/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749103158.jpeg)
ମହାକୁମ୍ଭ ଅଭିଷେକ
ସାତଟି ରହସ୍ୟମୟ ତଥା ଗୁପ୍ତ ଭଣ୍ଡାର ପାଇଁ ପ୍ରସିଦ୍ଧ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରରେ ୨୭୦ ବର୍ଷ ପରେ ଏକ ବିଶାଳ ଧାର୍ମିକ ଅନୁଷ୍ଠାନ ଆୟୋଜିତ ହେବାକୁ ଯାଉଛି । ଏପରି ଅନୁଷ୍ଠାନ ଦଶନ୍ଧି ନୁହେଁ ଶତାଦ୍ଦୀରେ ଥରେ ଆୟୋଜନ କରିବାର ସୁଯୋଗ ମିଳେ । କେରଳର ରାଜଧାନୀ ଥିରୁଅନନ୍ତପୁରମର ସ୍ଥିତ ବିଶ୍ୱ ପ୍ରସିଦ୍ଧ ପଦ୍ମନାଭସ୍ୱାମୀ ମନ୍ଦିରରେ ପ୍ରାୟ ତିନି ଶତାବ୍ଦୀ ପରେ ଏକ ବିରଳ ଘଟଣା ଅନୁଷ୍ଠିତ ହେବାକୁ ଯାଉଛି । ପ୍ରାୟ ୨୭୦ ବର୍ଷ ପରେ ଜୁନ୍ ୮ ତାରିଖରେ ସେଠାରେ ଆୟୋଜନ ହେବ ଏହି ବିରଳ ଉତ୍ସବ । ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଏହି ପ୍ରାଚୀନ ମନ୍ଦିରର ମରାମତି ବହୁ ଦିନ ଧରି ପଡ଼ି ରହିଥିଲା, ସମ୍ପ୍ରତି ଏହାର କାର୍ଯ୍ୟ ସମାପ୍ତ ହୋଇଛି। ଏହି କାର୍ଯ୍ୟର ସମାପ୍ତି ପରେ ମନ୍ଦିରରେ ମହାକୁମ୍ଭ ଅଭିଷେକ ବା ଭବ୍ୟ ଅଭିଷେକର ଆୟୋଜନ ହେବ । ଆସନ୍ତୁ ଜାଣିବା ଏତେ ବର୍ଷ ପରେ ଘଟିବାକୁ ଥିବା ମହାକୁମ୍ଭ ଅଭିଷେକ ପରମ୍ପରା କ’ଣ?
ମହାକୁମ୍ଭ ଅଭିଷେକ ପୂର୍ବରୁ ହେବ ଅନେକ ପୂଜା
ମହାକୁମ୍ଭ ଅଭିଷେକ ପୂର୍ବରୁ ଆଚାର୍ଯ୍ୟ ବର୍ଣ୍ଣମ୍, ପ୍ରସାଦ ଶୁଦ୍ଧି, ଧାରା, କଳସମ୍ ସମେତ ଅନେକ ପୂଜା କରାଯିବ। ମହା ଅନୁଷ୍ଠାନ ସମୟରେ ନୂତନ ଥାଜିକ୍କାଦୁଅମ ଗର୍ଭଗୃହ ଉପରେ ତିନୋଟି କଳସ ଏବଂ ଓଟ୍ଟାକ୍କଲ ମଣ୍ଡପ ଉପରେ ଗୋଟିଏ କଳସ ସ୍ଥାପନ କରାଯିବ। ବିଶ୍ୱକ୍ଷେନାଙ୍କ ମୂର୍ତ୍ତି ପୁନଃସ୍ଥାପିତ କରାଯିବା ସହ ତିରୁବାମ୍ବାଡି ଶ୍ରୀକୃଷ୍ଣ ମନ୍ଦିରରେ ଅଷ୍ଟବନ୍ଧ କଳସ ସ୍ଥାପନ କରାଯିବ । ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି, ସମସ୍ତ ରୀତିନୀତି ସଠିକ୍ ଭାବରେ ସମ୍ପାଦିତ ହେଉଛି କି ନାହିଁ ତାହା ସୁନିଶ୍ଚିତ କରାଯାଉଛି, ଯାହା ଦ୍ଵାରା ମନ୍ଦିରର ପୁରୁଣା ପରମ୍ପରା ବଜାୟ ରହିବ। ଅନ୍ୟପକ୍ଷରେ ଭଗବାନ ପଦ୍ମନାଭଙ୍କ ଭକ୍ତମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ, ଏତେ ବର୍ଷ ପରେ ଏହି ପୂଜାରେ ସେମାନେ ଯୋଗଦେଇ ପାରିବେ।
ମହାକୁମ୍ଭ ଅଭିଷେକ କ’ଣ, ଏହା କିପରି ଘଟେ?
