• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମହାପ୍ରଭୁଙ୍କ ଘୋଷଯାତ୍ରା ଲାଗି କଡ଼ା ସୁରକ୍ଷା ବଳୟ ଭିତରେ ଶ୍ରୀକ୍ଷେତ୍ର ଲକ୍ଷ ଲକ୍ଷ ଲୋକଙ୍କ ସମାଗମ । ପୂର୍ବରୁ ପ୍ରସ୍ତୁତ ରହିଛି ପ୍ରଶସାନ, ଜାଗତିଆର ସୁରକ୍ଷାବଳ । ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଏଥର ପୁରୀରେ ହୋଇଛି ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ସିସିଟିଭି ନଜରରେ ରହିଛି ସମଗ୍ର ପୁରୀ ସହର ।

ସହରରେ ଲାଗିଥିବା ମୋଟ ୫୩ ସିସିଟିଭି ଭିତରୁ ୧୩ଟି ଆଇନ ଶୃଙ୍ଖଳା ଓ ଅନ୍ୟ ୪୦ଟି ଟ୍ରାଫିକ୍ ବ୍ୟବସ୍ଥା ଉପରେ ନଜର ରଖିବ । ଆଇନଶୃଙ୍ଖଳା ରକ୍ଷା ଲାଗି ସୁରକ୍ଷା ବ୍ୟବସ୍ଥାରେ ୧୮ ଏସପି ରାଙ୍କ୍ ଅଧିକାରୀ, ୩୩ ଅତିରିକ୍ତ ଏସପି, ୭୪ ଡିଏସପି ଓ ୧୩୬ ଇନସ୍ପେର ମୁତୟନ ହୋଇଛନ୍ତି । ପ୍ରତି ଗଳି, କନ୍ଦିରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧୮୦ପ୍ଲାଟୁନ୍‌ରୁ ଅଧିକ ଫୋର୍ସଙ୍କୁ ନିୟୋଜିତ କରାଯାଇଛି ।

ତାସହ ଏସ୍ଓଜି, ଏନ୍‌ଡିଆର୍‌ଏଫ୍‌ ଓ ସ୍ପେଶାଲ ଟାକ୍ଟିକାଲ୍‌ ୟୁନିଟ୍ ବି ସଜାଗ ରହିଛି । ଏପଟେ ଘୋଷଯାତ୍ରା ସହ ବାହୁଡ଼ା ଓ ସୁନାବେଶ ଲାଗି ପୁରୀରେ ଟ୍ରାଫିକ୍ ବ୍ୟବସ୍ଥା ସୁବନ୍ଦୋବସ୍ତ କରିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୦ଟି ଜୋନ୍ ଓ ୨୯ ସେରରେ ଭାଗ କରାଯାଇଛି । ଏହି ୩ ଦିନ ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ପ୍ରକାର ଯାନଗୁଡ଼ିକର ଯାତାୟତ, ପାର୍କିଂ ଓ ଫେରିବା ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି ପୁରୀ ପୋଲିସ ।

ଏଥର ଘୋଷଯାତ୍ରାରେ ପୁରୀକୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ଆସୁଥିବାରୁ କୋଭିଡ୍ ସଂକ୍ରମଣର ଭୟ ଭିତରେ ଯଥାସମ୍ଭବ ସତର୍କତାମୂଳକ ପଦକ୍ଷେପ ନେବାକୁ ଚେଷ୍ଟା କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ରଥଯାତ୍ରା ଲାଗି ପୁରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲ ସହ ଆଖପାଖରେ ସବୁ ହସ୍ପିଟାଲରେ ଡାକ୍ତର, କର୍ମଚାରୀ ଓ ଔଷଧ ସାମଗ୍ରୀ ପ୍ରସ୍ତୁତ ରଖାଯିବା ସହ ଆମ୍ବୁଲାନ୍ସକୁ ବି ସଜାଗ ରଖାଯାଇଛି ।

ବାହାର ଜିଲ୍ଲାରୁ ଅଧିକ ଷ୍ଟାଫ୍, ହୃଦରୋଗ ଓ ଶ୍ୱାସରୋଗ ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଛି । ପୁରୀ ମେଡିକାଲ୍‌ରେ ୫୦ଟି ଅତିରିକ୍ତ ବେଡ୍ ଓ ସ୍ୱତନ୍ତ୍ର ଓଟି ବ୍ୟବସ୍ଥା ସହ ଆଇସିୟୁକୁ କାର୍ଯ୍ୟକ୍ଷମ ରଖାଯାଇଛି । ସହରର ବିଭିନ୍ନ ସ୍ଥାନରେ ୬୯ଟି ଫାଷ୍ଟ୍-ଏଡ୍ ସେଣ୍ଟର୍ ସହ ପ୍ରତି ରଥ ନିକଟରେ ୪ଟି ଲେଖାଏଁ ଆମ୍ବୁଲାନ୍ସ ରଖାଯିବାକୁ ନିଷ୍ପତ୍ତି ହୋଇଛି । କରୋନା ଡର ବଢୁଥିବାରୁ ୫୦ ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କିଟ୍ ସହ ୧୦ ଲକ୍ଷ ମାସ୍କ ବଣ୍ଟନ କରାଯିବ । ସେପଟେ ଜ୍ୱର, ଥଣ୍ଡା, କାଶ ଭଳି ଲକ୍ଷଣ ଥିବା ଲୋକଙ୍କୁ ପୁରୀ ନଆସି ଘରେ ରହି ଟେଲିଭିଜନ ପରଦାରେ ରଥଯାତ୍ରା ଦେଖିବାକୁ ଅପିଲ୍ କରିଛି ପୁରୀ ପ୍ରଶାସନ ।

ରଥଯାତ୍ରା ଅବସରରେ ପୁରୀ ସମୁଦ୍ରକୂଳରେ ଦୈନିକ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାକୁ ଥିବାରୁ ଏଠାରେ କୌଣସି ଅଘଟଣ ରୋକିବାକୁ ମୁତୟନ ହୋଇଛନ୍ତି । ବ୍ୟାପକ ସଂଖ୍ୟାରେ ଅଗ୍ନିଶମ ବାହିନୀ କର୍ମଚାରୀ ଓ ଲାଇଫ୍ ଗାର୍ଡ ତା ସହ ଜେଟ୍ ସ୍କି, ଆମ୍ବୁଲାନ୍ସ ଓ ପେଟ୍ରୋଲିଂ ଟିମ୍‌କୁ ମଧ୍ୟ ସଜାଗ ରଖାଯାଇଛି ।