ଦୋଳ ଆସିଲେ ରଙ୍ଗ ଖେଳ ଠାରୁ ବେଶୀ ମନେପଡେ ଦୋଳ ବିମାନ । କୁଟିକାମ ହୋଇଥିବା କାଠର ବିମାନ ବର୍ଷ ସାରା ଘର ବାରଣ୍ଡାରେ ଥୁଆ ହେଇଥିବାର ଦେଖିବାକୁ ମିଳେ । ହେଲେ ରଙ୍ଗୀନ ବିମାନ ବର୍ଷକୁ ଥରେ ବାହାରେ । ରଙ୍ଗବେରଙ୍ଗ କପଡାରେ ସଜେଇ ହେଇ ଦୋଳ ବିମାନ ଯେତେବେଳେ ଲୋକଙ୍କ କାନ୍ଧରେ ଦୋହଲି ଦୋହଲି ଯାଏ, ରଙ୍ଗ କପଡା ସବୁ ପବନରେ ଦୋହଲୁଥାନ୍ତି । ସେ ଦୃଶ୍ୟ ସତରେ ଭୁଲିବାର ନୁହେଁ ।
ଆମ ଗାଁ ପାଖରେ ହେଉଥିବା ଦୋଳ ମେଳଣ ପୁଣି ବେଶ ପ୍ରସିଦ୍ଧ। ହଁ, ଭଦ୍ରକର ବ୍ରାହ୍ମଣୀ ଗାଁ ମେଳଣ ଆମ ଘର ପାଖାପାଖି । ପିଲାଦିନେ ଥରେ ସେଇ ମେଳଣ ଦେଖିବାକୁ ଯାଇଥିଲି । ଓଃ, କେତେ ଯେ ରଙ୍ଗବେରଙ୍ଗର ବିମାନ... ଆକାର ପ୍ରକାର, ସାଜସଜ୍ଜାରେ ଏକୁ ଆରେକ ବଳି । ପିପିଲିର ଚାନ୍ଦୁଆ ଦେଖିଲେ ମୋ ଆଖି ଆଗରେ ସେଇ ସବୁ ଚିତ୍ର ଭାସିଉଠେ । ସେସବୁ ଯଦି ଦେଖିନଥିବେ ତେବେ ରଥଯାତ୍ରାରେ ବିଭିନ୍ନ କପଡାରେ ସୂଚୀ କାମ ହୋଇ ସଜା ଯାଇଥିବା ରଥ ତ ନିଶ୍ଚୟ ଦେଖିଥିବେ । ନହେଲେ ଦେଖଥିବେ ଠାକୁର ଘରେ କି ଚଉରା ଉପରେ ଟଙ୍ଗା ଯାଇଥିବା ଚାନ୍ଦୁଆ । ଅବା ଦେଖିଥିବେ ବାହାଘର ପ୍ରୋସେସନରେ ବ୍ୟବହାର ହେଉଥିବା ରଙ୍ଗବେରଙ୍ଗ କପଡାରେ ତିଆରି ଛତା । ଏ ଯେତେସବୁ ଉଦାହରଣ ଦେଲି ସେସବୁ ଗୁଡା ଆମ ପିପିଲିର କାରିଗର ତିଆରି କରୁଥିବା ଜିନିଷ । ପିପିଲିର ଚାନ୍ଦୁଆକୁ ୨୦୦୮ରେ ତାର ସ୍ୱତନ୍ତ୍ରତା ପାଇଁ ମିଳିଛ ପୁଣି ଜି.ଆଇ ଟ୍ୟାଗ୍ ।
ଏବେ ଦୋଳ ପାଇଁ ସବୁ ସାନ ବଡ ଦୋକାନରେ ରଙ୍ଗବେରଙ୍ଗର ପିଚକାରୀ ଓ ଅନ୍ୟାନ୍ୟ ରଙ୍ଗ ଜିନିଷ । ମୋତେ କିନ୍ତୁ ପିପିଲି ବଜାର ବେଶୀ ରଙ୍ଗୀନ ଲାଗେ । ବେଶ୍ ଗାଢା ରଙ୍ଗ । ରଙ୍ଗର ଛାପ ବୁଲିବା ପାଇଁ ଯାଇଥିବା ଲୋକର ଫଟୋରେ ତ ରହିଯାଏ, ମନରେ ବି ଛପିଯାଏ । ଏଇ କିଛି ଦିନ ତଳେ ଗବେଷଣା କାମରେ ପିପିଲିର ଚାନ୍ଦୁଆ କାରିଗରଙ୍କୁ ଭେଟିବାକୁ ଯାଇଥିଲା ବେଳେ ଗୋଟେ ଶହେ ବର୍ଷର ପୁରୁଣା ଚାନ୍ଦୁଆ ଦେଖିଥିଲି । ମନେହେଲା ମୁଁ ଯେମିତି ଅତୀତର ଜଣେ କାରିଗର ବସି ଚାନ୍ଦୁଆ ବୁଣୁଥିବାର ଦେଖୁଛି । ସେଥିରେ ପିପିଲି ପ୍ରସିଦ୍ଧ ଚିକ୍କଣ ସିଲେଇ ସବୁ ପଡିଥିଲା ଯାହା ଖୁବ୍ ସ୍ୱତନ୍ତ୍ର ।

