• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ପ୍ରଭୁ ରାମଙ୍କ ପବିତ୍ର ଜନ୍ମ ଦିବସ ରୂପେ ଭାରତରେ ହିନ୍ଦୁଙ୍କ ଦ୍ୱାରା ନିଷ୍ଠାର ସହ ପାଳନ ହୁଏ। ରାମାୟଣରୁ ଜଣାଯାଏ ଚୈତ୍ର ଶୁକ୍ଳ ନବମୀ ଦିନ କର୍ଟକ ଲଗ୍ନରେ ପୁନର୍ବସୁ ନକ୍ଷତ୍ର ସମୟରେ ପଞ୍ଚଗ୍ରହ ଉଚ୍ଚ ସ୍ଥାନରେ ଓ ସୂର୍ଯ୍ୟ ମେଷ ରାଶି ଉପରେ ଥିବାବେଳେ ବା ମଧ୍ୟାହ୍ନ ସମୟରେ ପରମାତ୍ମା ରାମ ଆବିର୍ଭୁତ ହୋଇଥିଲେ।

ରାମଙ୍କ ନାମ ରାମଚନ୍ଦ୍ର କିପରି ହେଲା?

ରାମଙ୍କ ଜନ୍ମ ପରେ ଚନ୍ଦ୍ର ତାଙ୍କୁ ଦେଖା କରିବା ଆଶାରେ ଗଲେ। ମାତ୍ର ମନରେ ତାଙ୍କର ଦୁଃଖଟିଏ ଥିଲା। ଅନ୍ତର୍ଯ୍ୟାମୀ ଚନ୍ଦ୍ରଙ୍କ ଦୁଃଖ ଜାଣିପାରି ପଚାରିଲେ, ତୁମ ମନରେ ଦୁଃଖ କାହିଁକି ମୋତେ ଖୋଲି କୁହ। ଚନ୍ଦ୍ର କହିଲେ, ପ୍ରଭୁ ! ପାପୀଙ୍କୁ ଉଦ୍ଧାର କରିବା, ଦୁଃଖ ନାଶ କରିବା, ଦୁଷ୍ଟ ବିନାଶ କରି ଧର୍ମ ସ୍ଥାପନ କରିବା ତ ଆପଣଙ୍କ ଅବତାରର ଉଦ୍ଦେଶ୍ୟ। କିନ୍ତୁ ମୁଁ ବୁଝି ପାରୁନାହିଁ ଆପଣ ଦିନରେ କାହିଁକି ଜନ୍ମ ହେଲେ।

ରାତି ତା’ର ଅନ୍ଧକାର ଯୋଗୁଁ ନିନ୍ଦା ପାଏ, ଏହି ଅନ୍ଧାରରେ ସଂସାରର ସବୁ ପାପ ଓ ଅକାର୍ଯ୍ୟ ଘଟେ। ଚୋରି ଡକାୟତି ପରି ଖରାପ କାମ ଦୁଷ୍ଟ ଲୋକମାନେ କରନ୍ତି ଏଇ ରାତିରେ। ତେଣୁ ହେ ପତିତପାବନ ! ଆଲୋକହୀନ ଏ ପାପୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆପଣଙ୍କୁ ରାତିରେ ଜନ୍ମ ନେବାର ଥିଲା। ଆପଣ ତ ମର୍ତ୍ତ୍ୟରେ ଅବତରଣ କରିଛନ୍ତି। ଆପଣ ସବୁ ପ୍ରକାରର ଉଚ୍ଚତମ ଆଦର୍ଶର ଅଧିକାରୀ, ପ୍ରତି ସଦ୍‌ଗୁଣର ସ୍ଵୟଂ ପ୍ରକାଶ ଓ ସକଳ ବିପଦରୁ ଉର୍ଦ୍ଧ୍ବରେ।