ମହାକୁମ୍ଭ ଅଭିଷେକ ମନ୍ଦିରରେ କରାଯାଉଥିବା ଏକ ପାରମ୍ପରିକ ହିନ୍ଦୁ ରୀତି, ଯାହା ଆଧ୍ୟାତ୍ମିକ ଶକ୍ତିକୁ ସୁଦୃଢ଼ କରିବା ଏବଂ ମନ୍ଦିରର ପବିତ୍ରତାକୁ ଜାଗ୍ରତ କରେ । ଏହି ରୀତି ମାଧ୍ୟମରେ ମନ୍ଦିରରେ ସ୍ଥାପିତ ଦେବତାମାନେ ସମନ୍ୱିତ ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ। ଏହା ମନ୍ଦିରରେ ହେଉଥିବା ପ୍ରତିଷ୍ଠାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କୌଣସି ନୂତନ ମନ୍ଦିର ନିର୍ମାଣ ସମାପ୍ତ ହେବା ପରେ କିମ୍ବା ମନ୍ଦିରର ନବୀକରଣ ପରେ ଏହି ଧାର୍ମିକ ଅନୁଷ୍ଠାନର ଆୟୋଜନ କରାଯାଏ। ମନ୍ଦିର ନିର୍ମାଣ କିମ୍ବା ନବୀକରଣ ପରେ ଦେବାଦେବୀଙ୍କ ପ୍ରାଣପ୍ରତିଷ୍ଠା ଏବଂ ମନ୍ଦିରର ଶୁଦ୍ଧିକରଣ ପାଇଁ ଏହି ଅନୁଷ୍ଠାନ ଆୟୋଜିତ ହୁଏ । ମହାକୁମ୍ଭ ଅଭିଷେକରେ କୁମ୍ଭର ଅର୍ଥ ମୁଣ୍ଡ, ଯାହା ମନ୍ଦିରର ଶୀର୍ଷକୁ ବୁଝାଏ ଏବଂ ଅଭିଷେକମ ଅର୍ଥ ସ୍ନାନ ବିଧି। ମହାକୁମ୍ଭ ଅଭିଷେକ ପାଇଁ ପବିତ୍ର ନଦୀରୁ କଳସରେ ଜଳ ଅଣାଯାଏ। ମନ୍ଦିରର ଶୀର୍ଷକୁ ବିଧିବଦ୍ଧ ଭାବରେ ସ୍ନାନ କରାଇବା ପରେ କଳସଗୁଡ଼ିକର ବଳିଦାନ ଦିଆଯାଏ।
୨୭୦ ବର୍ଷ ପରେ କାହିଁକି?
ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରର ପରିଚାଳକ ବି ଶ୍ରୀକୁମାର କହିଛନ୍ତି, ପ୍ରାୟ ୨୭୦ ବର୍ଷ ପରେ ଏହି ଶତାବ୍ଦୀ ପୁରୁଣା ମନ୍ଦିରରେ ବ୍ୟାପକ ନବୀକରଣ କରାଯାଇଛି। ଏହା ପରେ ହିଁ ମନ୍ଦିରରେ ମହାକୁମ୍ଭ ଅଭିଷେକ ଆୟୋଜନ କରାଯାଉଛି, ଯେଉଁଥିରେ ଏହା ସହିତ ଜଡିତ ସମସ୍ତ ପୂଜାପାଠ କରାଯିବ। ଜୁନ୍ ୮ ତାରିଖରେ ଶ୍ରୀ ପଦ୍ମନାଭ ସ୍ୱାମୀ ମନ୍ଦିର ପରିସରରେ ମହାକୁମ୍ଭ ଅଭିଷେକ ପୂଜାପାଠ ଆୟୋଜନ କରାଯିବ। ଅନ୍ୟପକ୍ଷରେ ଆଗାମୀ କିଛି ଦଶନ୍ଧି ମଧ୍ୟରେ ଏପରି ବ୍ୟାପକ ନବୀକରଣ ଏବଂ ଏହା ସହିତ ଜଡିତ ରୀତିନୀତି ପୁନରାବୃତ୍ତି ହେବାର ସମ୍ଭାବନା ନାହିଁ।
ମନ୍ଦିରର ଶକ୍ତିକୁ ଜାଗ୍ରତ କରିବ ମହାକୁମ୍ଭ ଅଭିଷେକ
୨୦୧୭ ମସିହାରେ ମନ୍ଦିରର ମରାମତି ପାଇଁ ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରିଥିଲେ ସୁପ୍ରିମକୋର୍ଟ । ମରାମତି କାର୍ଯ୍ୟ ଶୀଘ୍ର ଆରମ୍ଭ ହୋଇଥିଲେ ସୁଦ୍ଧା କୋରୋନା ଯୋଗୁଁ ଏହା ଅଧିକ ଅଗ୍ରଗତି କରିପାରିନଥିଲା। ୨୦୨୧ ମସିହାରୁ ମରାମତି କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ସମାପ୍ତ ହୋଇଥିଲା। ମରାମତି ପରେ ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ମହାକୁମ୍ଭ ଅଭିଷେକ ଆୟୋଜନ କରାଯାଉଛି। ଏହି ରୀତିର ଉଦ୍ଦେଶ୍ୟ ହେଉଛି ମନ୍ଦିରର ଶକ୍ତିକୁ ପୁନର୍ବାର ଜାଗ୍ରତ କରିବା । ପଦ୍ମନାଭସ୍ୱାମୀ ମନ୍ଦିର କେରଳର ରାଜଧାନୀ ଥିରୁଅନନ୍ତପୁରମ ପାଇଁ ବହୁତ ସ୍ୱତନ୍ତ୍ର। ଏହି ମନ୍ଦିର ସହିତ ସହରର ନାମ ମଧ୍ୟ ଜଡିତ। ଥିରୁ ,ଅନନ୍,ପୁରମ୍ ଅର୍ଥ ଭଗବାନ ଅନନ୍ତ ପଦ୍ମନାଭଙ୍କ ପବିତ୍ର ବାସସ୍ଥାନ । ଏହି ମନ୍ଦିରରେ ଭଗବାନ ବିଷ୍ଣୁ ଶେଷନାଗଙ୍କ ଶଯ୍ୟାରେ ଶୟନ କରନ୍ତି ।
ସାରା ବିଶ୍ୱରେ ପ୍ରସିଦ୍ଧ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର
