Advertisment

​​​​​​​ଆସୁ ଆସୁ ଆକ୍ସନ ! ରଥ ଉପରକୁ ମୋବାଇଲ୍ ବ୍ୟାନ, ବିଶୃଙ୍ଖଳାକାରୀ ସେବକଙ୍କୁ ଚେତାବନୀ

ପୂର୍ବ ଅଭିଜ୍ଞତା ସତ୍ତ୍ୱେ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକଙ୍କ ପାଇଁ ବହୁ ଚାଲେଞ୍ଜ । ବାହୁଡ଼ା, ନୀଳାଦ୍ରିବିଜେ ସହ ରତ୍ନଭଣ୍ଡାର ଅଳଙ୍କାର ଗଣତି ପ୍ରମୁଖ ଚ୍ୟାଲେଞ୍ଜ ।

undefined

Ratha Jatra

Advertisment

ଆସୁ ଆସୁ ଆକ୍ସନ ମୋଡ୍ । ବିଶୃଙ୍ଖଳିତ ସେବକଙ୍କୁ ଚେତାବନୀ । ରଥ ଉପରେ ମୋବାଇଲ୍ ଫୋନ୍ ନିଷେଧ । ଗତକାଲି ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେବା ପରେ ଆଜି ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଠାକୁରଙ୍କ ନୀତିକାନ୍ତିରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ସଫା ସଫା ଚେତାବନୀ ଦେଇଛନ୍ତି ଡକ୍ଟର ଅରବିନ୍ଦ ପାଢ଼ୀ। ତାସହ କହିଛନ୍ତି ଆଡ଼ପ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ଚାରମାଳ ଉପରେ ଖସିପଡ଼ିବା ଘଟଣାର ଯେପରି ଆଉ ପୁନରାବୃତ୍ତି ନଘଟେ, ସେଥିପ୍ରତି ଧ୍ୟାନ ଦିଆଯିବ। ଯିଏ ବିଶୃଙ୍ଖଳା ଆଚରଣ କରିବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

Advertisment

ସେବା ସହ ଜଡ଼ିତ ନଥିବା କୌଣସି ବ୍ୟକ୍ତି ରଥ ଉପରକୁ ଯାଇ ପାରିବେନି। ଏମିତିକି ରଥ ଉପରେ କେହି ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ଶୁଣାଇଛନ୍ତି ମୁଖ୍ୟ ପ୍ରଶାସକ। ତେବେ ନବନିଯୁକ୍ତ ମୁଖ୍ୟ ପ୍ରଶାସକ ଭାବେ ତାଙ୍କ ପାଇଁ ଆଗକୁ ଆସୁଛି ଅନେକ ଚ୍ୟାଲେଞ୍ଜ। ମୁଣ୍ଡ ଉପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ସହ ରତ୍ନଭଣ୍ଡାର ଗଣତି ଓ ମଣତି ସହ ମରାମତି କାମ। ଯାହାକି ଅରବିନ୍ଦଙ୍କ ପାଇଁ ଏକରୁ ଆରେକ ବଡ଼ ବଡ଼ ଗୁରୁଦାୟିତ୍ୱ।

ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକଙ୍କ ଆଗରେ ରହିଛି ଆହୁରି ଅନେକ ଚ୍ୟାଲେଞ୍ଜ। ସେଗୁଡ଼ିକ ହେଲା ଠାକୁରଙ୍କ ନୀତିକାନ୍ତିରେ ଶୃଙ୍ଖଳା, ତରୁଣ-ପ୍ରବୀଣ ଓ ଅଭିଜ୍ଞ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା, ୪ ଦ୍ୱାର ଖୋଲାଯିବା ପରେ ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ, ଗଜପତି ମହାରାଜାଙ୍କ ପ୍ରସ୍ତାବ କ୍ରମେ ଅନ୍ନ ବ୍ରହ୍ମ ବ୍ୟବସ୍ଥାର ଶୁଭାରମ୍ଭ ସହ ଡ୍ରେସ୍ କୋଡ୍ ନିୟମ ଲାଗୁ ଏବଂ ପରିକ୍ରମା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା।

Advertisment

ଅବଶ୍ୟ ଶ୍ରୀମନ୍ଦିର ସମ୍ପର୍କିତ କୌଣସି ବିବାଦକୁ କିପରି ନିର୍ଣ୍ଣାୟକ ମୋଡକୁ ନିଆଯାଏ, ସେଥିରେ ଅରବିନ୍ଦ ସିଦ୍ଧହସ୍ତ। କାରଣ ପୂର୍ବରୁ ୨୦୧୨ରୁ ୨୦୧୪ ମସିହା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ଥିବାବେଳେ ଏକ ବଡ଼ ବିବାଦ ଭାବେ ରଥ ଉପରକୁ ଚଢ଼ି ଭକ୍ତଙ୍କ ଦିଅଁ ଦର୍ଶନ ଓ ଠାକୁରଙ୍କୁ ସ୍ପର୍ଶ ଭଳି ବିବାଦର ସୁ-ସମାଧାନ ହୋଇପାରିଥିଲା। ତାସହ ଜବରଦଖଲକାରୀଙ୍କ କବଜାରେ ଥିବା ଠାକୁରଙ୍କ ଜମି ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଫେରିବା ବାଟ ସଫା ହୋଇଥିଲା। ଯେହେତୁ ପ୍ରମୁଖ ସେବାୟତମାନଙ୍କ ସହ ଅରବିନ୍ଦ ପାଢୀଙ୍କର ବ୍ୟକ୍ତିଗତ ସଂପର୍କ ରହିଛି।

ତେଣୁ ଶ୍ରୀମନ୍ଦିରରେ କୌଣସି ନୂତନ ଧାରା ସ୍ଥାପିତ କରିବାକୁ ହେଲେ ତାଙ୍କୁ ଏତେଟା ଅସୁବିଧା ହୋଇନପାରେ। କିନ୍ତୁ ଆଗକୁ ରତ୍ନଭଣ୍ଡାର ଗଣତି- ମଣତି ଓ ମରାମତି ସହ ଠାକୁରଙ୍କ ଅଳଙ୍କାର ସୁରକ୍ଷା ତାଙ୍କ ପାଇଁ ହୋଇପାରେ ସବୁଠୁ ବଡ଼ ଦାୟିତ୍ବ। ରତ୍ନଅଳଙ୍କାର ସ୍ଥାନାନ୍ତର ସହ ବାହାରୁ ଦକ୍ଷ ବଣିଆଙ୍କୁ ଆଣି ଏସବୁର ମୂଲ୍ୟାୟନ ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ହେବ। ଯେହେତୁ ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଣେ ଓଡ଼ିଆ ଓ ମହାପ୍ରଭୁଙ୍କ ପ୍ରତି ତାଙ୍କର ସମର୍ପଣ ଭାବ ରହିଛି- ତେଣୁ ତାଙ୍କ ଦ୍ବାରା ଶ୍ରୀମନ୍ଦିରରେ ଅନେକ ସଂସ୍କାର ଆସିବ ବୋଲି ଆଶା ରଖିଛନ୍ତି ସେବାୟତ।

Advertisment

ଶ୍ରୀମନ୍ଦିର ପାଇଁ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ହେଲେ ଅରବିନ୍ଦ ପାଢ଼ୀଙ୍କ ଏବେ ବି ଆହୁରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ କୃଷି ଓ ବୟନଶିଳ୍ପ ସଚିବ ପଦରେ ଅଛନ୍ତି।

Srimandir Lord Jagannath Puri Temple Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