• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୃଷି ପ୍ରଧାନ ରାଜ୍ୟ ଓଡ଼ିଶା। ଆମ ଓଡ଼ିଆ ଘରର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଖଟିଖିଆର ଭାତ ହାଣ୍ଡିରୁ ଆରମ୍ଭ କରି ସୌଖିନ ହୋଟେଲ ପର୍ଯ୍ୟନ୍ତ ସବୁଠି ରହିଛି ଏହାର ଚାହିଦା। ଟେଷ୍ଟି ପାଇଁ ପଖାଳ ସହିତ ଏକାଧିକ ରୁଚି ପୂର୍ଣ୍ଣ ଉପାଦାନ ଯୋଡା ଯାଇଥିଲେ ବି କେବେ ହେଲେ ଏହା ନିଜର ମୌଳିକତା ହରାଇ ନାହିଁ ।

ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଆଉ ଏହି ପାରମ୍ପାରିକ ଖାଦ୍ୟକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ପାଳନ କରାଯାଉଛି। ହେଲେ ଏହି ପଖାଳ କେବଳ ଗୋଟିଏ ପ୍ରକାରର ନୁହେଁ। ଆମେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପଖାଳ ଖାଇଥାଉ। ଏବେ ଜାଣନ୍ତୁ ପଖାଳ କେତେ ପ୍ରକାର। ଆଉ ଓଡ଼ିଆମାନେ କେଉଁ କେଉଁ ପଖାଳ ଖାଇବାକୁ ବେଶ ପସନ୍ଦ କରିଥାନ୍ତି।

 ସଜ ପଖାଳ

ଗରମ ଭାତରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ ବୋଲି କୁହାଯାଏ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସଜ ପଖାଳ ଖାଇଲେ କିଛି ଅସୁବିଧା ନାହିଁ। ସଜ ପଖାଳରେ କାଗେଜି ଲେମ୍ବୁ ଚିପୁଡି କିମ୍ବା ଦହି ଗୋଳାଇ ଖାଇଲେ ଏହି ସ୍ୱାଦିଷ୍ଟ ଲାଗିଥାଏ। ଏମିତି କି କେତେକ ସଜ ପଖାଳରେ ଭୁର୍ସୁଙ୍ଗ ପତ୍ରର ଛୁଙ୍କ ଦେଇ ସେଥିରେ କଟା ପିଆଜ, ବସାଦହି, ଆମ୍ବକସିଆ ଅଦା ଓ କଞ୍ଚାଲଙ୍କା ମିଶାଇ ଖାଇଥାନ୍ତି। ଯାହାକି ପଖାଳର ସ୍ୱାଦକୁ ଆହୁରି ବଢାଇ ଦେଉଥାଏ।

 ବାସି ପଖାଳ

ସାଧାରଣତଃ ଲୋକମାନେ ପଖାଳ କହିଲେ ବାସି ପଖାଳକୁ ହିଁ ବୁଝିଥାନ୍ତି। ଥଣ୍ଡା ଭାତ ବା ବଳକା ଭାତରେ ପାଣି ଦେଇ ୧୨ ଘଣ୍ଟାରୁ ଅଧିକ ସମୟ ରଖି ଦେଲେ ଏହା ବାସି ପଖାଳିରେ ପରିଣତ ହୋଇଯାଏ। ଯେଉଁଥିରେ ଦହି କିମ୍ୱା ଲେମ୍ୱୁ ନ ପକାଇଲେ ବି ଏହା ସ୍ୱାଦିଷ୍ଟ ଲାଗିଥାଏ।

ଛୁଙ୍କ ପଖାଳ 

ପଖାଳକୁ ଆହୁରି ସ୍ୱାଦିଷ୍ଟ କରିଥାଏ ଛୁଙ୍କ। ଜିରା, ଫୁଟଣ ଓ ଭୁର୍ସୁଙ୍ଗ ପତ୍ର ଆଦିକୁ ଭାଜି ପଖାଳରେ ମିଶାଇ ଏହା ତିଆରି କରାଯାଏ। ସବୁ ବର୍ଗର ଲୋକ ଛୁଙ୍କ ପଖାଳ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି।

ଦହି ପଖାଳ

ଛୁଙ୍କ ପଖାଳଠାରୁ ଓଡ଼ିଆଙ୍କର ଦହି ପଖାଳ ପ୍ରତି ଆଦର ଅଧିକ। ସଜ ହେଉ କି ବାସି ପଖାଳରେ ଦହି ଓ ଭଜା ଜିରା, ରସୁଣ, ଭୁର୍ସୁଙ୍ଗ ପତ୍ର ଆଦି ଛୁଙ୍କ ଦେଇ ତିଆରି କରାଯାଇଥାଏ।

ପଖାଳ କହିଲେ ଲୋକମାନେ ଥଣ୍ଡା ଭାତ ବୋଲି ଭାବିଥାନ୍ତି। ଓଡ଼ିଆମାନେ ଗରମ ପଖାଳ ବି ଖାଇଥାନ୍ତି। ଯାହାକୁ ଆମେ ଚାଇଁ ପଖାଳ ବୋଲି କହିଥାଉ। ସଜ ଭାତରେ ଗରମ ନ ଛାଡ଼ୁଣୁ ସେଥିରେ ପାଣି ମିଶାଇ ଏହା ତିଆରି କରାଯାଇଥାଏ। ଆଉ ଏହାକୁ ଗରମ ଗରମ ହିଁ ଖିଆ ଯାଇଥାଏ। କେହି କେହି ଏଥିରେ କ୍ଷୀର ବା ଘିଅ ପକାଇ ଖାଇବାକୁ ପସନ୍ଦ କରିଥାନ୍ତି।

ସଜ ପଖାଳ, ବାସୀ ପଖାଳ, ଛୁଙ୍କ ପଖାଳ, ଦହି ପଖାଳ, ଚାଇଁ ପଖାଳକୁ ଛାଡି ଓଡ଼ିଆମାନେ ଟଭା ପଖାଳ, ଅଦା ପଖାଳ, କଞ୍ଚାଆମ୍ବ ପଖାଳ, କାକୁଡ଼ିକୋରା ପଖାଳ, ବଡ଼ି ପଖାଳ ଆଦି ତିଆରି କରି ଖାଇଥାନ୍ତି। ଆଉ ପଖାଳ ସହ ବଢି ଚୁରା, ଟମାଟୋ ପୋଡା, ବାଇଗଣ ଭରତା, ଆଳୁ ଚକଟା, ସଜନା ଛୁଇଁ ଭଜା, ଜହ୍ନି ପୋଡା, ଭେଣ୍ଡି ଭଜା, ଶାଗ ଭଜା, ଆମ୍ୱଲ ଚକଟା, ତେନ୍ତୁଳି ଖଟା, ଚୁନା ମାଛ ରାଇ, ଛତୁ ବେସର, କାକୁଡି, ଆମ୍ବ, ରସୁଣ, ପିଆଜ, କଞ୍ଚା ଲଙ୍କା, ଆମ୍ବ ଚଟଣି ଥିଲେ ଖାଇବା ଜମି ଯାଏ। ବିଶେଷ କରି ଖରା ଦିନ ଆସିଲେ ଘରେ ଘରେ ପଖାଳର ଆଦର ବେଶ ବଢି ଯାଏ। ଧୁ ଧୁ ଖରା ବେଳେ ତୁଣ୍ଡରେ ପଖାଳ ଗଣ୍ଡିଏ ଓ ତୋରାଣି ମୁନ୍ଦିଏ ପଡି ଗଲେ ଭାରି ଶାନ୍ତି ଲାଗେ।