ପିପିଲି ଚାନ୍ଦୁଆ କେବେ ଆରମ୍ଭ ହୋଇଥିଲା ତାର ଗୋଟେ ସଠିକ୍ ସମୟ କହିନହେଲେ ବି ଏହା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରୀତିନୀତି ସହ ସମ୍ପୃକ୍ତ ହୋଇଥିବାରୁ ଅତି କମରେ ଆଠ ଶହ ବର୍ଷ ପୁରୁଣା ହୋଇଥିବ ବୋଲି ଅନୁମାନ କରାଯାଇପାରେ । ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ହେବା ପରେ ପ୍ରଥମେ ହୁଏତ ମନ୍ଦିର ଚୁଡାରେ ଉଡାଇବା ପାଇଁ ପତାକା ଦରକାର ହୋଇଥିବ । ଏହି ପତାକାକୁ ଆମେ ପତିତପାବନ ବାନା ବୋଲି ଜାଣୁ । ଏହାକୁ ଆଗରୁ କପିକେତନ ବାନା ବୋଲି କୁହାଯାଉଥିଲା । ସେହି ସମୟରେ ମାନେ ଦ୍ୱାଦଶ ଶତାବ୍ଦୀରେ ହୁଏତ ରାଜା ଦ୍ୱିତୀୟ ଅନଙ୍ଗଭୀମ ଦେବ ଖବର ପଠେଇଥିବେ ପିପିଲିର କାରିଗରଙ୍କ ପାଖକୁ ବାନା ଓ ଚାନ୍ଦୁଆ ଯୋଗାଇବା ପାଇଁ ।
ପରେ ପରେ ହୁଏତ ରଥଯାତ୍ରା ପାଇଁ ଦରକାର ହୋଇଥିବ ଛତି, ତ୍ରାସ, ଆଲଟ, ଆଢେଣୀ । ଦରକାର ହେଉଥିବ ବି ଅନ୍ୟ ଯାନୀଯାତ୍ରା ସମୟର କିଛି ଜିନିଷ । କାରଣ ମନ୍ଦିର ଭିତରେ ଛତି, ତ୍ରାସ, ଆଲଟ, ଆଢେଣୀ ଆଦି ପ୍ରବେଶ ନିଷେଧ । ଏନେଇ ଗୋଟିଏ ବିବାଦ ମଧ୍ୟ ହୋଇଥିଲା । ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଖଣ୍ଡପଡାର ରାଜା ଯେତେବେଳେ ନିଜର ଛତି, ତ୍ରାସ, ଆଲଟ ଆଦି ଧରି ମନ୍ଦିର ଭିତରେ ପ୍ରବେଶ କରିବାକୁ ଚେଷ୍ଟାକଲେ ସେତେବେଳେ ପୁରୀ ରାଜା ବିରୋଧ କରିଥିଲେ । ଏନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଏତେ ବଢିଥିଲା ଯେ ଶେଷରେ ଇଂରେଜ ପ୍ରଶାସକଙ୍କୁ ହସ୍ତକ୍ଷେପ କରି ତାର ସମାଧାନ କରିବାକୁ ହୋଇଥିଲା ।
