ଆଜି ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି, ଶ୍ରୀଜିଉଙ୍କ ଲାଗି ବେଙ୍ଗାଲୁରୁରୁ ଆସିଛି ଦୟଣା

ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି । ବାଙ୍ଗାଲୋରରୁ ଆସି ପହଞ୍ଚିଛି ମହାପ୍ରଭୁଙ୍କ ଦୟଣା । ଓଡ଼ିଶା ଜଳବାୟୁରେ ଦୟଣା ଉତ୍ପାଦନ ହେଉ ନଥିବାରୁ ବାଙ୍ଗାଲୋରରୁ କିଛି ଓଡ଼ିଆ ଏହାକୁ ପଠାଇଛନ୍ତି ।

Srimandir

ଆଜି ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି । ବାଙ୍ଗାଲୋରରୁ ଆସି ପହଞ୍ଚିଛି ମହାପ୍ରଭୁଙ୍କ ଦୟଣା । ଓଡ଼ିଶା ଜଳବାୟୁରେ ଦୟଣା ଉତ୍ପାଦନ ହେଉ ନଥିବାରୁ ବାଙ୍ଗାଲୋରରୁ କିଛି ଓଡ଼ିଆ ଏହାକୁ ପଠାଇଛନ୍ତି । ପୂର୍ବରୁ ଦକ୍ଷିଣ ଭାରତରୁ ମହାପ୍ରଭୁଙ୍କ ପାଇଁ ଦୟଣା ଆସୁଥିବା ପରମ୍ପରା ରହିଛି ।

ଜଗନ୍ନାଥ ସଂସ୍କୃତି ଅନୁସାରେ ପ୍ରଭୁ ଜଗନ୍ନାଥ ଆଜି ଜଗନ୍ନାଥ ବଲ୍ଲଭରେ ଦୟଣା ଚୋରି କରିଥିଲେ । ଦୟଣା ଓ ପୁଷ୍ପପ୍ରିୟ କାଳିଆ ସାଆନ୍ତଙ୍କ ଲାଗି ଏହି ନୀତି ପାଳନ ହୁଏ । ଜଗନ୍ନାଥ ବଲ୍ଲଭରୁ ଦୟଣା ଓ ସୁଗନ୍ଧିତ ପୁଷ୍ପ ଆଣି ଶ୍ରୀଜୀଉଙ୍କ ମସ୍ତକରେ ଲାଗି ହେବ । ସେପଟେ ଶ୍ରୀକ୍ଷେତ୍ରରେ ଜମୁଛି ସାହିଯାତ ।

ଚୈତ୍ର ଶୁକ୍ଳ ଦ୍ୱାଦଶୀ ତିଥିରେ ଗତ ରାତିରେ ପୁରୀ ମାର୍କଣ୍ଡେଶ୍ୱର ସାହି ତରଫରୁ ସମ୍ପନ୍ନ ହୋଇଛି ଶ୍ରୀରାମଙ୍କ ବନବାସ ନୀତି । ଜଗନ୍ନାଥ ବଲ୍ଲଭ ମଠ ପରିସରରେ ବନବାସ, କନ୍ଦର୍ପ ଓ ଅଧିବାସ ନୀତି ସମ୍ପନ୍ନ କରାଯାଇଥିଲା । ଆଜ୍ଞାମାଳ ପାଇ ରାମ, ଲକ୍ଷ୍ମଣ, ସୀତା ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ ।

ଜଗନ୍ନାଥ ବଲ୍ଲଭରେ ନୀତି ସମ୍ପନ୍ନ ପରେ ରାମ, ଲକ୍ଷ୍ମଣ ଓ ସୀତା ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରତି ସନ୍ଧ୍ୟାରେ ମନ ମୋହୁଛି ବିଭିନ୍ନ ସାହିର ନାଗା ଆଖଡ଼ା । ସାହିଯାତ ହେଉଛି ପୁରୀର ପରିଚୟ । ଏହା ଶୌର୍ଯ୍ୟ ଓ ଭକ୍ତିର ଅନନ୍ୟ ଉଦାହରଣ । ଶ୍ରୀକ୍ଷେତ୍ରର ସାତ ସାହି ଆଖଡା ଏଥିପାଇଁ ପ୍ରସ୍ତୁତି କରିଥାଆନ୍ତି ।

ଶ୍ରୀରାମ ନବମୀଠାରୁ ଶ୍ରମନ୍ଦିରରେ ସନ୍ଧ୍ୟାଧୂପ ଶେଷ ହେବା ପରେ ଆଜ୍ଞାମାଳ ପାଇଁ ରାମ ଓ ଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ, ପାଲିଙ୍କିରେ ବିଜେ ହୋଇ ଜଗନ୍ନାଥ ବଲ୍ଲଭ ମଠ ଯାଇଥାଆନ୍ତି । ପୁରୀ ପାଲଟିଯାଏ ଅଯୋଧ୍ୟା ଓ ଲଙ୍କାର ମିଳନ ସ୍ଥଳ । ଶ୍ରୀରାମଙ୍କ ସହ ରାବଣ ମଧ୍ୟ ପୂଜା ପାଏ । ଲୋକକଳା, ଲୋକଗୀତ, ଲୋକନୃତ୍ୟ ଓ ଲୋକବାଦ୍ୟରେ ଶ୍ରୀକ୍ଷେତ୍ର ଉଠେ ଆଉ ପଡ଼େ । ଲୀଳା ସମ୍ପନ୍ନ ପରେ ଚଳନ୍ତି ପ୍ରତିମା ପୁନଃ ଶ୍ରୀମନ୍ଦିରକୁ ବାହୁଡ଼ି ଯାଆନ୍ତି ।