• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହେଉଛି । ଚତୁର୍ଦ୍ଧାମୂରତି ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିଛନ୍ତି । ଦେବସ୍ନାନ ନୀତିରେ ଚତୁର୍ଦ୍ଧାବିଗ୍ରହଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଏ ।

ଶାସ୍ତ୍ର ଅନୁଯାୟୀ, ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲେ । ଜ୍ୟୋଷ୍ଠମାସ ପୂର୍ଣ୍ଣମୀରେ ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନଲୀଳା ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା ମଧ୍ୟ କୁହାଯାଏ । ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଶ୍ରୀଜିଉଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା । ଏହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହୋଇଆସୁଅଛି । ତେବେ ଆପଣ ଜାଣନ୍ତି ମହାପ୍ରଭୁଙ୍କ ସ୍ନାନ ପାଇଁ ୧୦୮ ଗରା ସୁବାସିତ ଜଳ କେଉଁଠୁ ଆସିଥାଏ ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ

ଶ୍ରୀମନ୍ଦିର ବେଢା ମଧ୍ୟରେ ଦେବୀ ଶୀତଳା ଓ ବାହନ ସିଂହଙ୍କ ମଧ୍ୟରେ ପ୍ରାଚୀନ ସୁନାକୂଅ ଅବସ୍ଥିତ । ଏହାକୁ ଅନେକ ପ୍ରଣୀତ କୂଅ ବୋଲି କୁହନ୍ତି । ଏହି କୂଅର ରକ୍ଷକ ହେଉଛନ୍ତି ମା’ଶୀତଳା । ସିଂହଦ୍ୱାର ପ୍ରବେଶପଥର ଦକ୍ଷିଣ ପଟ ବେଢା ମଧ୍ୟରେ ବିରାଜିତ ପାତାଳ ସମ୍ଭୂତା ମା’ଶୀତଳାଙ୍କର କେବଳ ମସ୍ତକଟି ଦେଖାଯାଏ । କଳିଯୁଗ ଶେଷରେ ଦେବୀ ସଂପୂର୍ଣ୍ଣ ଆବିର୍ଭାବ ହେବେ ବୋଲି ଜନଶ୍ରୁତି ରହିଛି । ଦେବ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସୁନା କୂଅରୁ ପବିତ୍ର ଜଳ ଅଣାଯାଏ । ବର୍ଷରେ ଥରେ ମାତ୍ର ସ୍ନାନପୂର୍ଣ୍ଣିମା ପୂର୍ବଦିନ ସୁନାକୂଅର ଅଭ୍ୟନ୍ତର ପରିଷ୍କାର କରାଯାଇ ଜଳ ଅଭିମନ୍ତ୍ରୀତ ହୋଇ ୧୦୮କଳସରେ ଜଳ ଅଣାଯାଏ । ଏହିଜଳକୁ କେବଳ ସୁନାଗୋସେଇଁ , ମୁଦିରସ୍ତ ଓ ଗରାବଡୁ ସେବକମାନେ ହିଁ ଆଣିଥାନ୍ତି । ଜଳ ଆଣିସାରିବା ପରେ ପୁନର୍ବାର କୂଅକୁ ଘୋଡାଇ ଦିଆଯାଏ । ବର୍ଷେ ପର୍ଯ୍ୟନ୍ତ ଆଉ ସେ କୂଅର ଜଳ ବ୍ୟବହାର କରାଯାଏ ନାହିଁ ।

ସ୍ନାନପୂର୍ଣ୍ଣିମା ପଛର କାହାଣୀ କ’ଣ ?

ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଠାକୁରଙ୍କ ଜନ୍ମଦିନ । ଏହି ଅବସରରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏହି ସ୍ନାନପୂର୍ଣ୍ଣିମା ଦିନ ସୁନା କୂଅରୁ ୧୦୮ କଳସ ଜଳ ଆଣି ଠାକୁରଙ୍କୁ ସ୍ନାନ କରାଇଥିଲେ । ଏହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସ୍ନାନ ଯାତ୍ରା ପାଳନ କରାଯାଇଆସୁଛି ।

ସୁନା କୂଅର ବିଶେଷତ୍ୱ କ’ଣ ?

ସୂନା କୂଅରୁ ଆସିଥିବା ୧୦୮ ଗରା ଜଳରେ ହିଁ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ । ଏହି କୂଅର ଅନେକ ପ୍ରକାରର ପୌରାଣିକ ଗାଥା ରହିଛି । ସୃଷ୍ଟିରେ ଯେତେ ତୀର୍ଥଜଳ ଅଛି ସମସ୍ତ ତୀର୍ଥଜଳ ଦେବସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ଏହି ସୁନା କୂଅକୁ ଆସିଥାନ୍ତି । ସେହି ଜଳରେ ହିଁ ଶ୍ରୀଜିଉଙ୍କ ସ୍ନାନ ନୀତି ସମ୍ପର୍ଣ୍ଣ କରାଯାଏ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମହାପ୍ରଭୁଙ୍କ ସ୍ନାନ ପରେ ସବୁ ତୀର୍ଥଜଳ ସୁନା କୂଅରୁ ଅନ୍ତର୍ଦ୍ଧାନ ହୋଇଯାଇଥାନ୍ତି । ତେଣୁ ସେ କୂଅରୁ ଆଉ ଜଳ ବ୍ୟବହୃତ ହୋଇନଥାଏ । ଏହାର ବର୍ଷକ ପରେ ଅର୍ଥାତ ସ୍ନାନପୂର୍ଣ୍ଣିମା ଦିନ ହିଁ ଚତୁର୍ଦ୍ଧାମୂରତିଙ୍କ ସ୍ନାନ ପାଇଁ ସେହି କୂଅରୁ ଜଳ ଅଣାଯାଏ । ଏହା ହେଉଛି ଶ୍ରୀମନ୍ଦିର ସୁନା କୂଅର ବିଶେଷତ୍ୱ ।