ତେବେ ପିପିଲିରେ କାହିଁକି ତିଆରି ହେଲା ଚାନ୍ଦୁଆ? କିଏ ସବୁ ରହୁଥିଲେ ପିପିଲିରେ? ଏ ସମ୍ପର୍କରେ ମଧ୍ୟ ଭିନ୍ନ ଭିନ୍ନ ମତ ଅଛି । କେହି କେହି କୁହନ୍ତି ପିପିଲିର ଜନବସତି ସେଠି ଆଖପାଖରେ ରହି ଆସୁଥିବା ଲୋକଙ୍କର ନୁହେଁ । ଖଣ୍ଡପଡା, ନୟାଗଡ ଆଦି ଜାଗାରୁ ଗୋଟିଏ ଦୁଇଟି ଦରଜୀ ପରିବାର ଆସି ଏଠି ରହିଥିବେ ହୁଏତ ଏହାର ଭୌଗଳିକ ଅବସ୍ଥିତି ପାଇଁ । ପିପିଲି ମୁଖ୍ୟ ରାସ୍ତାର ବାଁ ପାଖରେ ଏବେବି ଅଛି ଗୋଟେ ବଡ ଦରଜୀ ସାହି । ସେମାନଙ୍କ ସାଙ୍ଗିଆ ପ୍ରାୟ ମହାପାତ୍ର, ମହାରଣା ଆଦି । ସେତେବେଳେ ପେଟପାଟଣା ପାଇଁ ଗାଁ ଗାଁ ବୁଲି ତାଙ୍କୁ ସିଲେଇ କାମ କରିବାକୁ ହେଉଥିଲା ।
ରଥଯାତ୍ରା କି ଜଗନ୍ନାଥଙ୍କର ଅନ୍ୟାନ୍ୟ ପର୍ବପର୍ବାଣୀ ଆସିଲେ ଆବଶ୍ୟକ ଛତି, ତ୍ରାସ ଆଦି ତିଆରି ହେଉଥିଲା । କିନ୍ତୁ ଏତିକିରେ କଣ ପରିବାର ଚଳେ ନା ଗୋଟେ ସାହିର କାରିଗର ପୁରା ନିର୍ଭର କରି ବଞ୍ଚିପାରେ । ଯେପର୍ଯ୍ୟନ୍ତ ଗୋଟିଏ କ୍ରାଫ୍ଟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସାମିଲ୍ ହୁଏନି ସେପର୍ଯ୍ୟନ୍ତ ତାହା ବହୁଳ ପ୍ରସାରିତ ହୋଇପାରେନି । କାହିଁକି ନା ସାଧାରଣ ଲୋକ କିଣିଲେ ଗୋଟିଏ ଜିନିଷ ଯେତିକି ବିକ୍ରି ହୋଇପାରିବ ଖାଲି ପର୍ଯ୍ୟଟକ କିଣିଲେ ସେତିକି ହେବନି କି ପର୍ବପର୍ବାଣୀ ପାଇଁ ସେତିକି ହେବନି । ଏମିତି ହୋଇ ବୋଧହୁଏ ପିପିଲିରେ ପ୍ରଥମେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଟେ ତିଆରି ହୋଇଥିବ ।
ସେ ସମୟରେ ଓଡିଶାର ଗାଁ ଗହଳିରେ ପାନର ବ୍ୟବହାର ବହୁତ ଥିଲା । ଘରେ ଘରେ ତ ପାନ ଥାଳିଆ ଥିଲା କିନ୍ତୁ ବନ୍ଧୁଘରକୁ କି ହାଟବଜାର ଗଲାବେଳକୁ ତାକୁ ପୁଣି କେଉଁଠି ଗୋଟେ ରଖି ନେଇକି ଯିବାକୁ ତ ହେବ । ଏହି କଥା ଭାବି ପିପିଲିର କାରିଗରମାନେ ଗୋଟେ କପଡାର ଥଳି ତିଆରି କଲେ, ଯାହାର ନାଁ ଥିଲା ବଟୁଆ । ଲୋକ ତାକୁ ହାତରେ ଧରୁଥିଲେ ଆଉ କମରରେ ବାନ୍ଧି ପାରୁଥିଲେ ବି । ପାନ ସାଙ୍ଗକୁ ଆଗକାଳର କଉଡି ରଖିବାକୁ ବି ଲୋକେ ବଟୁଆ କିଣିଲେ । ଆଜିକାଲି ପରି ତ ସେତେବେଳେ କାଗଜ ଟଙ୍କାର ବ୍ୟବହାର ନଥିଲା । ଛୋଟିଆ ଜିନିଷଟେ କିଣିବାକୁ ବି ପଣପଣ କଉଡି ନେବାକୁ ହେଉଥିଲା । ତେଣୁ କାରିଗରଙ୍କର ବିକ୍ରିବଟା କିଛି ହେଲା ।

