Advertisment

କାହିଁକି ପାଳନ ହେଉଛି ପ୍ରଥମାଷ୍ଟମୀ, କ’ଣ ରହିଛି ବିଶେଷତ୍ୱ...

ପ୍ରଥମାଷ୍ଟମୀ ଓଡ଼ିଶାର ଏକ ପାରମ୍ପରିକ ପର୍ବ। ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ଏହାକୁ କାହିଁକି କୁହାଯାଏ ପ୍ରଥମାଷ୍ଟମୀ, କ’ଣ ରହିଛି ପରମ୍ପରା ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Prathamastami 2022

Prathamastami in odisha

Advertisment

ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ ପ୍ରଥମାଷ୍ଟମୀ ବା ପଢୁଆଁଷ୍ଟମୀ। ଏହା ଓଡ଼ିଶା ର ଏକ ପାରମ୍ପରିକ ପର୍ବ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷ ଆରମ୍ଭ ହେଉଥିଲା। ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି। ଏହି ଦିନ ପରିବାରର ପ୍ରଥମ ଜାତ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏI

Advertisment

କ’ଣ କୁହେ ପରମ୍ପରା:

ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ଏହି ଦିନ ବଡ ପୁଅଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି। ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ ଝିଅ ହେଉ କି ପୁଅ ତାଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ଠାକୁରଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳରେ ମା’ ମାନେ ବନ୍ଦାପନା କରନ୍ତି। ବନ୍ଦାପନା ପରେ ସେମାନେ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି।

ପରମ୍ପରା ଅନୁଯାୟୀ ଏହି ସେମାନେ ପିନ୍ଧୁଥିବା ନୂଆ ବସ୍ତ୍ର ମାମୁ ଘରୁ ଆସିଥାଏ। ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି। ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏI

Advertisment

ପ୍ରଥମାଷ୍ଟମୀ ଆସିଲେ ମନେପଡିଯାଏ ପରମ୍ପରାର ପିଠା ଏଣ୍ଡୁରି। ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ଏକ ବିଶେଷତ୍ୱ। ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁI

ଅନ୍ୟାନ୍ୟ ବୈଶିଷ୍ଟ୍ୟ:

ଏହିଦିନ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଁଘର ଯାତ୍ରା ହୋଇଥାଏ। ଲିଙ୍ଗରାଜ ମହାପ୍ରଭୁ ଏହିଦିନ ପଢୁଆଁ ହେବା ପାଇଁ ତାଙ୍କ ମାମୁଁଘର ରୂପେ ପରିଚିତ କପାଳିମଠକୁ ଯାଆନ୍ତି। ଏହି ମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’। ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ-ମାଇଁ ରୂପେ ପ୍ରଖ୍ୟାତ। ଏହି ମଠ ହତାରେ ଗୋଟିଏ ପୁଷ୍କରିଣୀ ରହିଛି। ତାହା ପାପନାଶିନୀ ରୂପେ ପରିଚିତ।

Advertisment

ପ୍ରଥମାଷ୍ଟମୀର ଅନ୍ୟ ନାମ ହେଉଛି ‘ସୌଭାଗିନୀ ଅଷ୍ଟମୀ’। କୃଷକ ଯଦି ସନ୍ତାନ ଲାଭ କରେ ବା ଭଲ ଅମଳ ପାଏ ତା’ ମନ ଏଥିଲାଗି ଆନନ୍ଦିତ ଓ ଉଲ୍ଲସିତ ହୋଇଯାଏ। ସେ ଅତି ଆନନ୍ଦରେ ଏହି ତିଥିକୁ ସୌଭାଗିନୀ ଅଷ୍ଟମୀ ରୂପେ ପାଳେ। ଏହାକୁ ‘କାଳ ଭୈରବାଷ୍ଟମୀ’ ମଧ୍ୟ କୁହାଯାଏ। ଏହିଦିନ କାଳ ଭୈରବଙ୍କର ବ୍ରତ ଓ ପୂଜାର ପ୍ରଚଳନ ଥିଲା। ଏବେ ଏହିପୂଜା ଲୁପ୍ତ।

ତନ୍ତ୍ର ପରମ୍ପରା ଅନୁସାରେ ଏହି ପ୍ରଥମାଷ୍ଟମୀର ରାତ୍ରି ବିଶେଷ ଉଲ୍ଲେଖନୀୟ। ତାନ୍ତ୍ରିକ ଭାଷାରେ ଏହାର ନାମ ‘ଘୋରରାତ୍ର’ I ନବଦୁର୍ଗାଙ୍କ ମଧ୍ୟରୁ କାଳରାତ୍ରି ଅନ୍ୟତମା। ଆଦ୍ୟାଶକ୍ତି କାଳରାତ୍ରି ରୂପେ ଏହିଦିନ ଅବତୀର୍ଣ୍ଣା ହୋଇଥିଲେ ବୋଲି ବିଶ୍ୱାସ ରହିଛି।

Prathamastami Prathamashtami In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