ତୃତୀୟ ପୋଟଳ ପାରାଭାଡ଼ି, ଖଜୁରୀ, ଅକାକ୍ଷରୀ, ଉପର କଳସ ଓ ଧ୍ଵଜା। ସମ୍ପୂର୍ଣ ରଥ ୩୪ ଭାଗରେ ବିଭକ୍ତ। ଏ ସବୁ କାର୍ଯ୍ୟ କଲା ପରେ ପାର୍ଶ୍ଵଦେବତା, ଦ୍ଵାରପାଳ ଓ ସାରଥୀମାନ ସ୍ଥାପନ କରାଯାଏ। କାଠର ଧ୍ଵଜ ଦେବତାମାନ ପ୍ରତିଷ୍ଠା କରାଯାଏ। ତିନିରଥର କାର୍ଯ୍ୟ ସମାପନ ହେବାପରେ ପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ମହାରଣାମାନେ ତିନି ରଥକୁ ରଥଖଳାକୁ ଆଣି ଥାଆନ୍ତି। ରଥ ପ୍ରତିଷ୍ଠା ହେବାପରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୁଏ।

ଶ୍ରୀଜଗନ୍ନାଥଙ୍କ ରଥ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ- ନନ୍ଦିଘୋଷ। ଏହାର ଉଚ୍ଚତା- ୩୩ ହାତ ୫ ଆଙ୍ଗୁଳି। ଅର୍ଥାତ ୪୬ ଫୁଟ୍ ୪ ଇଞ୍ଚ। ଦ୍ଵାରପାଳ– ଜୟ ବିଜୟ। ରଥକପଡ଼ାର ରଙ୍ଗ- ଲାଲ୍, ପୀତ ବା ହଳଦିଆ। ବ୍ୟବହୃତ ରଥକାଠ ସଂଖ୍ୟା- ୮୩୨ ଖଣ୍ଡ। ରଥଚକ- ୫ ହାତ ବିଶିଷ୍ଟ ଗୋଲେଇ ୧୬ଟି ଚକ। ନନ୍ଦିଘୋଷ ରଥର ସାରଥୀ ହେଉଛନ୍ତି- ଦାରୁକ। ପ୍ରହରୀ ହେଉଛନ୍ତି- ନୃସିଂହ।

ସେହିପରି ନନ୍ଦିଘୋଷ ରଥର ନେତର ନାମ- ତ୍ରୈଲୋକ୍ୟ ମୋହିନୀ। ଚାରି ଘୋଡ଼ାଙ୍କ ନାମ- ଶଙ୍ଖ, ବଳାହକ, ଶ୍ଵେତ, ହରିଦ୍ଵଶ। ଅନ୍ୟ ମତରେ ଏହି ଘୋଡାଙ୍କ ନାମ ହେଉଛି- ସୌବ୍ୟ, ସୁଗ୍ରୀବ, ମେଘପୁଷ୍ପ ଓ ବହାଳକ। ଏହି ଘୋଡ଼ାମାନଙ୍କ ରଙ୍ଗ ହେଉଚି ଧଳା। ରଥର ଆୟୁଧ ହେଉଛି- ଶଙ୍ଖ ଓ ଚକ୍ର। ନନ୍ଦିଘୋଷ ରଥର ରକ୍ଷକ ଭାବେ ରହିଥାନ୍ତି- ଗରୁଡ଼। ନନ୍ଦିଘୋଷ ରଥର ଶକ୍ତି ହେଉଛନ୍ତି- ବିମଳା ଓ ବିରଜା। ରଥ ଦଉଡି଼ର ଲମ୍ବ- ୨୫୦ ଫୁଟ, ୪ ଖଣ୍ଡ ଦଉଡି଼। ଏହି ରଥ ଦଉଡି଼ର ନାମ ଶଙ୍ଖଚୂଡ଼ ନାଗୁଣୀ ।

ନନ୍ଦିଘୋଷ ରଥର ପାର୍ଶ୍ଵ ଦେବତାମାନେ ହେଲେ- ବରାହ, ଗୋବର୍ଦ୍ଧନ, କୃଷ୍ଣ, ଗୋପୀକୃଷ୍ଣ, ନୃସିଂହ, ରାମ ଏବଂ ନାରାୟଣ। ଏହାବ୍ୟତୀତ ଇନ୍ଦ୍ର, ବ୍ରହ୍ମା ଓ ମରିଚି ସହ ସପ୍ତଋଷି ମଧ୍ୟ ଥାଆନ୍ତି। ଏହି ନନ୍ଦିଘୋଷ ରଥ, ଜ୍ଞାନ, ପ୍ରେମ, ରତି, କେଳି, ସୁପ୍ତି ଓ ଜାଗୃତି ପ୍ରଭୃତି ଅଶେଷ କଳାର ପ୍ରତୀକ।

