Advertisment

ଓଡିଆ ପରମ୍ପରାରେ ପଖାଳ; ଦୂର କରିଥାଏ ଅନେକ ରୋଗ

ପ୍ରତି ଓଡିଆର ମୁଖ୍ୟ ଖାଦ୍ୟ ହେଉଛି ପଖାଳ। ଏହାର ଇତିହାସ କ’ଣ? ଏହା ଆମ ପରମ୍ପରା ସହିତ କିପରି ଜଡିତ? ପଖାଳ କେତେ ପ୍ରକାର? ଏଥିରେ କେଉଁ ରୋଗ ଭଲ ହୁଏ? କେଉଁମାନେ ଖାଇବେ ଓ କେଉଁମାନେ ନ ଖାଇବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
Pakhala in odia tradition; medicine for many disease

Pakhala in odia tradition; medicine for many disease

ଓଡ଼ିଆର ପ୍ରିୟ ଖାଦ୍ୟ ପଖାଳ ଜଗନ୍ନାଥ ମନ୍ଦିରରେ ତିଆରି ହେଉଥିବା ଛପନ ଭୋଗ ଭିତରୁ ଏକ। ଖରା ଦିନରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ପଖାଳ ଖିଆଯାଇଥାଏ। ଭାତକୁ ପାଣିରେ ପଖାଳି ବା ଧୋଇ ତିଆରି କରାଯାଉଥିବାରୁ ଏହାକୁ ପଖାଳ କୁହାଯାଏ । ଏହାର ପାଣିକୁ ତୋରାଣି କୁହାଯାଏ । ସାଧାରଣତଃ ଖରାବେଳେ ବା ଉପରଓଳି ଏହା ଖିଆଯାଏ । ପଖାଳର ଲୋକାଦୃତି ଓ ପ୍ରସାର ଉଦ୍ଦେଶ୍ୟରେ ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ।

Advertisment

ଆଉ କେଉଁ ରାଜ୍ୟରେ ପଖାଳ ଖିଆଯାଏ:

ପଖାଳ ଖାଳି ଓଡ଼ିଶାରେ ନୁହେଁ, ଏହାକୁ ଆସାମ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ଆନ୍ଧ୍ର ପ୍ରଦେଶରେ ମଧ୍ୟ ଖିଆଯାଏ । ଆସାମରେ ଏହାକୁ "ପୋଇତା ଭାତ", ପଶ୍ଚିମ ବଙ୍ଗରେ "ପନ୍ତ ଭାତ", ଝାଡ଼ଖଣ୍ଡ ଓ ବିହାରରେ "ମାରା ଭାତ" ଓ ଛତିଶଗଡ଼ରେ ପଖାଳ ବା "ବୋରେ ଭାତ" କୁହନ୍ତି । ତାମିଲନାଡୁରେ ଏହା ବକାଳ ବାତ ନାମରେ ଜଣା । ଏଠାରେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ପଖାଳ ପରଷା ଯାଏ ।

ପରମ୍ପରା:

  • ତ୍ରିପିଟକର ମଝିମ ନିକାୟ ଅନୁସାରେ ବୁଦ୍ଧଙ୍କର ଜଣେ ସାନବାପାଙ୍କ ନାଁ ଥିଲା ଧୋତଦନ (ଧୋତ ଉଦନ), ଯାହାର ଅର୍ଥ ହେଉଛି 'ଧୁଆ ବା ପଖାଳ ଭାତରେ ଶ୍ରଦ୍ଧା ଯାହାର'। ଦେଖିବାକୁ ଗଲେ ପାଖାପାଖି ଅଢ଼େଇ ହଜାର ବର୍ଷ ଆଗରୁ ବୁଦ୍ଧଙ୍କ ଅମଳରେ ପଖାଳର ଲୋକପ୍ରିୟତା ଥିଲା।
  • ଖ୍ରୀଅ ୬୦୦ଠାରୁ ୧୨୦୦ ପର୍ଯ୍ୟନ୍ତ ଓଡ଼ିଶାରେ ମୁଖ୍ୟ ଖାଦ୍ୟ ଧାରାରେ ଥିଲା ଧାନ, ଗହମ ଓ ବାର୍ଲି। କଳିଙ୍ଗର ଧାନର ପ୍ରସିଦ୍ଧି ସୋମେଶ୍ୱରଙ୍କ ରଚିତ "ମାନସୋଲ୍ଲାସ"ରେ ବର୍ଣ୍ଣିତ ହୋଇଛି । ଶ୍ରୀମଦ ଶଙ୍କରଦେବଙ୍କ ଶ୍ରୀରାମଭାଗବତ ଗ୍ରନ୍ଥରେ ଚାଉଳକୁ ସିଝାଇ ସେଥିରେ ପାଣି ପକାଇ ରାତି ସାରା ରଖି ତାହାପରଦିନ ବାଇଗଣ ପୋଡ଼ା ଆଉ ମାଛ ପୋଡ଼ା ସହ ଖାଇବା ଅଧିକ ଜନପ୍ରିୟ ହୋଇଥିଲା। ଏହା ମଧ୍ୟ ସେହି ସମୟରେ ବଂଗଳାରେ ପ୍ରଚଳିତ ଥିଲା।
  • ମହାପ୍ରଭୁଙ୍କ ମହାପ୍ରସାଦରେ ପଖାଳ ରହିଛି।
Advertisment

