Astrospeak
  • Live TV
  • Read In English

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି : ଆଜି ସୁଦ୍ଧା ବଡ଼ଦାଣ୍ଡର ହୋଟେଲ, ଲଜିଂ ବନ୍ଦ ପାଇଁ ନିର୍ଦ୍ଦେଶ

ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ବେଳେ ବି ପୁରୀ ସହରରେ ୧୪୪ ଧାରା ଜାରି କରାଯିବ । ଏହି ସମୟରେ ବଡ଼ଦାଣ୍ଡରେ ଥିବା ସବୁ କୋଠା ଘରର ଛାତ ଓ ବାଲକୋନିରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି

puri
ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ବେଳେ ବି ପୁରୀ ସହରରେ ୧୪୪ ଧାରା ଜାରି

News Summary

ବଡ଼ଦାଣ୍ଡର ଦୁଇ ପଟେ ରହୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତ

କର୍ଫ୍ୟୁ ବେଳେ ଗ୍ରାଣ୍ଡ ରୋଡରେ ଥିବା ସମସ୍ତ ଦୋକାନ ବଜାର ସହ ବନ୍ଦ ରହିବ ମେଡିସିନ୍ ସପ୍

ପୁରୀ : ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି । ଆଜି ସୁଦ୍ଧା ବଡ଼ଦାଣ୍ଡର ସବୁ ହୋଟେଲ, ଲଜିଂ, ଧର୍ମଶାଳା, ଗେଷ୍ଟ ହାଉସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ମାଲିକମାନେ ଲିଖିତ ଭାବେ ପୋଲିସକୁ ଜଣାଇବେ । ବଡ଼ଦାଣ୍ଡର ଦୁଇ ପଟେ ଥିବା ଘର ଗୁଡ଼ିକର ଲୋକଙ୍କ ତାଲିକା ପ୍ରସ୍ତୁତ କରୁଛି ପୌରସଂସ୍ଥା । ଆସନ୍ତାକାଲି ରାତି ୮ଟାରୁ ବୁଧବାର ରାତି ୮ଟା ଯାଏ ବଡ଼ଦାଣ୍ଡରେ ଥିବା ସବୁ ଦୋକାନ, ଏପରିକି ଔଷଧ ଦୋକାନ, ଅଫିସ, ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ରହିବ । ଅନ୍ୟ ସ୍ଥାନରେ ଔଷଧ ଦୋକାନ, ଚଷମା ଦୋକାନ ଖୋଲା ରହିବ ।

ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ବେଳେ ବି ପୁରୀ ସହରରେ ୧୪୪ ଧାରା ଜାରି କରାଯିବ । ଏହି ସମୟରେ ବଡ଼ଦାଣ୍ଡରେ ଥିବା ସବୁ କୋଠା ଘରର ଛାତ ଓ ବାଲକୋନିରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଘର, ଲଜିଙ୍ଗ ଓ ବେସରକାରୀ ଅନୁଷ୍ଠାନ ଗୁଡିକର ସର୍ଭେ କରାଯିବା ସହ ଭିଡିଓ ଗ୍ରାଫି ମାଧ୍ୟମରେ ନଜର ରଖାଯିବ । କେବଳ ସ୍ଥାନୀୟ ଲୋକଙ୍କୁ ଛାଡିଦେଲେ ବାହାରର କୌଣସି ସମ୍ପର୍କୀୟ ବା ବ୍ୟକ୍ତିଙ୍କୁ ରହିବାକୁ ଅନୁମତି ନଥିବା ବେଳେ ଶୃଙ୍ଖଳିତ ଭାବେ ନୀତିକାନ୍ତି କରାଯାଇ ବାହୁଡା଼ ଯାତ୍ରାକୁ ସାରିବା ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଗତକାଲି ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ବାହୁଡ଼ା ଯାତ୍ରା ପାଇଁ ଗତକାଲି ତିନି ରଥର ଦକ୍ଷିଣ ମୋଡ଼ କରାଯାଇଛି । ସକାଳ ଧୂପ ନୀତି ସମ୍ପର୍ନ ହୋଇ ତିନି ବାଡ଼ରେ ପୂଜାପଣ୍ଡା ସେବକ ମାନେ ଆଜ୍ଞା ମାଳ ବିଜେ କରାଇବା ପରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଯାଇଥିଲା । ପୋଲିସ କର୍ମଚାରୀ ମାନେ ଘଣ୍ଟୁଆଙ୍କ ଘଣ୍ଟ ମାଡ଼ ଓ ଡାହୁକଙ୍କ ଡାକରେ ରଥକୁ ଦକ୍ଷିଣ ମୋଡ଼ କରାଇଥିଲେ । ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ଛିଞ୍ଚନର ବ୍ୟବସ୍ଥା କରାଯାଇଥିବା ବେଳେ ଗତକାଲି ଅପରାହ୍ନରେ ତାଳଧ୍ଵଜ ରଥକୁ ଦକ୍ଷିଣମୋଡ଼ କରାଯାଇଛି । ରଥକୁ ଦକ୍ଷିଣ ମୋଡ଼ କରିବା ପୂର୍ବରୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ବାଲି ବିଛାଯାଇଥିଲା ।ଏହା ପୂର୍ବରୁ ରଥର ଚକରେ ଦେଖାଦେଇଥିବା ଫାଟକୁ ମରାମତି କରାଯାଇଛି । ବୈଷୟିକ କମିଟି ମଧ୍ୟ ତିନି ରଥର ଯାଞ୍ଚ କାମ ଶେଷ କରିଛନ୍ତି । ତିନି ରଥକୁ ଦକ୍ଷିଣ ମୋଡ଼ କରିବା ପାଇଁ ହାତରେ ଦୁଇଦିନ ସମୟ ରହିଥାଏ ।