ଆଜି ମା’ଙ୍କ ଅଷ୍ଟମୀ ପୂଜା। ଏହି ଦିନ ମା’ ଦୁର୍ଗାଙ୍କ ଅଷ୍ଟମ ରୂପ ମା’ ମହାଗୌରୀଙ୍କ ପୂଜା କରାଯାଏ। ଏହି ଦିନ ଉପବାସ ପାଳନ କରାଯାଏ ଏବଂ ଦେବୀ ଦୁର୍ଗାଙ୍କ ସହ ମହାଗୌରୀଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ। ଏହା ଏକ ଧାର୍ମିକ ବିଶ୍ୱାସ ଯେ ଯିଏ ଏହିଦିନ ଉପବାସ ପାଳନ କରେ ଏବଂ ମା ମହାଗୌରୀଙ୍କୁ ପୂଜା କରେ, ତାଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ। ମା ମହାଗୌରୀଙ୍କୁ ମମତାର ମୂର୍ତ୍ତି କୁହାଯାଏ। ମା ମହାଗୌରୀ ଦୟାଳୁ, ସ୍ନେହଶୀଳ ଓ ଶାନ୍ତ ସ୍ୱଭାବର।
ମା ମହାଗୌରୀଙ୍କ ପୂଜା ବିଧିରେ ଲାଲ୍ ବସ୍ତ୍ର, ଶୃଙ୍ଗାର ସାମଗ୍ରୀ, ଦୀପ, ଘିଅ / ତେଲ, ଧୂପ, ନଡ଼ିଆ, ଅରୁଆ ଚାଉଳ, କୁମ୍କୁମ, ଫୁଲ, ଦେବୀଙ୍କ ପ୍ରତୀମା, ପାନ ପତ୍ର, ଗୁଆ, ଲବଙ୍ଗ, ଗୁରୁରାତି, ମିଶ୍ରି, କର୍ପୁର, ଫଳ-ମିଠା, କଦଳି ଆଦି ଦରକାର ହୋଇଥାଏ।
ତେବେ ଦଶହରା ଓଡିଶାର ଏକ ପ୍ରମୁଖ ପର୍ବ ହୋଇଥିବା ବେଳେ କଟକରେ ଏହାକୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ଆସନ୍ତୁ ଜାଣିନେବା କଟକର କେଉଁ ଦେବୀ ମଣ୍ଡପରେ ମା’ଙ୍କୁ କ’ଣ ସବୁ ଭୋଗ ଲାଗି କରାଯାଏ।
Also Read
କଟକର ବିଭିନ୍ନ ମଣ୍ଡପ ମଧ୍ୟରେ ଚୌଧୁରୀ ବଜାର, ଶେଖ ବଜାର, ଶଙ୍କରପୁର, ଚାଉଳିଆଗଞ୍ଜ, ଅଲିଶାବଜାର, ବାଲୁବଜାର, ଦୋଳମୁଣ୍ଡାଇ, ରାଣୀହାଟ, ଖାନନଗର, ଶିଖରପୁର, ମଙ୍ଗଳାବାଗ, ଫିରିଙ୍ଗିବଜାର, ନୟାସଡକ ଆଦି ପ୍ରମୁଖ ରହିଛି।
ଷଷ୍ଠୀ, ସପ୍ତମୀ, ଅଷ୍ଟମୀରେ ସବୁ ମଣ୍ଡପରେ ସକାଳେ ଫଳମୂଳ ଭୋଗ ଲାଗି ହେଉଥିବା ବେଳେ ମଧ୍ୟାହ୍ନରେ ଅନ୍ନ, ଶାଗ, ଡାଲି, ଛଙ୍କା ଆଦି ଭୋଗ ଲାଗି ହୁଏ।
ସେହିପରି ନବମୀ ଦିନ ସବୁ ମଣ୍ଡପରେ ସାଧାରଣ ଭୋଗ ହେଉଥିବା ବେଳେ କେବଳ ଅଲିଶା ବଜାର ଓ ଚାନ୍ଦିନୀଚୌକ ମଣ୍ଡପରେ ମାଛ ଭୋଗ ହୋଇଥାଏ।
ଯଦି ଦଶମୀ ତିଥିକୁ ଦେଖାଯାଏ ତେବେ କେତେକ ମଣ୍ଡପର ଭୋଗକୁ ନେଇ ସ୍ୱତନ୍ତ୍ରତା ରହିଛି। ଏହି ସବୁ ମଣ୍ଡପରେ ଦହିପଖାଳ, ଶାଗ, ଛଙ୍କା ଆଦି ଭୋଗ ହେଉଥିବା ବେଳେ କେବଳ ଚୌଧୁରୀ ବଜାର ପୂଜା ମଣ୍ଡପରେ ଚୋପି ଭୋଗ ହୋଇଥାଏ। ସବୁ ପନିପରିବାର ଚୋପାକୁ ମିଶେଇ ଏହି ସ୍ୱତନ୍ତ୍ର ଧରଣର ଚୋପି ଭୋଗ ପ୍ରସ୍ତୁତ ହୋଇଥାଏ।