ବଳଭଦ୍ରଙ୍କ ରଥ

ବଡ଼ ଠାକୁର ବଳଭଦ୍ରଙ୍କ ରଥର ନାମ- ତାଳଧ୍ଵଜ ବା ଲଙ୍ଗଳଧ୍ଵଜ। ଏହି ରଥର ଉଚ୍ଚତା- ୩୨ ହାତ ୧୦ ଆଙ୍ଗୁଳି ବା ୪୫ ଫୁଟ ୧୧ ଇଞ୍ଚ। ଏଠାରେ ଦ୍ୱାରପାଳ ଭାବେ ଥାଆନ୍ତି- ନନ୍ଦ, ସୁନନ୍ଦ। ତାଳଧ୍ଵଜ ରଥର କପଡ଼ାର ରଙ୍ଗ- ଲୋହିତ ବା ନାଲି ରଙ୍ଗ ଏବଂ ସବୁଜ। ବ୍ୟବହୃତ ରଥକାଠ ସଂଖ୍ୟା – ୭୬୩ ଖଣ୍ଡ। ସାଢେ଼ ଚାରି ହାତ ବିଶିଷ୍ଟ ଗୋଲେଇ ୧୪ଟି ଚକ ଏହି ରଥରେ ଥାଏ। ଏହି ରଥର ସାରଥୀ ହେଉଛନ୍ତି- ମାତଳୀ। ତାଳଧ୍ଵଜ ରଥର ୪ ଘୋଡ଼ାଙ୍କ ନାମ- ଶଙ୍ଖ, ସୁଚିତ୍ର, ଅଙ୍ଗଦ, ମେଘନାଦ। ଅନ୍ୟ ମତରେ ଏମାନଙ୍କ ନାମ ହେଉଛି- ସ୍ଥିରା, ଧୃତି, ସ୍ଥିତି, ସିଦ୍ଧି ବା ପ୍ରଜ୍ଞା। ଘୋଡ଼ାର ରଙ୍ଗ- କଳା। ରଥର ଆୟୁଧ ହେଉଚି- ହଳମୂଷଳ। ରଥର ରକ୍ଷକ- ରୁଦ୍ର ଓ ନୃସିଂହ। ରଥର ନେତର ନାମ- ଉନ୍ନତି ଏବଂ ଦଉଡ଼ିର ନାମ- ବାସୁକି ନାଗ। ଏ ରଥରେ ପାର୍ଶ୍ଵ ଦେବତା ଗଣେଶ, କାର୍ତ୍ତିକେୟ, ସର୍ବମଙ୍ଗଳା, ପ୍ରଳମାଘ, ମଲ୍ଲଯୁଦ୍ଧ, ମୃତ୍ୟୁଞ୍ଜୟ। ରୁଦ୍ର, ସାତ୍ୟକି, ଅଷ୍ଟରପ ଦେବତା ମଧ୍ୟ ରହିଥାନ୍ତି।

ଦେବୀ ସୁଭଦ୍ରାଙ୍କ ରଥ

ଦେବୀ ସୁଭଦ୍ରାଙ୍କ ରଥର ନାମ ଦେବଦଳନ ବା ଦର୍ପଦଳନ। ଏହି ରଥର ଉଚ୍ଚତା- ୩୧ ହାତ ବା ୪୨ ଫୁଟ୍। ଗଙ୍ଗା ଓ ଯମୁନା ଏଠାରେ ଦ୍ୱାରପାଳିକା ଭାବେ ରହିଥାଆନ୍ତି। ରଥରେ ଲାଗିଥିବା କପଡ଼ାର ରଙ୍ଗ ଲାଲ୍ ଓ କଳା। ଏଥିରେ ୫୯୩ ଖଣ୍ଡ ରଥକାଠ ବ୍ୟବହାର ହୋଇଥାଏ। ୪ ହାତ ଗୋଲେଇ ବିଶିଷ୍ଟ ୧୨ଟି ଚକ ଏହି ରଥରେ ଲାଗିଥାଏ। ଅର୍ଜୁନ ହେଉଛନ୍ତି ଏଠାରେ ସାରଥି। ରଥରେ ଯୋଚା ଯାଇଥିବା ୪ ଘୋଟକୀ(ରଥଘୋଡ଼ା) ଙ୍କ ନାମ- ରୋଚିକା, ମୋଚିକା, ଜିତା ଓ ଅପରାଜିତା। ଅନ୍ୟ ମତରେ ଏମାନଙ୍କ ନାମ ପ୍ରଜ୍ଞା, ଅନୁଜ୍ଞା, ଘୋରା, ଅଘୋରୀ। ଏହି ଘୋଡ଼ାମାନଙ୍କ ରଙ୍ଗ ଲାଲ ବା ରକ୍ତବର୍ଣ୍ଣ।

