• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ପ୍ରତିବର୍ଷ ୨୬ ଅଗଷ୍ଟକୁ ‘ମହିଳା ସମାନତା ଦିବସ’ ଭାବରେ ସମଗ୍ର ବିଶ୍ୱରେ ପାଳନ କରାଯାଏ। ମହିଳାଙ୍କ ସ୍ଥିତିକୁ ମଜବୁତ କରିବା ଏବଂ ସମାଜର ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ପରି ସେମାନଙ୍କୁ ସମାନ ଅଧିକାର ଏବଂ ସମ୍ମାନ ପ୍ରଦାନ କରିବା ହେଉଛି ଏହି ଦିବସର ଲକ୍ଷ୍ୟ। ମହିଳା ସମାନତା ଦିବସ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିଥାଏ।

ଏହି ଅବସରରେ ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଯାଏ। ଏହି ଦିବସ ପାଳନ ଆମେରିକାରେ ଆରମ୍ଭ ହୋଇଥିଲା କିନ୍ତୁ ବର୍ତ୍ତମାନ ଭାରତ ସମେତ ଅନେକ ଦେଶ ‘ମହିଳା ସମାନତା ଦିବସ’ ପାଳନ କରୁଛନ୍ତି। ଭାରତ ଏକ ପୁରୁଷ ପ୍ରଧାନ ଦେଶ, ଯେଉଁଠାରେ ମହିଳାମାନଙ୍କୁ ପୁରୁଷମାନଙ୍କ ପରି ସମାନ ମାନ୍ୟତା ଦେବା ପାଇଁ ମହିଳାମାଙ୍କୁ କିଛି ଅଧିକାର ଦିଆଯାଇଛି।

ଯଦି ଦେଖାଯାଏ ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ଭାରତୀୟ ମହିଳାଙ୍କ ଅବସ୍ଥା ବହୁତ ଭଲ। ବର୍ତ୍ତମାନ ଭାରତୀୟ ମହିଳାମାନେ ଶିକ୍ଷା, ଅଫିସ୍ ଏବଂ ଦେଶର ସୁରକ୍ଷା ଭଳି ଅନେକ କ୍ଷେତ୍ରରେ ସେମାନଙ୍କର ଉପସ୍ଥିତି ଜାହିର କରିଛନ୍ତି। ଭାରତର ଆଇନ ଏବଂ ସମ୍ବିଧାନ ମହିଳାମାନଙ୍କୁ କିଛି ଅଧିକାର ଦେଇଛି ଯାହା ସେମାନଙ୍କୁ ସଶକ୍ତ କରିଥାଏ। ଭାରତୀୟ ମହିଳାମାନେ ଏସବୁ ବିଷୟରେ ଜାଣିବା ଓ ବ୍ୟବହାର କରିବା ଜରୁରୀ।

ଭାରତରେ ୫ ମହିଳା ଅଧିକାର

ସମାନ ଦରମା ଅଧିକାର:

ଏହି ଆଇନ ଅନୁଯାୟୀ ଆୟ ବା ବେତନ ପ୍ରଦାନରେ ଲିଙ୍ଗ ଆଧାରରେ କୌଣସି ଭେଦଭାବ ହୋଇପାରିବ ନାହିଁ। ତାହା ହେଉଛି, ଯେକୌଣସି କାର୍ଯ୍ୟରତ ମହିଳା ସେହି ପଦବୀରେ କାର୍ଯ୍ୟ କରୁଥିବା ପୁରୁଷ ସହିତ ସମାନ ଦରମା ଗ୍ରହଣ କରିବାର ଅଧିକାର ଅଛି। ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଦରମା କ୍ଷେତ୍ରରେ କୌଣସି ଭେଦଭାବ ରହିବ ନାହିଁ।

ମାତୃତ୍ୱ ସୁବିଧା ଆଇନ:

୧୯୬୧ ମସିହାରେ ଲାଗୁ ହୋଇଥିବା ଏହି ଅଧିନିୟମ ଅନୁଯାୟୀ, ଜଣେ କାର୍ଯ୍ୟରତ ମହିଳା ମା’ ହେବା କ୍ଷେତ୍ରରେ ୬ ମାସ ଛୁଟି ନେବାକୁ ଅଧିକାର ପାଇଛନ୍ତି। ଗର୍ଭବତୀ ସମୟରେ ମାତୃତ୍ୱ ଛୁଟି ପାଇଁ କମ୍ପାନୀ ଜଣେ ମହିଳା କର୍ମଚାରୀଙ୍କ ଦରମାରୁ କିଛି ବି କାଟି ପାରିବ ନାହିଁ। ଏହି ସମୟରେ ଜଣେ କାର୍ଯ୍ୟରତ ଗର୍ଭବତୀ ମହିଳାଙ୍କୁ ମଧ୍ୟ ତାଙ୍କ ଚାକିରିରୁ ବାହାର କରାଯାଇ ପାରିବ ନାହିଁ।

ସମ୍ପତ୍ତି ଅଧିକାର:

ଭାରତରେ ପୁଅମାନେ ପିତା ଏବଂ ପରିବାରର ବଂଶ ବୋଲି ବିବେଚନା କରାଯାଏ। ତେବେ, ହିନ୍ଦୁ ଉତ୍ତରାଧିକାର ଅଧିନିୟମ ଅନୁଯାୟୀ, ଉଭୟ ପୁଅ ଏବଂ ଝିଅଙ୍କର ପୈତୃକ ସମ୍ପତ୍ତି ଉପରେ ସମାନ ଅଧିକାର ରହିଛି।

ରାତିରେ ଗିରଫ ମନା:

ମହିଳାଙ୍କ ସୁରକ୍ଷା ସମ୍ପର୍କରେ ଆଇନରେ ଏକ ବ୍ୟବସ୍ଥା ରହିଛି ଯେ କୌଣସି ମହିଳା ଅଭିଯୁକ୍ତଙ୍କୁ ସୂର୍ଯ୍ୟାସ୍ତ ପରେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ଗିରଫ କରାଯାଇପାରିବ ନାହିଁ। ତେବେ ଆବଶ୍ୟକ ସ୍ଥଳେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ଗିରଫ ସମ୍ଭବ। ଏହା ବ୍ୟତୀତ ମହିଳାଙ୍କ ତଦନ୍ତ ସମୟରେ ଜଣେ ମହିଳା କନଷ୍ଟେବଳ ରହିବା ଆବଶ୍ୟକ।

ପରିଚୟ ଗୋପନୀୟତା ଅଧିକାର:

ମହିଳାଙ୍କ ଗୋପନୀୟତା ରକ୍ଷା କରିବାର ଆଇନ ଏହି ଅଧିକାର ପ୍ରଦାନ କରେ। ଏହା ଅଧୀନରେ ଯଦି ଜଣେ ମହିଳା ଯୌନ ଉତ୍ପୀଡ଼ନର ଶିକାର ହୁଅନ୍ତି, ତେବେ ସେ ନିଜର ପରିଚୟକୁ ଗୁପ୍ତ ରଖିପାରିବେ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ତାଙ୍କ ବିବୃତ୍ତିକୁ ଏକାକୀ ରେକର୍ଡ କରାଯାଇ ପାରିବ।

OTV is now on Whatsapp

Join and get latest news update delivered to you via whatsapp

Join Now