ମହାଳୟା ଶ୍ରାଦ୍ଧ ଭାଦ୍ରବ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମାରୁ ଆରମ୍ଭ ହୁଏ। ସନାତନ ଧର୍ମରେ ମହାଳୟାର ଏକ ବିଶେଷ ମହତ୍ତ୍ୱ ରହିଛି। ମହାଳୟା ଦିନକୁ ନବରାତ୍ରୀ ଏବଂ ପିତୃପକ୍ଷର ମିଳନ ସମୟ ମଧ୍ୟ କୁହାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ମା’ ଦୁର୍ଗାଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ ଏବଂ ଗୃହକୁ ଆବାହନ କରାଯାଏ।
ମହାଳୟାର ଇତିହାସ:
ପୁରାଣରେ କୁହାଯାଇଛି ଯେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ରାକ୍ଷସ ରାଜା ମହିଷାସୁରକୁ ପରାସ୍ତ କରିବା ପାଇଁ ଦେବୀ ଦୁର୍ଗାଙ୍କୁ ସୃଷ୍ଟି କରିଥିଲେ। ମହିଷାସୁରକୁ ବରଦାନ ମିଳିଥିଲାଯେ, ଦେବୀ ଦେବତା ସମେତ କେହି ବି ତା’ର ବିନାଶ କରିପାରିବେ ନାହିଁ। ଦେବୀ ଦୁର୍ଗାଙ୍କ ସୃଷ୍ଟିକର୍ତ୍ତାମାନେ ତାଙ୍କୁ ମହିଷାସୁର ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଅନେକ ଅସ୍ତ୍ରଶସ୍ତ୍ର ଦେଇଥିଲେ। ମୌଳିକ ଭାବରେ ମହାଳୟା ଦେବୀ ହେଉଛନ୍ତି ଦୁର୍ଗାଙ୍କ ପ୍ରତୀକ। ଦେବୀ ଦୁର୍ଗାଙ୍କୁ ପରମ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଏ।
Also Read
ଦେବୀ ଦୁର୍ଗା ଏବଂ ମହିଷାସୁର ମଧ୍ୟରେ ନଅ ଦିନ ଧରି ଯୁଦ୍ଧ ଚାଲିଥିଲା। ଦଶମ ଦିନରେ ସେ ମହିଷାସୁରକୁ ପରାସ୍ତ କଲେ। ଏଥିପାଇଁ ଦେବୀ ଦୁର୍ଗାଙ୍କୁ ଶକ୍ତିର ଅବତାର ଭାବରେ ସମ୍ମାନିତ କରି ଭକ୍ତମାନେ ଦଶ ଦିନକୁ ବହୁତ ଉତ୍ସାହର ସହିତ ପାଳନ କରନ୍ତି। ଦେବୀ ଦୁର୍ଗା ମହାଳୟାଙ୍କ ପ୍ରତୀକ ହୋଇଥିବାରୁ ଏହାକୁ ମହାଳୟା ନାମରେ ମଧ୍ୟ ନାମିତ କରାଯାଇଛି।
କ’ଣ କୁହେ କିମ୍ବଦନ୍ତୀ :
ମହାଳୟା ଅମାବାସ୍ୟା ସହିତ ଜଡିତ କିମ୍ବଦନ୍ତୀ ଜଟିଳ ଏବଂ ବିବିଧ। ତେବେ ମୂଳ ବିଚାର ଅନୁଯାୟୀ ତିନି ପିଢି ପର୍ଯ୍ୟନ୍ତ ପିତୃପୁରୁଷମାନେ ତୁରନ୍ତ ସ୍ୱର୍ଗକୁ ଯାଇପାରନ୍ତି ନାହିଁ। ଫଳରେ ସେମାନେ ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ ଅବସ୍ଥିତ ଏକ ମଧ୍ୟବର୍ତ୍ତୀ କ୍ଷେତ୍ରରେ ବାସ କରନ୍ତି। ଏହି ମଧ୍ୟବର୍ତ୍ତୀ କ୍ଷେତ୍ରକୁ ' ପିତୃଲୋକ' କୁହାଯାଏ। ବିଶ୍ୱାସ କରାଯାଏ ଯେ ପ୍ରତିବର୍ଷ ଏହି ମହାଳୟାରେ ପିତୃପୁରୁଷମାନେ ସେମାନଙ୍କ ବଂଶଧରମାନଙ୍କ ଘରକୁ ଆସନ୍ତି ଏବଂ ତା’ପରେ ସ୍ୱର୍ଗ ଆଡକୁ ଯାଆନ୍ତି।
କିପରି ପାଳନ ହୁଏ:
ପିତୃପୁରୁଷମାନଙ୍କୁ ମହାଳୟା ଦିନ ସ୍ମରଣ କରାଯାଏ। ଶ୍ରଦ୍ଧାଳୁମାନେ ସେମାନଙ୍କ ପୂର୍ବପୁରୁଷଙ୍କ ସ୍ମୃତିରେ ତର୍ପଣ କରନ୍ତି। ପବିତ୍ର ଗଙ୍ଗା ନଦୀ ହେଉ କି ଅନ୍ୟାନ୍ୟ ନଦୀକୂଳରେ ଖାଲି ପେଟରେ ତର୍ପଣ ଦିଆଯାଏ। ରୀତିନୀତି ସମାପ୍ତ କରିବା ପରେ ଶ୍ରଦ୍ଧାଳୁମାନେ ଖାଦ୍ୟ ଗ୍ରହଣ କରନ୍ତି।
ମହାଳୟା ପିତୃପକ୍ଷର ସମାପନର ପ୍ରତୀକ ହୋଇଥିବାରୁ ଏହାକୁ ପିତୃ ଅମାବାସ୍ୟା ମଧ୍ୟ କୁହାଯାଏ। କେତେକ ହିନ୍ଦୁ ଘରେ ଏହି ଦିନ ପିତୃ ତର୍ପଣ ନାମରେ ମଧ୍ୟ ପାଳନ କରାଯାଏ। ଏହି ରୀତିନୀତି ଅନୁଯାୟୀ, ଦିବଂଗତ ପିତୃପୁରୁଷଙ୍କ ସମ୍ମାନାର୍ଥେ ପବିତ୍ର ନଦୀ କୂଳରେ ପ୍ରାର୍ଥନା ଓ ପିଣ୍ଡଦାନ କରାଯାଏ।
ବିଶ୍ୱାସ କରାଯାଏ ଯେ ମହାଳୟା ଅମାବାସ୍ୟା ସକାଳେ ପିତୃପୁରୁଷଙ୍କୁ ଭବ୍ୟ ବିଦାୟ ଦିଆଯାଏ। ଏପରି କରି ଜୀବିତ ଲୋକମାନେ ସେମାନଙ୍କ ଆଶୀର୍ବାଦ ଏବଂ ସୁଖ ପ୍ରାପ୍ତ କରନ୍ତି।