ବିଭିନ୍ନ ପ୍ରକାରର ପଖାଳ:

  • ସଜ ପଖାଳ: ଗରମ ଭାତରୁ ପେଜ ନ ଗାଳି, ସେଥିରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ କୁହାଯାଏ। ସଜପଖାଳରେ କାଗିଜି ଲେମ୍ବୁ ଚିପୁଡ଼ି କିମ୍ବା ଦହି ଗୋଳାଇ ଖାଇଲେ ଭଲ ଲାଗେ।
  • ଏହାକୁ ଭୃସଙ୍ଗ ପତ୍ର, ଟଭାଗଛର ପତ୍ର ଛୁଙ୍କ ଦେଇ ସେଥିରେ କଟା ଦେଶୀ ପିଆଜ, ବସାଦହି, ଆମ୍ବକସିଆ ଅଦା, କଞ୍ଚାଲଙ୍କା ଓ ଦରକାର ମୁତାବକ ଲୁଣ ପକାଇଲେ ଏହାର ସ୍ୱାଦ ଆହୁରି ବଢ଼ିଯାଏ।
  • ବାସି ପଖାଳ: ଭାତ ପଖାଳିବାର ୧୦-୧୨ ଘଣ୍ଟା ବା ୧ ଦିନ ବା ଆହୁରି କିଛି ସମୟ ରଖି ଏହା ତିଆରି କରାଯାଇଥାଏ । ଏହା କିଛି ପରିମାଣରେ ଖଟା ମଧ୍ୟ ଲାଗିଥାଏ।
  • ଜିରା ପଖାଳ: ଜିରା, ଭୃସଙ୍ଗ ପତ୍ର ଆଦିକୁ ଭାଜି ପଖାଳରେ ମିଶାଇ ଏହା ତିଆରି କରାଯାଇଥାଏ ।
  • ଦହି ପଖାଳ: ସଜ ବା ବାସି ପଖାଳରେ ଦହି ଓ ଭଜା ଜିରା, ରସୁଣ, ଭୃଷଙ୍ଗ ପତ୍ର ଆଦି ଛୁଙ୍କ ଦେଇ ଏହା ତିଆରି କରାଯାଏ।
  • ଚାଇଁ ପଖାଳ ବା ଗରମ ପଖାଳ : ସଜ ଭାତ ଗରମ ଥିବା ବେଳେ ଏଥିରେ ପାଣି ମିଶାଇ ତିଆରି କରାଯାଏ ଓ ଗରମ ଗରମ ଖିଆଯାଏ।
  • ଟଭା ପଖାଳ
  • ଅଦା ପଖାଳ
  • କଞ୍ଚାଆମ୍ବ ପଖାଳ
  • କାକୁଡ଼ିକୋରା ପଖାଳ
  • ବଡ଼ି ପଖାଳ

ପଖାଳ ସହ ଆଉ କ’ଣ ଖିଆଯାଏ:

