Advertisment

Prathamastami 2023: କାହିଁକି ଖାଇବେ ହଳଦୀପତ୍ର ଏଣ୍ଡୁରି ପିଠା; କ’ଣ ରହିଛି ବୈଜ୍ଞାନିକ କାରଣ

ପ୍ରଥମାଷ୍ଟମୀ ହଳଦୀପତ୍ର ଦିଆ ଏଣ୍ଡୁରି ପିଠାର ମହତ୍ତ୍ୱ ରହିଛି। ହଳଦୀପତ୍ର ଦିଆ ଏଣ୍ଡୁରି ପିଠା ଶରୀରକୁ ଅନେକ ରୋଗରୁ ରକ୍ଷା କରେ। ତେବେ ଆସନ୍ତୁ ଜଣିବା ପ୍ରଥମାଷ୍ଟମୀରେ କାହିଁକି ହୁଏ ଏଣ୍ଡୁରି ପିଠା।

ଅଦ୍ୟତନ ହୋଇଛି
Prathamastami 2023 Science behind endure pitha

Prathamastami 2023 Science behind endure pitha

Advertisment

ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ ପ୍ରଥମାଷ୍ଟମୀ ବା ପଢୁଆଁଷ୍ଟମୀ। ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷ ଆରମ୍ଭ ହେଉଥିଲା। ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି। ଏହି ଦିନ ପରିବାରର ପ୍ରଥମ ଜାତ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏI

Advertisment

କ’ଣ କୁହେ ପରମ୍ପରା:

ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ଏହି ଦିନ ବଡ ପୁଅଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି। ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ, ସେ ଝିଅ ହେଉ କି ପୁଅ ତାଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ଠାକୁରଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳରେ ମା’ ମାନେ ବନ୍ଦାପନା କରନ୍ତି। ବନ୍ଦାପନା ପରେ ସେମାନେ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି।

ପରମ୍ପରା ଅନୁଯାୟୀ, ସେମାନେ ପିନ୍ଧୁଥିବା ନୂଆ ବସ୍ତ୍ର ମାମୁ ଘରୁ ଆସିଥାଏ। ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି। ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏI

Advertisment

ପ୍ରଥମାଷ୍ଟମୀ ଆସିଲେ ମନେପଡିଯାଏ ପରମ୍ପରାର ପିଠା ଏଣ୍ଡୁରି। ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ଏକ ବିଶେଷତ୍ୱ। ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁI

ପ୍ରସ୍ତୁତି ପ୍ରଣାଳି:

ଅରୁଆ ଚାଉଳ ଚୂନା, ବିରି ବଟା, ଲୁଣ, ଚିନି ଆଦିକୁ ମିଶାଇ କେଇଘଣ୍ଟା ରଖାଯାଏ। ଗୋଟିଏ ହାଣ୍ଡିର ମୁହଁରେ କନାବାନ୍ଧି ସେହି ହାଣ୍ଡିକୁ ଚୁଲି ଉପରେ ରଖାଯାଏ। ଏହାକୁ ‘ଅଥରା ହାଣ୍ଡି’ କୁହାଯାଏ। ଏହି ଅଥରାହାଣ୍ଡି ଉପରେ ହଳଦୀପତ୍ରରେ ପୁରମିଶା ‘ଆଣ’ ଲଦି ହାଣ୍ଡି ଉପରେ ପଲମ ବା ଘୋଡ଼ଣି ଢାଙ୍କି ଦିଆଯାଏ I କିଛି ସମୟ ପରେ ବାମ୍ଫ ଭିତରେ ପିଠା ସିଝିଗଲେ, ତାକୁ କଢାଯାଏ। ଏବେ ଏଣ୍ଡୁରି ପିଠା ପ୍ରସ୍ତୁତ। ଏହା ଦେଖିବାକୁ ଲମ୍ବା ଓ ନରମ ହୋଇଥାଏ।

Advertisment

କ’ଣ ରହିଛି ବୈଜ୍ଞାନିକ କାରଣ:

ହଳଦୀ ପତ୍ରର ବିଶେଷ ମହତ୍ତ୍ୱ ରହିଛି। ହଳଦୀପତ୍ର ଦିଆ ଏଣ୍ଡୁରି ପିଠା ଖାଇଲେ ଶରୀରରେ ଥିବା ଅନେକ ଚର୍ମ ରୋଗ ଭଲ ହୋଇଥାଏ। ଶୀତଋତୁ ଯୋଗୁଁ ଜଳବାୟୁ ଶୁଷ୍କ ହୋଇଯାଇଥାଏ। ଏହି କାରଣରୁ ଚର୍ମ ଶୁଷ୍କ ହୋଇ ବିଭିନ୍ନ ଚର୍ମ ରୋଗର ଆଶଙ୍କା ବଢେଇ ଦିଏ। ଏଥିରୁ ରକ୍ଷା ପାଇବା ପାଇଁ ଆମ ପରମ୍ପରାରେ ହଳଦୀପତ୍ର ଦିଆ ଏଣ୍ଡୁରି ପିଠାର ମହତ୍ତ୍ୱ ରହିଛି।

ଭାରତୀୟ ଧର୍ମ, ସଂସ୍କୃତି ଏବଂ ସୌନ୍ଦର୍ଯ୍ୟାତ୍ମକ ଦୃଷ୍ଟିକୋଣରୁ ହଳଦୀର ଯେମିତି ଗୁରୁତ୍ୱ ରହିଛି ଔଷଧୀୟ ଦୃଷ୍ଟିକୋଣରୁ ମଧ୍ୟ ତା’ଠାରୁ ଅଧିକ ଗୁରୁତ୍ୱ ରହିଛି। ହଳଦୀକୁ ମଧ୍ୟ ସର୍ବରୋଗହାରୀ କୁହାଯାଏ। ଏହା ଏକ ଉଚ୍ଚମାନର ବିଶୋଧକ। ଶରୀରରେ ଥିବା ବ୍ୟାକ୍ଟେରିଆ ବା ଜୀବାଣୁମାନଙ୍କୁ ହଳଦୀ ସହଜରେ ନିର୍ମୂଳ କରିପାରେ।

ହଳଦୀ ଆୟୁର୍ବେଦର ଏହା ଏକ ଉତ୍ତମ ଆଣ୍ଟିବାୟୋଟିକ। ନିୟମିତ ହଳଦୀ, ଗୁଡ଼ ଖାଉଥିବା ବ୍ୟକ୍ତି ନିଜକୁ ଅନେକ ରୋଗରୁ ରକ୍ଷା କରିପାରନ୍ତି।

Prathamashtami In Srimandir Prathamastami Prathamashtami In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