ନଅ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ଫେରିଆସିଛନ୍ତି ମହାବାହୁ। ରାଜାଧିରାଜ ବେଶରେ ଭକ୍ତ ମନ ତୋଷିଛନ୍ତି। ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ।
ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଏ। ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧରପଣା ଭୋଗ କରାଯାଇଥାଏ। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗିଦିଆଯାଏ। ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି।
ପଢନ୍ତୁ ଏହି ଖବର: Ratha Jatra 2024: କିପରି ହୁଏ ଅଧରପଣା ନୀତି; ଜାଣନ୍ତୁ ଏଥିରେ ମିଶେ କେଉଁ ସାମଗ୍ରୀ
Also Read
ତେବେ ଅନନ୍ୟ ଏ ଅଧରପଣା ନୀତି ପଛରେ ରହିଛି ଗୁଢ ତତ୍ତ୍ୱ। ପାପୀ, ତପି, ମ୍ଳେଚ୍ଛ, ଦୀନ, ଯବନ ଉଦ୍ଧାର ପାଇଁ ରଥଯାତ୍ରାର ଶେଷରେ ଜନସମାଜକୁ ଅମୃତର ପାନ ପାଇଁ ଅଧରପଣା ନୀତି ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କୁହନ୍ତି।
ତେବେ ଶ୍ରୀମନ୍ଦିରର ରାଜଭୋଗ ଏବଂ ଛପନ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ପଣା ଭୋଗ ଠାକୁରଙ୍କ ନିତିଦିନିଆ ନୀତି ସମେତ କେତେକ ବିଶେଷ ପର୍ବପର୍ବାଣିରେ ମଧ୍ୟ ହୋଇଥାଏ। ମାଦଳାପାଞ୍ଜିରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଅତୀତରେ ଶ୍ରୀମନ୍ଦିରରେ ପଣା ପ୍ରସ୍ତୁତ କରୁଥିବା ସେବକଙ୍କୁ ‘ପଣା ସୁଆର ସେବକ’ ନାମରେ ଅଭିହିତ କରାଯାଉଥିଲା।
ସାଧାରଣତଃ ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ତାହା ହେଲା ଦୈନିକ ପଣା, ଅଣସର ପଣା ଓ ଅଧରପଣା। ତେବେ ରଥ ଉପରେ ଅନୁଷ୍ଠିତ ‘ଅଧରପଣା’ ହେଉଛି ସର୍ବବୃହତ ପଣା ଭୋଗ। ସେହିପରି ମହାପ୍ରଭୁମାନେ ରତ୍ନ ସିଂହାସନ, ଅଣସର ପିଣ୍ଡି, ଆଡପ ମଣ୍ଡପ, ସ୍ନାନ ମଣ୍ଡପ ଓ ପହଣ୍ଡି ବିଜେ ସମୟରେ ମଧ୍ୟ ପଣା ଭୋଗ ହେବାର ବିଧି ରହିଛି।
ଦୈନିକ ପଣା:
ଠାକୁରଙ୍କ ଅନ୍ୟାନ୍ୟ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ଦୈନଦିନ ମଧ୍ୟାହ୍ନ ଧୂପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ନୈବେଦ୍ୟ ରୂପେ ପଣା ଭୋଗ ଦିଆଯାଇଥାଏ। ‘ପାଳିଆ ମହାସୁଆର’ମାନେ କ୍ଷୀର, କଦଳୀ, ନବାତ(ଖଣ୍ଡ), କର୍ପୁର, ଇତ୍ୟାଦି ସାମଗ୍ରୀମାନଙ୍କରେ ଏହି ପଣାକୁ ପ୍ରସ୍ତୁତ କରିଥାନ୍ତି। ୫ ଓଳି ପଣା ମଧ୍ୟରେ ଶ୍ରୀବଳଭଦ୍ରଙ୍କ ପନ୍ତିରେ ୧ ଓଳି, ଦେବୀ ସୁଭଦ୍ରାଙ୍କ ୧ ଓଳି, ଶ୍ରୀଜଗନ୍ନାଥଙ୍କୁ ୨ ଓଳି ଓ ଶ୍ରୀସୁଦର୍ଶନଙ୍କୁ ୧ ଓଳି ପଣା ନୈବେଦ୍ୟ ହୋଇଥାଏ।
ପଢନ୍ତୁ ଏହି ଖବର: Ratha Jatra 2024: କାହିଁକି ହୁଏ ମହାପ୍ରଭୁଙ୍କ ଶ୍ରୀଗୁଣ୍ତିଚା ଯାତ ? ଜାଣନ୍ତୁ ରଥଯାତ୍ରାର ବିଧି ସମ୍ପର୍କିତ କିଛି ତଥ୍ୟ...