ଜଗନ୍ନାଥ ମନ୍ଦିରକୁ ଯାଉଥିବା ତୀର୍ଥ ଯାତ୍ରୀମାନେ ହୁଏତ ତାଙ୍କଠାରୁ ଏ ଜିନିଷ ସେତେବେଳେ କିଣୁଥିଲେ । ତା ପରେ ପରେ ଗୋଟେ ଗୋଟେ ହୋଇ ଆହୁରି ବହୁତ ଜିନିଷ ଯୋଡିହେଲା । ଏଇ ଯେମିତି ଜିନିଷପତ୍ର ନେବା ଆଣିବା ପାଇଁ କୋଥଳୀ । କୋଥଳୀକୁ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ କପଡା ଯୋଡି ତିଆରି କରାଗଲା । ଏହା ସୁନ୍ଦର ତ ଦେଖାଗଲା ଲୋକପ୍ରିୟ ବି ହେଲା । ପରେ ପରେ ବିଭିନ୍ନ ରାଜାମାନେ ପିପିଲିର ଦରଜୀମାନଙ୍କ କାମକୁ ପ୍ରୋତ୍ସାହିତ କଲେ । ସେହି ସମୟରେ ପୁରୀ ମନ୍ଦିରରେ ଦରଜୀଙ୍କୁ ମଧ୍ୟ ସେବାୟତ ଭାବେ ସ୍ୱୀକୃତି ମିଳିଲା ।
ଜଗନ୍ନାଥଙ୍କର ବିଭିନ୍ନ ଯାନୀଯାତ୍ରାରେ ଭିନ୍ନ ଭିନ୍ନ ପ୍ରକାରର ଚାନ୍ଦୁଆ ତିଆରି କରିବାର ନିୟମ ଅଛି । ରଥଯାତ୍ରା ଚାନ୍ଦୁଆରେ ରାହୁ ଓ କଳସ ଥିବା ବେଳେ ସ୍ନାନଯାତ୍ରାରେ ହୁଏ ତ୍ରିମୁଣ୍ଡିଆ ଚାନ୍ଦୁଆ । ଜଗନ୍ନଥଙ୍କ ପାଇଁ ତ୍ରାସ ବି ଦୁଇ ପ୍ରକାର ତିଆରି ହୁଏ । ହଳଦିଆ ରଙ୍ଗରେ ତିଆରି ହୁଏ ଗରୁଡ ତ୍ରାସ । କଳା କନାରେ ତିଆରି ହୁଏ ଗୋବିନ୍ଦ ତ୍ରାସ । ଶ୍ରୀମନ୍ଦିର ପୂଜାଅର୍ଚ୍ଚନା ପାଇଁ ବି ଆହୁରି ଅନେକ ଜିନିଷ ତିଆରି କରନ୍ତି ଦରଜିମାନେ । ଯଥା; ତାଟ ସିଲାଇ, ଡମ୍ବରୁ ସିଲାଇ, ଚକା, ଅପସର, କନାଟି ଛତି ସିଲାଇ, ଟୋକାଇ ସିଲେଇ, ହଡପମୁଣା ଦଶ ଅବତାର ସିଲାଇ, ଛୁରୀଖଣ୍ଡ ସିଲାଇ, ସେନାପଟା ସିଲାଇ, ଶୁଆଥଣ୍ଟିଆ ସିଲାଇ, ରସିକ ସିଲାଇ ଇତ୍ୟାଦି ।
ଅନେକ ଦିନ ତଳେ ପିପିଲିର ଦରଜୀମାନଙ୍କ ସୂଚୀକାମରେ ସନ୍ତୁଷ୍ଟ ହୋଇ ରାଜା ଖଣ୍ଡିଏ ଜଗନ୍ନାଥ ଦାରୁ ଓ ପତିତପାବନ ମୂର୍ତ୍ତି ଉପହାର ଦେଇଥିଲେ । ଆଜି ବି ତାହା ସେଇଠି ମନ୍ଦିରରେ ପୂଜା ପାଉଛି । ଏତଦ୍ ବ୍ୟତୀତ ବିଭିନ୍ନ ଭକ୍ତ ଭିନ୍ନ ଭିନ୍ନ ସମୟରେ ମାନସିକ ରଖି ପୂର୍ଣ୍ଣ ହେଲେ ପତିତପାବନ ବାନା ଦିଅନ୍ତି ।
ଚାନ୍ଦୁଆ କେବଳ ପୂଜା ଘରେ ନୁହେଁ କେତେକ ଗଡଜାତ ରାଜା ନିଜ ଦରବାର, ବୈଠକଖାନା ଆଦିରେ ଲଗାଉଥିଲେ । ତା ସହ ସାଜସଜ୍ଜା ପାଇଁ ତ୍ରାସ, ଆଲଟ ବି ନେଉଥିଲେ । ତେବେ ପୁରୀର କାରିଗର ତିଆରି କରୁଥିବା ଚାନ୍ଦୁଆ ଓ ପିପିଲିର କାରିଗର ତିଆରି କରୁଥିବା ଚାନ୍ଦୁଆ ଭିତରେ ରଙ୍ଗ, ଫୁଲ ଓ ଡିଜାଇନର କିଛିଟା ଫରକ ରହିଛି ।