ସାଧାରଣତଃ ନେତାମାନେ ପକ୍ଷାପାତୀ ଦୋଷରେ ନିନ୍ଦିତ ହୁଅନ୍ତି। ଏ ଦୃଷ୍ଟିରୁ ମଧ୍ୟ ଆପଣ ଦୋଷଯୁକ୍ତ। ଲୋକେ କହବେ ସୂର୍ଯ୍ୟ ଦିନର ଦେବତା ଓ ସୂର୍ଯ୍ୟଦେବ ରାମଙ୍କ ପୂର୍ବପୁରୁଷ ହୋଇଥିବାରୁ, ରାମ ଦିନରେ ଜନ୍ମ ନେଇଛନ୍ତି। ରାମଚନ୍ଦ୍ରଙ୍କ ମନକଥା ବୁଝିପାରି ଶପଥ କରି କହିଲେ, ମୁଁ ପରବର୍ତ୍ତୀ ଅବତାରରେ ଶ୍ରୀକୃଷ୍ଣ ରୂପେ ରାତି ଅଧରେ ଜନ୍ମ ନେବି।

ରାମଙ୍କ କଥାରେ ଚନ୍ଦ୍ର ତଥାପି ସନ୍ତୁଷ୍ଟ ହେଲେ ନାହିଁ। କାରଣ ତାଙ୍କୁ ରାମଙ୍କ ପରବର୍ତ୍ତୀ ଅବତାର ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ। ଅନ୍ତର୍ଯ୍ୟାମୀ ରାମଚନ୍ଦ୍ରଙ୍କ ମନର ଦୁଃଖକୁ ବୁଝିପାରି କହିଲେ, ମୁଁ ତୁମକୁ ମୋ ସହ ମିଶାଇ ଦେଉଛି। ଏହି ମୁହୂର୍ତ୍ତରୁ ତୁମ ନାମ ‘ଚନ୍ଦ୍ର’ ମୋ ନାମ ‘ରାମ’ ସହ ଯୋଗ ହେଲା। ଏହିପରି ରାମ ରାମଚନ୍ଦ୍ର ହେଲେ।

ରାମ ଅବତାରର ମହତ୍ତ୍ଵ

ରାମ ଅବତାର ହେଉଛି ଧର୍ମ ଅବତାର। ରାମ ଅବତାରରୁ ଶିକ୍ଷା ମିଳେ ଯେ ସମସ୍ତେ ସଂସାର ବିମୁଖ ଭାବ ଦେଖାଇ ନିଜ ନିଜ ଧର୍ମ ପାଳନ କରିବା ଉଚିତ। ନିଜେ ରାମ ପିତୃ ସତ୍ୟ ପାଳନ ଧର୍ମର ମୂଳ ସ୍ଥାପନ କରିଛନ୍ତି।

ରାମଙ୍କ କମମୀୟ ରୂପରେ ଆବିଳତା ନାହଁ। ତାଙ୍କ ନାମ ସହଜେ ମୁକ୍ତି ପ୍ରଦାନକାରୀ। ରାବଣ ଅଶୋକ ବନରେ ବହୁବାର ସୀତାଙ୍କୁ ବୁଝାଇ ବୁଝାଇ ଥକିଲା ପରେ, ଉପାୟଶୂନ୍ୟ ହୋଇ ବସିଥିଲା ବେଳେ, ତା’ର ଜଣେ ଅନୁଚର କହିଲା, ଆପଣ ତ ଯେକୌଣସି ରୂପଧାରଣ କରିବାକୁ ସକ୍ଷମ। ତାହେଲେ ଆପଣ ମାୟାରେ ରାମବେଶ ଧାରଣ କରୁ ନାହାଁନ୍ତି କାହିଁକି? ସୀତା ତ ଆପଣଙ୍କ ବଶ ହୁଅନ୍ତେ। ରାବଣ ଦୀର୍ଘଶ୍ବାସ ପକାଇ କହିଲା- ‘ମୁଁ କ’ଣ ତାହା ଜାଣେ ନାହିଁ। ତୋ କହିବା ଆଗରୁ ମୁଁ ଚେଷ୍ଟା କରଥିଲି। ମାତ୍ର ରାମ ଶରୀର ଧାରଣ କଲାମାତ୍ରେ ମୋ ମନ ମଧ୍ୟରୁ ରହସ୍ୟଜନକ ଭାବେ ପର ସ୍ତ୍ରୀ ହରଣ ଭାବନା କେଉଁ ଆଡ଼େ ଚାଲିଗଲା।”

