• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mihir Pattnayak

ଆମ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଅନେକସ୍ଥାନରେ ଗୋପନ ଲୀଳା କରିଛନ୍ତି। କେତେବେଳେ ଚିଲିକା ବକ୍ଷରେ ତ ପୁଣି କେତେବେଳେ ଘୋର ବନ ପ୍ରାନ୍ତରେ। କିନ୍ତୁ ଏ କଥା ଖୁବ୍ କମ୍ ଲୋକ ଜାଣିଥିବେ ଯେ, ସାକ୍ଷୀଗୋପାଳ ବା ସତ୍ୟବାଦୀରେ ପୂଜିତ ହେଉଥିବା ଗୋପାଳ ବିଗ୍ରହ ମଧ୍ୟ ଅନେକ ଥର ଗୋପନ ଲୀଳା କରିଛନ୍ତି। କାଶୀର ଜଣେ ବ୍ରାହ୍ମଣ ବିଦ୍ବାନଙ୍କ ପାଇଁ ସାକ୍ଷୀ ଦେବାକୁ ଆସିଲା ବେଳେ ଭଗବାନ କୃଷ୍ଣ ପଥପ୍ରାନ୍ତରେ ପାଷାଣ ବିଗ୍ରହ ହୁଅନ୍ତି। ସର୍ତ୍ତଭଗ୍ନ ବ୍ରାହ୍ମଣ ପଛକୁ ବୁଲି ଚାହିଁବାରୁ ଦିଅଁ ପଥର ପାଲଟି ଯାଆନ୍ତି। କାଞ୍ଚି ରାଜ୍ୟର ରାଜାଙ୍କ ଦ୍ବାରା ପୂଜିତ ହୁଅନ୍ତି ଠାକୁରେ। ଦିନ ଗଡେ ସମୟ ବଦଳେ। କାଞ୍ଚିର ରାଜଜେମା, ସାଲ୍ବ ନରସିଂହଙ୍କ ଝିଅ ରୁପାମ୍ବିକା ପଦ୍ମାବତୀଙ୍କ ପ୍ରେମରେ ପଡନ୍ତି ଉତ୍କଳର ନରପତି ଗଜପତି ପୁରୁଷୋତ୍ତମ ଦେବ।

ସାଲ୍ବ ନରସିଂହ, ଛେରା ପହଁରା କରୁଥିବା ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକଙ୍କୁ ଚଣ୍ଡାଳ କହି ବିବାହ ପ୍ରସ୍ତାବ ପ୍ରତ୍ୟାକ୍ଷାନ କରନ୍ତି। ଗଜପତି କାଞ୍ଚି ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମ ପରାଜୟ ପରେ ବିଜୟ ପ୍ରାପ୍ତ ହୁଏ। କାଞ୍ଚି ରାଇଜରୁ ଅନେକ କିଛି ଉତ୍କଳ ଫେରେ। ଯୁଦ୍ଧ ବିଜୟର ସ୍ମାରକୀ ଭାବେ। ଆଉ ଏହି ଭିତରେ ଥାଆନ୍ତି କାଞ୍ଚି ଗଣେଶ, ମା’ ତାରିଣୀ ଓ ପ୍ରଭୁ ଗୋପୀନାଥ ବା ସାକ୍ଷୀଗୋପାଳ।

ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ପାଖରେ ଗୋପାଳଙ୍କୁ ସ୍ଥାପନ କରାଯାଏ। କିନ୍ତୁ ନଟଖଟ ଗୋପାଳ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ନିବେଦିତ ପ୍ରସାଦକୁ ଖାଇ ଦିଅନ୍ତି। ଅମୁଣିଆ ମାରା ହୁଏ। ଥରେ ନୁହେଁ ବାରମ୍ବାର। ମାନବୀୟ ଲୀଳାର ଏହି ଲୋକକଥା ଯୋଡିହୁଏ ଇତିହାସର କାଳଖଣ୍ଡରେ। ଗଜପତିଙ୍କୁ ସ୍ବପ୍ନ ହୁଏ, ତୁମେ ତୁମ ସହ ଏ ଗୋପାଳଙ୍କୁ ନେଇଯାଏ। ଯେଉଁଠି ତୁମ ନଅର ରହିବ, ସେଇଠି ଇଏ ତୁମ ସହ ରହିବେ। ପୁରୁଷୋତ୍ତମଦେବ ଘେନି ଆସନ୍ତି ଗୋପାଳଙ୍କୁ କଟକ। ଏ ଦିଅଁଙ୍କ ପ୍ରଥମ ସ୍ଥାନାନ୍ତର ଲୀଳା ଆରମ୍ଭ ହୁଏ। ସେତେବେଳେ ଉତ୍କଳର ରାଜଧାନୀ କଟକ। ଠାକୁରେ ଏଇଠି ପୂଜା ପାଆନ୍ତି ବାରବାଟୀ ଦୁର୍ଗ ମଧ୍ୟରେ। ଇତି ମଧ୍ୟରେ ମୁସଲମାନ ଆକ୍ରମଣରେ ତ୍ରସ୍ତ ହୁଏ ଉତ୍କଳ।  ବାରବାଟୀ ଦୁର୍ଗ ଉପରକୁ ଆକ୍ରମଣ କରେ କଳାପାହାଡ। 