ରଥକର୍ତ୍ତୀ ହେଉଛନ୍ତି ଉଗ୍ରଚଣ୍ଡା ବା ବନଦୁର୍ଗା। ରଥ ଦଉଡ଼ିର ନାମ- ସ୍ୱର୍ଣ୍ଣଚୂଡ ନାଗ। ପାର୍ଶ୍ଵଦେବୀ ହେଲେ ଚଣ୍ଡୀ, ଚାମୁଣ୍ଡା, ଉଗ୍ରତାରା, ବନଦୁର୍ଗା, ଶ୍ରୁଳଦୁର୍ଗା, ବରାହୀ, ଶ୍ୟାମାକାଳି, ମଙ୍ଗଳା ଓ ବିମଳା। ପାର୍ଶ୍ଵଦେବୀଙ୍କ ଛଡା ଶ୍ରୀଦେବୀ, ଭୂଦେବୀ ଓ ଅଷ୍ଟଭୈରବୀ ବିଗ୍ରହ ଚିତ୍ର ମଧ୍ୟ ରହିଥାଏ।

ତିନି ଦିଅଁଙ୍କ ରଥଚକ ଘୋର ଘୋର୍ଘର ନାଦ ଶବ୍ଦ କରି ବଡ଼ଦାଣ୍ଡରେ ଗଡ଼ିଚାଲେ। ଜଗନ୍ନାଥଙ୍କ ରଥଚକ ୧୬, ବଳଦେବଙ୍କ ରଥଚକ ୧୪, ସୁଭଦ୍ରାଙ୍କ ରଥଚକ ୧୨, ଏହିପରି ତିନି ରଥର ମୋଟ ଚକ ସଂଖ୍ୟା ୪୨। ରଥ ଦିନ ୪୨ ଚକ ଓ ବାହୁଡ଼ା ଦିନ ୪୨ ଚକ ସମୁଦାୟ ୮୪ ଚକର ଘୋର ଘୋର୍ଘର ନାଦଶବ୍ଦ ଯିଏ କାନରେ ଶୁଣିପାରେ, ତାକୁ ୮୪ ଲକ୍ଷ ଯୋନି ଜନ୍ମ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି।

ବାସ୍ତବରେ ଭଗବାନ ବିଷ୍ଣୁଙ୍କର ଦଶାବତାର, ‘ବାମନ’ ଅବତାରରେ ‘ବଳୀରାଜା’ର ଦର୍ପ ନାଶ କରିବାକୁ ଯେଉଁ ପ୍ରଭୁ ଆବିର୍ଭୁତ ହୋଇଥିଲେ, ଆଷାଢ଼ମାସରେ ତାଙ୍କୁ ସେହି ବାମନ ରୂପେ ପୂଜା କରାଯାଏ। ବ୍ରହ୍ମରୂପୀ ବାମନଦେବ ଦାରୁବ୍ରହ୍ମ ରୂପେ ସମଗ୍ର ମାନବ ସମାଜର ପ୍ରତୀକରୂପୀ ରଥରେ ଅବସ୍ଥାନ କରି ଅହମିକା, ଛଳନା, ସ୍ଵାର୍ଥପରତା, ହିଂସା, ଅନୀତି, କ୍ରୁରତା ଓ ସମସ୍ତ ପାପ ଦୂର କରିବା ପାଇଁ ଜନସମାଜକୁ ଦର୍ଶନ ଦେଇ ଆସୁଅଛନ୍ତି। ଦାରୁବ୍ରହ୍ମଙ୍କ ରଥର ସାରଥି ହେଉଛି ମନୁଷ୍ୟର ବୁଦ୍ଧି ଏବଂ ରଥର ଅର ହେଉଛି ମନୁଷ୍ୟର ମନ। ପ୍ରକୃତପକ୍ଷେ ମନୁଷ୍ୟ ତା’ର ବୁଦ୍ଧି ଓ ମନକୁ ନିୟନ୍ତ୍ରିତ କରିପାରିଲେ ଅହମିକା ରୂପକ ଦର୍ପ ଭାବର ବିଲୋପ ସମ୍ଭବ ହେବ। ଏହା ବାମନରୂପୀ ଭଗବାନଙ୍କର ଦାରୁବ୍ରହ୍ମ ରୂପର ସାର୍ଥକତା।

ଓଟିଭି ବିଜ୍ଞାପନ