ଓଡ଼ିଆଙ୍କ ପ୍ରଥମାଷ୍ଟମୀ ପର୍ବ : ବଡ଼ମାନେ ନୂଆ ପୋଷାକ ପିନ୍ଧିବା ସହ ଘର ମହକି ଯାଉଛି ହଳଦୀ ପତର ପିଠାରେ . . .

ଆଜି ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ପ୍ରଥମାଷ୍ଟମୀ । ପରମ୍ପରା ଅନୁଯାୟୀ,ପରିବାରର ପ୍ରଥମ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ ବନ୍ଦାପନା କରାଯାଏ ।

ପ୍ରଥମାଷ୍ଟମୀ ପାଇଁ ଗାଁ ଠୁ ସହର ଚଳଚଞ୍ଚଳ

ପିପିଲି( ଦ୍ୱିତୀକୃଷ୍ଣ ପଟ୍ଟନାୟକ ) : ପରମ୍ପରା ନେଇ ଗର୍ବ କରେ ଓଡ଼ିଆ । ତେଣୁ ପ୍ରତି ମାସରେ ଓଡ଼ିଶାରେ କିଛି ନା କିଛି ପର୍ବ ପାଳନ ହୋଇଥାଏ । ଏଇ ଆଜି ଯେମିତି ପ୍ରଥମାଷ୍ଟମୀ । ଘରର ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ ଏହି ପର୍ବ । ନୂଆ ପୋଷାକ ସାଙ୍ଗକୁ ହଳଦୀ ପତର ପିଠାର ମହକରେ ମହକି ଉଠେ ପ୍ରତ୍ୟେକ ଓଡ଼ିଆଙ୍କ ଘର । ପୁରୀ ଜିଲ୍ଲା ଜଗନ୍ନାଥପୁର ଡ଼ିହସାହି ଗ୍ରାମରେ ଖୁବ ଧୁମଧାମରେ ପାଳନ ହୋଇଛି ପ୍ରଥମାଷ୍ଟମୀ ପର୍ବ  ।

ଆଜି ମାର୍ଗଶୀର ମାସ ଅଷ୍ଟମୀ, ଯାହାକୁ ପ୍ରଥମାଷ୍ଟମୀ ଭାବରେ ପାଳନ କରାଯାଉଛି । ଆଉ ଏହାକୁ ବେଶ ଭଲ ଭାବରେ ପାଳିଥାନ୍ତି ପ୍ରତ୍ୟେକ ଓଡ଼ିଆ । ଏଥିପାଇଁ ବେଶ ଚଳଚଂଚଳ ଗାଁ ଠୁ ସହର । ଘର ଦ୍ୱାର ଲିପା ପୋଛା ସାଙ୍ଗକୁ ମୁରୁଜ ପକାଇବା ସବୁ କିଛି ଚାଲିଛି ବେଶ ଭଲ ଭାବରେ । ସେପଟେ ଶିଳରେ ଭଲ ଭାବରେ ବଟାଯାଇ ପ୍ରସ୍ତୁତ କରାଯାଉଛି ଓଡ଼ିଆଣୀର ସେହି ପ୍ରିୟ ହଳଦୀ ପତରରେ ଏଣ୍ଡୁରୀ ପିଠା । ଛେନା ପୁରରେ ପ୍ରସ୍ତୁତ ହୋଇଥିବା ଏହି ହଳଦୀ ପତରରେ ଏଣ୍ଡୁରୀ ପିଠାର ମହକରେ ସତେ ଯେମିତି ପୂରି ଉଠୁଛି ଘର ପରିବେଶ । ଏମିତି ଏକ ପରିବେଶ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ଜଗନ୍ନାଥପୁର ଡ଼ିହସାହି ଗାଁରେ ।

ପିଠା ପ୍ରସ୍ତୁତ ହେବା ପରେ ବୃନ୍ଦାବତୀଙ୍କ ନିକଟରେ ପିଢାପଟା ପକାଯାଇ ଘରର ବଡ଼ମାନଙ୍କୁ ଚନ୍ଦନ ସିନ୍ଦୂରରେ ସୁନ୍ଦର ଭାବରେ ସଜାଯାଇ ବସା ଯାଇଥାଏ । ଏହା ପରେ ଦୁବ ବରକୋଳି ପତ୍ରରେ ବନ୍ଦାପନା କରିଥାନ୍ତି ଘରର ମହିଳାମାନେ । ତେବେ ପ୍ରତି ପୂଜା ପାର୍ବଣରେ ଅନେକଙ୍କୁ ସମ୍ମାନ ପାଇଁ କରାଯାଉଥିବାବେଳେ ପ୍ରଥମାଷ୍ଟମୀକୁ ଘରର ବଡ଼ମାନଙ୍କୁ ସେମାନଙ୍କର ବଡ଼ ହେବାର ଅଧିକାର ପାଇଁ ପୂଜାର୍ଚ୍ଚନା କରା ଯାଇଥାଏ । ତେବେ ଶ୍ରୀକ୍ଷେତ୍ରରେ ବଡ଼ ଠାକୁରଙ୍କୁ ମଧ୍ୟ ପୋଢ଼ୁଆଁ କରାଯାଇଥାଏ । ଘରର ବଡ଼ମାନଙ୍କ ପାଇଁ ଆୟୋଜିତ ଏହି ପର୍ବ ସେମାନଙ୍କୁ ସମ୍ମାନ ଦେଇଥାଏ । ଆଉ ଆମ ପରମ୍ପରାକୁ ଉଜ୍ଜୀବିତ ରଖିବାରେ ସହାୟକ ହୋଇଥାଏ ।