Advertisment

କାହିଁକି ବିରିଜାବରେ ବର୍ଷତମାମ ବନ୍ଦ ରୁହେ ମା’ ଜାଗୁଳେଇଙ୍କ ମୁହଁ ?

ମା’ ଜାଗୁଳେଇଙ୍କ ପ୍ରସିଦ୍ଧ କାଠିଯାତ୍ରା ପାଳିତ, ଆଗାମୀ ବର୍ଷ ପର୍ଯ୍ୟନ୍ତ ବିରିଜାବରେ ମା’ଙ୍କ ମୁହଁ ବନ୍ଦ ରୁହେ କାହିଁକି ?

author-image
Kausik Mohapatra
Kathi Yatra

Kathi Yatra

ପରମ୍ପରା କ୍ରମେ ସତ୍ୟବାଦୀ ବ୍ଲକର ଅଳଗୁମ ଗ୍ରାମରେ ମା’ ଜାଗୁଳେଇଙ୍କ ପ୍ରସିଦ୍ଧ କାଠିଯାତ୍ରା ଅନୁଷ୍ଠିତ ହୋଇଛି। ଷଷ୍ଠୀଓସା ଠାରୁ ଆରମ୍ଭ ହୋଇଥିବା ଏହିଯାତ୍ରାର ଶେଷ ପର୍ଯ୍ୟାୟରେ ମା ଜାଗୁଳେଇଙ୍କ ମନ୍ଦିର ଚର୍ତୁପାର୍ଶ୍ୱରେ ୧୨ ପଡା ବିଶିଷ୍ଟ ଅଳଗୁମ ଗ୍ରାମ ସହିତ କାଠି ପଡିଆରେ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା। ଦେବୀଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନାକୁ ନେଇ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସକାଳୁ ସକାଳୁ ମନ୍ଦିରରେ ଦେବୀଙ୍କର ମାଜଣା, ବେଶ, ଧୂପ ସମାପନ କରାଯିବା ପରେ କାଠି ମାଜଣା କରାଯାଇଥିଲା।

Advertisment

ମାନସିକଧାରୀ ଶ୍ରଦ୍ଧାଳୁ ମାନେ ଦେଇଥିବା ଶହଶହ ନୂଆ ଶାଢୀ କାଠିରେ ରଜକ ସେବାୟତ କୁଞ୍ଚକରି ବାନ୍ଧିଥିଲେ। ଦେବୀଙ୍କ ଆଜ୍ଞା ମାଳ ଓ ଗୋଟିଏ ପିତଳଗରା କାଠିର ଗୋଟିଏ ମୁଣ୍ଡରେ ଲାଗି କରାଯାଇଥିଲା। ଘଣ୍ଟ, କାହାଳୀ, ଢୋଲ, ମହୁରୀ ସହ ମା’ଙ୍କର ଜୟଜୟ ଧ୍ୱନୀ ମଧ୍ୟରେ ସେବାୟତ ମାନେ କାନ୍ଧରେ କାଠି ବୋହି ମାଙ୍କୁ ଲାଗି କରିଥିଲେ। ପରେ ପରେ କାଠି ବେଢା ପରିକ୍ରମା କରିବା ସହ ପଟୁଆରରେ ବାରବାଟୀ ପଡିଆକୁ ବିଜେ କରାଯାଇଥିଲା। ସେଠାରେ କାଠି ପୋତାଯିବା ପରେ ଛୋଟାପୁଅ କାଳେସୀ ଉଭାହୋଇ କାଠି ଉପରକୁ ଉଠି ଭବିଷ୍ୟବାଣୀ କରିବା ସହ ଗୁହାରିଆ ପଡିଥିବା ମାନସିକ ଧାରୀ ମାନଙ୍କୁ ଆଶିର୍ବାଦ କରିଥିଲେ।

ରାତିରେ ସୁରାଲାଗି ବରଗଛ ନିକଟରେ ଦେବୀଙ୍କର ବିଶ୍ରାମ ସହିତ ଗୁରୁବାର ଦାନ୍ତକାଠି ମାଜଣା ସୁରାଲାଗି କରାଯିବା ପରେ ରାତିରେ ଟାହିଆ ଲାଗି, ଭୋଗ ଆଳତି ଓ ଘର ବାହୁଡା ନୀତି ଅନୁଷ୍ଠିତ ହେବ। ବିରିଜାବ ଦେଇ ଦେବୀ ପ୍ରତିମାଙ୍କ ମୁହଁ ଆଗାମୀ ବର୍ଷ ପର୍ଯ୍ୟନ୍ତ ବନ୍ଦ କରିଦିଆଯିବ। ଗଣ୍ଡେଇ ନାୟକଙ୍କ ଶଗଡ଼ ଦଣ୍ଡାରେ ବସି କଟକରୁ ଚାଲି ଆସିଥିବା ମା’ ଜାଗୁଳେଇ ଅଳଗୁମ ରେ ପୂଜା ପାଉଛନ୍ତି। ଏହି ଅବସରରେ ଗ୍ରାମବାସୀଙ୍କ ସହିତ ପ୍ରବାସୀ ଓ ବନ୍ଧୁ ବାନ୍ଧବଙ୍କ ସମାଗମ ଲାଗିଥିଲା।

Advertisment
Sakhigopal
Advertisment
Advertisment