• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

୧୯୯୯ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତୀୟ ସେନାର ବିଜୟ ଇତିହାସ ପୃଷ୍ଠାରେ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଛି। ଯେତେବେଳେ ୨୬ ଜୁଲାଇର କାହାଣୀ ବର୍ଣ୍ଣନା କରାଯାଏ, ପ୍ରତ୍ୟେକ ଭାରତୀୟଙ୍କ ରକ୍ତରେ ଶିହରଣ ଖେଳିଯାଏ। କିପରି କାର୍ଗିଲର ଉଚ୍ଚ ଶିଖରକୁ ପାକିସ୍ତାନୀ ସେନା ଦଖଲରୁ ମୁକ୍ତ କରାଯାଇଥିଲା ତାହା ଭାବିଲେ କୋହରେ ଭରିଯାଏ ଛାତି।

ପ୍ରାୟ ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଘଉଡାଇବା ସମୟରେ କାର୍ଗିଲର ଶିଖରରେ ବିଜୟର ପତାକା ଉତ୍ତୋଳନ କରିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଏହି କାର୍ଗିଲ ଯୁଦ୍ଧର ଷଡଯନ୍ତ୍ର କିପରି ହୋଇଥିଲା ଏବଂ କିପରି ଜଣେ ସାମାନ୍ୟ ମେଷପାଳକ ହିଁ ପାକିସ୍ତାନର ଏହି ଷଡଯନ୍ତ୍ରକୁ ପର୍ଦାଫାସ କରିଥିଲେ? ଆଜି ନିଶ୍ଚିତ ଆମେ ସେ ବିଷୟରେ ଜାଣିବା।

ଲାହୋର ଚୁକ୍ତି:

ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବନ୍ଧୁତ୍ୱର ହାତ ବଢାଇ ଲାହୋର ଯାଇଥିଲେ ସେତେବେଳେ ପାକିସ୍ତାନ କାର୍ଗିଲ ଯୁଦ୍ଧର ଷଡଯନ୍ତ୍ର ଆରମ୍ଭ କରିଥିଲା। ଫେବୃଆରୀ ୧୯୯୯ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ଲାହୋରରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏହା ପରେ, ୨୧ ଫେବୃଆରୀ ୧୯୯୯ରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ହୋଇଥିଲା, ଯାହାକୁ ଲାହୋର ଚୁକ୍ତି କୁହାଯାଏ।

ପାକିସ୍ତାନର ଅପରେସନ୍ ବଦ୍ର:

ଚୁକ୍ତିନାମା ପରେ ଉଭୟ ଦେଶ ସହଭାଗୀତା ରାସ୍ତାରେ ଆଗକୁ ବଢିବା ସହ କାଶ୍ମୀର ଭଳି ସମସ୍ୟାର ସମାଧାନ କରିବା ନେଇ ରାଜି ହୋଇଥିଲେ। ଗୋଟିଏ ପଟେ ଯେଉଁଠାରେ ପାକିସ୍ତାନ ଭାରତ ପ୍ରତି ବନ୍ଧୁତ୍ୱର ହାତ ବଢାଉଥିଲା, ଅନ୍ୟପଟେ ପାକିସ୍ତାନୀ ସେନା ଭାରତ ବିରୁଦ୍ଧରେ ଷଡଯନ୍ତ୍ର କରିଥିଲା। ଏହି ଷଡଯନ୍ତ୍ରର ନାମ ଥିଲା ‘ଅପରେସନ୍ ବଦ୍ର’।

ଶିମଲା ଚୁକ୍ତି ଭଙ୍ଗ ଓ ଷଡଯନ୍ତ୍ର:

ଶିମଲା ଚୁକ୍ତି ପରେ ନିଷ୍ପତ୍ତି ନିଆଯାଇଛି ଯେ ଶୀତଦିନେ ତାପମାତ୍ରା -୩୦ ଏବଂ -୪୦ ଡିଗ୍ରୀ ସେଲସିୟସକୁ ଖସି ଆସୁଥିବା କାର୍ଗିଲରେ, ଉଭୟ ଦେଶର ସୈନ୍ୟବାହିନୀ ଅକ୍ଟୋବର ମାସରୁ ନିଜ ନିଜ ପୋଷ୍ଟ୍ ଛାଡି ଚାଲିଯିବେ ଏବଂ ମେ-ଜୁନ୍ ମାସରେ ନିଜ ପୋଷ୍ଟକୁ ଫେରିବେ।

୧୯୯୮ ମସିହାରେ ଯେତେବେଳେ ଭାରତୀୟ ସେନା ନିଜ ପୋଷ୍ଟ୍ ଛାଡିଥିଲେ, ସେତେବେଳେ ପାକିସ୍ତାନୀ ସେନା ଅପରେସନ୍ ବଦ୍ର ଅଧୀନରେ ନିଜ ପଦ ଛାଡି ନଥିଲେ ଏବଂ ପାକିସ୍ତାନୀ ଅନୁପ୍ରବେଶକାରୀମାନେ ଭାରତୀୟ ପୋଷ୍ଟ୍‌ ଦଖଲ କରି ନେଇଥିଲେ। ଏହି ଅପରେସନ ଅଧୀନରେ ମୁଶରଫଙ୍କ ଯୋଜନା ଥିଲା ଯେ ପାକିସ୍ତାନୀ ସେନା ଶ୍ରୀନଗର-ଲେହ ରାଜପଥକୁ କାବୁ କରିନେବ, ଯାହାଫଳରେ ପାକିସ୍ତାନ ସହଜରେ ସିଆଚିନ୍‌କୁ କାବୁ କରିପାରିବ।

କିପରି ହେଲା ଷଡଯନ୍ତ୍ରର ଖୁଲାସା:

ଏହି ମୁହୂର୍ତ୍ତ ଥିଲା ୨ ମେ ୧୯୯୯ର। ତାଶୀ ନାମଗ୍ୟାଲ ନାମକ ଜଣେ ମେଷପାଳକ ତାଙ୍କର ୟାକ୍‌କୁ ଖୋଜୁଥିଲେ। ତାଙ୍କର ନବଜାତ ୟାକ୍‌ କୋଉଠି ହଜିଯାଇଥିଲା। ଏହାକୁ ଖୋଜୁଥିବାବେଳେ ସେ କାର୍ଗିଲର ପାହାଡରେ ପହଞ୍ଚି ସେଠାରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଦେଖିଥିଲେ।

ସେ ପରଦିନ ଯାଇ ଭାରତୀୟ ସେନାକୁ ଏହି ସୂଚନା ଦେଇଥିଲେ। କୁହାଯାଏ ଯେ ଯେଉଁଠାରେ ସେ ତାଙ୍କ ୟାକ୍‌ଙ୍କ ସହ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଦେଖିଥିଲେ, ତାହା କାର୍ଗିଲ ଯୁଦ୍ଧର ପ୍ରଥମ ଘଟଣା ବୋଲି ବିବେଚନା କରାଯାଏ। ଥରେ ଭାବନ୍ତୁ ତ, ଏହି ମେଷ ପାଳକ ନଥିଲେ ଭାରତର ଅବସ୍ଥା କ’ଣ ହେଇଥାନ୍ତା!