ପର୍ବପର୍ବାଣି ପଣା:
ପ୍ରତିଦିନ ନୀତି ବ୍ୟତୀତ ଅଣସର ସମୟରେ ପ୍ରତିଦିନ ୧୪ ସାନ ଓଳି ଓ ୧୪ ବଡ଼ ଓଳିକୁ ମିଶାଇ ୨୮ ଓଳି ପଣା ଅର୍ପଣ ହୋଇଥାଏ। ସେହିପରି ଚନ୍ଦନଯାତ୍ରା ୪୨ ଦିନ ଯାକ ୪ ବାଡ଼ରେ ୧୯ ଓଳି ପଣା, ପଣାସଂକ୍ରାନ୍ତି ଦିନ ୩୧ ଓଳି ପଣା, ଦୋଳପୂର୍ଣ୍ଣିମା ଦିନ ୯ ଓଳି ପଣା, ମକର ସଂକ୍ରାନ୍ତି ଦିନ ୮ ଓଳି ପଣା, ପୁଷ୍ୟାଭିଷେକ ଦିନ ୪ ଓଳି ପଣା ଭୋଗ ହୋଇଥାଏ।
ଅଣସର ପଣା:
ଅଣସର ନୀତି ସମୟରେ ଦଇତାପତି ସେବକମାନଙ୍କ ଦ୍ୱାରା ଅଣସର ପଟିଦିଅଁଙ୍କ ପାଖରେ ‘ସର’ ଭୋଗ କରାଯାଏ। ଏହା ପରେ ସେବକମାନେ ଏଥିରେ ପାଣି, ଚିନି, କର୍ପୂର ଇତ୍ୟାଦି ମିଶାଇ ଅଣସର ପଣା ପ୍ରସ୍ତୁତ କରନ୍ତି। ସେବକମାନେ ନିଜସ୍ୱ ଗୃହରେ ଅତ୍ୟନ୍ତ ପବିତ୍ର ଭାବେ ଏହି ପଣା ପ୍ରସ୍ତୁତ କରି ବିଭିନ୍ନ ଭକ୍ତ, ବ୍ୟକ୍ତିବିଶେଷ ତଥା ସେବକମାନଙ୍କ ଘରକୁ ପଠାଇଥାନ୍ତି।
ସେହିପରି ଦଇତାପତି ନିଯୋଗ ପକ୍ଷରୁ ମଧ୍ୟ ଏହି ପଣା ବିଭିନ୍ନ ସେବକ, ଶ୍ରୀମନ୍ଦିର କାର୍ଯ୍ୟାଳୟ ଇତ୍ୟାଦି ସ୍ଥାନକୁ ପଠାଯାଇଥାଏ। ଏହି ପଣାକୁ ମଧ୍ୟ ‘ଡାକ ପଣା’ କୁହାଯାଏ। ଏହି ପଣା ବଣ୍ଟା ପ୍ରାୟ ୧୪ ଦିନ ଧରି ହୋଇଥାଏ। ଏହାର ସ୍ୱାଦ ଓ ବାସ୍ନା ଅଦ୍ଭୁତ। ଏହି ପଣା ଅନ୍ୟ ଦିନରେ ହୋଇ ନ ଥାଏ।