କେରଳର ରାଜଧାନୀର ସ୍ଥିତ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ସାରା ବିଶ୍ୱର ଭକ୍ତମାନଙ୍କ ପାଇଁ ଏକ ଆସ୍ଥାର କେନ୍ଦ୍ର। ଏହି ମନ୍ଦିର କେରଳ ଏବଂ ଦ୍ରାବିଡ଼ ଶୈଳୀର ମିଶ୍ରଣରେ ନିର୍ମିତ । ଯଦିଓ ଏହାର ଇତିହାସ ୮ମ ଶତାବ୍ଦୀ ପୁରୁଣା ବୋଲି ବିଶ୍ୱାସ କରାଯାଏ, କିନ୍ତୁ ଏହାର ବର୍ତ୍ତମାନ ସ୍ୱରୂପର ନିର୍ମାଣ୧୮ ଶତାବ୍ଦୀରେ ତ୍ରାବଣକୋରର ମହାରାଜା ମାର୍ତଣ୍ଡ ବର୍ମାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହି ବିଶ୍ୱ ପ୍ରସିଦ୍ଧ ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀ ଭଗବାନ ପଦ୍ମନାଭସ୍ୱାମୀଙ୍କୁ ପୂଜା କରାଯାଏ। ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରରେ ଭଗବାନ ଶ୍ରୀହରି ତାଙ୍କର ପ୍ରିୟ ଅନନ୍ତ ନାଗ ଉପରେ ଶୟନ ମୁଦ୍ରାରେ ଉପବିଷ୍ଟ ଅଛନ୍ତି । ଭଗବାନ ଶ୍ରୀ ବିଷ୍ଣୁଙ୍କ ମୂର୍ତ୍ତି ଏଠାରେ ମିଳିବା ପରେ ମନ୍ଦିର ନିର୍ମାଣ କରାଯାଇଥିବା କୁହାଯାଏ। ତାଙ୍କର ବର୍ତ୍ତମାନର ମୂର୍ତ୍ତିର ଉଚ୍ଚତା ହେଲା ୧୮ ଫୁଟ ।
ଗୁପ୍ତ ଭଣ୍ଡାରରେ ୧.୩୨ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି
ପଦ୍ମନାଭ ସ୍ୱାମୀ ମନ୍ଦିର ଏହାର ବିଶାଳ ଧନଭଣ୍ଡାର ଏବଂ ରହସ୍ୟମୟ ଗୁପ୍ତ କଠୋରୀ ପାଇଁ ମଧ୍ୟ ପ୍ରସିଦ୍ଧ। ପ୍ରଥମେ ତ୍ରାବଣକୋରର ରାଜପରିବାରର ବଂଶଧରମାନେ ଭଣ୍ଡାରର ମାଲିକାନା ପାଇଁ ଏକ ଲମ୍ବା ଆଇନଗତ ଲଢ଼େଇ ଲଢ଼ିଥିଲେ, ତା'ପରେ ରହସ୍ୟମୟ ଭଣ୍ଡାର ଖୋଲିବା ପାଇଁ ଏକ ମାମଲା ଦାୟର କରାଯାଇଥିଲା। ୨୦୧୧ ମସିହାରେ ପୂର୍ବତନ ଆଇପିଏସ ଅଧିକାରୀ ଟିପି ସୁନ୍ଦରରାଜନଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମନ୍ଦିରର ଭଣ୍ଡାରର ଅଡିଟ୍ କରିବା ପାଇଁ ଏକ ସାତ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ। ଜୁନ୍ ସୁଦ୍ଧା ଛଅଟି ଭଣ୍ଡାରରେ ୧ ଲକ୍ଷ ୩୨ ହଜାର କୋଟି ଟଙ୍କାର ଧନଭଣ୍ଡାର ମିଳିଲା। ସେଠାରେ ରଖାଯାଇଥିବା ରତ୍ନ, ସିଂହାସନ, ମୂର୍ତ୍ତି ଏବଂ ଅଳଙ୍କାରର ବିପୁଳ ମୂଲ୍ୟ ବିଷୟରେ କାହାର କୌଣସି ଧାରଣା ନଥିଲା।
ସପ୍ତମ କୋଠରୀର ଗରୁଡ଼ ମନ୍ତ୍ରର ରହସ୍ୟ କ’ଣ?