ରାମଙ୍କ ମାନବ ଅବତାରର ରହସ୍ୟ

ଭଗବାନ ବିଷ୍ଣୁ ଜାଣିଥିଲେ ଯେ, ତ୍ରେତୟା ଯୁଗରେ ପ୍ରବଳ ପରାକ୍ରମୀ ଅସୁର ରାଜା ରାବଣର ବଧ ପାଇଁ ତାଙ୍କୁ ଅବତାର ଗ୍ରହଣ କରିବାକୁ ହେବା। ରାବଣର ଉତ୍ପାତରେ ଅତିଷ୍ଠ ହୋଇ ଦେବଗଣ ଯେତେବେଳେ ସେଥିରୁ ମୁକ୍ତି ପାଇବା ନିମନ୍ତେ ତାଙ୍କୁ ପ୍ରାର୍ଥନା କଲେ, ସେ ଦେବଗଣଙ୍କୁ ପଚାରିଲେ ଯେ, ରାକ୍ଷସରାଜ ରାବଣର ବଧ ପାଇଁ କି ଉପାୟ ଅଛି କୁହ। ତାଙ୍କର ସେହି ପ୍ରଶ୍ନ ଶୁଣି ଦେବଗଣ କହିଲେ- ହେ ପ୍ରଭୁ! ଆପଣ ମାନବ ରୂପରେ ଜନ୍ମ ଗ୍ରହଣ କରି ରାବଣକୁ ଯୁଦ୍ଧରେ ନିହତ କରନ୍ତୁ!

ସେହି ରାକ୍ଷସ ଲୋକସ୍ରଷ୍ଟା ବ୍ରହ୍ମାଙ୍କୁ ତପସ୍ୟା ବଳରେ ପ୍ରସନ୍ନ କରି ବରପ୍ରାପ୍ତ, ଯେ କେବଳ ମନୁଷ୍ୟ ବ୍ୟତୀତ ଆଉ କାହାଠାରୁ ତା’ର କୌଣସି ଭୟ ନାହିଁ। ସେହି ବରପ୍ରାପ୍ତି ସମୟରେ ରାବଣ ମନୁଷ୍ୟଙ୍କୁ ଦୁର୍ବଳ ଓ ହେୟ ବୋଲି ମନେ କରି ଏହି ବରକୁ ଆନନ୍ଦର ସହ ଗ୍ରହଣ କରିଥିଲା। ଦେବଗଣଙ୍କର ସେହି କଥା ଶୁଣି, ଭଗବାନ ବିଷ୍ଣୁ ତାଙ୍କର ତ୍ରେତୟା ଯୁଗର ଅବତାରରେ ରାଜା ଦଶରଥ ହିଁ ତାଙ୍କର ପିତା ହେବେ ବୋଲି ଇଚ୍ଛା ପ୍ରକାଶ କଲେ।

ଶ୍ରୀ ମନ୍ଦିରରେ ରାମଜନ୍ମ

ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମଙ୍କଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ। ସ୍ୱୟଂ ପ୍ରଭୁ ଶୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତିରେ ଶ୍ରୀରାମଙ୍କୁ ଜନ୍ମଦେବେ, ତେଣୁ ପ୍ରସବ ବେଦନାକୁ ଲାଘବ କରିବା ପାଇଁ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଁ ଭୋଗ କରାଯିବ, ତାହା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଏ। ନବମୀ ଦିନ ଠାକୁର ମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ।

ଦୁଇଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ କରିଥାନ୍ତି। ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରାଯାଇଥାଏ। ଶ୍ରୀରାମ ଜନ୍ମ ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଯାଏ। ଏହାପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହୀ କରାଇଥାନ୍ତି।

ଏମିତି ପୁରୁଷୋତ୍ତମ ଥିଲେ ପ୍ରଭୂ ରାମ। ପୃଥିବୀରେ ମହାନ ଆଦର୍ଶ ସହ ଧର୍ମ ପ୍ରତିଷ୍ଠା କରିଥିଲେ ପ୍ରଭୁ ରାମଚନ୍ଦ୍ର।