ପଖାଳ ସହ ବଡ଼ିଚୁରା ଓ ଭଜା ସହିତ ଧନିଆ, ନଡ଼ିଆ, ପୋଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି, ଆମ୍ବୁଲ ଆଦିରେ ତିଆରି ଚଟଣି ଖିଆଯାଇଥାଏ। ରସୁଣ, ଲଙ୍କା ଓ ପଞ୍ଚୁ ଫୁଟଣରେ ଛୁଙ୍କଦେଇ ପ୍ରସ୍ତୁତ କରାଯାଇଥିବା ସୁନୁସୁନିଆ, ଲେଉଟିଆ, କୋଶଳା, ମଦରଙ୍ଗା, ଖଡ଼ା, ସଜନା, କଳମ ଆଦି ଶାଗ ମଧ୍ୟ ଖିଆଯାଇଥାଏ। ବିଭିନ୍ନ ପ୍ରକାରର ଶାଗ ପୋଡ଼ା, ମାଛ, କଙ୍କଡ଼ା ଛେଚା, ବିଶେଷ କରି ରସୁଣ ବା ପିଆଜ ଦେଇ ଭେଣ୍ଡି, ଜହ୍ନି, ସାରୁ ଚକଟା, ବଡ଼ିଚୁରା ସହିତ ପଖାଳ ଖିଆଯାଏ। ପଖାଳକୁ ବିଭିନ୍ନ ପ୍ରକାରର ଆଚାର ସହିତ ମଧ୍ୟ ଖିଆଯାଏ। ଆମ୍ବ କଷିକୁ ଛିଡ଼ାଇଦେଲେ ତା’ ଡେମ୍ଫରୁ ଯେଉଁ ନସି ବାହାରେ ତାହା ପଖାଳ ଭାତରେ ବ୍ୟବହାର କରାଯାଏ।

ଓଡ଼ିଶା ଇତିହାସରେ ପଖାଳ:

୧୯୩୪ ମସିହାରେ ଗାନ୍ଧୀଜୀ ଓଡ଼ିଶାରେ ପଦଯାତ୍ରା କରିଥିଲେ। ପିପିଲି ନିକଟସ୍ଥ ଶିଉଳା ଛକଠାରେ ପଦଯାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା । ମଧ୍ୟାହ୍ନ ଭୋଜନ ପରେ ଯେଉଁ ଭାତ ବଳିଯାଇଥିଲା, ଓଡ଼ିଆ କର୍ମୀମାନେ ତାକୁ ନଷ୍ଟ ନକରି ପଖାଳ କରିଦେଇଥିଲେ ଓ ସେଇ ପଖାଳକୁ ପଦଯାତ୍ରୀମାନେ ପୁଣି ଉପରଓଳି ଖାଇ ପାରିଥିଲେ। ଏହା ଦେଖି ମହାତ୍ମା ଗାନ୍ଧୀ କହିଥିଲେ, “ଓଡ଼ିଶାର ଲୋକମାନେ ହିଁ ଠିକ ଜାଣିଛନ୍ତି ଖାଦ୍ୟର ସଦ୍‌ବ୍ୟବହାର”।

ଓଡିଆ ଚଳଣୀରେ ପଖାଳ:

ଶ୍ରୀମନ୍ଦିରରେ-

ମହାପ୍ରଭୁଙ୍କର ଉପାସନାରେ ଅରୁଆ ପଖାଳ ପ୍ରଚଳନର ବ୍ୟବସ୍ଥା ରହିଛି । ଜଗନ୍ନାଥ କେବଳ ସନ୍ଧ୍ୟାଧୂପରେ ପଖାଳ ଭୋଗ ଗ୍ରହଣ କରନ୍ତି। ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମୟକୁ ଛାଡ଼ିଦେଲେ ବାକି ବର୍ଷର ସମସ୍ତ ଦିନରେ ପଖାଳ ଭୋଗ ହୁଏ। ଗ୍ରୀଷ୍ମଦିନେ ଶ୍ରୀଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ କରାଯାଏ। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଚନ୍ଦନଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମଦନମୋହନ ଚାପଖେଳ ପାଇଁ ବାହାରନ୍ତି। ପ୍ରତିଦିନ ସକାଳୁ ଶ୍ରୀମନ୍ଦିରରେ ଟଙ୍କ ତୋରାଣି ମିଳିଥାଏ, ଯାହା ମହାପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ।

ଛପନ ଭୋଗରେ-

ବଡ଼ଦେଉଳରେ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଛପନ ଭୋଗରେ ସନ୍ଧ୍ୟା ଧୂପରେ ପଖାଳ ଲାଗି ହୋଇଥାଏ। ମନ୍ଦିରରେ ଦୁଇ ପ୍ରକାରର ପଖାଳ ଯଥା ଚିପୁଡ଼ା ପଖାଳ : ୧୪ ଓଳି ଓ ପାଣି ପଖାଳ :୨୩ ଓଳି ଭୋଗ ଭାବରେ ଲାଗି କରାଯାଇଥାଏ।

ପର୍ବପର୍ବାଣିରେ-

ମାର୍ଗଶୀରମାସ ମାଣବସା ଗୁରୁବାର ଓଷାରେ ମହାଲକ୍ଷ୍ମୀଙ୍କଠାରେ ପଖାଳ ଓ କଳମଶାଗ ଭୋଗ ଦେବାର ପରମ୍ପରା ରହିଛି ।

