ମହାଳୟା ପରମ୍ପରା ପିତୃପକ୍ଷର ଶେଷକୁ 'ତର୍ପଣ' ଦ୍ୱାରା ଚିହ୍ନିତ କରାଯାଏ, ଯାହା ହିନ୍ଦୁ ପରମ୍ପରାରେ ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଏକ ପ୍ରଥା। ଶ୍ରଦ୍ଧାଳୁ ଗଙ୍ଗା କିମ୍ବା ଅନ୍ୟାନ୍ୟ ନଦୀ ଜଳରେ ଏକ ପବିତ୍ର ବୁଡ଼ ପକାନ୍ତି ଏବଂ ଦିବଂଗତ ଆତ୍ମା ପାଇଁ ପ୍ରାର୍ଥନା କରନ୍ତି।
ମହାଳୟା ଆଧ୍ୟାତ୍ମିକ ପ୍ରବୃତ୍ତିର କେନ୍ଦ୍ର। ଏହା ହିନ୍ଦୁ ପରମ୍ପରାରେ ପୈତୃକ ଶ୍ରଦ୍ଧାଞ୍ଜଳି ପାଇଁ ଉତ୍ସର୍ଗୀକୃତ ୧୬ ଦିନିଆ ଏକ ପବିତ୍ର ଭାବନା। ମହାଳୟା ପରେ 'ଦେବୀପକ୍ଷ' ଆରମ୍ଭ ହୁଏ। ତେବେ ଆସନ୍ତୁ ପୈତୃକ ଶ୍ରଦ୍ଧାଞ୍ଜଳିକୁ ନେଇ କ’ଣ କୁହେ ଗରୁଡ ପୁରାଣ ସେ ବିଷୟରେ ଜାଣିନେବା।
ଗରୁଡ ପୁରାଣ ହିନ୍ଦୁ ଧର୍ମର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ, ଯାହା ଅଷ୍ଟାଦଶ ମହାପୁରାଣ ମଧ୍ୟରୁ ଅନ୍ୟତମ। ଗରୁଡ ପୁରାଣ ଭଗବାନ ବିଷ୍ଣୁଙ୍କ ପୂଜା, ଜ୍ଞାନ, ନୀତି, ଧର୍ମ ଏବଂ ମୃତ୍ୟୁ ପରର ଘଟଣା ଉପରେ କେନ୍ଦ୍ରିତ।
Also Read
ମୃତ୍ୟୁ ପରର ସ୍ଥିତିକୁ ନେଇ ଗରୁଡ ପୁରାଣରେ ଆଲୋଚନା କରାଯାଇଛି। ଏହା ବ୍ୟତୀତ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଉପାୟ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ପିତୃପୁରୁଷଙ୍କ ଶାନ୍ତି ପାଇଁ ପ୍ରତିବର୍ଷ ପିତୃପକ୍ଷରେ ଶ୍ରାଦ୍ଧ, ତର୍ପଣ ଇତ୍ୟାଦି କରାଯାଏ। ଗରୁଡ ପୁରାଣରେ ଶ୍ରାଦ୍ଧ ଦେବାର ନିୟମ ଏବଂ ବିଧି ଉପରେ କୁହାଯାଇଛି।
ତର୍ପଣ ନିୟମ କ’ଣ:
- ତର୍ପଣ ଅର୍ପଣ କରିବାବେଳେ ଦକ୍ଷିଣ ଦିଗକୁ ଚାହିଁ ଗାୟତ୍ରୀ ମନ୍ତ୍ର ପଢାଯିବା ଉଚିତ। କାରଣ ଏହି ଦିଗ ପୂର୍ବପୁରୁଷଙ୍କର ବୋଲି ବିବେଚନା କରାଯାଏ।
- ଏହା ପରେ, ଆଣ୍ଠୁକୁ ଭୂମିରେ ମାଡି ଡାହାଣ କାନ୍ଧରେ ଗାମୁଛା ପକେଇ ତର୍ପଣ କରାଯାଏ। ମନେରଖନ୍ତୁ ଯେ ତର୍ପଣ ପାଇଁ ଷ୍ଟିଲ୍, ଲୁହା କିମ୍ବା ପ୍ଲାଷ୍ଟିକ୍ ପାତ୍ର ବ୍ୟବହାର କରାଯାଏ ନାହିଁ। ଏଥିପାଇଁ ରୂପା, ତମ୍ବା କିମ୍ବା ପିତ୍ତଳ ପାତ୍ର ବ୍ୟବହାର କରାଯିବା କଥା ବୋଲି ଗରୁଡ ପୁରାଣରେ କୁହାଯାଇଛି।
- ଶ୍ରାଦ୍ଧ ଦେବା ବେଳେ ସର୍ବଦା ଧଳା ରଙ୍ଗର ଫୁଲ ବ୍ୟବହାର କରାଯାଏ। ଶ୍ରାଦ୍ଧରେ ବେଲପତ୍ର, ମାଳତି, ଚମ୍ପା, ନାଗକେଶର, କନିଅର୍, କାଞ୍ଚନ ଏବଂ ନାଲି ରଙ୍ଗର ଫୁଲ ବ୍ୟବହାର ନିଷେଧ।
ଶ୍ରାଦ୍ଧ ଭୋଜନ ନିୟମ:
ଶ୍ରାଦ୍ଧ ଭୋଜନରେ ୫ଟି ଯାଗାରେ ଗୋଟିଏ ପତ୍ରରେ ଖାଦ୍ୟ ବଢାଯାଏ। ଏଥିରେ ପ୍ରଥମ ଭାଗ ଗାଈ ପାଇଁ, ଦ୍ୱିତୀୟ ଭାଗ କୁକୁର ପାଇଁ, ତୃତୀୟ ଭାଗ କାଉ ପାଇଁ, ଚତୁର୍ଥ ଭାଗ ଦେବତାଙ୍କ ପାଇଁ ଏବଂ ପଞ୍ଚମ ଭାଗ ପିମ୍ପୁଡ଼ି ପାଇଁ ବଢାଯାଏ। ଶ୍ରାଦ୍ଧ ଭୋଜନକୁ ସର୍ବଦା ଖୁସି ମନରେ ପରିବେଷଣ କରାଯିବା ଉଚିତ ଏବଂ ଏହି ସମୟରେ ସମ୍ପୂର୍ଣ୍ଣ ନିରବ ରହିବା ଉଚିତ।