Advertisment

Raja Parba 2024: ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ରଜ

ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାଆକୁ କଷ୍ଟ ନ ଦେଇ ଭୂମି ଖନନ ନ କରି ବିଶ୍ରାମ ଦେଲା ଭଳି କୁମାରୀମାନେ ବିଶ୍ରାମ କରନ୍ତି। ଝିଅବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Raja is a symbolic festival of fertility

Raja is a symbolic festival of fertility

ନିଆରା ପର୍ବପର୍ବାଣୀର ରାଜ୍ୟ ଓଡ଼ିଶା। ଗଣପର୍ବ ରଜ ଏଥିରୁ ଗୋଟିଏ। ଏହା ଏକ ପାରମ୍ପରିକ ପର୍ବ ହୋଇଥିବା ବେଳେ ଏହାକୁ ଚାରିଦିନ ଧରି ପାଳନ କରାଯାଇଥାଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ।

Advertisment

ବର୍ଷାର ଆଗମନରେ ଧରିତ୍ରୀ ମା’ ରଜସ୍ୱଳା ହୁଏ ଓ ନୂଆ ଶସ୍ୟ ଉତ୍ପାଦନର ସଙ୍କେତ ଦିଏ। ଏହି ପର୍ବରେ ଚାଷୀମାନେ ମା’ ମାଟି ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି। ରଜରେ ପୋଡ଼ ପିଠା ଓ ପାନଖିଆ ସହିତ ଝିଅମାନେ ରଜ ଦୋଳି ଓ ପୁଚି ଖେଳ ସହ ମଜ୍ଜା ନେଉଥିବା ବେଳେ ପୁଅମାନେ ଲୁଡୁ, ତାସ୍‌, କବାଡି ଆଦି ଖେଳ ସହିତ ଏହାକୁ ପାଳନ କରନ୍ତି।

ଆଷାଢ଼ ମାସକୁ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ ଭାବେ ଧରାଯାଏ। ପ୍ରାଚୀନ କାଳରେ ଏ ଚାରି ମାସ ମୁନି-ଋଷି ଓ ସାଧବମାନେ ସେମାନଙ୍କ ଯାତ୍ରା ବନ୍ଦ କରି ଗୋଟିଏ ସ୍ଥାନରେ ରହି ସାଧନା କରୁଥିଲେ। ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ମାସ ବୋଲି ମଧ୍ୟ ଗ୍ରହଣ କରାଯାଏ।

Advertisment

ଆଷାଢ଼ ମାସରେ ପ୍ରଥମ ବର୍ଷାରେ ମାଟି ମା' ରଜସ୍ୱଳା ହୁଏ। କୃଷିପ୍ରଧାନ ଦେଶଭାବେ ଖ୍ୟାତି ଲାଭ କରିଥିବା ଆମ ରାଜ୍ୟ ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦେଇଥାଏ। ମା' ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜରେ ବିଶ୍ରାମ ଦିଆଯାଏ।

କାହିଁକି ହୁଏ ପାଳନ:

ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ। ତିନିଦିନ ଧରି ଧରଣୀ ମାଆକୁ ବିଶ୍ରାମ ଦିଆଯାଏ, ଯେଉଁଥିପାଇଁ ଭୂ-ଖନନ ବାରଣ କରାଯାଏ। ଆଷାଢ଼ର ପହିଲି ବର୍ଷାରେ ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ। ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ।

ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ। ଏହି ପର୍ବ ପାଳନ ଅବସରରେ ଜଣେ ନାରୀଭାବେ ଆଗାମୀ ଦିନରେ କିଛି କର୍ତ୍ତବ୍ୟ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ। କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାର ସଂହିତାକୁ ବିଧିଭାବେ ପାଳି ଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀ ଭୂମିକାରେ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାର ବିଚାର ତାକୁ ସାହାଯ୍ୟ କରେ।

ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାଆକୁ କଷ୍ଟ ନ ଦେଇ ଭୂମି ଖନନ ନ କରି ବିଶ୍ରାମ ଦେଲା ଭଳି କୁମାରୀମାନେ ବିଶ୍ରାମ କରନ୍ତି। ଝିଅବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି। ରଜପର୍ବର ବିଧିବିଧାନକୁ ସେମାନେ ନିଜେ ପାଳନକରି ଜଣେ ମା’ର କର୍ତ୍ତବ୍ୟକୁ ସୂଚାରୁ ରୂପେ ତୁଲାଇପାରିବେ ଏବଂ ଭବିଷ୍ୟତରେ ନିଜ ଝିଅମାନଙ୍କୁ ନିଜ ଅନୁଭୂତିରୁ ଶିଖି ସଂସାର ନିୟମ ଶିଖାଇବେ ଏହି ପର୍ବର ଉଦ୍ଦେଶ୍ୟ ବୋଲି କୁହାଯାଏ।

କିପରି ହୁଏ ପାଳନ:

ରଜ ପର୍ବ ପାଳନ ବେଳେ ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ନିଜକୁ ମନୋରଂଜନ କରନ୍ତି। ବାଡୁଅ ଝିଅମାନେ ଶାଢ଼ୀ ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି। ଏହିଦିନ ଧରିତ୍ରୀ ମା’କୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲି ନଥାନ୍ତି । ପତ୍ର/ଖୋଳପାରେ ତିଆରି ପାଦୁକାରେ ଭୂଇଁ ଉପରେ ଚାଲିବାର ବିଧି ରହିଛି। ଏହିଦିନ ପୋଡ଼ପିଠା, ଚକୁଳି ପିଠା ଆଦି ଖିଆଯାଇଥାଏ।

ଅନ୍ତିମ ଦିବସ:

ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ। ଏହା ବସୁଧା ମା’ଙ୍କ ସ୍ନାନ। ପ୍ରାପ୍ତ ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ବସୁମାତାଙ୍କ ସ୍ୱରୂପକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବ ଡାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି।

ମାର୍ଗଶୀର ଶେଷ ଗୁରୁବାର ଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହିଦିନ ଖୋଲାଯାଇଥାଏ। ରଜସ୍ୱଳା ନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବା ପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ କରାଯାଏ। ବସୁମତୀ ସ୍ନାନ ଦିନ ଧରଣୀ ମା’ ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ।

Raja Festival
Advertisment
Advertisment