ପିପିଲିର ୨୦ କି.ମି ଭିତରେ ଅନେକ ହିନ୍ଦୁ ଓ ମୁସଲିମ୍ କାରିଗର ବସବାସ କରନ୍ତି ଯେଉଁମାନେ ପିପିଲି ଚାନ୍ଦୁଆ ତିଆରି କରନ୍ତି । କେହି କେହି କୁହନ୍ତି ବିଭିନ୍ନ ସମୟରେ ମୋଗଲ ରାଜାମାନେ ଓଡିଶା ଆସିଥିବା ବେଳେ ତାଙ୍କ ସାଙ୍ଗରେ ଆସିଥିବା କିଛି ଚାନ୍ଦୁଆ କାରିଗର ପିପିଲିରେ ରହିଯାଇଥିଲେ । ଆଜି ବି ପିପିଲିରେ ଉଭୟ ବେଶ୍ ସୌହାର୍ଦ୍ଧ୍ୟପୂର୍ଣ୍ଣ ଭାବରେ ରୁହନ୍ତି ।
ପିପିଲିର କାରିଗରୀକୁ ଆମେ ଆପ୍ଲିକ୍ ବୋଲି କହୁ । ଏହାର ଅର୍ଥ ସୁକ୍ଷ୍ମ ସୂଚୀ କାର୍ଯ୍ୟ । ଏହା ବହୁତ ସମୟ ସାପେକ୍ଷ କାମ । ଗୋଟିଏ କପଡା ଉପରେ ପ୍ରଥମରୁ ଧଳା ରଙ୍ଗରେ ଚିତ୍ର କରିଦେଇ କେଉଁଠି କଣ ରହିବ ଚିହ୍ନ ଦିଆ ହୋଇଯାଏ । ତାପରେ ଅନ୍ୟ କପଡାରେ ଶୁଆ, ହାତୀ, ପଦ୍ମ, ଆଦି ବିଭିନ୍ନ ଚିତ୍ର ଅଙ୍କା ଯାଇ ମୂଳ କପଡା ଉପରେ ରଖି ସିଲେଇ କରାଯାଏ । ଏଇ ସିଲେଇ ପୁଣି ବିଭିନ୍ନ ପ୍ରକାରର । ଯଥା; ଚିକ୍କଣ ସିଲେଇ, ଗଣ୍ଠି ସିଲେଇ, ଗାଜ ସିଲେଇ, ତୋରପା ସିଲେଇ, ବଖିଆ ସିଲେଇ । ଏଥିରେ ପୁଣି ଗୋଟି ଗୋଟି ଧାଡି ଡିଜାଇନ୍ ହୁଏ, ଯେମିତି; ହଂସ ପଟି, ହାତୀ ପଟି, ନହର ପଟି, କଳସ ପଟି, ସାଧା ପଟି ଇତ୍ୟାଦି ।
ଏବେ ସମୟ ବଦଳିଛି । ହାତ ବଦଳରେ ମେସିନ୍ ବୁଣା ଓ ସିଲେଇର ବେଶୀ ବ୍ୟବହାର ହେଉଛି । କପଡାର ମାନ କମିଛି । ନୂଆ ଲ୍ୟାମ୍ପସେଡ ପରି ଜିନିଷ ବେଶୀ ବେଶୀ ତିଆରି ହେଉଛି । ସଜାସଜିରେ ତାର ବ୍ୟବହାର ବଢିଛି । ଆଜିକାଲି ଚାନ୍ଦୁଆରେ ସିଲେଇ ପରିବର୍ତ୍ତେ ଆଇନାର ବ୍ୟବହାର ବେଶୀ ବଢିଛି । ତେବେ ଏସବୁ ଲୋକମାନଙ୍କର ପସନ୍ଦ ଓ କମ୍ ଅର୍ଥରେ ଜିନିଷ କିଣିବା ପାଇଁ ହୋଇଛି ବୋଲି ହିଁ ଜଣାପଡେ । ତେବେ ପିପିଲି ଚାନ୍ଦୁଆ କାମ ଖରାପ ହୋଇଗଲାଣି କହିବା ଆଗରୁ ଆମକୁ ଭାବିବାକୁ ହେବ ଯେ ଆମ ପସନ୍ଦର ମାନ କମିଯାଇନି ତ? ନିଜକୁ ପ୍ରଶ୍ନ କଲେ ସଠିକ ଉତ୍ତର ମିଳିଯିବ ହୁଏତ ।