ରଥଯାତ୍ରା ପାଇଁ କଡ଼ା ନିର୍ଦ୍ଦେଶ, ବସ୍‌ ଯାତ୍ରୀଙ୍କୁ ଅଧିକ ଭଡ଼ା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ

ତେବେ ଚଳିତ ବର୍ଷ ରଥଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଜନ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ବସ୍‌ ଯାତ୍ରୀମାନଙ୍କ ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Bus Fare

ରଥ ଝଟକିଲାଣି... ପଥରେ ଝୋଟି ଫୁଟିଲାଣି... ଜୀବନ୍ତ ଦିଶିଲେଣି ଧଳା, କଳା ଓ ନାଲି ଘୋଡ଼ା । ଏବର୍ଷ ଖୁବ୍ ସ୍ବତନ୍ତ୍ର ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା। ୫ ଦଶନ୍ଧି ପରେ ପଡ଼ିଛି ବିରଳ ସଂଯୋଗ । ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ଓ ଘୋଷଯାତ୍ରା । ସେଥିପାଇଁ ରବିବାର ସହଳ ଆରମ୍ଭ ହେବ ନୀତିକାନ୍ତି । ତେବେ ପହଣ୍ଡି ଆରମ୍ଭ ହେଲା ବେଳକୁ ଦିନ ପ୍ରାୟ ଗୋଟାଏ ୧୦ ମିନିଟ୍ । ଛେରା ପହଁରା ଓ ଅନ୍ୟ ନୀତିକାନ୍ତି ପରେ ଅପରାହ୍ନ ୪ରୁ ୫ଟା ଭିତରେ ଆରମ୍ଭ ହେବ ରଥଟଣା ।

ତେବେ ଚଳିତ ବର୍ଷ ରଥଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଜନ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ବସ୍‌ ଯାତ୍ରୀମାନଙ୍କ ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପବିତ୍ର ରଥଯାତ୍ରାକୁ ଦୃଷ୍ଟିରେ ରଖି ବସ୍‌ ଭଡାର ଏକ ଚାର୍ଟ ପ୍ରସ୍ତୁତ କରିଛି ରାଜ୍ୟ ପରିବହନ ବିଭାଗ । ସରକାରଙ୍କ ଦ୍ୱାରା ଦାର୍ଯ୍ୟ ମୂଲ୍ୟଠାରୁ କୌଣସି ବସ୍‌ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ସରକାରଙ୍କ ପକ୍ଷରୁ ରଥଯାତ୍ରା ଅବସରରେ ସାଧାରଣ ବସ୍‌ ଭଡ଼ା ପ୍ରତି କିଲୋମିଟର ପିଛା ୮୮ ପଇସା ଧାର୍ଯ୍ୟ କରାଯାଇଛି । ସେହିପରି ଦ୍ରୁତଗାମୀ ବସ୍‌ ଭଡ଼ା ୯୨ ପଇସା, ଡିଲକ୍ସ ବସ୍‌ ୧ ଟଙ୍କା ୨୭ ପଇସା, ଏସି ଡିଲକ୍ସ ବସ୍‌ ୧ ଟଙ୍କା ୫୫ ପଇସା ଏବଂ ସୁପର ପ୍ରିମିୟମ୍‌ ବସ୍‌ ଭଡ଼ା ପ୍ରତି କିଲୋମିଟର ପିଛା ୨ ଟଙ୍କା ୪୧ ପଇସା ଧାର୍ଯ୍ୟ କରାଯାଇଛି ।

ସେହିପରି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରାତିରୁ ଲାଗୁ ହେବ ଟ୍ରାଫିକ୍ କଟକଣା । ପ୍ରଥମ ଥର ପାଇଁ ରଥଯାତ୍ରାକୁ ଆସୁଥିବା ଯାନବାହନର ଗଣତି ହେବ । AI ସହାୟତାରେ ପୁରୀ-ବ୍ରହ୍ମଗିରି, ପୁରୀ-ଭୁବନେଶ୍ୱର ଏବଂ ପୁରୀ-କୋଣାର୍କ ରାସ୍ତାରେ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ହେବ । ବ୍ଲାକସ୍ପଟରେ ଡ୍ରୋନର ସହାୟତା ନିଆଯିବ । ବସ୍ ଓ ୨ ଚକିଆ ଯାନଗୁଡିକ ପାଇଁ ମୋଟ୍ ୨୧ଟି ସ୍ଥାନରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିଛି ।

ସେପଟେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୋଲିସ ପ୍ରଶାସନର ଅସମ୍ଭବ ସୁରକ୍ଷା ବ୍ୟବସ୍ଥା । କାରଣ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବହୁ ହେଭିୱେଟ ସାମିଲ ହେବେ ଘୋଷଯାତ୍ରାରେ । ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ବଳୟରେ ସାରା ଶ୍ରୀକ୍ଷେତ୍ର । ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି । ତାସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି । ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ବରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କଂପାନୀ ଏସଓଜି ।