ପଶ୍ଚିମ ଓଡ଼ିଶାର ଭାଇ ଜିଉନ୍ତିଆ ଓଷା ପରଦିନ ଭଉଣୀମାନେ ପଖାଳ ଖାଇବାର ପରମ୍ପରା ରହିଛି।

ବର ସହ କନ୍ୟାଘରର ପାରସ୍ପରିକ ମଧୁର ସମ୍ପର୍କ ପଖାଳରୁ ଆରମ୍ଭ ହୋଇଥାଏ । ବାହାଘର ପରେ କନ୍ୟାଘରେ ବର ଗାଧୁଆ ସାରି ନୂଆ ପୋଷାକ ପିନ୍ଧି ଶାଶୁ ବା ଭାଉଜଙ୍କ ଦ୍ୱାରା ଶାଳୀ ବା କନ୍ୟାର ସାଙ୍ଗସାଥିମାନଙ୍କ ଗହଣରେ ଦହି-ପଖାଳ ଖାଇଥାଏ।

ଲିଙ୍ଗରାଜ ମନ୍ଦିରରେ-

ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କୁ ବଡ଼ସିଂହାର ଭୋଗବେଳେ ପଖାଳ ଓ କଦଳୀ ଭଜା ଦିଆଯାଏ।

ଔଷଧୀୟ ଗୁଣ(କେଉଁମାନେ ଖାଇବେ, କେଉଁମାନେ ନ ଖାଇବେ):

ପଖାଳ ହେଉଛି ଏକ ପିତ୍ତ ନାଶକ ଖାଦ୍ୟ। ଚାଇଁ ପଖାଳ ଖାଇ ତା ତୋରାଣି ପିଇଦେଲେ କୋଷ୍ଠ କାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ଦୂର ହୋଇଥାଏ। ବାଧିକି ଥିବା ଲୋକର ପଥ୍ୟ ଭାବେ ଏହା ମଧ୍ୟ ବ୍ୟବହାର କରାଯାଇଥାଏ। ହାଣ୍ଡି କାଞ୍ଜିଦ୍ୱାରା ପେଟ ଥଣ୍ଡା ରହେ। ପିତ୍ତ ରୋଗ ବିସୂଚିକା, ଡାଏରିଆ ପାଇଁ ପଖାଳ ତୋରାଣି ଅତ୍ୟନ୍ତ ଉପକାରୀ। ମୂତ୍ରଯନ୍ତ୍ରଣାରେ ପଖାଳ ଖୁବ ଉପକାରୀ। ଯେଉଁ ବ୍ୟକ୍ତିଙ୍କ କଫ ଦୋଷଥାଏ ସେମାନେ ବାସି ପଖାଳରୁ ଦୂରେଇ ରହିବା ଭଲ। ପିତ୍ତ ଓ ବାତ ଦୋଷ କ୍ଷେତ୍ରରେ ସ୍ଥାନ ବିଶେଷରେ ପଖାଳ ଦିଆଯାଇ ପାରିବ।

ଆସାମ କୃଷି ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଅନୁସାରେ ୧୦୦ଗ୍ରାମ ଭାତରେ ମାତ୍ର ୩.୪ମିଲି ଗ୍ରାମ ଲୌହ ରହିଥାଏ । କିନ୍ତୁ ପଖାଳ ୧୨ଘଣ୍ଟା ରହିବା ପରେ ଲୌହ ପରିମାଣ ୭୩.୯୧ମିଲି ଗ୍ରାମକୁ ବଢ଼ିଯାଇଥାଏ। ସେହିପରି ସୋଡ଼ିଅମ ୪୭୫ ମିଲି ଗ୍ରାମରୁ କମି ୩୦୩ମିଲି ଗ୍ରାମ, ପୋଟାସିଅମ ୮୩୯ମିଲି ଗ୍ରାମ ଓ କ୍ୟାଲ୍‌ସିଅମ ୨୧ମିଲି ଗ୍ରାମରୁ ବଢ଼ି ୮୫୦ମିଲି ଗ୍ରାମ ହୋଇଯାଏ।

ଏହା ସହିତ ସାଧା ଭାତରେ ଥିବା ଫାଇଟିକ ଏସିଡ୍‌ ଓ ଓଲିଗୋସାକାରାଇଡ଼ସ୍ ଯୋଗୁଁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖଳାଯିବା ପରେ ଏ ଅସୁବିଧା ଦୂର ହୋଇ, ହଜମ କ୍ରିୟା ସହଜ ହୋଇଥାଏ।

Pakhala Dibasa
Advertisment
Advertisment