ପରିଚ୍ଛା ଦିବ୍ୟସିଂହ ପଟ୍ଟନାୟକଙ୍କ ନେତୃତ୍ବରେ ଦିଅଁଙ୍କୁ ଲୁଚେଇ ନେବାକୁ ପଡେ, ଖୋର୍ଦ୍ଧା ଗଡ଼କୁ। ରାଜଧାନୀ ଉପରେ ବିପଦ ଥିବାରୁ ଠାକୁରଙ୍କୁ ସ୍ଥାନାନ୍ତରିତ କରିବାକୁ ପଡେ । ଆଜି ବି ସେହି ଗୋପାଳ ମନ୍ଦିର ସେଇଠି ଅଛି। ଯେଉଁଠି ଦିନେ ସାକ୍ଷୀଗୋପାଳ ବିରାଜମାନ କରିଥିଲେ। ଜାତୀୟ ରାଜପଥ କଡରେ ଖୋର୍ଦ୍ଧା ବରୁଣାଇ ପାହାଡ ପାଖରେ ଏହି ମନ୍ଦିର ଦୃଶ୍ୟମାନ ହେବ। 

ଖ୍ରୀଷ୍ଟାଦ୍ଦ ୧୬୬୧। ଗଜପତି ମୁକୁନ୍ଦ ଦେବ କଟକ ବାରବାଟୀରୁ ରାଜଧାନୀ ସ୍ଥାନାନ୍ତର କରିଥାନ୍ତି ଖୋର୍ଦ୍ଧା। ଆଉ ଏତିକି ବେଳେ ଆକ୍ରମଣ କରେ ସୁବେଦାର ଖାନ-ଇ-ଦୈରାନ। ଖୋରଧା ଦୁର୍ଗ ଅଧିକୃତ ହେଲାପରେ ଗଜପତି ମୁକୁନ୍ଦଦେବ ଆତ୍ମ ସମର୍ପଣ କରନ୍ତି। ୧ ବର୍ଷ ୭ ମାସ ବନ୍ଦି ଜୀବନ କଟାଇବା ପରେ ତାଙ୍କ ଦୁର୍ଗ ତାଙ୍କୁ ମିଳେ। କିନ୍ତୁ ଏଇ ସାମୟିକ ଅବଧିରେ ଗଜପତି ଖୋରଧାରେ ନ ରହି ରଥିପୁର କଟକରେ ଅବସ୍ଥାନ କରନ୍ତି। ଏଇଠି ତୋଳାହୁଏ ସାକ୍ଷୀଗୋପାଳ ମନ୍ଦିର। ଖୋର୍ଦ୍ଧା ଗଡରୁ ଦିଅଁ ପୁଣି ଲେଉଟନ୍ତି ଗଡ ରଥିପୁର। ସମ୍ପ୍ରତି ଜଟଣୀ ନିର୍ବାଚନମଣ୍ଡଳୀର ଏହି ସ୍ଥାନ ସେଦିନ ସାକ୍ଷୀଗୋପାଳଙ୍କୁ ନିଜ ଛାତିରେ ଥୋଇ କୃତାର୍ଥ ହୁଏ। ଦୀର୍ଘକାଳଧରି ଏଇଠାରେ ପୂଜା ପାଆନ୍ତି ଗଜପତିଙ୍କ ଇଷ୍ଟଦେବ ପ୍ରଭୁ ସାକ୍ଷୀ ଗୋପୀନାଥ। 

ତଥାପି ଶାନ୍ତି ମିଳେନି। ଗଜପତି ରାମଚନ୍ଦ୍ର ଦେବଙ୍କ ସମୟରେ ଆକ୍ରମଣ କରେ ବର୍ବର ସୁବେଦାର ତକି ଖାଁ। ହିନ୍ଦୁ ମନ୍ଦିର ଭାଙ୍ଗିବା ତାର ପ୍ରଥମ ଇଚ୍ଛା। ଗଜପତିଙ୍କ ଇଷ୍ଟ ଗୋପୀନାଥଙ୍କ ମନ୍ଦିର ଭଗ୍ନ କରିବାର ମନୋରଥ ନେଇ ସେ ଆସିବାର ଖବର ପାଇ ଗଜପତି ଦିଅଁଙ୍କୁ ସ୍ଥାନାନ୍ତର କରି ନିଅନ୍ତି। ସ୍ଥାନ ଗଡ଼ କନ୍ତଳବାଇ। ଖୋର୍ଦ୍ଧାଠାରୁ ଆଗକୁ ଭୁଷଣ୍ଢପୁର ଅଞ୍ଚଳରେ ଗଡ଼ କନ୍ତଳବାଇରେ ସ୍ଥାପିତ ହୁଅନ୍ତି ଦିଅଁ। ଦୀର୍ଘକାଳ ଗଡ କନ୍ତଳବାଇକୁ ଆପଣେଇ ସେ ମାଟିକୁ ନିଜର କରନ୍ତି। ସମୟ ଆଗକୁ ବଢେ। ଆରମ୍ଭ ହୁଏ ମରାଠା ଶାସନ। ଯେଉଁ ଶାସନାବଧି ବେଳେ ହିନ୍ଦୁ ଧର୍ମ ଓ ସଂସ୍କୃତି ସୁରକ୍ଷିତ ମନେହୁଏ। ଆଉ ଠାକୁରେ ସ୍ଥାନାନ୍ତର ହୋଇ ଶେଷ ଥର ପାଇଁ ଆସନ୍ତି, ସତ୍ୟବାଦୀ ବା ସାକ୍ଷୀଗୋପାଳକୁ। ସେବେଠାରୁ ଏଇଠି ପୂଜା ପାଉଛନ୍ତି ଶ୍ରୀ ସାକ୍ଷୀଗୋପାଳ।