ପ୍ରଭୁ ଆସୁଛନ୍ତି ବୋଲି.. ଉତ୍ସବମୁଖର ମଥୁରା ନଗରୀ; ଜନ୍ମଭୂମିରେ ଭବ୍ୟ ଆୟୋଜନ

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ । ପୌରାଣିକ ଆଖ୍ୟାନ ଅନୁସାରେ, ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଜନ୍ମ ନେଇଥିଲେ ।

Krishna Janmashtami

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ । ପୌରାଣିକ ଆଖ୍ୟାନ ଅନୁସାରେ, ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଜନ୍ମ ନେଇଥିଲେ । କଂସକୁ ବଧ କରିବା ନିମନ୍ତେ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ମାନବ ରୂପରେ ଜନ୍ମଗ୍ରହଣ କରିଥିଲେ ଶ୍ରୀକୃଷ୍ଣ । ଏହି ପବିତ୍ର ଉତ୍ସବରେ ଦହିହାଣ୍ଡି ଭଙ୍ଗା ପରମ୍ପରା ରହିଛି ।

ତେବେ ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ନଗରୀ । ଉତ୍ତରପ୍ରଦେଶ ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ ଭବ୍ୟ ଆୟୋଜନ ହୋଇଛି । ସେପଟେ ଗୁଜରାଟ ଦ୍ୱାରକାଧୀଶ ମନ୍ଦିର ମଧ୍ୟ ଝଲସୁଛି ଆକର୍ଷଣୀୟ ଆଲୋକମାଳାରେ । ତୀର୍ଥଯାତ୍ରୀଙ୍କ ଭିଡ଼ ସହ ଗହଳ ଚହଳରେ ପୁରି ଉଠିଛି ଦ୍ୱାରକା ନଗରୀ ।

ଚଳିତ ବର୍ଷ ସେଠାରେ ପାଳିତ ହେଉଛି ୫୨୫୧ ତମ ଜନ୍ମାଷ୍ଟମୀ ଉତ୍ସବ । ଏପଟେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି । ସଂନ୍ଧ୍ୟାଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ଼ ଭୋଗ ସହ ଗର୍ଭଉଦକ ବନ୍ଦାପନା ନୀତି କରାଯାଇଥିଲା ।

ଆଜି ମହାଜନ ସେବକଙ୍କ ଦ୍ୱାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ । ଜନ୍ମ ଚକଡ଼ାରେ ନିଶାର୍ଦ୍ଧରେ ପ୍ରଭୁ କୃଷ୍ଣ ଜନ୍ମ ନେବେ । ସଂନ୍ଧ୍ୟାଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ଡାର ଘର ସମ୍ମୁଖ ଭାଗରେ ପୂଜାପଣ୍ଡା ସେବାୟତ ମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ଡଳୀ ଅଙ୍କନ କରିବେ ।

ସେଠାରେ ସୁନାର କୃଷ୍ଣ ମୂର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ଅଣାଯିବ । ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ଚରିତ୍ର ହୋଇ ଏହି ଜନ୍ମନୀତି ପାଳନ କରିବେ । ପରେ ମଦନମୋହନଙ୍କୁ ନାଭିକଟାମଣ୍ଡପକୁ ନିଆଯାଇ କୃଷ୍ଣଜନ୍ମ ଠାରୁ ଉପନୟନ ପର୍ଯ୍ୟନ୍ତ ନୀତି ଅନୁଷ୍ଠିତ ହେବ । ସେହିପରି ଜଗମୋହନ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯିବ । ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆଜିଠାରୁ ଆରମ୍ଭ ହୋଇ କଂସବଧ ଲୀଳା ନୀତି ପର୍ଯ୍ୟନ୍ତ ଚାଲୁରହିବ ।

ସେପଟେ ପବିତ୍ର ଶ୍ରୀକୃଷ୍ଣ ଜନ୍ମ ଉପଲକ୍ଷେ ପୁରୀ ବେଳାଭୂମିରେ ଶ୍ରୀକୃଷ୍ଣଙ୍କ ଆକର୍ଷଣୀୟ ବାଲୁକା କଳାକୃତି । ଏହାକୁ ତିଆରି କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକାକଳା ମାଧ୍ୟମରେ ରାଜ୍ୟବାସୀଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ । ବାଲୁକା କଳାକୃତିରେ ଶ୍ରୀକୃଷ୍ଣଙ୍କ ସହ ଲବଣୀ ମାଠିଆ ଏବଂ ମହିଳା ପ୍ରଣାମ କରୁଥିବା ଚିତ୍ରିତ କରିଛନ୍ତି ।

ଏଥିସହ କୋଲକାତା ଅଭୟା କାଣ୍ଡକୁ ପ୍ରସଙ୍ଗ କରି, ମହିଳାମାନଙ୍କ ପ୍ରତି ଯେଭଳି ଅତ୍ୟାଚାର ବଢୁଛି ସେ ନେଇ ଶ୍ରୀକୃଷ୍ଣଙ୍କୁ ଦୁଷ୍ଟ ସଂହାର ପାଇଁ ପ୍ରାର୍ଥନା କରିଛନ୍ତି ଏହି ବାଲୁକାକଳା ଜରିଆରେ ।