Advertisment

ତିନି ରଥରେ ଭାଙ୍ଗିଲା ଅଧରଚୁମ୍ବୀ ତୁମ୍ବ, ପାର୍ଶ୍ୱ ଦେବଦେବୀ ଓ ଚଣ୍ଡି ଚାମଣ୍ଡାଙ୍କ ହେଲେ ତୃପ୍ତ

ତିନିରଥ ଉପରେ ସୁନାବେଶ ପରଦିନ ଅଧରପଣା ନୀତି ସମାପନ ହୋଇଥାଏ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ।

Adharanapana

Adharanapana

Advertisment

ସରି ସରି ଆସୁଛି ବଡଦାଣ୍ଡରେ ଶ୍ରୀଜୀଉଙ୍କ ଲୀଳାଖେଳା। ରଥାରୁଢ଼ ଠାକୁରଙ୍କ ପାଖରେ ଲାଗି ହେଲା ଅଧରପଣା। ପ୍ରତି ରଥରେ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ କରାଯାଇ ତାକୁ ସେହି ରଥରେ ହିଁ ଭଙ୍ଗାଯାଇଛି । ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀରେ ପ୍ରସ୍ତୁତ ୯ଟି ଅଧର ହାଣ୍ଡିକୁ ରଥରେ ଥିବା ପାର୍ଶ୍ୱ ଦେବଦେବୀ ଓ ଚଣ୍ଡି ଚାମଣ୍ଡାଙ୍କ ତୃପ୍ତି ଉଦ୍ଦେଶ୍ୟରେ ଭଙ୍ଗାଯାଇଛି । ଶ୍ରୀଜୀଉଙ୍କ ଅଧରପଣା ନୀତି ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଆସନ୍ତାକାଲି ହେବ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ। 

Advertisment

ତେବେ ଅଧରପଣା ନୀତି କ’ଣ..?

ତିନିରଥ ଉପରେ ସୁନାବେଶ ପରଦିନ ଅଧରପଣା ନୀତି ସମାପନ ହୋଇଥାଏ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀବିଗ୍ରହମାନଙ୍କର ଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଏ। ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧରପଣା ଭୋଗ କରାଯାଇଥାଏ।

ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି।

Advertisment

ସ୍ୱତ୍ୱଲିପି ଅନୁଯାୟୀ ବାହୁଡ଼ା ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ 'ଅଧରପଣା' ଭୋଗ ହେବା କଥା। କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ। ହେଲେ ଏକାଦଶୀ ଦିନ ମଧ୍ୟ ଏହି ନୀତି ହୋଇ ନପାରି ଅନେକ ବର୍ଷ ଧରି ଦ୍ୱାଦଶୀ ତିଥିରେ ଭୋଗ କରାଯାଉଛି।

ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ଓଡ଼ିଆ ମଠରୁ ପ୍ରାପ୍ତ ସନନ୍ଦକୁ ଆଧାର କରି ଉଲ୍ଲେଖ କରିଛନ୍ତି ଯେ, ପୂର୍ବେ ବାହୁଡା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ଵାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଭୋଗ ହୁଏ।

Advertisment

ତେବେ ଅନନ୍ୟ ଏ ଅଧରପଣା ନୀତି ପଛରେ ରହିଛି ଗୁଢ ତତ୍ତ୍ୱ। ପାପୀ, ତପି, ମ୍ଳେଚ୍ଛ, ଦୀନ, ଯବନ ଉଦ୍ଧାର ପାଇଁ ରଥଯାତ୍ରାର ଶେଷରେ ଜନସମାଜକୁ ଅମୃତର ପାନ ପାଇଁ ଅଧରପଣା ନୀତିର ଆରମ୍ଭ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କୁହନ୍ତି।

Ratha Jatra Bahuda Jatra SunaBesha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