ଏବେ ସୁଦ୍ଧା ସପ୍ତମ କୋଠରୀ ଖୋଲାଯାଇ ନାହିଁ ଏବଂ ଆଜି ପର୍ଯ୍ୟନ୍ତ କେହି ରତ୍ନଭଣ୍ଡାରର ରହସ୍ୟ ଜାଣିପାରି ନାହାନ୍ତି। ଯିଏ ଏ ଗୁପ୍ତ କୋଠରୀକୁ ଖୋଲିବାକୁ ଚେଷ୍ଟା କରିବ ସେ ଅସୁବିଧାରେ ପଡ଼ିବ ବୋଲି କୁହାଯାଏ । ଅନ୍ୟପଟେ ଏ କୋଠାରୀ ଖୋଲିରେ ପୃଥିବୀକୁ ବିପର୍ଯ୍ୟୟ ଆସିବ ବୋଲି କୁହାଯାଏ । ସପ୍ତମ ଦ୍ୱାରରେ କୌଣସି ତାଲା କିମ୍ବା ଶୃଙ୍ଖଳ ନାହିଁ। ଏହାର କାଠ ଦ୍ୱାରରେ ଥିବା ସାପ ଚିହ୍ନକୁ ଏକ ଚେତାବନୀ ବୋଲି ବିବେଚନା କରାଯାଏ। ସପ୍ତମ ଗୁପ୍ତ କୋଠରୀରେ ଅପାର ଧନ ଅଛି, ଯାହାକୁ ଦେବତାମାନେ ନିଜେ ସୁରକ୍ଷିତ ରଖିଛନ୍ତି ବୋଲି ବିଶ୍ୱାସ ରହିଛି । ଶେଷ ଦ୍ୱାରକୁ ନାଗଫାଶ ମନ୍ତ୍ର ସହିତ ବନ୍ଦ କରାଯାଇଥିଲା। ଏହାକୁ ଖୋଲିବା ପାଇଁ ଗରୁଡ଼ ମନ୍ତ୍ରର ସଠିକ୍ ଜ୍ଞାନ ଏବଂ ଉଚ୍ଚାରଣ ଆବଶ୍ୟକ। ଏଥିରେ ଭୁଲ ହେଲେ ମୃତ୍ୟୁ ନିଶ୍ଚିତ।
ସପ୍ତମ ଗୁପ୍ତ କୋଠରୀ ବିଷୟରେ ଅନେକ କିମ୍ବଦନ୍ତୀ ଅଛି। କୁହାଯାଏ ୧୯୦୮ ଏବଂ ୧୯୩୧ ମସିହାରେ ବ୍ରିଟିଶମାନେ ସପ୍ତମ ଗୁପ୍ତ କୋଠରୀ ଘେରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ହଠାତ୍ ହଜାର ହଜାର ସାପ ବାହାରିବାରୁ ସେମାନେ ସଫଳ ହୋଇପାରିଲେ ନାହିଁ। ଘଟଣାକ୍ରମେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଥିବା ଟିପି ସୁନ୍ଦରରାଜନଙ୍କ ମୃତ୍ୟୁ ସପ୍ତମ ଦ୍ୱାର ଖୋଲିବା ପୂର୍ବରୁ ୨୦୧୧ ମସିହାରେ ହୋଇଥିଲା। ପରେ ତ୍ରାବଣକୋର ରାଜପରିବାରର ଆବେଦନ ଉପରେ ସୁପ୍ରିମକୋର୍ଟ ମଧ୍ୟ ସପ୍ତମ ଦ୍ୱାର ଖୋଲିବାକୁ ନିଷେଧ କରିଥିଲେ।
ପଦ୍ମନାଭସ୍ୱାମୀଙ୍କ ମନ୍ଦିର କେବେ ନିର୍ମିତ ହୋଇଥିଲା ତାହାର କୌଣସି ଠୋସ ପ୍ରମାଣ ନାହିଁ। ଅନେକ ଐତିହାସିକ ଏହାକୁ ୫୦୦୦ ବର୍ଷ ପୁରୁଣା ବୋଲି କୁହନ୍ତି । ଏହାର ଦ୍ରାବିଡ଼ ଶୈଳୀ ଆଧାରରେ, ମନ୍ଦିରକୁ ୧୬ ଶତାବ୍ଦୀର ବୋଲି ବିବେଚନା କରାଯାଏ। ୧୭୫୦ ଖ୍ରୀଷ୍ଟାବ୍ଦରେ ତ୍ରାବଣକୋର ମହାରାଜା ତାଙ୍କ ରାଜ୍ୟକୁ ପଦ୍ମନାଭ ସ୍ୱାମୀଙ୍କୁ ସମର୍ପିତ କରିଥିଲେ। ସେବେଠାରୁ ରାଜପରିବାର ଏହି ମନ୍ଦିରର ଯତ୍ନ ନିଅନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)